Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅଗଷ୍ଟ 2027 › ଅଗଷ୍ଟ 13

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 13 ଅଗଷ୍ଟ 2027

ଶୁକ୍ରବାର · ସାଧାରଣ କାଳର 19ତମ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର 19ତମ ସପ୍ତାହର ଶୁକ୍ରବାର

ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ସବୁଜ

ସନ୍ଥ ପଣ୍ଟିଆନ୍, ପୋପ୍, ଓ ହିପୋଲିଟସ୍, ପୁରୋହିତ, ଶହୀଦ · ଇଚ୍ଛାଧୀନ ସ୍ମୃତି ଦିବସ

ଉପବାସ ଓ ପ୍ରାୟଶ୍ଚିତ୍ତ

ପ୍ରାୟଶ୍ଚିତ୍ତର ଦିନ

ପ୍ରତ୍ୟେକ ଶୁକ୍ରବାର ପ୍ରାୟଶ୍ଚିତ୍ତର ଦିନ; ପ୍ରତ୍ୟେକ ବିଶପ୍ ସମ୍ମିଳନୀ ଏହା କିପରି ପାଳିବାକୁ ହେବ ସ୍ଥିର କରେ: ମାଂସରୁ ବିରତି କିମ୍ବା ପ୍ରାୟଶ୍ଚିତ୍ତର ଅନ୍ୟ କାର୍ଯ୍ୟ। ଉପବାସ 18ରୁ 59 ବର୍ଷ ପର୍ଯ୍ୟନ୍ତ, ବିରତି 14 ବର୍ଷରୁ ବାଧ୍ୟତାମୂଳକ।

ଦିନର ପାଠ

ପ୍ରଥମ ପାଠ

ଯିହୋ 24:1–13

1ଏଥିଉତ୍ତାରେ ଯିହୋଶୂୟ ଇସ୍ରାଏଲ ବଂଶସମୂହକୁ ଶିଖିମରେ ଏକତ୍ର କରି ସେମାନଙ୍କ ପ୍ରାଚୀନବର୍ଗକୁ ଓ ସେମାନଙ୍କ ପ୍ରଧାନମାନଙ୍କୁ ଓ ସେମାନଙ୍କ ବିଚାରକର୍ତ୍ତୃଗଣଙ୍କୁ ଓ ସେମାନଙ୍କ ଅଧ୍ୟକ୍ଷମାନଙ୍କୁ ଡକାଇଲେ, ତହିଁରେ ସେମାନେ ପରମେଶ୍ୱରଙ୍କ ସମ୍ମୁଖରେ ଠିଆ ହେଲେ। 2ତହୁଁ ଯିହୋଶୂୟ ସମସ୍ତ ଲୋକଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ପୂର୍ବକାଳରେ ତୁମ୍ଭମାନଙ୍କ ପୂର୍ବପୁରୁଷ ଅବ୍ରହାମ ଓ ନାହୋରର ପିତା ତେରହ ପ୍ରଭୃତି ନଦୀ ସେପାରିରେ ବାସ କରି ଅନ୍ୟ ଦେବତାମାନଙ୍କର ସେବା କରୁଥିଲେ; 3ତହିଁରେ ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷ ଅବ୍ରହାମଙ୍କୁ ସେହି ନଦୀ ସେପାରିରୁ ନେଇ କିଣାନ ଦେଶର ସର୍ବତ୍ର ଭ୍ରମଣ କରାଇଲୁ ଓ ତାହାର ବଂଶକୁ ବହୁପ୍ରଜ କଲୁ ଓ ତାହାକୁ ଇସ୍‌ହାକ ଦେଲୁ। 4ଆଉ ଆମ୍ଭେ ଇସ୍‌ହାକକୁ ଯାକୁବ ଓ ଏଷୌ ଦେଲୁ; ପୁଣି ଆମ୍ଭେ ଅଧିକାରାର୍ଥେ ଏଷୌକୁ ସେୟୀର ପର୍ବତ ଦେଲୁ; ଆଉ ଯାକୁବ ଓ ତାହାର ସନ୍ତାନମାନେ ମିସରକୁ ଗଲେ। 5ଏଉତ୍ତାରେ ଆମ୍ଭେ ମୋଶା ଓ ହାରୋଣକୁ ପଠାଇଲୁ ଓ ମିସର ମଧ୍ୟରେ ଯେଉଁ କାର୍ଯ୍ୟ କଲୁ, ତଦ୍ଦ୍ୱାରା ତାହାକୁ ଦଣ୍ଡ ଦେଲୁ; ତହିଁ ଉତ୍ତାରେ ଆମ୍ଭେ ତୁମ୍ଭମାନଙ୍କୁ ବାହାର କରି ଆଣିଲୁ। 6ପୁଣି ଆମ୍ଭେ ମିସରରୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ବାହାର କରି ଆଣିଲୁ; ତହୁଁ ତୁମ୍ଭେମାନେ ସମୁଦ୍ର ନିକଟରେ ଉପସ୍ଥିତ ହେଲ; ସେତେବେଳେ ମିସରୀୟମାନେ ରଥ ଓ ଅଶ୍ୱାରୂଢ଼ ସୈନ୍ୟ ନେଇ ସୂଫ ସାଗର ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପଛେ ପଛେ ଗୋଡ଼ାଇଲେ। 7ତହିଁରେ ସେମାନେ ସଦାପ୍ରଭୁଙ୍କୁ ଡାକ ପକାନ୍ତେ, ସେ ତୁମ୍ଭମାନଙ୍କ ଓ ମିସରୀୟମାନଙ୍କ ମଧ୍ୟରେ ଅନ୍ଧକାର ସ୍ଥାପନ କଲେ, ଆଉ ସେମାନଙ୍କ ଉପରକୁ ସମୁଦ୍ର ଆଣି ସେମାନଙ୍କୁ ଆଚ୍ଛନ୍ନ କଲେ; ଆମ୍ଭେ ମିସରରେ ଯାହା କଲୁ; ତାହା ତୁମ୍ଭମାନଙ୍କ ଚକ୍ଷୁ ଦେଖିଲା, ତହିଁ ଉତ୍ତାରେ ତୁମ୍ଭେମାନେ ଅନେକ ଦିନ ପ୍ରାନ୍ତରରେ ବାସ କଲ। 8ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଯର୍ଦ୍ଦନ ସେପାରିରେ ବାସକାରୀ ଇମୋରୀୟମାନଙ୍କ ଦେଶକୁ ଆଣିଲୁ; ପୁଣି ସେମାନେ ତୁମ୍ଭମାନଙ୍କ ସଙ୍ଗେ ଯୁଦ୍ଧ କଲେ; ତହିଁରେ ଆମ୍ଭେ ସେମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କଲୁ ଓ ତୁମ୍ଭେମାନେ ସେମାନଙ୍କ ଦେଶ ଅଧିକାର କଲ; ଏହିରୂପେ ଆମ୍ଭେ ତୁମ୍ଭମାନଙ୍କ ସାକ୍ଷାତରେ ସେମାନଙ୍କୁ ବିନାଶ କଲୁ। 9ତେବେ ମୋୟାବ-ରାଜା ସିପ୍ପୋରର ପୁତ୍ର ବାଲାକ ଉଠି ଇସ୍ରାଏଲ ପ୍ରତିକୂଳରେ ଯୁଦ୍ଧ କଲା, ପୁଣି ସେ ଲୋକ ପଠାଇ ତୁମ୍ଭମାନଙ୍କୁ ଶାପ ଦେବା ନିମନ୍ତେ ବିୟୋରର ପୁତ୍ର ବିଲୀୟମ୍‍କୁ ଡକାଇଲା। 10ମାତ୍ର ଆମ୍ଭେ ବିଲୀୟମ୍‍ର କଥା ଶୁଣିବାକୁ ଅସମ୍ମତ ହେଲୁ; ତହିଁରେ ସେ ତୁମ୍ଭମାନଙ୍କୁ କେବଳ ଆଶୀର୍ବାଦ କଲା; ଏରୂପେ ଆମ୍ଭେ ତାହା ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କଲୁ। 11ଏଉତ୍ତାରେ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯିରୀହୋରେ ଉପସ୍ଥିତ ହେଲ; ତହିଁରେ ଯିରୀହୋ ନିବାସୀମାନେ, ପୁଣି ଇମୋରୀୟ ଓ ପରିଷୀୟ ଓ କିଣାନୀୟ ଓ ହିତ୍ତୀୟ ଓ ଗିର୍ଗାଶୀୟ ଓ ହିବ୍ବୀୟ ଓ ଯିବୂଷୀୟମାନେ ତୁମ୍ଭମାନଙ୍କ ପ୍ରତିକୂଳରେ ଯୁଦ୍ଧ କରନ୍ତେ, ଆମ୍ଭେ ତୁମ୍ଭମାନଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କଲୁ, 12ଆଉ ତୁମ୍ଭର ଖଡ୍ଗ କି ତୁମ୍ଭର ଧନୁ ଦ୍ୱାରା ନୁହେଁ, ମାତ୍ର ଆମ୍ଭେ ତୁମ୍ଭମାନଙ୍କ ଆଗେ ଆଗେ ବିରୁଡ଼ି ପଠାଇଲୁ, ଯେ ସେମାନଙ୍କୁ, ଅର୍ଥାତ୍‍, ଇମୋରୀୟମାନଙ୍କ ଦୁଇ ରାଜାଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ ଘଉଡ଼ାଇ ଦେଲା। 13ଆଉ ତୁମ୍ଭେମାନେ ଯହିଁରେ ପରିଶ୍ରମ କରି ନାହଁ, ଏପରି ଏକ ଦେଶ ଓ ଯାହା ଯାହା ତୁମ୍ଭେମାନେ ନିର୍ମାଣ କରି ନାହଁ, ଏପରି ନଗରମାନ ଆମ୍ଭେ ତୁମ୍ଭମାନଙ୍କୁ ଦେଲୁ, ତହିଁରେ ତୁମ୍ଭେମାନେ ବାସ କରୁଅଛ; ତୁମ୍ଭେମାନେ ଯେଉଁ ଦ୍ରାକ୍ଷାକ୍ଷେତ୍ର ଓ ଜୀତକ୍ଷେତ୍ର ରୋପଣ ନ କଲ, ତାହା ତୁମ୍ଭେମାନେ ଭୋଗ କରୁଅଛ।’

ପ୍ରତିଉତ୍ତର ଗୀତ

ଗୀତ 136:1–3, 16–18, 21–22, 24

1ସଦାପ୍ରଭୁଙ୍କର ଧନ୍ୟବାଦ କର; କାରଣ ସେ ମଙ୍ଗଳମୟ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 2ଦେବମାନଙ୍କ ଦେବଙ୍କର ଧନ୍ୟବାଦ କର; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 3ପ୍ରଭୁମାନଙ୍କ ପ୍ରଭୁଙ୍କର ଧନ୍ୟବାଦ କର; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 16ଯେ ପ୍ରାନ୍ତର ଦେଇ ଆପଣା ଲୋକମାନଙ୍କୁ ଗମନ କରାଇଲେ, ତାହାଙ୍କର (ଧନ୍ୟବାଦ କର); କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 17ଯେ ମହାରାଜାଗଣକୁ ସଂହାର କଲେ, ତାହାଙ୍କର (ଧନ୍ୟବାଦ କର); କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ; 18ପରାକ୍ରାନ୍ତ ରାଜାମାନଙ୍କୁ ସଂହାର କଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ; 21ଆଉ, ସେମାନଙ୍କ ଦେଶ ଅଧିକାରାର୍ଥେ ଦେଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 22ନିଜ ଦାସ ଇସ୍ରାଏଲର ଅଧିକାର ନିମନ୍ତେ ଦେଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ; 24ପୁଣି, ଆମ୍ଭମାନଙ୍କ ବିପକ୍ଷଗଣଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।

ସୁସମାଚାର

ମାଥି 19:3–12

3ଏହି ସମୟରେ ଫାରୂଶୀମାନେ ତାହାଙ୍କ ପାଖକୁ ଆସି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ଯେକୌଣସି କାରଣରୁ ଆପଣା ସ୍ତ୍ରୀ କି ପରିତ୍ୟାଗ କରିବା କଅଣ ନ୍ୟାୟସଙ୍ଗତ? 4ସେ ଉତ୍ତର ଦେଲେ, “ତୁମ୍ଭେମାନେ କଅଣ ପାଠ କରି ନାହଁ ଯେ, ସୃଷ୍ଟିକର୍ତ୍ତା ଆଦ୍ୟରୁ ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ,” 5ଆଉ କହିଲେ, “ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ?” 6“ଏଣୁ ସେମାନେ ଆଉ ଦୁଇ ନୁହଁନ୍ତି, କିନ୍ତୁ ଏକାଙ୍ଗ ଅଟନ୍ତି। ଅତଏବ ଈଶ୍ବର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ଅଲଗା ନ କରୁ।” 7ସେମାନେ ତାହାଙ୍କୁ ପଚାରିଲେ, ତେବେ ମୋଶା କାହିଁକି ତ୍ୟାଗପତ୍ର ଦେଇ ସ୍ତ୍ରୀକୁ ପରିତ୍ୟାଗ କରିବା ନିମନ୍ତେ ଆଜ୍ଞା ଦେଲେ? 8ଯୀଶୁ ସେମାନଙ୍କୁ କହିଲେ, “କାରଣ ତୁମ୍ଭମାନଙ୍କ ହୃଦୟର କଠିନତା ଦେଖି ମୋଶା ତୁମ୍ଭମାନଙ୍କୁ ଆପଣା ଆପଣା ସ୍ତ୍ରୀ କି ପରିତ୍ୟାଗ କରିବାକୁ ଅନୁମତି ଦେଲେ, କିନ୍ତୁ ଆଦ୍ୟରୁ ସେପରି ନ ଥିଲା।” 9“ମାତ୍ର ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ସ୍ତ୍ରୀ କି ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ।” 10ଶିଷ୍ୟମାନେ ତାହାଙ୍କୁ କହିଲେ, ସ୍ତ୍ରୀ ସହିତ ମନୁଷ୍ୟର ଯଦି ଏହି ପ୍ରକାର ସମ୍ଵନ୍ଧ, ତେବେ ବିବାହ କରିବା ଭଲ ନୁହେଁ। 11କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ସମସ୍ତେ ଏହି କଥା ଗ୍ରହଣ କରିପାରନ୍ତି ନାହିଁ, କେବଳ ଯେଉଁମାନଙ୍କୁ କ୍ଷମତା ଦିଆଯାଇଅଛି, ସେମାନେ କରିପାରନ୍ତି। 12କାରଣ କେହି କେହି ମାତାର ଗର୍ଭରୁ ନପୁଂସକ ହୋଇ ଜନ୍ମ ହୋଇଅଛନ୍ତି, ଆଉ କେହି କେହି ମନୁଷ୍ୟମାନଙ୍କ ଦ୍ୱାରା ନପୁଂସକ କରାଯାଇଅଛନ୍ତି, ପୁଣି, ଆଉ କେହି କେହି ସ୍ୱର୍ଗରାଜ୍ୟ ସକାଶେ ଆପଣା ଆପଣାକୁ ନପୁଂସକ କରିଅଛନ୍ତି। ଯେଉଁ ଲୋକ ଗ୍ରହଣ କରିପାରେ, ସେ ଗ୍ରହଣ କରୁ।”

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର