Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ସେପ୍ଟେମ୍ବର 2027 › ସେପ୍ଟେମ୍ବର 20

ଅର୍ଥୋଡକ୍ସ ପଞ୍ଜିକା · 7 ସେପ୍ଟେମ୍ବର (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 20 ସେପ୍ଟେମ୍ବର 2027

ସୋମବାର · ପେଣ୍ଟିକଷ୍ଟ ପରେ 14ତମ ସପ୍ତାହ · ସ୍ୱର 4

ପର୍ବ ଓ ସନ୍ଥ

Forefeast of the Nativity of the Theotokos

ଉପବାସ

ଉପବାସ ନାହିଁ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ପତ୍ର

ଦ୍ଵି.କରି 12:10–19

10ତେଣୁ ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତାରେ, ଅପମାନରେ, ଦୁର୍ଦ୍ଦଶାରେ, ତାଡ଼ନାରେ, ସଙ୍କଟରେ ମୁଁ ସନ୍ତୁଷ୍ଟ ହୁଏ; କାରଣ ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ବଳବାନ। 11ମୁଁ ନିର୍ବୋଧ ହୋଇଅଛି, ତୁମ୍ଭେମାନେ ମୋତେ ବାଧ୍ୟ କଲ, କାରଣ ମୋହର ପ୍ରଶଂସା କରିବା ତୁମ୍ଭମାନଙ୍କର ଉଚିତ୍ ଥିଲା; ଯେଣୁ ଯଦ୍ୟପି ମୁଁ କିଛି ନୁହେଁ, ତଥାପି କୌଣସି ବିଷୟରେ ସେହି ଶ୍ରେଷ୍ଠତମ ପ୍ରେରିତମାନଙ୍କ ଅପେକ୍ଷା ଊଣା ନୁହେଁ। 12ଯେ ସମସ୍ତ ଚିହ୍ନ ଓ ଅଦ୍ଭୁତ କର୍ମ ପୁଣି, ଶକ୍ତିର କାର୍ଯ୍ୟ ପ୍ରେରିତଙ୍କ ଲକ୍ଷଣ ସ୍ୱରୂପ, ସେହିସବୁ ପ୍ରକୃତରେ ତୁମ୍ଭମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଧୈର୍ଯ୍ୟ ସହକାରେ ସାଧିତ ହୋଇଅଛି। 13କାରଣ ମୁଁ ନିଜେ ଯେ ତୁମ୍ଭମାନଙ୍କର ଭାର ସ୍ୱରୂପ ହୋଇ ନାହିଁ, ଏହି ଗୋଟିଏ ବିଷୟ ଛଡ଼ା ଅବଶିଷ୍ଟ ମଣ୍ଡଳୀ-ସମୂହଠାରୁ ତୁମ୍ଭେମାନେ କାହିଁରେ ନିକୃଷ୍ଟ ହୋଇଅଛ? ମୋହର ଏହି ଦୋଷ କ୍ଷମା କର। 14ଦେଖ, ମୁଁ ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ଏହି ତୃତୀୟ ଥର ପ୍ରସ୍ତୁତ ଅଛି, ଆଉ ମୁଁ ତୁମ୍ଭମାନଙ୍କର ଭାର ସ୍ୱରୂପ ହେବି ନାହିଁ, କାରଣ ମୁଁ ତୁମ୍ଭମାନଙ୍କର ଧନ ନ ଖୋଜି ତୁମ୍ଭମାନଙ୍କୁ ଖୋଜୁଅଛି। ଯେଣୁ ସନ୍ତାନସନ୍ତତିମାନଙ୍କର ପିତାମାତାମାନଙ୍କ ନିମନ୍ତେ ସଞ୍ଚୟ କରିବା ଉଚିତ୍ ନୁହେଁ, ମାତ୍ର ସନ୍ତାନସନ୍ତତିମାନଙ୍କ ନିମନ୍ତେ ପିତାମାତାଙ୍କର ସଞ୍ଚୟ କରିବା ଉଚିତ। 15ଆଉ, ମୁଁ ତୁମ୍ଭମାନଙ୍କ ଆତ୍ମା ନିମନ୍ତେ ମହାନନ୍ଦରେ ବ୍ୟୟ କରିବି, ହଁ, ମୋହର ପ୍ରାଣ ସୁଦ୍ଧା ବ୍ୟୟ କରିବି। ମୁଁ ତୁମ୍ଭମାନଙ୍କୁ ଅଧିକ ପ୍ରଚୁରଭାବେ ପ୍ରେମ କରୁଅଛି ବୋଲି କଅଣ ଊଣା ପ୍ରେମ ପ୍ରାପ୍ତ ହେଉଅଛି? 16କିନ୍ତୁ ଯାହା ହେଉ, ମୁଁ ନିଜେ ତୁମ୍ଭମାନଙ୍କୁ ଭାରଗ୍ରସ୍ତ କଲି ନାହିଁ, ମାତ୍ର ଧୂର୍ତ୍ତ ହୋଇ ମୁଁ ତୁମ୍ଭମାନଙ୍କୁ ଛଳରେ ଧରିଲି! 17ମୁଁ ତୁମ୍ଭମାନଙ୍କ ନିକଟକୁ ଯେଉଁମାନଙ୍କୁ ପଠାଇଅଛି, ସେମାନଙ୍କ ମଧ୍ୟରୁ କୌଣସି ଜଣକ ଦ୍ୱାରା କି ତୁମ୍ଭମାନଙ୍କଠାରୁ କିଛି ଲାଭ କରିଅଛି? 18ମୁଁ ତୀତସଙ୍କୁ ଯିବା ନିମନ୍ତେ ଅନୁରୋଧ କରିଥିଲି, ପୁଣି, ତାହାଙ୍କ ସହିତ ସେହି ଭାଇଙ୍କୁ ପଠାଇଥିଲି। ତୀତସ କି ତୁମ୍ଭମାନଙ୍କଠାରୁ କିଛି ଲାଭ କରିଅଛନ୍ତି? ଆମ୍ଭେମାନେ କଅଣ ଏକ ଆତ୍ମାରେ ଆଚରଣ କରି ନାହୁଁ? ଆମ୍ଭେମାନେ କଅଣ ଏକ ପଦଚିହ୍ନରେ ଗମନ କରି ନାହୁଁ? 19ଏପର୍ଯ୍ୟନ୍ତ ତୁମ୍ଭେମାନେ ଭାବୁଅଛ ଯେ, ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ଦୋଷ କଟାଉଅଛୁ। ଈଶ୍ବରଙ୍କ ସାକ୍ଷାତରେ ଖ୍ରୀଷ୍ଟଙ୍କ ସେବକ ସ୍ୱରୂପେ ଆମ୍ଭେମାନେ କଥା କହୁଅଛୁ। କିନ୍ତୁ ହେ ପ୍ରିୟମାନେ, ସମସ୍ତ ବିଷୟ ତୁମ୍ଭମାନଙ୍କ ନିଷ୍ଠା ନିମନ୍ତେ କହୁଅଛୁ।

ପତ୍ର (ମଙ୍ଗଳବାର ପାଇଁ)

ଦ୍ଵି.କରି 12:20–13:2

20କାରଣ କାଳେ ଅବା ମୁଁ ଉପସ୍ଥିତ ହେଲେ, ତୁମ୍ଭମାନଙ୍କୁ ଯେପରି ଦେଖିବାକୁ ଇଚ୍ଛା କରୁଅଛି, ସେପରି ତୁମ୍ଭମାନଙ୍କୁ ନ ଦେଖେ, ଆଉ, ତୁମ୍ଭେମାନେ ମୋତେ ଯେପରି ଦେଖିବାକୁ ଇଚ୍ଛା ନ କର, ସେପରି ମୋତେ ଦେଖ, ଏଥିପାଇଁ ମୁଁ ଭୟ କରୁଅଛି; କାଳେ ଅବା ବିବାଦ, ଈର୍ଷା, କ୍ରୋଧ, ଦଳାଦଳି, ପରନିନ୍ଦା, କାନକୁହାକୋହି, ଦାମ୍ଭିକତା, ଗଣ୍ଡଗୋଳ ହୁଏ; 21କାଳେ ମୁଁ ପୁନର୍ବାର ଉପସ୍ଥିତ ହେଲେ ମୋହର ଈଶ୍ବର ତୁମ୍ଭମାନଙ୍କ ସମ୍ବନ୍ଧରେ ମୋତେ ପୁନର୍ବାର ଅବନତ କରନ୍ତି, ପୁଣି, ଯେଉଁମାନେ ପୂର୍ବରେ ପାପ କରିଅଛନ୍ତି, ଆଉ ଆପଣା ଆପଣା କୃତ ଅଶୁଚିତା, ବ୍ୟଭିଚାର ଓ କାମୁକତା ସକାଶେ ଅନୁତାପ କରି ନାହାନ୍ତି, ଏପରି ଅନେକ ଲୋକଙ୍କ ନିମନ୍ତେ ମୁଁ ଶୋକ କରେ। 13:1ଏହି ତୃତୀୟ ଥର ମୁଁ ତୁମ୍ଭମାନଙ୍କ ନିକଟକୁ ଯାଉଅଛି। “ଦୁଇ ବା ତିନି ସାକ୍ଷୀଙ୍କ ମୁଖରେ ସମସ୍ତ କଥା ସ୍ଥିର କରାଯିବ।” 2ଯେଉଁମାନେ ପୂର୍ବରେ ପାପ କରିଥିଲେ, ସେମାନଙ୍କୁ ଓ ଅବଶିଷ୍ଟ ସମସ୍ତଙ୍କୁ ମୁଁ ଯେପରି ପୂର୍ବେ ଦ୍ୱିତୀୟ ଥର ଉପସ୍ଥିତ ଥିବା ସମୟରେ କହିଥିଲି, ଏବେ ଅନୁପସ୍ଥିତ ଥାଇ ସେହିପରି ପୂର୍ବରୁ କହୁଅଛି ଯେ, ଯଦି ମୁଁ ପୁନର୍ବାର ଯାଏ, ତାହାହେଲେ ସେମାନଙ୍କୁ ଛାଡ଼ିବି ନାହିଁ;

ସୁସମାଚାର

ମାର୍କ 4:10–23

10ସେ ଏକାକୀ ଥିବା ସମୟରେ ତାହାଙ୍କ ସଙ୍ଗୀମାନେ ଦ୍ୱାଦଶଙ୍କ ସହିତ ତାହାଙ୍କୁ ସେହି ଦୃଷ୍ଟାନ୍ତଗୁଡ଼ିକ ବିଷୟରେ ପଚାରିବାକୁ ଲାଗିଲେ। 11ସେଥିରେ ସେ ସେମାନଙ୍କୁ କହିଲେ, “ଈଶ୍ବରଙ୍କ ରାଜ୍ୟର ନିଗୂଢ଼ ତତ୍ତ୍ୱ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେହି ବାହାର ଲୋକମାନଙ୍କୁ ସମସ୍ତ ବିଷୟ ଦୃଷ୍ଟାନ୍ତରେ କୁହାଯାଉଅଛି, 12ଯେପରି ‘ସେମାନେ ଦେଖୁ ଦେଖୁ ଜ୍ଞାତ ହୁଅନ୍ତି ନାହିଁ, ପୁଣି, ଶୁଣୁ ଶୁଣୁ ବୁଝନ୍ତି ନାହିଁ, କାଳେ ସେମାନେ ଫେରିଆସନ୍ତି ଓ କ୍ଷମା ପ୍ରାପ୍ତ ହୁଅନ୍ତି।’” 13ଯୀଶୁ ପୁଣି, ସେମାନଙ୍କୁ କହିଲେ, “ତୁମ୍ଭେମାନେ କି ଏହି ଦୃଷ୍ଟାନ୍ତ ବୁଝୁ ନାହଁ? ତେବେ କିପରି ସମସ୍ତ ଦୃଷ୍ଟାନ୍ତ ବୁଝିବ? 14ବୁଣାଳୀ ବାକ୍ୟ ବୁଣେ। 15ଯେଉଁମାନେ ଶୁଣନ୍ତି, ପୁଣି, ଶୁଣିବାକ୍ଷଣି ଶୟତାନ ଆସି ସେମାନଙ୍କଠାରେ ବୁଣାଯାଇଥିବା ବାକ୍ୟ ହରଣ କରିନିଏ, ସେମାନେ ବାକ୍ୟ ବୁଣାଯାଇଥିବା ବାଟ ପାଖ ଭୂମି ସଦୃଶ। 16ସେହିପରି ଯେଉଁମାନେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରନ୍ତି, 17କିନ୍ତୁ ସେମାନଙ୍କଠାରେ ଚେର ନ ମାଡ଼ିବାରୁ କ୍ଷଣକାଳମାତ୍ର ସ୍ଥିର ରୁହନ୍ତି, ପରେ ବାକ୍ୟ ସକାଶେ କ୍ଲେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଆନ୍ତି, ସେମାନେ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ। 18ଆଉ ଯେଉଁମାନେ ବାକ୍ୟ ଶୁଣନ୍ତି, ପୁଣି, ସାଂସାରିକ ଚିନ୍ତା, ଧନର ମାୟା ଏବଂ ଅନ୍ୟ ସମସ୍ତ ବିଷୟର ଲାଳସା ପ୍ରବେଶ କରି ବାକ୍ୟକୁ ଚାପିପକାଏ ଓ ତାହା ଫଳହୀନ ହୁଏ, 19ସେହି ଅନ୍ୟ ପ୍ରକାର ଲୋକେ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ। 20ଆଉ ଯେଉଁମାନେ ବାକ୍ୟ ଶୁଣି ତାହା ଗ୍ରହଣ କରନ୍ତି ଏବଂ ତିରିଶ ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ଫଳ ଫଳନ୍ତି, ସେମାନେ ବୁଣାଯାଇଥିବା ଉତ୍ତମ ଭୂମି ସଦୃଶ।” 21ପୁନଶ୍ଚ ସେ ସେମାନଙ୍କୁ କହିଲେ, “ଦୀପ କଅଣ ମାଣ ତଳେ ବା ଖଟ ତଳେ ରଖାଯିବା ନିମନ୍ତେ ଅଣାଯାଏ? ଦୀପରୁଖା ଉପରେ ରଖାଯିବା ନିମନ୍ତେ କି ତାହା ଅଣାଯାଏ ନାହିଁ? 22କାରଣ ପ୍ରକାଶିତ ନ ହେବା ଉଦ୍ଦେଶ୍ୟରେ କିଛି ଗୁପ୍ତ ନାହିଁ; ଆଉ ଯାହା ଗୁପ୍ତ ହୋଇଅଛି, ତାହା ପ୍ରକାଶିତ ହେବା ଉଦ୍ଦେଶ୍ୟରେ ଗୁପ୍ତ ହୋଇଅଛି। 23ଯଦି କାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।”

ସୁସମାଚାର (ମଙ୍ଗଳବାର ପାଇଁ)

ମାର୍କ 4:24–34

24ଯୀଶୁ ପୁଣି, ସେମାନଙ୍କୁ କହିଲେ, “କଅଣ ଶୁଣୁଅଛ, ସେ ବିଷୟରେ ସାବଧାନ। ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ମପାଯିବ ଏବଂ ତୁମ୍ଭମାନଙ୍କୁ ଅଧିକ ଦିଆଯିବ। 25କାରଣ ଯାହାର ଅଛି, ତାହାକୁ ଦିଆଯିବ; ଆଉ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ସୁଦ୍ଧା ତାହାଠାରୁ ନିଆଯିବ।” 26ଆହୁରି ସେ କହିଲେ, “ଈଶ୍ବରଙ୍କ ରାଜ୍ୟ ଏହି ପ୍ରକାର, ଯେପରି ଜଣେ ଲୋକ ଭୂମିରେ ବିହନ ବୁଣେ; 27ପୁଣି, ରାତ୍ରିରେ ନିଦ୍ରା ଯାଏ ଓ ଦିବସରେ ଜାଗ୍ରତ ହୁଏ, ଆଉ ବିହନ କିପରି ଅଙ୍କୁରିତ ହୋଇ ବୃଦ୍ଧି ପାଏ, ତାହା ସେ ଜାଣେ ନାହିଁ। 28ଭୂମି ଆପେ ଫଳ ଉତ୍ପନ୍ନ କରେ, ପ୍ରଥମରେ ପତ୍ର, ପରେ ଶସ୍ୟର ଶିଁଷା, ତାହା ପରେ ଶିଁଷାରେ ପୂର୍ଣ୍ଣ ଶସ୍ୟ। 29କିନ୍ତୁ ଶସ୍ୟ ପାଚିଲାକ୍ଷଣି ଫସଲ ସମୟ ଉପସ୍ଥିତ ହେବାରୁ ସେ ଦାଆ ଲଗାଏ।” 30ଯୀଶୁ ପୁଣି, କହିଲେ, “ଆମ୍ଭେମାନେ କାହା ସାଙ୍ଗରେ ଈଶ୍ବରଙ୍କ ରାଜ୍ୟର ତୁଳନା କରିବା? କିଅବା କେଉଁ ଦୃଷ୍ଟାନ୍ତରେ ତାହା ବୁଝାଇବା? 31ତାହା ଗୋଟିଏ ସୋରିଷ ଦାନା ପରି; ଭୂମିରେ ବୁଣାଯିବା ସମୟରେ ତାହା ପୃଥିବୀର ସମସ୍ତ ବୀଜଠାରୁ କ୍ଷୁଦ୍ର, 32ମାତ୍ର ବୁଣାଗଲେ ତାହା ବଢ଼ି ଉଠି ସବୁ ଶାକଠାରୁ ବଡ଼ ହୁଏ, ପୁଣି, ତାହାର ଏପରି ବଡ଼ ବଡ଼ ଡାଳ ହୁଏ ଯେ, ଆକାଶର ଚଢ଼େଇମାନେ ତାହାର ଛାୟାରେ ବାସ କରିପାରନ୍ତି।” 33ସେ ଏହି ପ୍ରକାରେ ଅନେକ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କ ଶୁଣିବା ଶକ୍ତି ଅନୁସାରେ ସେମାନଙ୍କ ନିକଟରେ ବାକ୍ୟ ପ୍ରଚାର କରୁଥିଲେ, 34ଆଉ ଦୃଷ୍ଟାନ୍ତ ବିନା ସେ ସେମାନଙ୍କ ନିକଟରେ କୌଣସି କଥା କହୁ ନ ଥିଲେ। କିନ୍ତୁ ସେ ଗୋପନରେ ଆପଣା ଶିଷ୍ୟମାନଙ୍କୁ ସମସ୍ତ ବିଷୟ ବୁଝାଇ ଦେଉଥିଲେ।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ସେପ୍ଟେମ୍ବର 7 ନାଗରିକ ପଞ୍ଜିକାର ସେପ୍ଟେମ୍ବର 20। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର