ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁନ 2027 › ଜୁନ 24
ଅର୍ଥୋଡକ୍ସ ପଞ୍ଜିକା · 11 ଜୁନ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 24 ଜୁନ 2027
ଗୁରୁବାର · ପେଣ୍ଟିକଷ୍ଟ ପରେ ପ୍ରଥମ ସପ୍ତାହ · ସ୍ୱର 7
ପର୍ବ ଓ ସନ୍ଥ
Holy Apostles Bartholomew and Barnabas (1st C)
ଉପବାସମୁକ୍ତ ସପ୍ତାହ
ଉପବାସ ନାହିଁ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ସନ୍ଧ୍ୟା ପ୍ରାର୍ଥନା: ପାଠ
3ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ; ସେ ମୃତମାନଙ୍କ ମଧ୍ୟରୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଜୀବନଦାୟକ ଭରସା ପ୍ରାପ୍ତି ନିମନ୍ତେ, 4ଅର୍ଥାତ୍ ଯେଉଁ ଅକ୍ଷୟ, ଅକଳଙ୍କିତ, ଅଜର ଅଧିକାର ତୁମ୍ଭମାନଙ୍କ ନିମନ୍ତେ ସ୍ୱର୍ଗରେ ସଞ୍ଚିତ ହୋଇଅଛି, ତାହା ପାଇବା ନିମନ୍ତେ ଆପଣାର ମହାଦୟାରେ ଆମ୍ଭମାନଙ୍କୁ ନୂତନ ଜନ୍ମ ଦେଇଅଛନ୍ତି। 5ଯେଉଁ ପରିତ୍ରାଣ ଶେଷକାଳରେ ପ୍ରକାଶିତ ହେବା ପାଇଁ ପ୍ରସ୍ତୁତ ହୋଇଅଛି, ସେଥିନିମନ୍ତେ ତୁମ୍ଭେମାନେ ଈଶ୍ବରଙ୍କ ଶକ୍ତିରେ ବିଶ୍ୱାସ ଦ୍ୱାରା ସୁରକ୍ଷିତ ହେଉଅଛ। 6ଏଥିରେ ତୁମ୍ଭେମାନେ ଆନନ୍ଦ କରୁଅଛ, ତଥାପି ବର୍ତ୍ତମାନ ଅଳ୍ପ ସମୟ ପାଇଁ ନାନା ପରୀକ୍ଷା ଦ୍ୱାରା ଦୁଃଖଭୋଗ କରିବା ତୁମ୍ଭମାନଙ୍କ ପକ୍ଷରେ ଆବଶ୍ୟକ ହୁଏ, 7ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମ୍ଭମାନଙ୍କର ପରୀକ୍ଷାସିଦ୍ଧ ବିଶ୍ୱାସ, ତାହା ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେବ। 8ତୁମ୍ଭେମାନେ ତାହାଙ୍କୁ ନ ଦେଖି ପ୍ରେମ କରୁଅଛ, ପୁଣି, ଏବେ ସୁଦ୍ଧା ନ ଦେଖିଲେ ହେଁ ତାହାଙ୍କଠାରେ ବିଶ୍ୱାସ କରି ଅକଥନୀୟ ଓ ଗୌରବଯୁକ୍ତ ଆନନ୍ଦରେ 9ଆନନ୍ଦିତ ହୋଇ ତୁମ୍ଭମାନଙ୍କ ବିଶ୍ୱାସର ଫଳ ଯେ ଆତ୍ମାର ପରିତ୍ରାଣ, ତାହା ପାଉଅଛ। ଭାବବାଦୀମାନେ ତୁମ୍ଭମାନଙ୍କ ନିମନ୍ତେ ନିରୂପିତ ଅନୁଗ୍ରହ ବିଷୟରେ ଭାବବାଣୀ ପ୍ରକାଶ କଲେ,
ସନ୍ଧ୍ୟା ପ୍ରାର୍ଥନା: ପାଠ
13ଅତଏବ, ଆପଣା ଆପଣା ମନରୂପ କଟି ବନ୍ଧନ କରି ସଚେତନ ଥାଅ, ପୁଣି, ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ଯେଉଁ ଅନୁଗ୍ରହ ତୁମ୍ଭମାନଙ୍କ ପ୍ରତି ବର୍ତ୍ତିବ, ସେଥିରେ ସମ୍ପୂର୍ଣ୍ଣ ରୂପେ ଭରସା ରଖ। 14ତୁମ୍ଭମାନଙ୍କ ପୂର୍ବ ଅଜ୍ଞାନତା ସମୟର କୁଅଭିଳାଷର ଅନୁରୂପୀ ହୁଅ ନାହିଁ, 15ମାତ୍ର ତୁମ୍ଭମାନଙ୍କର ଆହ୍ୱାନକର୍ତ୍ତା ଯେପରି ପବିତ୍ର, ତୁମ୍ଭେମାନେ ମଧ୍ୟ ଆଜ୍ଞାବହ ସନ୍ତାନମାନଙ୍କ ପରି ସମସ୍ତ ଆଚରଣରେ ସେହିପରି ପବିତ୍ର ହୁଅ। 16ଯେଣୁ ପବିତ୍ର ଶାସ୍ତ୍ରରେ ଲେଖାଅଛି, ତୁମ୍ଭେମାନେ ପବିତ୍ର ହୁଅ, କାରଣ ଆମ୍ଭେ ପବିତ୍ର। 17ଆଉ ଯେ ମୁଖାପେକ୍ଷା ନ କରି ପ୍ରତ୍ୟେକ ଲୋକର କର୍ମାନୁସାରେ ବିଚାର କରନ୍ତି, ତାହାଙ୍କୁ ଯଦି ପିତା ବୋଲି ସମ୍ବୋଧନ କରୁଅଛ, ତେବେ ଆପଣା ଆପଣାର ପ୍ରବାସକାଳ ଭୟ ସହକାରେ କ୍ଷେପଣ କର; 18ଯେଣୁ ତୁମ୍ଭେମାନେ ଜାଣ ଯେ, ତୁମ୍ଭମାନଙ୍କ ପିତୃ-ପୁରୁଷମାନଙ୍କଠାରୁ ପ୍ରାପ୍ତ ପରମ୍ପରାଗତ ନିରର୍ଥକ ଆଚାର-ବ୍ୟବହାରରୁ ରୂପା କି ସୁନା ପରି କ୍ଷୟଣୀୟ ବସ୍ତୁ ଦ୍ୱାରା ମୁକ୍ତ ନ ହୋଇ 19ବରଂ ନିଖୁନ୍ତ ଓ ନିଷ୍କଳଙ୍କ ମେଷଶାବକ ସଦୃଶ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଅଛ।
ସନ୍ଧ୍ୟା ପ୍ରାର୍ଥନା: ପାଠ
11ହେ ପ୍ରିୟମାନେ, ତୁମ୍ଭେ ବିଦେଶୀ ଓ ପ୍ରବାସୀ ବୋଲି ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ଶାରୀରିକ ଅଭିଳାଷଗୁଡ଼ିକରୁ ବିମୁଖ ହୁଅ, ସେଗୁଡ଼ିକ ଆତ୍ମାର ବିରୁଦ୍ଧରେ ଯୁଦ୍ଧ କରେ। 12ତୁମ୍ଭେମାନେ ଅଣଯିହୁଦୀମାନଙ୍କ ମଧ୍ୟରେ ସଦାଚରଣ କର, ଯେପରି ସେମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ନିନ୍ଦା କରନ୍ତି, ତୁମ୍ଭମାନଙ୍କର ସୁକର୍ମ ଦେଖି ସେହି ବିଷୟରେ କୃପାଦୃଷ୍ଟି ଦିନରେ ଈଶ୍ବରଙ୍କ ଗୌରବ କରିବେ। 13ପ୍ରଭୁଙ୍କ ସକାଶେ ସମସ୍ତେ ମାନବୀୟ ବିଧାନର ବଶୀଭୂତ ହୁଅ, 14ସର୍ବପ୍ରଧାନ ରାଜା ହେଉନ୍ତୁ କିଅବା ଦୁଷ୍କର୍ମକାରୀମାନଙ୍କୁ ପ୍ରତିଫଳ ଦେବା ନିମନ୍ତେ ଓ ସତ୍କର୍ମକାରୀମାନଙ୍କୁ ପ୍ରଶଂସା କରିବା ନିମନ୍ତେ ତାହାଙ୍କ ଦ୍ୱାରା ପ୍ରେରିତ ଶାସନକର୍ତ୍ତାମାନେ ହେଉନ୍ତୁ, ସେମାନଙ୍କର ବଶୀଭୂତ ହୁଅ। 15କାରଣ ତୁମ୍ଭେମାନେ ଯେ ସତ୍କର୍ମ କରି ନିର୍ବୋଧମାନଙ୍କ ଅଜ୍ଞାନର କଥା ବନ୍ଦ କର, ଏହା ଈଶ୍ବରଙ୍କ ଇଚ୍ଛା; 16ତୁମ୍ଭେମାନେ ସ୍ୱାଧୀନ ହେଲେ ହେଁ ତୁମ୍ଭମାନଙ୍କର ସ୍ୱାଧୀନତାକୁ ଦୁଷ୍ଟତାର ଆବରଣ ସ୍ୱରୂପେ ବ୍ୟବହାର ନ କରି ବରଂ ଈଶ୍ବରଙ୍କ ଦାସ ହୋଇ ସତ୍କର୍ମ କର। 17ସମସ୍ତଙ୍କୁ ସମାଦର କର, ଭାଇମାନଙ୍କୁ ପ୍ରେମ କର, ଈଶ୍ବରଙ୍କୁ ଭୟ କର, ରାଜାଙ୍କୁ ସମାଦର କର। 18ହେ ଦାସମାନେ, ତୁମ୍ଭେମାନେ ଭୟ ସହକାରେ ଆପଣା ଆପଣା କର୍ତ୍ତାଙ୍କର ବଶୀଭୂତ ହୁଅ, କେବଳ ଉତ୍ତମ ଓ ଦୟାଳୁ କର୍ତ୍ତାମାନଙ୍କର ନୁହେଁ, ମାତ୍ର ନିର୍ଦ୍ଦୟମାନଙ୍କର ମଧ୍ୟ ବଶୀଭୂତ ହୁଅ। 19କାରଣ କେହି ଯେବେ ଈଶ୍ବରଙ୍କୁ ବିଶ୍ୱାସ କରିବାରୁ ଅନ୍ୟାୟରେ ଦୁଃଖଭୋଗ କରି କଷ୍ଟ ସହ୍ୟ କରେ, ତେବେ ତାହା ପ୍ରଶଂସାର ବିଷୟ। 20ଯେଣୁ ତୁମ୍ଭେମାନେ ଆପଣା ଆପଣା ଦୋଷ ହେତୁ ଯଦି ପ୍ରହାର ସହ୍ୟ କର, ତେବେ ସେଥିରେ ଅବା କଅଣ ସୁଖ୍ୟାତି? କିନ୍ତୁ ଯଦି ସତ୍କର୍ମ କରି ଦୁଃଖ ସହ୍ୟ କର, ତେବେ ତାହା ଈଶ୍ବରଙ୍କ ନିକଟରେ ପ୍ରଶଂସାର ବିଷୟ। 21ଏଥିନିମନ୍ତେ ହିଁ ତୁମ୍ଭେମାନେ ଆହୂତ ହୋଇଅଛ, କାରଣ ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ପଦଚିହ୍ନ ଦେଇ ଗମନ କର, ସେଥିପାଇଁ ସେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ଦୁଃଖଭୋଗ କରି ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଦେଇ ଯାଇଅଛନ୍ତି; 22“ସେ କୌଣସି ପାପ କଲେ ନାହିଁ, କିଅବା ତାହାଙ୍କ ମୁଖରେ କୌଣସି ଛଳକଥା ନ ଥିଲା।” 23ସେ ନିନ୍ଦା ପାଇବା ବଦଳରେ ଫେରି ନିନ୍ଦା କଲେ ନାହିଁ; ଦୁଃଖଭୋଗ ସହ୍ୟ କରିବା ବଦଳରେ ପ୍ରତିହିଂସା କରିବାକୁ ଭୟ ଦେଖାଇଲେ ନାହିଁ, କିନ୍ତୁ ନ୍ୟାୟବିଚାରକର୍ତ୍ତା ଈଶ୍ବରଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କଲେ; 24ଆମ୍ଭେମାନେ ଯେପରି ପାପ ପ୍ରତି ମୃତ ହୋଇ ଧାର୍ମିକତା ନିମନ୍ତେ ଜୀବନଯାପନ କରୁ, ଏଥିନିମନ୍ତେ ସେ ଆପେ କ୍ରୁଶ ଉପରେ ନିଜ ଶରୀରରେ ଆମ୍ଭମାନଙ୍କର ସମସ୍ତ ପାପ ବହନ କଲେ; ତାହାଙ୍କ ପ୍ରହାରରେ ତୁମ୍ଭେମାନେ ସୁସ୍ଥ ହୋଇଅଛ।
ପ୍ରଭାତୀ ପ୍ରାର୍ଥନା: ସୁସମାଚାର
15ସେମାନେ ଭୋଜନ କଲା ଉତ୍ତାରେ ଯୀଶୁ ଶିମୋନ ପିତରଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଅଛ?” ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ସେ ତାହାଙ୍କୁ କହିଲେ, “ମୋହର ମେଷଶାବକମାନଙ୍କୁ ଚରାଅ।” 16ସେ ପୁନର୍ବାର ଦ୍ୱିତୀୟ ଥର ତାହାଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ପ୍ରେମ କରୁଅଛ?” ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ସେ ତାହାଙ୍କୁ କହିଲେ, “ମୋହର ମେଷମାନଙ୍କୁ ପ୍ରତିପାଳନ କର।” 17ସେ ତୃତୀୟ ଥର ତାହାଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ସ୍ନେହ କରୁଅଛ? ତୁମ୍ଭେ କଅଣ ମୋତେ ସ୍ନେହ କରୁଅଛ,” ଏହା କହି ସେ ତୃତୀୟ ଥର ପିତରଙ୍କୁ ପଚାରିବାରୁ ସେ ଦୁଃଖିତ ହୋଇ ତାହାଙ୍କୁ କହିଲେ, ପ୍ରଭୁ, ଆପଣ ସମସ୍ତ ବିଷୟ ଜାଣନ୍ତି; ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ଯୀଶୁ ତାହାଙ୍କୁ କହିଲେ, “ମୋହର ମେଷମାନଙ୍କୁ ଚରାଅ। 18ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଯୁବକ ଥିବା ସମୟରେ ତୁମ୍ଭେ ଆପଣା କଟି ବନ୍ଧନ କରି ଯେଉଁ ଆଡ଼େ ଇଚ୍ଛା, ସେହି ଆଡ଼େ ଭ୍ରମଣ କରୁଥିଲ, କିନ୍ତୁ ବୃଦ୍ଧ ହେଲେ ତୁମ୍ଭେ ଆପଣା ହସ୍ତ ବିସ୍ତାର କରିବ ଓ ଅନ୍ୟ ଜଣେ ତୁମ୍ଭର କଟି ବନ୍ଧନ କରି, ଯେଉଁ ଆଡ଼େ ତୁମ୍ଭର ଇଚ୍ଛା ନ ଥିବ, ସେଆଡ଼େ ତୁମ୍ଭକୁ ଘେନିଯିବ।” 19ସେ କେଉଁ ପ୍ରକାର ମୃତ୍ୟୁଭୋଗ ଦ୍ୱାରା ଈଶ୍ବରଙ୍କୁ ଗୌରବାନ୍ୱିତ କରିବେ, ସେଥିର ସୂଚନା ଦେଇ ସେ ଏହା କହିଲେ। ଏହା କହିଲା ଉତ୍ତାରେ ସେ ତାହାଙ୍କୁ କହିଲେ, “ମୋହର ଅନୁଗାମୀ ହୁଅ।” 20ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ ଓ ଯେ ମଧ୍ୟ ରାତ୍ରିଭୋଜ ସମୟରେ ତାହାଙ୍କ ବକ୍ଷସ୍ଥଳରେ ଆଉଜିପଡ଼ି, ପ୍ରଭୁ, ଆପଣଙ୍କୁ କିଏ ଶତ୍ରୁ ହସ୍ତରେ ସମର୍ପଣ କରିବ ବୋଲି ପଚାରିଥିଲେ, ସେହି ଶିଷ୍ୟଙ୍କୁ ପିତର ବୁଲିପଡ଼ି ପଛରେ ଆସୁଥିବା ଦେଖିଲେ। 21ପିତର ତାହାଙ୍କୁ ଦେଖି ଯୀଶୁଙ୍କୁ ପଚାରିଲେ, ପ୍ରଭୁ, ଏହାର ବିଷୟରେ କଅଣ? 22ଯୀଶୁ ତାହାଙ୍କୁ କହିଲେ, “ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କଅଣ ଅଛି? ତୁମ୍ଭେ ମୋହର ଅନୁଗାମୀ ହୁଅ।” 23ସେଥିରେ ସେହି ଶିଷ୍ୟ ଯେ ମରିବ ନାହିଁ, ଭାଇମାନଙ୍କ ମଧ୍ୟରେ ଏହି କଥା ବ୍ୟାପିଗଲା, ମାତ୍ର ସେ ମରିବ ନାହିଁ ବୋଲି ଯୀଶୁ ତାହାଙ୍କୁ କହି ନ ଥିଲେ, “କିନ୍ତୁ ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କଅଣ ଅଛି” ବୋଲି କହିଥିଲେ। 24ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି ଓ ଏହି ସମସ୍ତ ଲେଖିଅଛନ୍ତି, ସେ ସେହି ଶିଷ୍ୟ; ଆଉ, ତାହାଙ୍କ ସାକ୍ଷ୍ୟ ଯେ ସତ୍ୟ, ତାହା ଆମ୍ଭେମାନେ ଜାଣୁ। 25ପୁଣି, ଯୀଶୁ ଆହୁରି ଅନେକ ଅନେକ କର୍ମ ମଧ୍ୟ କରିଥିଲେ; ସେହିସବୁ ଯଦି ଗୋଟି ଗୋଟି କରି ଲେଖା ଯାଆନ୍ତା, ତାହାହେଲେ ଏତେ ପୁସ୍ତକ ଲେଖା ହୁଅନ୍ତା ଯେ, ମୋହର ବିଚାରରେ ସମୁଦାୟ ଜଗତରେ ସୁଦ୍ଧା ସେହିସବୁ ରଖିବା ନିମନ୍ତେ ସ୍ଥାନ ହୁଅନ୍ତା ନାହିଁ।
ପତ୍ର
28ଆଉ, ଯେପରି ସେମାନେ ଈଶ୍ବର ବିଷୟକ ଜ୍ଞାନ ଗ୍ରହଣ କରିବାକୁ ଅସ୍ୱୀକୃତ ହେଲେ, ସେହିପରି ଈଶ୍ବର ଅନୁଚିତ କର୍ମ କରିବା ନିମନ୍ତେ ସେମାନଙ୍କୁ ଭ୍ରଷ୍ଟ ମତିରେ ସମର୍ପଣ କଲେ। 29ସେମାନେ ସର୍ବ ପ୍ରକାର ଅଧର୍ମ, ଦୁଷ୍ଟତା, ଲୋଭ, ହିଂସା, ଈର୍ଷା, ବଧ, ବିବାଦ, ଛଳ ଓ ମନ୍ଦତାରେ ପରିପୂର୍ଣ୍ଣ; 30ସେମାନେ ଚୁଗୁଲିଆ, ନିନ୍ଦକ, ଈଶ୍ବରଙ୍କ ଘୃଣ୍ୟ, ଅତ୍ୟାଚାରୀ, ଦାମ୍ଭିକ, ଅହଙ୍କାରୀ, ଦୁଷ୍ଟକର୍ମର ଉତ୍ପାଦକ, 31ପିତାମାତାଙ୍କ ଅନାଜ୍ଞାବହ, ନିର୍ବୋଧ, ନିୟମ ଭଗ୍ନକାରୀ, ସ୍ୱାଭାବିକ ସ୍ନେହ-ରହିତ ଓ ନିର୍ଦ୍ଦୟ ଅଟନ୍ତି। 32ଯେଉଁମାନେ ଏହିପରି ଆଚରଣ କରନ୍ତି, ସେମାନେ ଯେ ମୃତ୍ୟୁର ଯୋଗ୍ୟ, ଈଶ୍ବରଙ୍କର ଏହି ବିଧିବିଧାନ ସେମାନେ ଜାଣିଲେ ସୁଦ୍ଧା କେବଳ ଯେ ଏହି ପ୍ରକାର ଆଚରଣ କରନ୍ତି ତାହା ନୁହେଁ, କିନ୍ତୁ ଏହିପରି ଆଚରଣ କରୁଥିବା ଲୋକମାନଙ୍କ ପକ୍ଷ ଆନନ୍ଦରେ ସମର୍ଥନ କରନ୍ତି। 2:1ଅତଏବ, ହେ ମନୁଷ୍ୟ, ଯେ ତୁମ୍ଭେ ବିଚାର କରୁଥାଅ, ତୁମ୍ଭେ ଯେ କେହି ହୁଅ, ତୁମ୍ଭର ଉତ୍ତର ଦେବାର ବାଟ ନାହିଁ, କାରଣ ଯେଉଁ ବିଷୟରେ ତୁମ୍ଭେ ଅନ୍ୟର ବିଚାର କରୁଥାଅ, ସେହି ବିଷୟରେ ତୁମ୍ଭେ ଆପଣାକୁ ଦୋଷୀ କରୁଥାଅ, ଯେଣୁ ତୁମ୍ଭେ ଯେ ବିଚାର କରୁଥାଅ, ସେହି ପ୍ରକାର କର୍ମ ମଧ୍ୟ କରୁଥାଅ। 2ଆଉ, ଯେଉଁମାନେ ଏହି ପ୍ରକାର କର୍ମ କରନ୍ତି, ସେମାନଙ୍କ ବିରୁଦ୍ଧରେ ଈଶ୍ବରଙ୍କ ବିଚାର ଯେ ନ୍ୟାୟସଙ୍ଗତ, ଏହା ଆମ୍ଭେମାନେ ଜାଣୁ। 3ଆଉ, ହେ ଭାଇ, ଯେଉଁମାନେ ଏହି ପ୍ରକାର କର୍ମ କରନ୍ତି, ସେମାନଙ୍କର ବିଚାର କରି ଆପେ ସେହି ପ୍ରକାର କରୁଥାଅ ଯେ ତୁମ୍ଭେ, ତୁମ୍ଭେ ଈଶ୍ବରଙ୍କ ନ୍ୟାୟବିଚାରରୁ ପଳାୟନ କରିପାର ବୋଲି କଅଣ ମନେ କରୁଅଛ? 4କିମ୍ବା ଈଶ୍ବରଙ୍କ କୃପା ଯେ ତୁମ୍ଭକୁ ମନ-ପରିବର୍ତ୍ତନ ଆଡ଼କୁ ଘେନିଯିବାକୁ ଚେଷ୍ଟା କରେ, ଏହା ନ ଜାଣି ତୁମ୍ଭେ କି ତାହାଙ୍କର ଉତ୍ତମତା, ଧୈର୍ଯ୍ୟ ଓ ଚିରସହିଷ୍ଣୁତାରୂପ ଧନସବୁ ତୁଚ୍ଛ କରୁଅଛ? 5କିନ୍ତୁ ତୁମ୍ଭେ ଆପଣା କଠିନ ଓ ଅପରିବର୍ତ୍ତିତ ହୃଦୟ ଅନୁସାରେ, ଯେଉଁ ଦିନ ଈଶ୍ବରଙ୍କ ନ୍ୟାୟବିଚାର ପ୍ରକାଶ ପାଇବ, ସେହି କ୍ରୋଧର ଦିନରେ ନିଜ ପାଇଁ କ୍ରୋଧ ସଞ୍ଚୟ କରୁଅଛ; 6ସେ ପ୍ରତ୍ୟେକ ଲୋକକୁ ନିଜ ନିଜ କର୍ମାନୁସାରେ ଫଳ ଦେବେ; 7ଯେଉଁମାନେ ଧୈର୍ଯ୍ୟ ସହିତ ଉତ୍ତମ କର୍ମ କରି ଗୌରବ, ସମ୍ମାନ ଓ ଅମରତା ଅନ୍ୱେଷଣ କରନ୍ତି, ସେମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରିବେ, 8କିନ୍ତୁ ଯେଉଁମାନେ ସ୍ୱାର୍ଥପର, ପୁଣି, ସତ୍ୟର ଅନାଜ୍ଞାବହ, ମାତ୍ର ଅଧାର୍ମିକତାର ଆଜ୍ଞାବହ, ସେମାନଙ୍କ ପ୍ରତି କ୍ରୋଧ ଓ କୋପ ଘଟିବ। 9ପ୍ରଥମରେ ଯିହୁଦୀ ଓ ମଧ୍ୟ ଗ୍ରୀକ୍, ପ୍ରତ୍ୟେକ ଦୁଷ୍କର୍ମକାରୀ ଲୋକର ପ୍ରାଣ ଉପରେ କ୍ଳେଶ ଓ ସଙ୍କଟ ଘଟିବ,
ପତ୍ର (ପ୍ରେରିତମାନଙ୍କ ପାଇଁ)
19ଇତିମଧ୍ୟରେ ସ୍ତିଫାନଙ୍କ ସକାଶେ ଘଟିଥିବା କ୍ଲେଶ ହେତୁ ଯେଉଁମାନେ ଛିନ୍ନଭିନ୍ନ ହୋଇ ଯାଇଥିଲେ, ସେମାନେ ଫୈନୀକିଆ ଅଞ୍ଚଳ, ସାଇପ୍ରସ୍ ଦ୍ୱୀପ ଓ ଆନ୍ତିୟଖିଆ ସହର ପର୍ଯ୍ୟନ୍ତ ଭ୍ରମଣ କରି କେବଳ ଯିହୁଦୀମାନଙ୍କ ବିନା ଆଉ କାହାରି ନିକଟରେ ବାକ୍ୟ ପ୍ରଚାର କରୁ ନ ଥିଲେ। 20କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ସାଇପ୍ରସ୍ ଓ କୂରୀଣୀୟ ଲୋକ ଆନ୍ତିୟଖିଆକୁ ଗ୍ରୀକ୍ମାନଙ୍କ ନିକଟରେ ମଧ୍ୟ କଥା କହି ପ୍ରଭୁ ଯୀଶୁଙ୍କ ସୁସମାଚାର ପ୍ରଚାର କରିବାକୁ ଲାଗିଲେ। 21ଆଉ ସେମାନଙ୍କ ସହିତ ପ୍ରଭୁଙ୍କର ହସ୍ତ ଥିଲା, ପୁଣି, ଅନେକ ଅନେକ ଲୋକ ବିଶ୍ୱାସ କରି ପ୍ରଭୁଙ୍କ ପ୍ରତି ଫେରିଲେ। 22ସେମାନଙ୍କ ବିଷୟକ ସମ୍ବାଦ ଯିରୂଶାଲମସ୍ଥ ମଣ୍ଡଳୀର କର୍ଣ୍ଣଗୋଚର ହେଲା, ସେଥିରେ ସେମାନେ ଆନ୍ତିୟଖିଆ ପର୍ଯ୍ୟନ୍ତ ବର୍ଣ୍ଣବ୍ବାଙ୍କୁ ପ୍ରେରଣ କଲେ। 23ସେ ଉପସ୍ଥିତ ହୋଇ ଈଶ୍ବରଙ୍କର ଅନୁଗ୍ରହ ଦେଖି ଆନନ୍ଦିତ ହେଲେ, ଆଉ ଯେପରି ସେମାନେ ହୃଦୟର ଏକାଗ୍ରତାରେ ପ୍ରଭୁଙ୍କ ପ୍ରତି ଆସକ୍ତ ହୋଇ ରୁହନ୍ତି, ସେଥିନିମନ୍ତେ ସମସ୍ତଙ୍କୁ ଉତ୍ସାହ ଦେଲେ; 24କାରଣ ସେ ଜଣେ ଉତ୍ତମ ବ୍ୟକ୍ତି, ପୁଣି, ପବିତ୍ର ଆତ୍ମା ଓ ବିଶ୍ୱାସରେ ପରିପୂର୍ଣ୍ଣ ଥିଲେ। ଏହି ପ୍ରକାରେ ଅନେକ ଅନେକ ଲୋକ ପ୍ରଭୁଙ୍କଠାରେ ସଂଯୁକ୍ତ ହେଲେ। 25ପରେ ସେ ଶାଉଲଙ୍କୁ ଖୋଜିବା ପାଇଁ ତାର୍ଷକୁ ବାହାରିଗଲେ, 26ପୁଣି, ସେ ତାହାଙ୍କୁ ପାଇ ଆନ୍ତିୟଖିଆକୁ ଘେନି ଆସିଲେ। ସେମାନେ ସମ୍ପୂର୍ଣ୍ଣ ଏକ ବର୍ଷ ପର୍ଯ୍ୟନ୍ତ ମଣ୍ଡଳୀର ସହିତ ରହି ଅନେକ ଲୋକଙ୍କୁ ଶିକ୍ଷା ଦେଲେ, ପୁଣି, ଆନ୍ତିୟଖିଆରେ ଶିଷ୍ୟମାନେ ପ୍ରଥମରେ ଖ୍ରୀଷ୍ଟିୟାନ ବୋଲି ନାମିତ ହେଲେ। 29ସେଥିରେ ଶିଷ୍ୟମାନେ ପ୍ରତ୍ୟେକ ଜଣ ଆପଣା ଶକ୍ତି ଅନୁସାରେ ଯିହୂଦିୟା ପ୍ରଦେଶ ନିବାସୀ ଭାଇମାନଙ୍କ ନିମନ୍ତେ ସାହାଯ୍ୟ ପ୍ରେରଣ କରିବାକୁ ସ୍ଥିର କଲେ, 30ଆଉ ସେମାନେ ମଧ୍ୟ ତାହା କରି ବର୍ଣ୍ଣବ୍ବା ଓ ଶାଉଲଙ୍କ ହସ୍ତରେ ପ୍ରାଚୀନମାନଙ୍କ ନିକଟକୁ ପଠାଇଦେଲେ।
ସୁସମାଚାର
27ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ‘ବ୍ୟଭିଚାର କର ନାହିଁ।’ 28କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି କୌଣସି ସ୍ତ୍ରୀ ପ୍ରତି କାମ-ଭାବରେ ଦୃଷ୍ଟିପାତ କରେ, ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି। 29ଆଉ ତୁମ୍ଭ ଦକ୍ଷିଣ ଚକ୍ଷୁ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ଫୋପାଡ଼ି ଦିଅ, କାରଣ ତୁମ୍ଭର ସମସ୍ତ ଶରୀର ନର୍କରେ ପଡ଼ିବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ତୁମ୍ଭ ପକ୍ଷରେ ଲାଭଜନକ। 30ପୁଣି, ତୁମ୍ଭର ଦକ୍ଷିଣ ହସ୍ତ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ଫୋପାଡ଼ିଦିଅ, କାରଣ ତୁମ୍ଭର ସମସ୍ତ ଶରୀର ନର୍କରେ ପଡ଼ିବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ତୁମ୍ଭ ପକ୍ଷରେ ଲାଭଜନକ। 31ଆହୁରି ଉକ୍ତ ଅଛି, ‘ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରେ, ସେ ତାହାକୁ ଛାଡ଼ପତ୍ର ଦେଉ।’ 32କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ସ୍ତ୍ରୀକୁ ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରେ, ସେ ତାହାକୁ ବ୍ୟଭିଚାରିଣୀ କରାଏ; ଆଉ ଯେ କେହି ପରିତ୍ୟକ୍ତା ସ୍ତ୍ରୀକୁ ବିବାହ କରେ, ସେ ବ୍ୟଭିଚାର କରେ।
ସୁସମାଚାର (ପ୍ରେରିତମାନଙ୍କ ପାଇଁ)
16ଯେ ତୁମ୍ଭମାନଙ୍କର କଥା ଶୁଣେ, ସେ ମୋʼ କଥା ଶୁଣେ, ପୁଣି, ଯେ ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରେ, ସେ ମୋତେ ଅଗ୍ରାହ୍ୟ କରେ, ଆଉ ଯେ ମୋତେ ଅଗ୍ରାହ୍ୟ କରେ, ସେ ମୋʼ ପ୍ରେରଣକର୍ତ୍ତାଙ୍କୁ ଅଗ୍ରାହ୍ୟ କରେ। 17ଏଥିଉତ୍ତାରେ ସେହି ସତୁରି ଜଣ ଫେରିଆସି ଆନନ୍ଦରେ କହିଲେ, ପ୍ରଭୁ, ଭୂତମାନେ ସୁଦ୍ଧା ଆପଣଙ୍କ ନାମରେ ଆମ୍ଭମାନଙ୍କ ବଶୀଭୂତ ଅଟନ୍ତି। 18କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ବିଜୁଳି ପରି ସ୍ୱର୍ଗରୁ ଶୟତାନକୁ ପଡ଼ିବା ମୁଁ ଦେଖୁଥିଲି। 19ଦେଖ, ମୁଁ ତୁମ୍ଭମାନଙ୍କୁ ସାପ ଓ ବିଛା ଉପରେ ଚାଲିବାକୁ କ୍ଷମତା ଦେଇଅଛି, ପୁଣି, ଶତ୍ରୁର ସମସ୍ତ ଶକ୍ତି ଉପରେ ମଧ୍ୟ କ୍ଷମତା ଦେଇଅଛି, ଆଉ କିଛି ହେଲେ କୌଣସି ପ୍ରକାରେ ତୁମ୍ଭମାନଙ୍କର କ୍ଷତି କରିବ ନାହିଁ। 20ତଥାପି ଆତ୍ମାମାନେ ଯେ ତୁମ୍ଭମାନଙ୍କର ବଶୀଭୂତ ଅଟନ୍ତି, ଏଥିରେ ଆନନ୍ଦ କର ନାହିଁ, କିନ୍ତୁ ତୁମ୍ଭମାନଙ୍କ ନାମ ଯେ ସ୍ୱର୍ଗରେ ଲେଖାଅଛି, ଏଥିରେ ଆନନ୍ଦ କର।” 21ସେହି ସମୟରେ ସେ ପବିତ୍ର ଆତ୍ମାଙ୍କଠାରେ ଉଲ୍ଲସିତ ହୋଇ କହିଲେ, “ପିତା ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ, ଏଥିନିମନ୍ତେ ତୁମ୍ଭର ପ୍ରଶଂସା କରୁଅଛି; ହଁ, ପିତା, କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା।”
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଜୁନ 11 ନାଗରିକ ପଞ୍ଜିକାର ଜୁନ 24। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର