Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁନ 2027 › ଜୁନ 24

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 24 ଜୁନ 2027

ଗୁରୁବାର · ସାଧାରଣ କାଳର 12ତମ ସପ୍ତାହ

ପର୍ବ ଓ ସନ୍ଥ

ସନ୍ଥ ବାପ୍ତିଜକ ଯୋହନଙ୍କ ଜନ୍ମ

ମହାପର୍ବ · ଉପାସନାର ରଙ୍ଗ: ଧଳା

ଦିନର ପାଠ

ପ୍ରଥମ ପାଠ

ଯିଶା 49:1–6

1ହେ ଦ୍ୱୀପସମୂହ, ମୋʼ କଥା ଶୁଣ; ହେ ଦୂରସ୍ଥ ଗୋଷ୍ଠୀସମୂହ, ମନୋଯୋଗ କର; ମୁଁ ଗର୍ଭସ୍ଥ ହେବା ସମୟଠାରୁ ସଦାପ୍ରଭୁ ମୋତେ ଆହ୍ୱାନ କରିଅଛନ୍ତି; ମୁଁ ମାତାଙ୍କ ଉଦରରୁ ଭୂମିଷ୍ଠ ହେବା ସମୟଠାରୁ ସେ ମୋହର ନାମ ଉଲ୍ଲେଖ କରିଅଛନ୍ତି; 2ପୁଣି, ସେ ମୋର ମୁଖ ତୀକ୍ଷ୍ଣ ଖଡ୍ଗ ସ୍ୱରୂପ କରିଅଛନ୍ତି, ଆପଣା ହସ୍ତର ଛାୟାରେ ସେ ମୋତେ ଲୁଚାଇଅଛନ୍ତି ଓ ସେ ମୋତେ ଶାଣିତ ତୀର ସ୍ୱରୂପ କରି ଆପଣା ତୂଣରେ ଘୋଡ଼ାଇ ରଖିଅଛନ୍ତି; 3ପୁଣି, ସେ ମୋତେ କହିଲେ, “ତୁମ୍ଭେ ଆମ୍ଭର ଦାସ; ତୁମ୍ଭେ ଇସ୍ରାଏଲ, ତୁମ୍ଭ ଦ୍ୱାରା ଆମ୍ଭେ ମହିମାନ୍ୱିତ ହେବା।” 4ମାତ୍ର ମୁଁ କହିଲି, “ମୁଁ ବ୍ୟର୍ଥରେ ପରିଶ୍ରମ କରିଅଛି, ମୁଁ ନିରର୍ଥକ ଓ ଅସାରତାରେ ମୋହର ଶକ୍ତି ବ୍ୟୟ କରିଅଛି; ତଥାପି ନିଶ୍ଚୟ ମୋହର ବିଚାର ସଦାପ୍ରଭୁଙ୍କ ନିକଟରେ ଓ ମୋହର କର୍ମର ଫଳ ମୋହର ପରମେଶ୍ୱରଙ୍କଠାରେ ଅଛି।” 5ପୁଣି, ମୋତେ ତାହାଙ୍କର ସେବକ ହେବା ପାଇଁ ଓ ଯାକୁବକୁ ତାହାଙ୍କ ନିକଟକୁ ଆଣିବା ପାଇଁ ଓ ଇସ୍ରାଏଲ ତାହାଙ୍କ ନିକଟରେ ସଂଗୃହୀତ ହେବା ପାଇଁ ଯେ ମୋତେ ଗର୍ଭରୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏବେ କହନ୍ତି; (କାରଣ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ ଆଦରଣୀୟ ଅଟେ ଓ ମୋହର ପରମେଶ୍ୱର ମୋହର ବଳ ସ୍ୱରୂପ ହୋଇଅଛନ୍ତି); 6ଏଣୁ ସେ କହନ୍ତି, “ତୁମ୍ଭେ ଯେ ଯାକୁବର ଗୋଷ୍ଠୀବର୍ଗକୁ ଉତ୍ଥାପନ କରିବା ପାଇଁ ଓ ଇସ୍ରାଏଲର ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସେବକ ହେବ, ଏହା ଅତି କ୍ଷୁଦ୍ର ବିଷୟ; ତୁମ୍ଭେ ପୃଥିବୀର ସୀମା ପର୍ଯ୍ୟନ୍ତ ଯେପରି ଆମ୍ଭର କୃତ ପରିତ୍ରାଣ ସ୍ୱରୂପ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟଦେଶୀୟମାନଙ୍କର ଦୀପ୍ତି ସ୍ୱରୂପ ମଧ୍ୟ କରିବା।”

ପ୍ରତିଉତ୍ତର ଗୀତ

ଗୀତ 139:1–3, 13–15

1ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ତୁମ୍ଭେ ମୋହର ଅନୁସନ୍ଧାନ କରିଅଛ ଓ ମୋହର ପରିଚୟ ନେଇଅଛ। 2ତୁମ୍ଭେ ମୋହର ବସିବାର ଓ ଉଠିବାର ଜାଣୁଅଛ, ତୁମ୍ଭେ ଦୂରରୁ ମୋହର ସଂକଳ୍ପ ବୁଝୁଅଛ। 3ତୁମ୍ଭେ ମୋହର ଗମନ ଓ ଶୟନ ଅନୁସନ୍ଧାନ କରୁଅଛ, ଆଉ ମୋହର ସକଳ ଗତି ଜାଣୁଅଛ। 13କାରଣ ତୁମ୍ଭେ ମୋହର ମର୍ମର କର୍ତ୍ତା; ତୁମ୍ଭେ ମୋତେ ମାତୃଗର୍ଭରେ ଆଚ୍ଛାଦନ କରିଅଛ। 14ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି; କାରଣ ମୁଁ ଭୟଙ୍କର ଓ ଆଶ୍ଚର୍ଯ୍ୟ ରୂପେ ନିର୍ମିତ; ତୁମ୍ଭର କର୍ମସକଳ ଆଶ୍ଚର୍ଯ୍ୟ; ଏହା ମୁଁ ଭଲ ରୂପେ ଜାଣେ। 15ମୁଁ ଗୋପନରେ ନିର୍ମିତ ଓ ପୃଥିବୀର ଅଧଃସ୍ଥାନରେ ଶିଳ୍ପିତ ହେବା ସମୟରେ ମୋହର ଅସ୍ଥିପଞ୍ଜର ତୁମ୍ଭଠାରୁ ଗୁପ୍ତ ନ ଥିଲା।

ଦ୍ୱିତୀୟ ପାଠ

ପ୍ରେରି 13:22–26

22ପରେ ସେ ତାହାଙ୍କୁ ପଦଚ୍ୟୁତ କରି ସେମାନଙ୍କର ରାଜା ହେବା ନିମନ୍ତେ ଦାଉଦଙ୍କୁ ଉତ୍ଥାପନ କଲେ; ସେ ମଧ୍ୟ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ କହିଲେ, ଆମ୍ଭେ ଯିଶୀର ପୁତ୍ର ଦାଉଦଙ୍କୁ ପାଇଅଛୁ, ସେ ଆମ୍ଭର ମନର ମତ ବ୍ୟକ୍ତି, ସେ ସମସ୍ତ ବିଷୟରେ ଆମ୍ଭର ଇଚ୍ଛା ପାଳନ କରିବେ। 23ତାହାଙ୍କ ବଂଶରୁ ଈଶ୍ବର ପ୍ରତିଜ୍ଞାନୁସାରେ ଇସ୍ରାଏଲ ନିମନ୍ତେ ଜଣେ ତ୍ରାଣକର୍ତ୍ତା; ଅର୍ଥାତ୍‍ ଯୀଶୁଙ୍କୁ ଉତ୍ପନ୍ନ କରିଅଛନ୍ତି। 24ତାହାଙ୍କ ଆଗମନ ପୂର୍ବେ ଯୋହନ ସମସ୍ତ ଇସ୍ରାଏଲ ଲୋକଙ୍କ ନିକଟରେ ପ୍ରଥମରେ ମନ-ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିଥିଲେ; 25ଆଉ ଯୋହନ ଆପଣାର ନିରୂପିତ କର୍ମ ସମାପ୍ତ କରୁ କରୁ କହିଲେ, ମୁଁ ଯେ ବୋଲି ତୁମ୍ଭେମାନେ ମନେ କରୁଅଛ, ମୁଁ ସେ ନୁହେଁ। କିନ୍ତୁ ଦେଖ, ମୋ ପଛରେ ଜଣେ ଆସୁଅଛନ୍ତି, ତାହାଙ୍କ ପାଦର ପାଦୁକା ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ। 26ହେ ଭାଇମାନେ, ଅବ୍ରହାମଙ୍କ ବଂଶର ସନ୍ତାନସନ୍ତତି ଓ ଆପଣମାନଙ୍କ ମଧ୍ୟରୁ ଈଶ୍ବର ଭୟକାରୀମାନେ, ଆମ୍ଭମାନଙ୍କ ନିକଟକୁ ଏହି ପରିତ୍ରାଣର ବାକ୍ୟ ପ୍ରେରିତ ହୋଇଅଛି।

ସୁସମାଚାର

ଲୂକ 1:57–66, 80

57ପରେ ଏଲୀଶାବେଥଙ୍କ ପ୍ରସବ କାଳ ଉପସ୍ଥିତ ହୁଅନ୍ତେ ସେ ଗୋଟିଏ ପୁତ୍ର ପ୍ରସବ କଲେ, 58ଆଉ ପ୍ରଭୁ ଯେ ତାହାଙ୍କ ପ୍ରତି ମହା ଦୟା ପ୍ରକାଶ କରିଅଛନ୍ତି, ଏହା ଶୁଣି ତାହାଙ୍କ ପ୍ରତିବାସୀ ଓ ସମ୍ପର୍କୀୟମାନେ ତାହାଙ୍କ ସହିତ ଆନନ୍ଦ କରିବାକୁ ଲାଗିଲେ। 59ଆଠ ଦିନରେ ସେମାନେ ଶିଶୁକୁ ସୁନ୍ନତ କରିବାକୁ ଆସିଲେ ଓ ତାହାର ପିତାଙ୍କ ନାମ ଅନୁସାରେ ତାହାର ନାମ ଜିଖରୀୟ ଦେବାକୁ ଇଚ୍ଛା କଲେ। 60କିନ୍ତୁ ତାହାର ମାତା ଉତ୍ତର ଦେଲେ, ନାହିଁ, ତାହାର ନାମ ଯୋହନ ହେବ। 61ସେମାନେ ତାହାଙ୍କୁ କହିଲେ, ତୁମ୍ଭର ସମ୍ପର୍କୀୟମାନଙ୍କ ମଧ୍ୟରେ ତ କାହାର ଏହି ନାମ ନାହିଁ। 62ଏଥିରେ ତାହାକୁ କେଉଁ ନାମ ଦିଆଯିବ ବୋଲି ତାହାର ପିତା ଇଚ୍ଛା କରୁଅଛନ୍ତି, ତାହା ସଙ୍କେତ କରି ପଚାରିବାକୁ ଲାଗିଲେ। 63ତହିଁରେ ସେ ଖଣ୍ଡେ ଲିଖନ ପଟା ମାଗି ଏହା ଲେଖିଲେ, ତାହାର ନାମ ଯୋହନ। ଏଥିରେ ସମସ୍ତେ ଚକିତ ହେଲେ। 64ଆଉ ସେହିକ୍ଷଣି ତାହାଙ୍କ ମୁଖ ଓ ଜିହ୍ୱା ଫିଟିଗଲା ଏବଂ ସେ କଥା କହି ଈଶ୍ବରଙ୍କ ପ୍ରଶଂସା କରିବାକୁ ଲାଗିଲେ। 65ଏଥିରେ ସେମାନଙ୍କ ପ୍ରତିବାସୀ ସମସ୍ତେ ଭୟଗ୍ରସ୍ତ ହେଲେ, ଆଉ ଏହି ସମସ୍ତ କଥା ଯିହୂଦିୟା ପ୍ରଦେଶର ପାର୍ବତୀୟ ଅଞ୍ଚଳର ସବୁଆଡ଼େ ଲୋକେ କୁହାକହି ହେଲେ, 66ପୁଣି, ଶୁଣିବା ଲୋକ ସମସ୍ତେ ସେହିସବୁ ଆପଣା ଆପଣା ହୃଦୟରେ ରଖି କହିଲେ, ଏ ଶିଶୁଟି ତେବେ କଅଣ ହେବ? କାରଣ ପ୍ରଭୁଙ୍କ ହସ୍ତ ତାହାର ସହବର୍ତ୍ତୀ। 80ପୁଣି, ଶିଶୁ ବୃଦ୍ଧି ପାଇ ଆତ୍ମାରେ ଶକ୍ତିମାନ ହେବାକୁ ଲାଗିଲେ ଏବଂ ଇସ୍ରାଏଲ ନିକଟରେ ପ୍ରକାଶିତ ନ ହେବା ପର୍ଯ୍ୟନ୍ତ ପ୍ରାନ୍ତରରେ ରହିଲେ।

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର