ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅକ୍ଟୋବର 2027 › ଅକ୍ଟୋବର 1
ଅର୍ଥୋଡକ୍ସ ପଞ୍ଜିକା · 18 ସେପ୍ଟେମ୍ବର (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 1 ଅକ୍ଟୋବର 2027
ଶୁକ୍ରବାର · ପେଣ୍ଟିକଷ୍ଟ ପରେ 15ତମ ସପ୍ତାହ · ସ୍ୱର 5
ପର୍ବ ଓ ସନ୍ଥ
Afterfeast of the Exaltation of the Cross
ଉପବାସ ଦିନ
ଉପବାସ: ତେଲ ସହିତ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପତ୍ର
8ମାତ୍ର ପୂର୍ବରେ ତୁମ୍ଭେମାନେ ଈଶ୍ବରଙ୍କୁ ନ ଜାଣି, ଯେଉଁମାନେ ପ୍ରକୃତରେ ଈଶ୍ବର ନୁହଁନ୍ତି, ସେମାନଙ୍କର ଦାସ ଥିଲ; 9କିନ୍ତୁ ଏବେ ଈଶ୍ବରଙ୍କ ପରିଚୟ ପାଇଅଛ; ବରଂ ଈଶ୍ବରଙ୍କ ଦ୍ୱାରା ପରିଚିତ ହୋଇଅଛ, ତେବେ କିପରି ଆଉ ଥରେ ଦୁର୍ବଳ ଓ ଅକିଞ୍ଚନ ମୌଳିକ ବିଷୟଗୁଡ଼ିକ ପ୍ରତି ଫେରିଯାଇ ପୁନର୍ବାର ସେହି ସବୁର ଦାସ ହେବାକୁ ଇଚ୍ଛା କରୁଅଛ? 10ତୁମ୍ଭେମାନେ ବିଶେଷ ବିଶେଷ ଦିନ, ମାସ, ପର୍ବ ଓ ବର୍ଷ ପାଳନ କରିଥାଅ। 11ତୁମ୍ଭମାନଙ୍କ ନିମନ୍ତେ ମୁଁ ଯେଉଁ ପରିଶ୍ରମ କରିଅଛି, କାଳେ ତାହା ବ୍ୟର୍ଥ ହୁଏ, ତୁମ୍ଭମାନଙ୍କ ସମ୍ବନ୍ଧରେ ମୋହର ଏହି ଭୟ ହେଉଅଛି। 12ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ନିବେଦନ କରୁଅଛି, ତୁମ୍ଭେମାନେ ମୋʼ ପରି ହୁଅ, କାରଣ ମୁଁ ତୁମ୍ଭମାନଙ୍କ ପରି ହୋଇଅଛି। ତୁମ୍ଭେମାନେ ମୋʼ ପ୍ରତି କୌଣସି ଅନ୍ୟାୟ କରି ନାହଁ। 13କିନ୍ତୁ ତୁମ୍ଭେମାନେ ଜାଣ ଯେ, ଶାରୀରିକ ପୀଡ଼ା ହେତୁ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଥମ ଥର ସୁସମାଚାର ପ୍ରଚାର କରିଥିଲି 14ଆଉ, ତୁମ୍ଭମାନଙ୍କ ପରୀକ୍ଷା ସ୍ୱରୂପ ମୋହର ଶାରୀରିକ ଅବସ୍ଥା ତୁମ୍ଭେମାନେ ତୁଚ୍ଛ କଲ ନାହିଁ ବା ଘୃଣା କଲ ନାହିଁ, କିନ୍ତୁ ତୁମ୍ଭେମାନେ ଈଶ୍ବରଙ୍କ ଜଣେ ଦୂତ ସ୍ୱରୂପେ, ଏପରିକି ଖ୍ରୀଷ୍ଟ ଯୀଶୁଙ୍କ ସ୍ୱରୂପେ ମୋତେ ଗ୍ରହଣ କଲ। 15ତେବେ ତୁମ୍ଭମାନଙ୍କର ସେହି ଆନନ୍ଦ କାହିଁ? କାରଣ ମୁଁ ତୁମ୍ଭମାନଙ୍କ ପକ୍ଷରେ ସାକ୍ଷ୍ୟ ଦେଉଅଛି ଯେ, ସମ୍ଭବ ହୋଇଥିଲେ ତୁମ୍ଭେମାନେ ଆପଣା ଆପଣାର ଚକ୍ଷୁ ଉତ୍ପାଟନ କରି ମୋତେ ଦେଇଥାଆନ୍ତ। 16ଅତଏବ ମୁଁ ତୁମ୍ଭମାନଙ୍କୁ ସତ୍ୟ କହିବାରୁ କି ତୁମ୍ଭମାନଙ୍କର ଶତ୍ରୁ ହୋଇଅଛି? 17ସେମାନେ ତ ତୁମ୍ଭମାନଙ୍କ ବିଷୟରେ ଉଦ୍ଯୋଗୀ, କିନ୍ତୁ ଭଲ ଅଭିପ୍ରାୟରେ ନୁହେଁ, ବରଂ ତୁମ୍ଭେମାନେ ଯେପରି ସେମାନଙ୍କ ବିଷୟରେ ଉଦ୍ଯୋଗୀ ହୁଅ, ଏଥିନିମନ୍ତେ ସେମାନେ ତୁମ୍ଭମାନଙ୍କୁ ମୋʼଠାରୁ ପୃଥକ୍ କରିବାକୁ ଇଚ୍ଛା କରୁଅଛନ୍ତି। 18କେବଳ ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ନୁହେଁ, ମାତ୍ର ସବୁ ସମୟରେ ଉତ୍ତମ ବିଷୟରେ ଉଦ୍ଯୋଗୀ ହେବା ଭଲ। 19ହେ ମୋହର ପିଲାମାନେ, ଯେପର୍ଯ୍ୟନ୍ତ ତୁମ୍ଭମାନଙ୍କଠାରେ ଖ୍ରୀଷ୍ଟ ମୂର୍ତ୍ତିମାନ ହୋଇ ନାହାନ୍ତି, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କ ସକାଶେ ମୁଁ ପୁନର୍ବାର ପ୍ରସବ ବେଦନାରେ ବ୍ୟଥିତ ହେଉଅଛି। 20ମୁଁ ଯେପରି ବର୍ତ୍ତମାନ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ଅନ୍ୟ ଭାବରେ କଥା କହିପାରନ୍ତି, ଏହା ମୋହର ଇଚ୍ଛା; କାରଣ ମୁଁ ତୁମ୍ଭମାନଙ୍କ ବିଷୟରେ ହତବୁଦ୍ଧି ହେଉଅଛି। 21ମୋଶାଙ୍କ ବ୍ୟବସ୍ଥାର ଅଧୀନ ହେବାକୁ ଇଚ୍ଛା କରୁଅଛ ଯେ ତୁମ୍ଭେମାନେ, ମୋତେ କୁହ ତ, ତୁମ୍ଭେମାନେ କଅଣ ମୋଶାଙ୍କ ବ୍ୟବସ୍ଥାର ବାକ୍ୟ ଶୁଣୁ ନାହଁ?
ସୁସମାଚାର
45ସେହିକ୍ଷଣି ସେ ଆପଣା ଶିଷ୍ୟମାନଙ୍କୁ ନୌକାରେ ଚଢ଼ି ବେଥ୍ସାଇଦା ଆଡ଼କୁ ଅପର ପାରିକୁ ଆଗରେ ଯିବା ପାଇଁ ବଳାଇଲେ, ପୁଣି, ସେ ଇତିମଧ୍ୟରେ ଲୋକସମୂହକୁ ବିଦାୟ ଦେଲେ। 46ସେମାନଙ୍କଠାରୁ ବିଦାୟ ନେଲା ଉତ୍ତାରେ ଯୀଶୁ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ଗଲେ। 47ସନ୍ଧ୍ୟା ହେବା ପରେ ନୌକାଟି ସମୁଦ୍ରର ମଧ୍ୟଭାଗରେ ଥିଲା ଓ ସେ ସ୍ଥଳରେ ଏକାକୀ ଥିଲେ। 48ପ୍ରତିକୂଳ ବାୟୁ ହେତୁ ସେମାନଙ୍କୁ ନୌକା ବାହିବାରେ କଷ୍ଟ ପାଉଥିବା ଦେଖି ସେ ପ୍ରାୟ ରାତ୍ରିର ଚତୁର୍ଥ ପ୍ରହରରେ ସମୁଦ୍ର ଉପରେ ଚାଲି ସେମାନଙ୍କ ପାଖକୁ ଆସିଲେ, ଆଉ ସେମାନଙ୍କ ପାଖ ଦେଇ ଆଗକୁ ଚାଲିବା ପାଇଁ ଉଦ୍ୟତ ଥିଲେ। 49କିନ୍ତୁ ସେମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବା ଦେଖି ଭୂତ ବୋଲି ଭାବି ଚିତ୍କାର କଲେ, 50କାରଣ ସମସ୍ତେ ତାହାଙ୍କୁ ଦେଖି ଉଦ୍ବିଗ୍ନ ହୋଇଥିଲେ। ମାତ୍ର ସେ ସେହିକ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କୁ କହିଲେ, “ସାହସ ଧର, ଏ ତ ମୁଁ, ଭୟ କର ନାହିଁ।” 51ପୁଣି, ସେ ସେମାନଙ୍କ ନିକଟକୁ ଯାଇ ନୌକାରେ ଚଢ଼ିଲେ, ଆଉ ପବନ ବନ୍ଦ ହେଲା। ସେଥିରେ ସେମାନେ ମନେ ମନେ ଅତ୍ୟନ୍ତ ଆଚମ୍ଭିତ ହେଲେ, 52କାରଣ ରୁଟିର ଘଟଣାରେ ସେମାନଙ୍କର ଜ୍ଞାନ ଜନ୍ମି ନ ଥିଲା, ଯେଣୁ ସେମାନଙ୍କ ହୃଦୟ ଜଡ଼ ହୋଇଥିଲା। 53ସେମାନେ ପାର ହୋଇ ଗିନ୍ନେସରତ ଅଞ୍ଚଳରେ ପହଞ୍ଚି କୂଳରେ ନୌକା ବାନ୍ଧିଲେ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ସେପ୍ଟେମ୍ବର 18 ନାଗରିକ ପଞ୍ଜିକାର ଅକ୍ଟୋବର 1। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର