Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅଗଷ୍ଟ 2027 › ଅଗଷ୍ଟ 3

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 3 ଅଗଷ୍ଟ 2027

ମଙ୍ଗଳବାର · ସାଧାରଣ କାଳର 18ତମ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର 18ତମ ସପ୍ତାହର ମଙ୍ଗଳବାର

ସାଧାରଣ ଦିନ · ଉପାସନାର ରଙ୍ଗ: ସବୁଜ

ଦିନର ପାଠ

ପ୍ରଥମ ପାଠ

ଗଣ 12:1–13

1ମୋଶା ଏକ କୂଶୀୟା ସ୍ତ୍ରୀକୁ ବିବାହ କରିଥିଲେ, ଏଣୁ ମରୀୟମ ଓ ହାରୋଣ ସେହି କୂଶୀୟା ସ୍ତ୍ରୀ ସକାଶୁ ମୋଶାଙ୍କ ବିରୁଦ୍ଧରେ କଥା କହିଲେ। 2ସେମାନେ କହିଲେ, “ସଦାପ୍ରଭୁ କି କେବଳ ମୋଶାଙ୍କ ସହିତ କଥା କହିଅଛନ୍ତି? ସେ କି ଆମ୍ଭମାନଙ୍କ ସହିତ ମଧ୍ୟ କଥା କହି ନାହାନ୍ତି?” ମାତ୍ର ଏ କଥା ସଦାପ୍ରଭୁ ଶୁଣିଲେ। 3ମୋଶା ପୃଥିବୀସ୍ଥ ସମସ୍ତ ଲୋକଙ୍କଠାରୁ ଅତି ନମ୍ର ଲୋକ ଥିଲେ। 4ଏଥିଉତ୍ତାରେ ସଦାପ୍ରଭୁ ଅକସ୍ମାତ୍‍ ମୋଶାଙ୍କୁ ଓ ହାରୋଣଙ୍କୁ ଓ ମରୀୟମକୁ କହିଲେ, “ତୁମ୍ଭେ ତିନି ଜଣ ବାହାର ହୋଇ ସମାଗମ-ତମ୍ବୁ ନିକଟକୁ ଆସ” ତହିଁରେ ସେ ତିନି ଜଣ ବାହାର ହୋଇ ଆସିଲେ; 5ସେତେବେଳେ ସଦାପ୍ରଭୁ ମେଘ ସ୍ତମ୍ଭରେ ଓହ୍ଲାଇ ତମ୍ବୁ ଦ୍ୱାରରେ ଛିଡ଼ା ହୋଇ ହାରୋଣ ଓ ମରୀୟମଙ୍କୁ ଡାକିଲେ; ତହୁଁ ସେମାନେ ଦୁହେଁ ବାହାର ହୋଇ ଆସିଲେ। 6ତେବେ ସେ କହିଲେ, “ଆମ୍ଭର ବାକ୍ୟ ଶୁଣ; ଯଦି ତୁମ୍ଭମାନଙ୍କ ମଧ୍ୟରେ କେହି ଭବିଷ୍ୟଦ୍‍ବକ୍ତା ଥାଏ, ତେବେ ଆମ୍ଭେ ସଦାପ୍ରଭୁ କୌଣସି ଦର୍ଶନ ଦ୍ୱାରା ତାହା ପ୍ରତି ଆପଣାକୁ ପ୍ରକାଶ କରିବା, ଆମ୍ଭେ ସ୍ୱପ୍ନ ଦ୍ୱାରା ତାହା ସହିତ କଥା କହିବା। 7ଆମ୍ଭର ସେବକ ମୋଶା ତଦ୍ରୂପ ନୁହେଁ; ସେ ଆମ୍ଭର ସମସ୍ତ ଗୃହ ମଧ୍ୟରେ ବିଶ୍ୱାସପାତ୍ର ଅଟେ। 8ଆମ୍ଭେ ତାହା ସହିତ ଗୂଢ଼ ବାକ୍ୟରେ ନୁହେଁ, ମାତ୍ର ମୁଖାମୁଖୀ ହୋଇ ପ୍ରକାଶ୍ୟ ରୂପେ କଥା କହିବା ଓ ସେ ସଦାପ୍ରଭୁଙ୍କର ଆକାର ଦର୍ଶନ କରିବ; ଏହେତୁ ତୁମ୍ଭେମାନେ ଆମ୍ଭ ସେବକ ମୋଶାଙ୍କ ବିରୁଦ୍ଧରେ କଥା କହିବାକୁ କାହିଁକି ଭୀତ ହେଲ ନାହିଁ?” 9ଏହିରୂପେ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା; ତହୁଁ ସେ ପ୍ରସ୍ଥାନ କଲେ। 10ପୁଣି, ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା ଆଉ ଦେଖ, ମରୀୟମ କୁଷ୍ଠଗ୍ରସ୍ତା, ହିମ ତୁଲ୍ୟ ଶ୍ୱେତ; ପୁଣି, ହାରୋଣ ମରୀୟମଙ୍କୁ ଅନାନ୍ତେ, ଦେଖ, ସେ କୁଷ୍ଠଗ୍ରସ୍ତ। 11ତହିଁରେ ହାରୋଣ ମୋଶାଙ୍କୁ କହିଲେ, “ହେ ମୋହର ପ୍ରଭୁ, ଆମ୍ଭେମାନେ ମୂର୍ଖତାର କର୍ମ କରିଅଛୁ ଓ ଆମ୍ଭେମାନେ ପାପ କରିଅଛୁ, ଏହେତୁ ବିନୟ କରୁଅଛି, ଆମ୍ଭମାନଙ୍କ ଉପରେ ସେହି ପାପ ଥୁଅ ନାହିଁ। 12ମାତାର ଗର୍ଭରୁ ନିର୍ଗତ ହେଲା ସମୟରେ ଯାହାର ମାଂସ ଅର୍ଦ୍ଧନଷ୍ଟ, ଏପରି ମୃତ ଲୋକ ତୁଲ୍ୟ ସେ ନ ହେଉ।” 13ତହିଁରେ ମୋଶା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ହେ ପରମେଶ୍ୱର, ବିନୟ କରୁଅଛି, ତାହାକୁ ସୁସ୍ଥ କର।”

ପ୍ରତିଉତ୍ତର ଗୀତ

ଗୀତ 51:1–4, 10–11

1ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ଦାଉଦ ବତ୍‍ଶେବାଠାରେ ଗମନ କଲା ଉତ୍ତାରେ ତାଙ୍କ ନିକଟକୁ ନାଥନ ଭବିଷ୍ୟଦ୍‍ବକ୍ତା ଆସିବା ସମୟରେ ରଚିତ। ହେ ପରମେଶ୍ୱର, ଆପଣା ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋʼ ପ୍ରତି ଦୟା କର; ତୁମ୍ଭ କୃପାର ବାହୁଲ୍ୟ ଅନୁସାରେ ମୋହର ଅଧର୍ମ ମାର୍ଜନା କର। 2ମୋʼ ଅପରାଧରୁ ମୋତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ କର ଓ ମୋʼ ପାପରୁ ମୋତେ ଶୁଚି କର। 3କାରଣ ମୁଁ ଆପଣା ଅଧର୍ମ ସ୍ୱୀକାର କରୁଅଛି ଓ ମୋʼ ପାପ ସର୍ବଦା ମୋʼ ସମ୍ମୁଖରେ ଅଛି। 4ମୁଁ ତୁମ୍ଭ ବିରୁଦ୍ଧରେ, କେବଳ ତୁମ୍ଭ ବିରୁଦ୍ଧରେ ପାପ କରିଅଛି, ଆଉ, ତୁମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ କରିଅଛି; ତେଣୁ ତୁମ୍ଭେ କଥା କହିବା ବେଳେ ଧାର୍ମିକ ଓ ବିଚାର କରିବା ବେଳେ ନିର୍ଦ୍ଦୋଷ ହେବ। 10ହେ ପରମେଶ୍ୱର, ମୋʼ ଅନ୍ତରରେ ଶୁଚି ଅନ୍ତଃକରଣ ସୃଷ୍ଟି କର ଓ ମୋʼ ମଧ୍ୟରେ ସୁସ୍ଥିର ଆତ୍ମା ନୂତନ କର। 11ତୁମ୍ଭ ଛାମୁରୁ ମୋତେ ଦୂର କର ନାହିଁ ଓ ତୁମ୍ଭ ପବିତ୍ର ଆତ୍ମା ମୋʼ ଠାରୁ ନିଅ ନାହିଁ।

ସୁସମାଚାର

ମାଥି 14:22–36

22ସେହିକ୍ଷଣି ଯୀଶୁ ଶିଷ୍ୟମାନଙ୍କୁ ନୌକାରେ ଚଢ଼ି ତାହାଙ୍କ ଆଗରେ ଅପର ପାରିକୁ ଯିବା ପାଇଁ ବଳାଇଲେ, ପୁଣି, ସେ ଇତିମଧ୍ୟରେ ଲୋକସମୂହକୁ ବିଦାୟ ଦେଲେ। 23ଲୋକସମୂହକୁ ବିଦାୟ ଦେଲା ପରେ ସେ ପ୍ରାର୍ଥନା କରିବା ପାଇଁ ବାହାରିଯାଇ ପର୍ବତ ଉପରକୁ ଗଲେ, ଆଉ ସନ୍ଧ୍ୟା ହେଲା ପରେ ସେ ସେଠାରେ ଏକାକୀ ଥିଲେ। 24କିନ୍ତୁ ନୌକା ସେତେବେଳେ କୂଳରୁ ଅନେକ ଦୂରରେ ଥିଲା ଏବଂ ପ୍ରତିକୂଳ ବାୟୁ ହେତୁ ତାହା ଟଳମଳ ହେଉଥିଲା। 25କିନ୍ତୁ ରାତ୍ରିର ଚତୁର୍ଥ ପ୍ରହରରେ ଯୀଶୁ ସମୁଦ୍ର ଉପରେ ଚାଲି ସେମାନଙ୍କ ପାଖକୁ ଆସିଲେ, 26ପୁଣି, ଶିଷ୍ୟମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବାର ଦେଖି ଉଦ୍‌ବିଗ୍ନ ହୋଇ କହିଲେ, ଏ ତ ଭୂତ; ଆଉ, ସେମାନେ ଭୟରେ ଚିତ୍କାର କଲେ। 27କିନ୍ତୁ ଯୀଶୁ ସେହିକ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି କହିଲେ “ସାହସ ଧର ଏ ତ ମୁଁ, ଭୟ କର ନାହିଁ।” 28ସେଥିରେ ପିତର ଉତ୍ତର ଦେଲେ, ହେ ପ୍ରଭୁ, ଯେବେ ଆପଣ, ତେବେ ଜଳ ଉପରେ ଆପଣଙ୍କ ପାଖକୁ ଯିବା ପାଇଁ ମୋତେ ଆଜ୍ଞା କରନ୍ତୁ। 29ସେ କହିଲେ, “ଆସ।” ସେଥିରେ ପିତର ନୌକାରୁ ଓହ୍ଲାଇ ଜଳ ଉପରେ ଚାଲି ଯୀଶୁଙ୍କ ପାଖକୁ ଗଲେ। 30ମାତ୍ର ସେ ପବନ ଦେଖି ଭୟ କଲେ, ପୁଣି, ବୁଡ଼ି ଯାଉ ଯାଉ ଚିତ୍କାର କରି କହିଲେ, ହେ ପ୍ରଭୁ, ମୋତେ ରକ୍ଷା କରନ୍ତୁ। 31ଯୀଶୁ ସେହିକ୍ଷଣି ହାତ ବଢ଼ାଇ ତାହାକୁ ଧରି କହିଲେ, “ହେ ଅଳ୍ପ ବିଶ୍ୱାସୀ କାହିଁକି ସନ୍ଦେହ କଲ?” 32ପୁଣି, ସେମାନେ ନୌକାରେ ଚଢ଼ନ୍ତେ, ପବନ ବନ୍ଦ ହେଲା। 33ସେଥିରେ ନୌକାରେ ଥିବା ଲୋକମାନେ ତାହାଙ୍କୁ ପ୍ରଣାମ କରି କହିଲେ, ଆପଣ ନିଶ୍ଚୟ ଈଶ୍ବରଙ୍କ ପୁତ୍ର। 34ସେମାନେ ସମୁଦ୍ର ପାର ହୋଇ ଗିନ୍ନେସରତ ଅଞ୍ଚଳରେ ପହଞ୍ଚିଲେ। 35ପୁଣି, ସେହି ସ୍ଥାନର ଲୋକମାନେ ତାହାଙ୍କୁ ଚିହ୍ନି ସେଥିର ଚତୁର୍ଦ୍ଦିଗସ୍ଥ ସମସ୍ତ ଅଞ୍ଚଳକୁ ସମ୍ବାଦ ପଠାଇଲେ ଏବଂ ଲୋକେ ସମସ୍ତ ରୋଗୀଙ୍କୁ ତାହାଙ୍କ ନିକଟକୁ ଆଣିଲେ; 36ଆଉ, ସେମାନେ ଯେପରି କେବଳ ତାହାଙ୍କ ବସ୍ତ୍ରର ଝୁମ୍ପା ଛୁଅନ୍ତି, ଏହା ତାହାଙ୍କୁ ବିନତି କରିବାକୁ ଲାଗିଲେ, ପୁଣି, ଯେତେ ଲୋକ ଛୁଇଁଲେ ସମସ୍ତେ ସୁସ୍ଥ ହେଲେ।

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର