Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅଗଷ୍ଟ 2027 › ଅଗଷ୍ଟ 12

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 12 ଅଗଷ୍ଟ 2027

ଗୁରୁବାର · ସାଧାରଣ କାଳର 19ତମ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର 19ତମ ସପ୍ତାହର ଗୁରୁବାର

ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ସବୁଜ

ସନ୍ଥ ଜେନ୍ ଫ୍ରାନ୍ସେସ୍ ଡି ଶାଣ୍ଟାଲ୍, ସନ୍ନ୍ୟାସିନୀ · ଇଚ୍ଛାଧୀନ ସ୍ମୃତି ଦିବସ

ଦିନର ପାଠ

ପ୍ରଥମ ପାଠ

ଯିହୋ 3:7–11, 13–17

7ଏଥିରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଆମ୍ଭେ ଆଜି ଦିନ ସମୁଦାୟ ଇସ୍ରାଏଲଙ୍କ ସାକ୍ଷାତରେ ତୁମ୍ଭକୁ ସମ୍ଭ୍ରାନ୍ତ କରିବାକୁ ଆରମ୍ଭ କରିବା, ତହିଁରେ ଆମ୍ଭେ ଯେପରି ମୋଶା ସଙ୍ଗରେ ଥିଲୁ, ସେହିପରି ତୁମ୍ଭ ସଙ୍ଗରେ ହେବା, ଏହା ସେମାନେ ଜ୍ଞାତ ହେବେ। 8ଏନିମନ୍ତେ ତୁମ୍ଭେ ନିୟମ-ସିନ୍ଦୁକବାହକ ଯାଜକମାନଙ୍କୁ ଆଜ୍ଞା ଦେଇ କୁହ, ‘ତୁମ୍ଭେମାନେ ଯର୍ଦ୍ଦନ ଜଳଧାରରେ ଉପସ୍ଥିତ ହେଲେ, ସେଠାରେ ଯର୍ଦ୍ଦନ ତୀରରେ ଠିଆ ହୋଇ ରହିବ।’” 9ତହିଁରେ ଯିହୋଶୂୟ ଇସ୍ରାଏଲ-ସନ୍ତାନଗଣକୁ କହିଲେ, “ତୁମ୍ଭେମାନେ ଏହି ସ୍ଥାନକୁ ଆସି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଶୁଣ। 10ଯିହୋଶୂୟ ଆହୁରି କହିଲେ, ଜୀବିତ ପରମେଶ୍ୱର ଯେ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ପୁଣି କିଣାନୀୟ ଓ ହିତ୍ତୀୟ ଓ ହିବ୍ବୀୟ ଓ ପରିଷୀୟ ଓ ଗିର୍ଗାଶୀୟ ଓ ଇମୋରୀୟ ଓ ଯିବୂଷୀୟ ଲୋକମାନଙ୍କୁ ଯେ ତୁମ୍ଭମାନଙ୍କ ସମ୍ମୁଖରୁ ନିତାନ୍ତ ତଡ଼ି ଦେବେ, ତାହା ତୁମ୍ଭେମାନେ ଏହା ଦ୍ୱାରା ଜାଣି ପାରିବ। 11ଦେଖ, ସମଗ୍ର ଜଗତର ପ୍ରଭୁଙ୍କ ନିୟମ-ସିନ୍ଦୁକ ତୁମ୍ଭମାନଙ୍କ ସମ୍ମୁଖରେ ଯର୍ଦ୍ଦନକୁ ଯାଉଅଛି। 13ସମଗ୍ର ଜଗତର ପ୍ରଭୁ ସଦାପ୍ରଭୁଙ୍କର ସିନ୍ଦୁକ-ବାହକ ଯାଜକମାନଙ୍କ ପଦତଳ ଯର୍ଦ୍ଦନ ଜଳରେ ପ୍ରବିଷ୍ଟ ହେବାମାତ୍ର ସେହି ଯର୍ଦ୍ଦନର ଜଳ, ଅର୍ଥାତ୍‍, ଊର୍ଦ୍ଧ୍ୱସ୍ଥାନରୁ ଯେଉଁ ଜଳ ବହି ଆସୁଅଛି, ତାହା କଟା ହେବ ଓ ତାହା ଏକ ରାଶି ହୋଇ ସ୍ଥଗିତ ହେବ।” 14ସେତେବେଳେ ଲୋକମାନେ ଯର୍ଦ୍ଦନ ପାର ହେବା ନିମନ୍ତେ ଆପଣା ଆପଣା ତମ୍ବୁରୁ ଯାତ୍ରା କରନ୍ତେ, ଯାଜକମାନେ ନିୟମ-ସିନ୍ଦୁକ ବହି ଲୋକମାନଙ୍କ ସମ୍ମୁଖସ୍ଥ ହେଲେ। 15ଆଉ ଯଦ୍ୟପି ଶସ୍ୟଚ୍ଛେଦନର ସମସ୍ତ କାଳ ଯର୍ଦ୍ଦନର ସବୁ-ତୀର ଉପରକୁ ବଢ଼ି ଉଠେ, ତଥାପି ସିନ୍ଦୁକ-ବାହକମାନେ ଯେତେବେଳେ ଯର୍ଦ୍ଦନ ସମୀପରେ ଉପସ୍ଥିତ ହେଲେ, ସେତେବେଳେ ଜଳଧାରରେ ସିନ୍ଦୁକ-ବାହକ ଯାଜକମାନଙ୍କ ପାଦ ଜଳରେ ଡୁବିବା ମାତ୍ର, 16ଊର୍ଦ୍ଧ୍ୱରୁ ଆଗତ ସମସ୍ତ ଜଳ ସ୍ଥଗିତ ହୋଇ ସର୍ତ୍ତନ ନିକଟବର୍ତ୍ତୀ ଆଦମ ନଗରଠାରୁ ଅତି ଦୂରରେ ଏକ ରାଶି ହୋଇ ଉଠିଲା; ପୁଣି ପଦାଭୂମିର ସମୁଦ୍ର, ଅର୍ଥାତ୍‍, ଲବଣ ସମୁଦ୍ରଗାମୀ ଜଳ ସମ୍ପୂର୍ଣ୍ଣ ରୂପେ କଟା ହେଲା; ତହିଁରେ ଲୋକମାନେ ଯିରୀହୋ ସମ୍ମୁଖରେ ପାର ହୋଇଗଲେ। 17ଆଉ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହକ ଯାଜକମାନେ ଯର୍ଦ୍ଦନ ମଧ୍ୟରେ ଶୁଷ୍କ ଭୂମିରେ ସ୍ଥିର ରୂପେ ସ୍ଥଗିତ ରହିଲେ; ତହିଁରେ ସମୁଦାୟ ଇସ୍ରାଏଲ ଗୋଷ୍ଠୀ ନିଃଶେଷ ରୂପେ ଯର୍ଦ୍ଦନ ପାର ହେବା ଯାଏ ସମସ୍ତେ ଶୁଷ୍କ ଭୂମି ଦେଇ ପାର ହୋଇଗଲେ।

ପ୍ରତିଉତ୍ତର ଗୀତ

ଗୀତ 114:1–6

1ଯେତେବେଳେ ଇସ୍ରାଏଲ ମିସରରୁ ଓ ଯାକୁବ ବଂଶ ଅନ୍ୟ ଭାଷାବାଦୀ ଲୋକଙ୍କ ମଧ୍ୟରୁ ବାହାରିଲେ; 2ସେତେବେଳେ ଯିହୁଦା ତାହାଙ୍କ ଧର୍ମଧାମ ଓ ଇସ୍ରାଏଲ ତାହାଙ୍କ ରାଜ୍ୟ ହେଲା, 3ସମୁଦ୍ର ତାହା ଦେଖି ପଳାଇଲା; ଯର୍ଦ୍ଦନ ଉଜାଣି ବହିଲା। 4ପର୍ବତଗଣ ମେଷ ପରି ଓ ଉପପର୍ବତଗଣ ମେଷଶାବକ ପରି ଡିଆଁ ମାରିଲେ। 5ତୁମ୍ଭର କʼଣ ହେଲା ଯେ, ହେ ସମୁଦ୍ର, ତୁମ୍ଭେ ପଳାଉଅଛ? ହେ ଯର୍ଦ୍ଦନ, ତୁମ୍ଭେ ଉଜାଣି ବହୁଅଛ? 6ହେ ପର୍ବତଗଣ, ତୁମ୍ଭେମାନେ ମେଷ ପରି, ହେ ଉପପର୍ବତଗଣ, ତୁମ୍ଭେମାନେ ମେଷଶାବକ ପରି ଡିଆଁ ମାରୁଅଛ?

ସୁସମାଚାର

ମାଥି 18:21–19:1

21ସେତେବେଳେ ପିତର ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ପ୍ରଭୁ, କେତେ ଥର ମୋହର ଭାଇ ମୋ ବିରୁଦ୍ଧରେ ପାପ କଲେ ମୁଁ କ୍ଷମା କରିବି? 22କି ସାତ ଥର ପର୍ଯ୍ୟନ୍ତ? ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭକୁ କେବଳ ସାତ ଥର ପର୍ଯ୍ୟନ୍ତ କହୁ ନାହିଁ, 23ମାତ୍ର ସତୁରି ଗୁଣ ସାତ ଥର ପର୍ଯ୍ୟନ୍ତ। ଅତଏବ, ସ୍ୱର୍ଗରାଜ୍ୟ ଆପଣା ଦାସମାନଙ୍କ ସହିତ ହିସାବ କରିବାକୁ ଇଚ୍ଛୁକ ଜଣେ ରାଜାଙ୍କ ସଦୃଶ। 24ସେ ହିସାବ ଆରମ୍ଭ କରନ୍ତେ ଦଶ ହଜାର ରୌପ୍ୟ-ମୁଦ୍ରା ଋଣ କରିଥିବା ଜଣେ ଦାସ ତାହାଙ୍କ ଛାମୁକୁ ଅଣାଗଲା। 25କିନ୍ତୁ ତାହାର ପରିଶୋଧ କରିବାକୁ କିଛି ନ ଥିବାରୁ ତାହାର ପ୍ରଭୁ ତାହାକୁ ଏବଂ ତାହାର ସ୍ତ୍ରୀ, ପିଲା-ପିଲି ଓ ସର୍ବସ୍ୱ ବିକ୍ରୟ କରି ପରିଶୋଧ ନେବାକୁ ଆଜ୍ଞା ଦେଲେ। 26ତେଣୁ ସେହି ଦାସ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିବାକୁ ଲାଗିଲା, ‘ଆପଣ ମୋ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣକୁ ସବୁ ପରିଶୋଧ କରିଦେବି।’ 27ସେଥିରେ ସେହି ଦାସର ପ୍ରଭୁ ଦୟା କରି ତାହାକୁ ମୁକ୍ତ କରିଦେଲେ ଓ ତାହାର ଋଣ କ୍ଷମା କଲେ। 28କିନ୍ତୁ ସେହି ଦାସ ବାହାରିଯାଇ ତାହାଠାରୁ ଏକ ଶହ ଦିନର ମଜୁରୀ ସମାନ ମୂଲ୍ୟ ଋଣ କରିଥିବା ଜଣେ ସହଦାସର ଦେଖା ପାଇ ତାହାକୁ ଧରି ତାହାର ଗଳା ଚିପି କହିବାକୁ ଲାଗିଲା, ତୁ ଯାହା ଧାରୁ, ଶୁଝିଦେ। 29ତେଣୁ ତାହାର ସହଦାସ ଭୂମିଷ୍ଠ ହୋଇ ତାହାକୁ ବିନତି କରି କହିବାକୁ ଲାଗିଲା, ‘ଆପଣ ମୋʼ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣଙ୍କୁ ପରିଶୋଧ କରିଦେବି।’ 30ମାତ୍ର ସେ ସମ୍ମତ ହେଲା ନାହିଁ, କିନ୍ତୁ ଯାଇ ଋଣ ପରିଶୋଧ ନ କରିବା ଯାଏ ତାହାକୁ କାରାଗାରରେ ପକାଇଦେଲା। 31ତେଣୁ ତାହାର ସହଦାସମାନେ ଏହି ଘଟଣା ଦେଖି ଅତ୍ୟନ୍ତ ଦୁଃଖିତ ହେଲେ ଓ ଯାଇ ସେମାନଙ୍କ ପ୍ରଭୁଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କରି ଜଣାଇଲେ। 32ସେଥିରେ ତାହାର ପ୍ରଭୁ ତାହାକୁ ପାଖକୁ ଡକାଇ କହିଲେ ‘ରେ ଦୁଷ୍ଟ ଦାସ, ତୁ ମୋତେ ବିନତି କରିବାରୁ ମୁଁ ତୋର ସେହି ସମସ୍ତ ଋଣ କ୍ଷମା କଲି; 33ମୁଁ ଯେରୂପେ ତୋତେ ଦୟା କଲି, ସେରୂପେ ମଧ୍ୟ ଆପଣାର ସହଦାସକୁ କ୍ଷମା କରିବା ତୋହର କର୍ତ୍ତବ୍ୟ ନ ଥିଲା?’ 34ଆଉ, ତାହାର ପ୍ରଭୁ ରାଗିଯାଇ ସମସ୍ତ ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାହାକୁ ଯନ୍ତ୍ରଣା ଦେବା ଲୋକମାନଙ୍କ ହାତରେ ସମର୍ପଣ କଲେ। 35ତୁମ୍ଭେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ ଆପଣା ଆପଣା ଭାଇକୁ କ୍ଷମା ନ କର, ତାହାହେଲେ ମୋହର ସ୍ୱର୍ଗସ୍ଥ ପିତା ହିଁ ତୁମ୍ଭମାନଙ୍କ ପ୍ରତି ସେହି ପ୍ରକାର କରିବେ।” 19:1ଯୀଶୁ ଏହି ସମସ୍ତ କଥା ସମାପ୍ତ କରିବା ପରେ ଗାଲିଲୀରୁ ଚାଲିଯାଇ ଯର୍ଦ୍ଦନ ନଦୀର ଆରପାରରେ ଥିବା ଯିହୂଦିୟା ପ୍ରଦେଶ ସୀମାରେ ଉପସ୍ଥିତ ହେଲେ।

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର