Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅଗଷ୍ଟ 2027 › ଅଗଷ୍ଟ 14

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 14 ଅଗଷ୍ଟ 2027

ଶନିବାର · ସାଧାରଣ କାଳର 19ତମ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର 19ତମ ସପ୍ତାହର ଶନିବାର

ସ୍ମୃତି ଦିବସ · ଉପାସନାର ରଙ୍ଗ: ନାଲି

ସନ୍ଥ ମାକ୍ସିମିଲିଆନ୍ ମେରୀ କୋଲବେ, ପୁରୋହିତ ଓ ଶହୀଦ · ସ୍ମୃତି ଦିବସ

ଦିନର ପାଠ

ପ୍ରଥମ ପାଠ

ଯିହୋ 24:14–29

14ଏହେତୁ ଏବେ ସଦାପ୍ରଭୁଙ୍କୁ ଭୟ କର, ପୁଣି ସମ୍ପୂର୍ଣ୍ଣ ରୂପେ ଓ ସତ୍ୟତାରେ ତାହାଙ୍କର ସେବା କର; ଆଉ ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ନଦୀ ସେପାରିରେ ଓ ମିସରରେ ଯେଉଁ ଦେବତାମାନଙ୍କର ସେବା କଲେ, ସେମାନଙ୍କୁ ଦୂର କର; ତୁମ୍ଭେମାନେ ସଦାପ୍ରଭୁଙ୍କର ସେବା କର। 15ଯଦିବା ସଦାପ୍ରଭୁଙ୍କୁ ସେବା କରିବା ତୁମ୍ଭମାନଙ୍କ ଦୃଷ୍ଟିରେ ମନ୍ଦ ଦିଶେ, ତେବେ ତୁମ୍ଭେମାନେ କାହାର ସେବା କରିବ, ତାହା ଆଜି ମନୋନୀତ କର; କି ନଦୀ ସେପାରିରେ ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ଯେଉଁ ଦେବତାମାନଙ୍କୁ ସେବା କଲେ, ସେମାନଙ୍କ, କିଅବା ଯେଉଁ ଇମୋରୀୟମାନଙ୍କ ଦେଶରେ ତୁମ୍ଭେମାନେ ବାସ କରୁଅଛ, ସେମାନଙ୍କ ଦେବତାମାନଙ୍କୁ (ସେବା କରିବ, ଏହା ମନୋନୀତ କର); ମାତ୍ର ମୁଁ ଓ ମୋହର ପରିଜନ, ଆମ୍ଭେମାନେ ସଦାପ୍ରଭୁଙ୍କୁ ସେବା କରିବା।” 16ଏଥିରେ ଲୋକମାନେ ଉତ୍ତର ଦେଇ କହିଲେ, “ଅନ୍ୟ ଦେବତାମାନଙ୍କ ସେବା କରିବା ନିମନ୍ତେ ଆମ୍ଭେମାନେ ଯେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିବୁ, ଏହା ଦୂରେ ଥାଉ। 17ଯେହେତୁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର, ସେ ଆପେ ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିସର ଦେଶର ଦାସଗୃହରୁ ବାହାର କରି ଆଣିଲେ ଓ ଆମ୍ଭମାନଙ୍କ ଦୃଷ୍ଟିଗୋଚରରେ ଏହିସବୁ ମହା ଚିହ୍ନ ପ୍ରକାଶ କଲେ, ପୁଣି ଯେଉଁ ସକଳ ପଥରେ ଓ ଯେ ଯେ ଗୋଷ୍ଠୀ ଦେଇ ଆମ୍ଭେମାନେ ଆସିଅଛୁ, ସେମାନଙ୍କ ମଧ୍ୟରେ ସେ ଆମ୍ଭମାନଙ୍କୁ ରକ୍ଷା କରିଅଛନ୍ତି। 18ଆହୁରି ସେହି ସଦାପ୍ରଭୁ ଏ ଦେଶ ନିବାସୀ ଇମୋରୀୟ ଆଦି ସବୁ ଗୋଷ୍ଠୀକୁ ଆମ୍ଭମାନଙ୍କ ସମ୍ମୁଖରୁ ଘଉଡ଼ାଇ ଦେଇଅଛନ୍ତି; ଏଣୁ ଆମ୍ଭେମାନେ ମଧ୍ୟ ସଦାପ୍ରଭୁଙ୍କର ସେବା କରିବୁ, କାରଣ ସେ ଆମ୍ଭମାନଙ୍କର ପରମେଶ୍ୱର।” 19ଏଥିରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ସେବା କରି ପାରିବ ନାହିଁ, କାରଣ ସେ ପବିତ୍ର ପରମେଶ୍ୱର; ସେ (ସ୍ୱଗୌରବ ରକ୍ଷଣରେ) ଉଦ୍‍ଯୋଗୀ ପରମେଶ୍ୱର; ସେ ତୁମ୍ଭମାନଙ୍କର ଅଧର୍ମ କି ପାପ କ୍ଷମା କରିବେ ନାହିଁ। 20ତୁମ୍ଭେମାନେ ଯେବେ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ବିଦେଶୀୟ ଦେବତାମାନଙ୍କୁ ସେବା କରିବ, ତେବେ ସେ ତୁମ୍ଭମାନଙ୍କ ପ୍ରତି ଫେରି ଅମଙ୍ଗଳ କରିବେ, ପୁଣି ତୁମ୍ଭମାନଙ୍କର ମଙ୍ଗଳ କରିଥିଲେ ହେଁ ତୁମ୍ଭମାନଙ୍କୁ ସଂହାର କରିବେ।” 21ତହୁଁ ଲୋକମାନେ ଯିହୋଶୂୟଙ୍କୁ କହିଲେ, “ନାହିଁ; ମାତ୍ର ଆମ୍ଭେମାନେ ସଦାପ୍ରଭୁଙ୍କର ସେବା କରିବା।” 22ତେବେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଯେ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ ତାହାଙ୍କୁ ଆପଣା ଆପଣା ପାଇଁ ମନୋନୀତ କରିଅଛ, ଏ ବିଷୟରେ ତୁମ୍ଭେମାନେ ନିଜେ ନିଜେ ଆପଣାମାନଙ୍କ ପ୍ରତିକୂଳରେ ସାକ୍ଷୀ।” ତହିଁରେ ସେମାନେ କହିଲେ, “ଆମ୍ଭେମାନେ ସାକ୍ଷୀ।” 23ସେ କହିଲେ, “ତେବେ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ବିଦେଶୀୟ ଦେବତାମାନେ ଅଛନ୍ତି, ସେମାନଙ୍କୁ ଏବେ ବାହାର କରିଦିଅ, ପୁଣି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଡ଼କୁ ଆପଣା ଆପଣା ହୃଦୟ ଡେର।” 24ତହିଁରେ ଲୋକମାନେ ଯିହୋଶୂୟଙ୍କୁ କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ସେବା ଆମ୍ଭେମାନେ କରିବୁ ଓ ତାହାଙ୍କ ରବ ଶୁଣିବୁ।” 25ତହିଁରେ ଯିହୋଶୂୟ ସେହି ଦିନ ଲୋକମାନଙ୍କ ସହିତ ନିୟମ ସ୍ଥିର କରି ଶିଖିମରେ ସେମାନଙ୍କ ନିମନ୍ତେ ବିଧି ଓ ଶାସନ ସ୍ଥାପନ କଲେ। 26ଏଥିଉତ୍ତାରେ ଯିହୋଶୂୟ ସେହି ସକଳ କଥା ପରମେଶ୍ୱରଙ୍କ ବ୍ୟବସ୍ଥା ଗ୍ରନ୍ଥରେ ଲେଖିଲେ ଓ ଏକ ବୃହତ ପ୍ରସ୍ତର ନେଇ ସଦାପ୍ରଭୁଙ୍କ ପବିତ୍ର ଆବାସର ନିକଟବର୍ତ୍ତୀ ଅଲୋନ ବୃକ୍ଷ ମୂଳେ ସ୍ଥାପନ କଲେ। 27ତହୁଁ ଯିହୋଶୂୟ ସମସ୍ତ ଲୋକଙ୍କୁ କହିଲେ, “ଦେଖ, ଏହି ପ୍ରସ୍ତର ଆମ୍ଭମାନଙ୍କ ପ୍ରତିକୂଳରେ ସାକ୍ଷୀ ହେବ; କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯାହା ଯାହା କହିଲେ, ସେସବୁ କଥା ଏ ଶୁଣିଅଛି; ଏହେତୁ ତୁମ୍ଭେମାନେ ଯେପରି ଆପଣାମାନଙ୍କ ପରମେଶ୍ୱରଙ୍କୁ ଅସ୍ୱୀକାର ନ କର, ଏଥିପାଇଁ ଏ ତୁମ୍ଭମାନଙ୍କ ପ୍ରତିକୂଳରେ ସାକ୍ଷୀ ହେବ।” 28ଏଉତ୍ତାରେ ଯିହୋଶୂୟ ଲୋକମାନଙ୍କର ପ୍ରତି ଜଣକୁ ଆପଣା ଆପଣା ଅଧିକାରକୁ ଯିବା ପାଇଁ ବିଦାୟ କଲେ। 29ଏହିସବୁ ଘଟଣା ଉତ୍ତାରେ ସଦାପ୍ରଭୁଙ୍କ ସେବକ ନୂନର ପୁତ୍ର ଯିହୋଶୂୟ ଏକ ଶହ ଦଶ ବର୍ଷ ବୟସ୍କ ହୋଇ ମଲେ।

ପ୍ରତିଉତ୍ତର ଗୀତ

ଗୀତ 16:1–2, 5, 7–8, 11

1ଦାଉଦଙ୍କର ମିକ୍ତାମ୍‍ (ଗୀତରତ୍ନ।) ହେ ପରମେଶ୍ୱର, ମୋତେ ରକ୍ଷା କର; କାରଣ ମୁଁ ତୁମ୍ଭଠାରେ ଶରଣ ନିଏ। 2ମୁଁ ସଦାପ୍ରଭୁଙ୍କୁ କହିଅଛି, “ତୁମ୍ଭେ ମୋହର ପ୍ରଭୁ, ତୁମ୍ଭ ବିନା ମୋହର କୌଣସି ମଙ୍ଗଳ ନାହିଁ।” 5ସଦାପ୍ରଭୁ ମୋହର ଅଧିକାରର ଓ ପାନପାତ୍ରର ବାଣ୍ଟ ସ୍ୱରୂପ; ତୁମ୍ଭେ ମୋହର ବାଣ୍ଟ ସ୍ଥିର କରୁଅଛ। 7ମୁଁ ସଦାପ୍ରଭୁଙ୍କର ଧନ୍ୟବାଦ କରିବି, ଯେ ମୋତେ ପରାମର୍ଶ ଦେଇଅଛନ୍ତି; ଆହୁରି, ରାତ୍ରିକାଳରେ ମୋହର ଚିତ୍ତ ମୋତେ ଉପଦେଶ ଦିଏ। 8ମୁଁ ସର୍ବଦା ସଦାପ୍ରଭୁଙ୍କୁ ଆପଣା ସମ୍ମୁଖରେ ରଖିଅଛି; ସେ ମୋହର ଦକ୍ଷିଣ ପାଖରେ ଥିବାରୁ ମୁଁ ବିଚଳିତ ହେବି ନାହିଁ। 11ତୁମ୍ଭେ ମୋତେ ଜୀବନର ପଥ ଦେଖାଇବ; ତୁମ୍ଭ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ; ତୁମ୍ଭ ଦକ୍ଷିଣ ପାଖରେ ନିତ୍ୟ ସୁଖଭୋଗ ଥାଏ।

ସୁସମାଚାର

ମାଥି 19:13–15

13ସେତେବେଳେ ଯୀଶୁ ଯେପରି ଶିଶୁମାନଙ୍କ ଉପରେ ହାତ ରଖି ପ୍ରାର୍ଥନା କରନ୍ତି, ଏଥିପାଇଁ ସେମାନେ ତାହାଙ୍କ ନିକଟକୁ ଅଣାଗଲେ। ମାତ୍ର ଶିଷ୍ୟମାନେ ଆଣୁଥିବା ଲୋକମାନଙ୍କୁ ଧମକ ଦେଲେ। 14କିନ୍ତୁ ଯୀଶୁ କହିଲେ, “ଶିଶୁମାନଙ୍କୁ ଛାଡ଼ିଦିଅ, ସେମାନଙ୍କୁ ମୋ ପାଖକୁ ଆସିବାକୁ ମନା କର ନାହିଁ, କାରଣ ସ୍ୱର୍ଗରାଜ୍ୟ ଏହି ପ୍ରକାର ଲୋକମାନଙ୍କର।” 15ଆଉ, ସେ ସେମାନଙ୍କ ଉପରେ ହାତ ରଖି ସେଠାରୁ ଚାଲିଗଲେ।

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର