ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅଗଷ୍ଟ 2027 › ଅଗଷ୍ଟ 4
ଅର୍ଥୋଡକ୍ସ ପଞ୍ଜିକା · 22 ଜୁଲାଇ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 4 ଅଗଷ୍ଟ 2027
ବୁଧବାର · ପେଣ୍ଟିକଷ୍ଟ ପରେ ସପ୍ତମ ସପ୍ତାହ · ସ୍ୱର 5
ପର୍ବ ଓ ସନ୍ଥ
Holy Myrrhbearer and Equal-to-the-Apostles Mary Magdalene (1st C)
ଉପବାସ ଦିନ
ଉପବାସ: ତେଲ ସହିତ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପତ୍ର
12କିନ୍ତୁ ଅନ୍ୟ ସମସ୍ତଙ୍କୁ ମୁଁ କହେ (ପ୍ରଭୁ କହନ୍ତି ନାହିଁ), ଯଦି କୌଣସି ଭାଇର ଅବିଶ୍ୱାସିନୀ ଭାର୍ଯ୍ୟା ଥାଏ, ଆଉ ସେ ତାହାର ସହିତ ବାସ କରିବାକୁ ସମ୍ମତ ହୁଏ, ତାହାହେଲେ ସେ ତାହାକୁ ପରିତ୍ୟାଗ ନ କରୁ। 13ପୁଣି, ଯେଉଁ ସ୍ତ୍ରୀର ଅବିଶ୍ୱାସୀ ସ୍ୱାମୀ ଥାଏ, ଆଉ ସେ ତାହାର ସହିତ ବାସ କରିବାକୁ ସମ୍ମତ ହୁଏ, ସେ ଆପଣା ସ୍ୱାମୀକୁ ପରିତ୍ୟାଗ ନ କରୁ। 14କାରଣ ଅବିଶ୍ୱାସୀ ସ୍ୱାମୀ ବିଶ୍ୱାସୀ ଭାର୍ଯ୍ୟା ହେତୁ ପବିତ୍ର କରାଯାଇଅଛି, ଆଉ ଅବିଶ୍ୱାସିନୀ ଭାର୍ଯ୍ୟା ବିଶ୍ୱାସୀ ସ୍ୱାମୀ ହେତୁ ପବିତ୍ର କରାଯାଇଅଛି; ତାହା ନ ହେଲେ ତୁମ୍ଭମାନଙ୍କ ସନ୍ତାନମାନେ ଅଶୁଚି ହୁଅନ୍ତେ, କିନ୍ତୁ ଏବେ ସେମାନେ ପବିତ୍ର। 15ତଥାପି ଯଦି ଅବିଶ୍ୱାସୀ ପୃଥକ୍ ହେବାକୁ ଇଚ୍ଛା କରେ, ତେବେ ସେ ପୃଥକ୍ ହେଉ; ଏପରି ସ୍ଥଳେ ସେହି ଭାଇ ବା ଭଉଣୀ ଆବଦ୍ଧ ନୁହଁନ୍ତି; ଈଶ୍ବର ତୁମ୍ଭମାନଙ୍କୁ ଶାନ୍ତିରେ ଆଚରଣ କରିବାକୁ ଆହ୍ୱାନ କରିଅଛନ୍ତି। 16ଯେଣୁ ହେ ସ୍ତ୍ରୀ, ତୁମ୍ଭେ ଯେ ଆପଣା ସ୍ୱାମୀର ପରିତ୍ରାଣର କାରଣ ହେବ, ଏହା କଅଣ ଜାଣ? କିମ୍ବା ହେ ସ୍ୱାମୀ, ତୁମ୍ଭେ ଯେ ଆପଣା ଭାର୍ଯ୍ୟାର ପରିତ୍ରାଣର କାରଣ ହେବ, ଏହା କଅଣ ଜାଣ? 17କେବଳ ପ୍ରଭୁ ଯାହାକୁ ଯେପରି ଦାନ ବିତରଣ କରିଅଛନ୍ତି, ଈଶ୍ବର ପ୍ରତ୍ୟେକକୁ ଯେଉଁ ଅବସ୍ଥାରେ ଆହ୍ୱାନ କରିଅଛନ୍ତି, ସେ ସେହିପରି ଆଚରଣ କରୁ। ମୁଁ ସମସ୍ତ ମଣ୍ଡଳୀରେ ଏହି ପ୍ରକାର ଆଦେଶ ଦିଏ। 18କେହି କି ସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି? ସେ ଅସୁନ୍ନତି ପରି ଦେଖାଯିବାକୁ ଚେଷ୍ଟା ନ କରୁ। କେହି କି ଅସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି? ସେ ସୁନ୍ନତି ନ ହେଉ। 19ସୁନ୍ନତ କିଛି ନୁହେଁ, ପୁଣି, ଅସୁନ୍ନତ କିଛି ନୁହେଁ, କେବଳ ଈଶ୍ବରଙ୍କ ଆଜ୍ଞା ପାଳନ ହିଁ ସାର। 20ପ୍ରତ୍ୟେକ ଜଣ ଯେଉଁ ଅବସ୍ଥାରେ ଆହୂତ ହୋଇଅଛି, ସେ ସେଥିରେ ଥାଉ। 21ତୁମ୍ଭେ କି ଦାସ ହୋଇ ଆହୂତ ହୋଇଅଛ? ଚିନ୍ତା କର ନାହିଁ; ମାତ୍ର ଯେବେ ମୁକ୍ତ ହୋଇପାର, ତେବେ ବରଂ ସୁଯୋଗ ଅବଲମ୍ବନ କର। 22କାରଣ ଯେ ଦାସ ହୋଇ ପ୍ରଭୁଙ୍କଠାରେ ଆହୂତ ହୋଇଅଛି, ସେ ପ୍ରଭୁଙ୍କ ମୁକ୍ତ ଲୋକ; ସେହି ପ୍ରକାରେ ଯେ ମୁକ୍ତ ହୋଇ ଅାହୂତ ହୋଇଅଛି, ସେ ଖ୍ରୀଷ୍ଟଙ୍କ ଦାସ। 23ଈଶ୍ବର ତୁମ୍ଭମାନଙ୍କୁ ବିଶେଷ ମୂଲ୍ୟରେ କିଣିଅଛନ୍ତି, ସେଥିପାଇଁ ମନୁଷ୍ୟର ଦାସ ହୁଅ ନାହିଁ। 24ହେ ଭାଇମାନେ, ପ୍ରତ୍ୟେକ ଜଣ ଯେଉଁ ଅବସ୍ଥାରେ ଆହୂତ ହୋଇଅଛି, ସେ ଈଶ୍ବରଙ୍କ ସହଭାଗିତାରେ ସେହି ଅବସ୍ଥାରେ ଥାଉ।
ପତ୍ର (ସନ୍ଥ ମଗ୍ଦଲୀନୀ ମରୀୟମଙ୍କ ପାଇଁ)
2ଯଦ୍ୟପି ମୁଁ ଅନ୍ୟମାନଙ୍କ ନିକଟରେ ଜଣେ ପ୍ରେରିତ ନୁହେଁ, ତଥାପି ତୁମ୍ଭମାନଙ୍କ ନିକଟରେ ଅବଶ୍ୟ ଜଣେ ପ୍ରେରିତ, କାରଣ ପ୍ରଭୁଙ୍କଠାରେ ତୁମ୍ଭେମାନେ ମୋହର ପ୍ରେରିତପଦର ମୁଦ୍ରାଙ୍କ ସ୍ୱରୂପ। 3ମୋହର ସମାଲୋଚକମାନଙ୍କୁ ମୋହର ଉତ୍ତର ଏହି। 4ଭୋଜନପାନ କରିବାକୁ କଅଣ ଆମ୍ଭମାନଙ୍କର ଅଧିକାର ନାହିଁ? 5ଅନ୍ୟ ସମସ୍ତ ପ୍ରେରିତ, ପ୍ରଭୁଙ୍କ ଭ୍ରାତୃବର୍ଗ ଓ କୈଫାଙ୍କ ପରି ବିଶ୍ୱାସିନୀ ସ୍ତ୍ରୀ ବିବାହ କରି ସଙ୍ଗରେ ଘେନି ଭ୍ରମଣ କରିବାକୁ କଅଣ ଆମ୍ଭମାନଙ୍କର ଅଧିକାର ନାହିଁ? 6କିମ୍ବା ଜୀବିକା ନିର୍ବାହର ପରିଶ୍ରମ ପରିତ୍ୟାଗ କରିବାକୁ କଅଣ କେବଳ ମୋହର ଓ ବର୍ଣ୍ଣବ୍ବାଙ୍କର ଅଧିକାର ନାହିଁ? 7କିଏ ନିଜ ବ୍ୟୟରେ କେବେ ସୈନିକବୃତ୍ତି କରେ? କିଏ ଦ୍ରାକ୍ଷାକ୍ଷେତ୍ର କରି ସେଥିର ଫଳ ଭୋଜନ ନ କରେ? ଅବା କିଏ ପଶୁପଲ ପାଳନ କରି ପଲର ଦୁଗ୍ଧ ପାନ ନ କରେ? 8ମୁଁ ମନୁଷ୍ୟ ଭାବରେ କଅଣ ଏହିସବୁ କଥା କହୁଅଛି? ମୋଶାଙ୍କ ବ୍ୟବସ୍ଥା ମଧ୍ୟ କଅଣ ଏହିସବୁ କଥା କୁହେ ନାହିଁ? 9କାରଣ ମୋଶାଙ୍କ ବ୍ୟବସ୍ଥାରେ ଏହା ଲେଖାଅଛି, “ବେଙ୍ଗଳାରେ ବୁଲୁଥିବା ବଳଦର ମୁହଁରେ ତୁଣ୍ଡି ଦିଅ ନାହିଁ।” ଈଶ୍ବର କଅଣ ବଳଦ ବିଷୟରେ ଚିନ୍ତା କରନ୍ତି? 10ସେ କଅଣ କେବଳ ଆମ୍ଭମାନଙ୍କ ନିମନ୍ତେ ଏହା କହନ୍ତି ନାହିଁ? ହଁ ଆମ୍ଭମାନଙ୍କ ନିମନ୍ତେ ଏହା ଲିଖିତ ହୋଇଅଛି, ଯେପରି ଯେ ଚାଷ କରେ, ଆଶାରେ ତାହାର ଚାଷ କରିବା ଉଚିତ୍, ଆଉ ଯେ ବେଙ୍ଗଳା ପକାଏ, ଭାଗ ପାଇବା ଆଶାରେ ତାହାର ବେଙ୍ଗଳା ପକାଇବା ଉଚିତ୍। 11ଯଦି ଆମ୍ଭେମାନେ ତୁମ୍ଭମାନଙ୍କ ନିମନ୍ତେ ପାରମାର୍ଥିକ ବୀଜ ବୁଣିଅଛୁ, ତେବେ ତୁମ୍ଭମାନଙ୍କର ଐହିକ ଶସ୍ୟ ଛେଦନ କଲେ କଅଣ ଗୁରୁତର ବିଷୟ? 12ଯଦି ଅନ୍ୟମାନେ ତୁମ୍ଭମାନଙ୍କ ଅଂଶାଧିକାରୀ ଅଟନ୍ତି, ତେବେ ଆମ୍ଭେମାନେ କଅଣ ଆହୁରି ଅଧିକ ନୋହୁଁ? ତଥାପି ଆମ୍ଭେମାନେ ସେହି ଅଧିକାର ବ୍ୟବହାର କରି ନାହୁଁ; କିନ୍ତୁ ଯେପରି ଆମ୍ଭେମାନେ ଖ୍ରୀଷ୍ଟଙ୍କ ସୁସମାଚାରର କୌଣସି ବାଧା ନ ଜନ୍ମାଉ, ଏଥିପାଇଁ ସମସ୍ତ ସହ୍ୟ କରୁଅଛୁ।
ସୁସମାଚାର
35ପୁଣି, ସେହି ସ୍ଥାନର ଲୋକମାନେ ତାହାଙ୍କୁ ଚିହ୍ନି ସେଥିର ଚତୁର୍ଦ୍ଦିଗସ୍ଥ ସମସ୍ତ ଅଞ୍ଚଳକୁ ସମ୍ବାଦ ପଠାଇଲେ ଏବଂ ଲୋକେ ସମସ୍ତ ରୋଗୀଙ୍କୁ ତାହାଙ୍କ ନିକଟକୁ ଆଣିଲେ; 36ଆଉ, ସେମାନେ ଯେପରି କେବଳ ତାହାଙ୍କ ବସ୍ତ୍ରର ଝୁମ୍ପା ଛୁଅନ୍ତି, ଏହା ତାହାଙ୍କୁ ବିନତି କରିବାକୁ ଲାଗିଲେ, ପୁଣି, ଯେତେ ଲୋକ ଛୁଇଁଲେ ସମସ୍ତେ ସୁସ୍ଥ ହେଲେ। 15:1ସେହି ସମୟରେ ଯିରୂଶାଲମ ସହରରୁ ଫାରୂଶୀ ଓ ଶାସ୍ତ୍ରୀମାନେ ଯୀଶୁଙ୍କ ନିକଟକୁ ଆସି କହିଲେ, 2ଆପଣଙ୍କର ଶିଷ୍ୟମାନେ କାହିଁକି ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଅମାନ୍ୟ କରନ୍ତି? କାରଣ ଭୋଜନ କରିବା ସମୟରେ ସେମାନେ ହାତ ଧୁଅନ୍ତି ନାହିଁ। 3ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ସକାଶେ କାହିଁକି ଈଶ୍ବରଙ୍କ ଆଜ୍ଞା ଅମାନ୍ୟ କର? 4ଈଶ୍ବର ତ କହିଅଛନ୍ତି ‘ପିତାମାତାକୁ ସମାଦର କର,’ ଆଉ ‘ଯେ କେହି ପିତା କି ମାତାକୁ ଅଭିଶାପ ଦିଏ ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ।’ 5କିନ୍ତୁ ତୁମ୍ଭେମାନେ କହୁଥାଅ, ଯେ କେହି ପିତା କି ମାତାକୁ କହେ, ମୋʼଠାରୁ ଯାହା କିଛି ସାହାଯ୍ୟ ତୁମ୍ଭେ ପାଇଥାଆନ୍ତ, ସେ ସବୁ ‘ଈଶ୍ବରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଅଛି,’ 6‘ସେ ଆପଣା ପିତାମାତାକୁ ନିଶ୍ଚୟ ସମାଦର କରିବ ନାହିଁ।’ ଏହି ଭଳି ତୁମ୍ଭେମାନେ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ବରଙ୍କ ବାକ୍ୟ ବ୍ୟର୍ଥ କରିଅଛ। 7ରେ କପଟୀମାନେ, ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଉପଯୁକ୍ତଭାବେ ଏହି ଭାବବାଣୀ କହିଅଛନ୍ତି, 8‘ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ। 9ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକୁ ଧର୍ମର ଉପଦେଶବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି।’” 10ଆଉ ଯୀଶୁ ଲୋକମାନଙ୍କୁ ପାଖକୁ ଡାକି ସେମାନଙ୍କୁ କହିଲେ, “ଶୁଣ ଓ ବୁଝ; 11ମୁଖରେ ଯାହା ପ୍ରବେଶ କରେ, ତାହା ଯେ ମନୁଷ୍ୟକୁ ଅଶୁଚି କରେ, ଏପରି ନୁହେଁ, କିନ୍ତୁ ମୁଖରୁ ଯାହା ବାହାରେ, ତାହା ହିଁ ମନୁଷ୍ୟକୁ ଅଶୁଚି କରେ।”
ସୁସମାଚାର (ସନ୍ଥ ମଗ୍ଦଲୀନୀ ମରୀୟମଙ୍କ ପାଇଁ)
1ଏଥିର ଅଳ୍ପ ସମୟ ପରେ ଯୀଶୁ ନଗରେ ନଗରେ ଓ ଗ୍ରାମେ ଗ୍ରାମେ ଘୋଷଣା କରି ଈଶ୍ବରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରି ଯାତ୍ରା କରିବାକୁ ଲାଗିଲେ, ଆଉ ବାର ଜଣ ଶିଷ୍ୟ ତାହାଙ୍କ ସାଙ୍ଗରେ ଥିଲେ, 2ପୁଣି, ଯେଉଁ ସ୍ତ୍ରୀମାନେ ଦୁଷ୍ଟ ଆତ୍ମା ଓ ରୋଗରୁ ସୁସ୍ଥ କରାଯାଇଥିଲେ, ଏପରି କେତେକ ସ୍ତ୍ରୀଲୋକ, ଅର୍ଥାତ୍ ମଗ୍ଦଲୀନୀ ନାମକ ମରୀୟମ, ଯାହାଙ୍କଠାରୁ ସାତ ଭୂତ ବାହାରିଯାଇଥିଲେ, 3ହେରୋଦଙ୍କ ପରିଚାଳକ ଖୂଜା ଓ ତାହାଙ୍କ ଭାର୍ଯ୍ୟା ଯୋହାନା, ଶୋଶନ୍ନା, ପୁଣି, ଆହୁରି ଅନେକ ସ୍ତ୍ରୀଲୋକ ତାହାଙ୍କ ସାଙ୍ଗରେ ଥାଇ ନିଜ ନିଜ ସମ୍ପତ୍ତି ଦେଇ ସେମାନଙ୍କ ସେବା କରୁଥିଲେ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଜୁଲାଇ 22 ନାଗରିକ ପଞ୍ଜିକାର ଅଗଷ୍ଟ 4। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର