ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମଇ 2027 › ମଇ 26
ଅର୍ଥୋଡକ୍ସ ପଞ୍ଜିକା · 13 ମଇ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 26 ମଇ 2027
ବୁଧବାର · ପାସ୍କାର ଚତୁର୍ଥ ସପ୍ତାହ · ସ୍ୱର 3
ପର୍ବ ଓ ସନ୍ଥ
ପେଣ୍ଟିକଷ୍ଟର ମଧ୍ୟପର୍ବ
ଉପବାସ ଦିନ
ମାଛ ଚଳିବ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ସନ୍ଧ୍ୟା ପ୍ରାର୍ଥନା: ପାଠ
ମୀଖା 4:2–3, 5; 6:2–5, 8; 5:4–5
2ପୁଣି, ଅନେକ ଗୋଷ୍ଠୀ ଯାଉ ଯାଉ କହିବେ, “ତୁମ୍ଭେମାନେ ଆସ, ସଦାପ୍ରଭୁଙ୍କ ପର୍ବତକୁ, ଯାକୁବର ପରମେଶ୍ୱରଙ୍କ ଗୃହକୁ ଆମ୍ଭେମାନେ ଯାଉ; ତହିଁରେ ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା।” କାରଣ ସିୟୋନଠାରୁ ବ୍ୟବସ୍ଥା ଓ ଯିରୂଶାଲମଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ। 3ପୁଣି, ସେ ଅନେକ ଗୋଷ୍ଠୀୟମାନଙ୍କ ମଧ୍ୟରେ ବିଚାର କରିବେ ଓ ଦୂରସ୍ଥିତ ବଳବାନ ଗୋଷ୍ଠୀୟମାନଙ୍କ ସମ୍ବନ୍ଧରେ ନିଷ୍ପତ୍ତି କରିବେ; ତହିଁରେ ସେମାନେ ଆପଣା ଆପଣା ଖଡ୍ଗ ଭାଙ୍ଗି ଲଙ୍ଗଳର ଫାଳ କରିବେ ଓ ଆପଣା ଆପଣା ବର୍ଚ୍ଛା ଭାଙ୍ଗି ଦାଆ ନିର୍ମାଣ କରିବେ; ଏକ ଦେଶୀୟ ଲୋକେ ଅନ୍ୟ ଦେଶୀୟ ଲୋକଙ୍କ ବିରୁଦ୍ଧରେ ଖଡ୍ଗ ଉଠାଇବେ ନାହିଁ, କିଅବା ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ। 5କାରଣ ଯାବତୀୟ ଗୋଷ୍ଠୀ ଆପଣା ଆପଣା ଦେବତାର ନାମରେ ଚାଲିବେ, ପୁଣି ଆମ୍ଭେମାନେ ଅନନ୍ତକାଳ ପର୍ଯ୍ୟନ୍ତ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନାମରେ ଚାଲିବା। 6:2ହେ ପର୍ବତଗଣ, ହେ ପୃଥିବୀର ଅଟଳ ଭିତ୍ତିମୂଳସକଳ, ତୁମ୍ଭେମାନେ ସଦାପ୍ରଭୁଙ୍କର ବିବାଦ ବାକ୍ୟ ଶୁଣ; କାରଣ ଆପଣା ଲୋକମାନଙ୍କ ସହିତ ସଦାପ୍ରଭୁଙ୍କର ବିବାଦ ଅଛି ଓ ସେ ଇସ୍ରାଏଲ ସହିତ ବାଦାନୁବାଦ କରିବେ। 3“ହେ ଆମ୍ଭର ଲୋକ, ତୁମ୍ଭ ପ୍ରତି ଆମ୍ଭେ କʼଣ କରିଅଛୁ? ଓ କାହିଁରେ ଆମ୍ଭେ ତୁମ୍ଭକୁ କ୍ଳାନ୍ତ କରିଅଛୁ? ଆମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦିଅ। 4ଆମ୍ଭେ ତ ମିସର ଦେଶରୁ ତୁମ୍ଭକୁ ବାହାର କରି ଆଣିଲୁ ଓ ଦାସଗୃହରୁ ତୁମ୍ଭକୁ ମୁକ୍ତ କଲୁ; ଆଉ, ତୁମ୍ଭର ଅଗ୍ରସର ହେବା ପାଇଁ ମୋଶା, ହାରୋଣ ଓ ମରୀୟମକୁ ପଠାଇଲୁ। 5ହେ ଆମ୍ଭର ଲୋକେ, ମୋୟାବର ରାଜା ବାଲାକ କି ମନ୍ତ୍ରଣା କରିଥିଲା ଓ ବିୟୋରର ପୁତ୍ର ବିଲୀୟମ୍ ତାହାକୁ କି ଉତ୍ତର ଦେଇଥିଲା, ତାହା ଏବେ ସ୍ମରଣ କର; ଶିଟୀମଠାରୁ ଗିଲ୍ଗଲ୍ ପର୍ଯ୍ୟନ୍ତ ସ୍ମରଣ କର, ତହିଁରେ ତୁମ୍ଭେମାନେ ସଦାପ୍ରଭୁଙ୍କର ନ୍ୟାୟ କର୍ମସକଳ ଜ୍ଞାତ ହୋଇ ପାରିବ।” 8ହେ ମନୁଷ୍ୟ, ଯାହା ଉତ୍ତମ, ତାହା ସେ ତୁମ୍ଭକୁ ଜଣାଇ ଅଛନ୍ତି; ନ୍ୟାୟାଚରଣ, ଦୟା ଭଲ ପାଇବା ଓ ନମ୍ର ଭାବରେ ତୁମ୍ଭ ପରମେଶ୍ୱରଙ୍କ ସହିତ ଗମନାଗମନ କରିବାର, ଏହାଛଡ଼ା ସଦାପ୍ରଭୁ ତୁମ୍ଭଠାରୁ ଆଉ କଅଣ ଚାହାନ୍ତି? 5:4ପୁଣି, ସେ ଠିଆ ହୋଇ ସଦାପ୍ରଭୁଙ୍କ ଶକ୍ତିରେ, ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମର ମହିମାରେ ଆପଣା ପଲ ଚରାଇବେ ଓ ସେମାନେ ସୁସ୍ଥିର ହୋଇ ବାସ କରିବେ; କାରଣ ସେହି ସମୟରେ ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ମହାନ ହେବେ। 5ଆଉ, ଏହି ମନୁଷ୍ୟ ଆମ୍ଭମାନଙ୍କର ଶାନ୍ତି ସ୍ୱରୂପ ହେବେ; ଯେଉଁ ସମୟରେ ଅଶୂରୀୟ ଗୋଷ୍ଠୀ ଆମ୍ଭମାନଙ୍କ ଦେଶକୁ ଆସିବେ ଓ ଆମ୍ଭମାନଙ୍କ ଅଟ୍ଟାଳିକାମାନରେ ପଦାର୍ପଣ କରିବ, ସେହି ସମୟରେ ଆମ୍ଭେମାନେ ତାହା ବିରୁଦ୍ଧରେ ସାତ ଜଣ ପଲରକ୍ଷକ ଓ ଆଠ ଜଣ ପ୍ରଧାନ ଲୋକଙ୍କୁ ଉତ୍ଥାପନ କରିବା।
ସନ୍ଧ୍ୟା ପ୍ରାର୍ଥନା: ପାଠ
1“ହେ ତୃଷିତ ଲୋକସକଳ, ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଯାହାର କିଛି ଅର୍ଥ ନାହିଁ, ସେ ଆସୁ; ତୁମ୍ଭେମାନେ ଆସ, କିଣ ଓ ଭୋଜନ କର; ହଁ, ଆସ, ଅର୍ଥ ଓ ମୂଲ୍ୟ ବିନା ଦ୍ରାକ୍ଷାରସ ଓ ଦୁଗ୍ଧ କିଣ। 12:3ଏହେତୁ ତୁମ୍ଭେମାନେ ଆନନ୍ଦରେ ପରିତ୍ରାଣର କୂପସମୂହରୁ ଜଳ କାଢ଼ିବ। 4ପୁଣି, ସେହି ଦିନରେ ତୁମ୍ଭେମାନେ କହିବ, “ସଦାପ୍ରଭୁଙ୍କର ଧନ୍ୟବାଦ କର, ତାହାଙ୍କ ନାମରେ ପ୍ରାର୍ଥନା କର, ଗୋଷ୍ଠୀୟମାନଙ୍କ ମଧ୍ୟରେ ତାହାଙ୍କର କ୍ରିୟାସକଳ ପ୍ରଚାର କର, ତାହାଙ୍କର ନାମ ଉନ୍ନତ ବୋଲି ବ୍ୟକ୍ତ କର। 55:2ଅଖାଦ୍ୟ ଦ୍ରବ୍ୟ ନିମନ୍ତେ ତୁମ୍ଭେମାନେ କାହିଁକି ରୂପା ବ୍ୟୟ କରୁଅଛ? ଓ ଯାହା ତୃପ୍ତିକର ନୁହେଁ, ତହିଁ ପାଇଁ କାହିଁକି ତୁମ୍ଭେମାନେ ପରିଶ୍ରମ କରୁଅଛ? ମନୋଯୋଗ କରି ଆମ୍ଭର କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ଭୋଜନ କର ଓ ପୁଷ୍ଟିକର ଦ୍ରବ୍ୟରେ ତୁମ୍ଭମାନଙ୍କର ପ୍ରାଣକୁ ସନ୍ତୁଷ୍ଟ ହେବାକୁ ଦିଅ। 3କର୍ଣ୍ଣ ଡେର ଓ ଆମ୍ଭ ନିକଟକୁ ଆସ; ଶୁଣ, ତହିଁରେ ତୁମ୍ଭମାନଙ୍କର ପ୍ରାଣ ବଞ୍ଚିବ; ପୁଣି, ଆମ୍ଭେ ତୁମ୍ଭମାନଙ୍କ ସହିତ ଏକ ନିତ୍ୟସ୍ଥାୟୀ ନିୟମ, ଅର୍ଥାତ୍, ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା। 4ଦେଖ, ଆମ୍ଭେ ତାହାଙ୍କୁ ଗୋଷ୍ଠୀବର୍ଗର ସାକ୍ଷୀ ରୂପେ, ଗୋଷ୍ଠୀବର୍ଗର ଅଗ୍ରଣୀ ଓ ଆଜ୍ଞାଦାତା ରୂପେ ନିଯୁକ୍ତ କରିଅଛୁ। 5ଦେଖ, ଯେଉଁ ଗୋଷ୍ଠୀକୁ ତୁମ୍ଭେ ଜାଣୁ ନାହଁ, ତାହାକୁ ତୁମ୍ଭେ ଆହ୍ୱାନ କରିବ ଓ ଯେଉଁ ଗୋଷ୍ଠୀ ତୁମ୍ଭକୁ ଜାଣିଲା ନାହିଁ, ସେ ତୁମ୍ଭ ନିକଟକୁ ଦୌଡ଼ିବ, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ସକାଶୁ ଏହା ଘଟିବ; କାରଣ ସେ ତୁମ୍ଭଙ୍କୁ ଗୌରବାନ୍ୱିତ କରିଅଛନ୍ତି। 6ଯେପର୍ଯ୍ୟନ୍ତ ସଦାପ୍ରଭୁଙ୍କର ଉଦ୍ଦେଶ୍ୟ ମିଳୁଅଛି, ସେପର୍ଯ୍ୟନ୍ତ ତୁମ୍ଭେମାନେ ତାହାଙ୍କର ଅନ୍ୱେଷଣ କର, ଯେପର୍ଯ୍ୟନ୍ତ ସେ ନିକଟରେ ଅଛନ୍ତି, ସେପର୍ଯ୍ୟନ୍ତ ତାହାଙ୍କଠାରେ ପ୍ରାର୍ଥନା କର। 7ଦୁଷ୍ଟ ଆପଣାର ପଥ ଓ ଅଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ; ପୁଣି, ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାକୁ ଦୟା କରିବେ; ଆଉ, ସେ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ କ୍ଷମା କରିବେ। 8ଯେହେତୁ ସଦାପ୍ରଭୁ କହନ୍ତି, ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ, କିଅବା ତୁମ୍ଭମାନଙ୍କର ମାର୍ଗସକଳ ଆମ୍ଭର ମାର୍ଗ ପରି ନୁହେଁ। 9କାରଣ ପୃଥିବୀ ଅପେକ୍ଷା ଆକାଶମଣ୍ଡଳ ଯେପରି ଉଚ୍ଚ, ସେହିପରି ଆମ୍ଭର ମାର୍ଗସକଳ ତୁମ୍ଭମାନଙ୍କର ମାର୍ଗ ଅପେକ୍ଷା ଓ ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କ ସଂକଳ୍ପ ଅପେକ୍ଷା ଉଚ୍ଚତର ଅଟେ। 10ଯେହେତୁ ଯେପରି ବୃଷ୍ଟି ଓ ହିମ ଆକାଶରୁ ତଳକୁ ଆସେ ଓ ସେଠାକୁ ଫେରିଯାଏ ନାହିଁ, ମାତ୍ର ଭୂମିକୁ ସନ୍ତରା କରେ, ପୁଣି ଫଳବତୀ ଓ ତୃଣାଦି ଉତ୍ପନ୍ନ କରି ବପନକାରୀକୁ ବୀଜ ଓ ଭୋଜନକାରୀକୁ ଭକ୍ଷ୍ୟ ଦିଏ; 11ଆମ୍ଭ ମୁଖରୁ ନିର୍ଗତ ବାକ୍ୟ ସେହିପରି ହେବ; ତାହା ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ, ମାତ୍ର ଆମ୍ଭେ ଯାହା ଇଚ୍ଛା କରୁ, ତାହା ସିଦ୍ଧ କରିବା ଓ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରୁ, ତହିଁରେ କୃତାର୍ଥ ହେବ। 12ଏଣୁ ତୁମ୍ଭେମାନେ ଆନନ୍ଦରେ ବାହାର ହୋଇ ଶାନ୍ତିରେ ଆଗେ ଆଗେ ନିଆଯିବ; ପର୍ବତ ଓ ଉପପର୍ବତଗଣ ତୁମ୍ଭମାନଙ୍କ ସମ୍ମୁଖରେ ଉଚ୍ଚସ୍ୱରରେ ଗାନ କରିବେ ଓ କ୍ଷେତ୍ରସ୍ଥ ବୃକ୍ଷସକଳ କରତାଳି ଦେବେ। 13କଣ୍ଟକ ବୃକ୍ଷ ବଦଳରେ ଦେବଦାରୁ ଓ କାନକୋଳି କଣ୍ଟା ବଦଳରେ ମେହେନ୍ଦି ବୃକ୍ଷ ଉତ୍ପନ୍ନ ହେବ; ପୁଣି, ତାହା ସଦାପ୍ରଭୁଙ୍କର କୀର୍ତ୍ତି ସ୍ୱରୂପ ଓ ଅକ୍ଷୟ ନିତ୍ୟସ୍ଥାୟୀ ଚିହ୍ନସ୍ୱରୂପ ହେବ।”
ସନ୍ଧ୍ୟା ପ୍ରାର୍ଥନା: ପାଠ
1ଜ୍ଞାନ ଆପଣା ଗୃହ ନିର୍ମାଣ କରିଅଛି, ସେ ତାହାର ସପ୍ତସ୍ତମ୍ଭ ଖୋଳିଅଛି; 2ସେ ଆପଣା ପଶୁସବୁ ବଧ କରିଅଛି; ସେ ଆପଣା ଦ୍ରାକ୍ଷାରସ ମିଶ୍ରିତ କରିଅଛି; ସେ ଆପଣା ମେଜ ମଧ୍ୟ ସଜାଇଅଛି। 3ସେ ଆପଣା ଦାସୀମାନଙ୍କୁ ପଠାଇଅଛି, ସେ ନଗରର ସର୍ବୋଚ୍ଚ ସ୍ଥାନରୁ ଡାକି କହେ, 4“ଯେଉଁ ଜଣ ଅବୋଧ, ସେ ଏଠାକୁ ଆସୁ;” ପୁଣି, ଯେଉଁ ଜନ ନିର୍ବୋଧ, ତାହାକୁ ସେ କହେ, 5“ଆସ, ମୋହର ଭକ୍ଷ୍ୟ ଭୋଜନ କର ଓ ମୋହର ମିଶ୍ରିତ ଦ୍ରାକ୍ଷାରସ ପାନ କର। 6ହେ ଅବୋଧ ଲୋକମାନେ, ଅବୋଧମାନଙ୍କର ସଙ୍ଗ ପରିତ୍ୟାଗ କରି ଜୀବନ ରକ୍ଷା କର; ପୁଣି, ସୁବିବେଚନାର ପଥରେ ଚାଲ।” 7ଯେ ନିନ୍ଦକକୁ ଶିକ୍ଷା ଦିଏ, ସେ ଆପେ ଲଜ୍ଜା ପାଏ; ପୁଣି, ଯେ ଦୁଷ୍ଟକୁ ଅନୁଯୋଗ କରେ, ସେ ନିଜେ କଳଙ୍କ ପାଏ। 8ନିନ୍ଦକକୁ ଅନୁଯୋଗ କର ନାହିଁ, କଲେ, ସେ ତୁମ୍ଭକୁ ଘୃଣା କରିବ, ଜ୍ଞାନୀକୁ ଅନୁଯୋଗ କର, ତହିଁରେ ସେ ତୁମ୍ଭକୁ ପ୍ରେମ କରିବ। 9ଜ୍ଞାନୀକୁ ଉପଦେଶ ଦେଲେ, ସେ ଆହୁରି ଜ୍ଞାନବାନ ହେବ, ପୁଣି, ଧାର୍ମିକକୁ ଶିକ୍ଷା ଦେଲେ, ତାହାର ପାଣ୍ଡିତ୍ୟ ବୃଦ୍ଧି ପାଇବ। 10ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ, ପୁଣି, ଧର୍ମସ୍ୱରୂପଙ୍କ ବିଷୟକ ଜ୍ଞାନ ହିଁ ସୁବିବେଚନା ଅଟେ। 11ଯେହେତୁ ମୋʼ ଦ୍ୱାରା ତୁମ୍ଭର ଦିନ ବୃଦ୍ଧି ପାଇବ, ପୁଣି, ତୁମ୍ଭ ଆୟୁର ବର୍ଷ ବଢ଼ିବ।
ପତ୍ର
6ସେତେବେଳେ ସେମାନେ ତାହା ଜାଣି ପାରି ଲୁକାୟନିଆ ଦେଶରେ ଲୁସ୍ତ୍ରା ଓ ଦର୍ବୀ ସହର ପୁଣି, ଚାରିଆଡ଼ର ଅଞ୍ଚଳକୁ ପଳାଇଗଲେ, 7ଆଉ ସେମାନେ ସେଠାରେ ସୁସମାଚାର ପ୍ରଚାର କରିବାକୁ ଲାଗିଲେ। 8ଲୁସ୍ତ୍ରାରେ ଜଣେ ଲୋକ ରହୁଥିଲା, ତାହାର ପାଦ ଦୁର୍ବଳ, ସେ ମାତୃଗର୍ଭରୁ ଖଞ୍ଜ, ଆଉ ସେ କେବେ ଚାଲି ନ ଥିଲା। 9ସେହି ଲୋକଟି ପାଉଲଙ୍କ ପ୍ରଚାର ଶୁଣୁଥିଲା। ପାଉଲ ତାହାକୁ ଏକଦୃଷ୍ଟିରେ ଚାହିଁ ସୁସ୍ଥ ହେବା ପାଇଁ ତାହାର ବିଶ୍ୱାସ ଥିବାର ଦେଖି ଉଚ୍ଚସ୍ୱରରେ କହିଲେ, 10ତୁମ୍ଭର ପାଦର ଭାର ଦେଇ ସିଧା ଠିଆ ହୁଅ। ସେଥିରେ ସେ କୁଦା ମାରି ଚାଲିବାକୁ ଲାଗିଲା। 11ପାଉଲ ଯାହା କରିଅଛନ୍ତି, ଲୋକସମୂହ ତାହା ଦେଖି ଲୁକାୟନିଆ ଭାଷାରେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ଦେବତାମାନେ ମନୁଷ୍ୟରୂପରେ ଆମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇ ଆସିଅଛନ୍ତି। 12ସେମାନେ ବର୍ଣ୍ଣବ୍ବାଙ୍କୁ ବୃହସ୍ପତି ବୋଲି କହିଲେ, ପୁଣି, ପାଉଲ ପ୍ରଧାନ ବକ୍ତା ଥିବାରୁ ତାହାଙ୍କୁ ବୁଧ ବୋଲି କହିଲେ। 13ନଗର ସମ୍ମୁଖରେ ଥିବା ବୃହସ୍ପତିଙ୍କ ମନ୍ଦିରର ଯାଜକ କେତେକ ବୃଷ ଓ ପୁଷ୍ପହାର ଦ୍ୱାର ନିକଟକୁ ଆଣି ଲୋକସମୂହ ସହିତ ବଳି ଦେବାକୁ ଇଚ୍ଛା କରିଥିଲେ। 14କିନ୍ତୁ ପ୍ରେରିତମାନେ, ଅର୍ଥାତ୍ ବର୍ଣ୍ଣବ୍ବା ଓ ପାଉଲ, ଏହା ଶୁଣି ଆପଣା ଆପଣାର ବସ୍ତ୍ର ଚିରି ଲୋକସମୂହ ମଧ୍ୟକୁ ବେଗେ ଦୌଡ଼ିଯାଇ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, 15ହେ ମହାଶୟମାନେ, କାହିଁକି ଏସମସ୍ତ କରୁଅଛନ୍ତି? ଆମ୍ଭେମାନେ ମଧ୍ୟ ଆପଣମାନଙ୍କ ପରି ସୁଖଦୁଃଖଭୋଗୀ ମନୁଷ୍ୟ, ଆପଣମାନଙ୍କ ନିକଟରେ ଏହି ସୁସମାଚାର ପ୍ରଚାର କରୁଅଛୁ, ଯେପରି ଆପଣମାନେ ଏହିସବୁ ଅସାର ବସ୍ତୁଠାରୁ ବିମୁଖ ହୋଇ ଜୀବନ୍ତ ଈଶ୍ବରଙ୍କ ପ୍ରତି ଫେରନ୍ତି। ସେ ଆକାଶମଣ୍ଡଳ, ପୃଥିବୀ, ସମୁଦ୍ର ଓ ସେସବୁରେ ଥିବା ସମସ୍ତ ସୃଷ୍ଟି କରିଅଛନ୍ତି; 16ସେ ଅତୀତ ପୁରୁଷ-ପରମ୍ପରାରେ ସମସ୍ତ ଜାତିର ଲୋକଙ୍କୁ ଆପଣା ଆପଣା ପଥରେ ଚାଲିବାକୁ ଛାଡ଼ିଦେଇଥିଲେ। 17ତଥାପି ସେ ଆପଣାକୁ ସାକ୍ଷ୍ୟ ବିହୀନ କରି ରଖି ନାହାନ୍ତି, କାରଣ ସେ ମଙ୍ଗଳ କରିଅଛନ୍ତି, ଆଉ ଆକାଶରୁ ବୃଷ୍ଟି ଓ ଫଳଦାୟକ ଋତୁ ଗୁଡ଼ିକ ଦେଇ ଭକ୍ଷ ଓ ଆନନ୍ଦରେ ଆପଣମାନଙ୍କ ହୃଦୟ ପରିତୃପ୍ତ କରିଅଛନ୍ତି। 18ଏହିସବୁ କଥା କହି ସେମାନେ ଅତି କଷ୍ଟରେ ସେମାନଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାରୁ ଲୋକସମୂହଙ୍କୁ ନିବୃତ୍ତ କଲେ।
ସୁସମାଚାର
14କିନ୍ତୁ ପର୍ବର ଅର୍ଦ୍ଧେକ ସମୟ ଗତ ହୁଅନ୍ତେ, ଯୀଶୁ ମନ୍ଦିରକୁ ଯାଇ ଶିକ୍ଷା ଦେବାକୁ ଲାଗିଲେ। 15ଏଥିରେ ଯିହୁଦୀମାନେ ଚମତ୍କୃତ ହୋଇ କହିଲେ, ଏ ପାଠ ନ ପଢ଼ି କିପରି ପଣ୍ଡିତ ହେଲା? 16ତେଣୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋହର ଶିକ୍ଷା ମୋʼ ନିଜର ନୁହେଁ, କିନ୍ତୁ ମୋʼ ପ୍ରେରଣକର୍ତ୍ତାଙ୍କର। 17କେହି ଯଦି ତାହାଙ୍କର ଇଚ୍ଛା ସାଧନ କରିବାକୁ ଇଚ୍ଛୁକ ହୁଏ, ତାହାହେଲେ ଏହି ଶିକ୍ଷା ଈଶ୍ବରଙ୍କଠାରୁ ଉତ୍ପନ୍ନ, ନା ମୁଁ ଆପଣାଠାରୁ କହୁଅଛି, ତାହା ସେ ଜାଣିବ। 18ଯେ ଆପଣାରୁ କହେ, ସେ ନିଜ ଗୌରବ ଅନ୍ୱେଷଣ କରେ, କିନ୍ତୁ ଯେ ଆପଣା ପ୍ରେରଣକର୍ତ୍ତାଙ୍କ ଗୌରବ ଅନ୍ୱେଷଣ କରେ, ସେ ସତ, ଆଉ ତାହାଠାରେ କୌଣସି ଅଧର୍ମ ନାହିଁ। 19ମୋଶା କଅଣ ତୁମ୍ଭମାନଙ୍କୁ ବ୍ୟବସ୍ଥା ଦେଇ ନାହାନ୍ତି? ତଥାପି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋଶାଙ୍କ ବ୍ୟବସ୍ଥା ପାଳନ କରୁ ନାହଁ। ତୁମ୍ଭେମାନେ କାହିଁକି ମୋତେ ବଧ କରିବାକୁ ଚେଷ୍ଟା କରୁଅଛ?” 20ଲୋକସମୂହ ଉତ୍ତର ଦେଲେ, ତୁମକୁ ଭୂତ ଲାଗିଅଛି, କିଏ ତୁମକୁ ବଧ କରିବାକୁ ଚେଷ୍ଟା କରୁଅଛି? 21ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ଗୋଟିଏ କର୍ମ କଲି, ଆଉ ତୁମ୍ଭେମାନେ ସମସ୍ତେ ଚମତ୍କୃତ ହୋଇଅଛ। 22ଏହି ହେତୁରୁ ମୋଶା ତୁମ୍ଭମାନଙ୍କୁ ସୁନ୍ନତ ବିଧି ଦେଇଅଛନ୍ତି (ଏହା ଯେ ମୋଶାଙ୍କଠାରୁ ହୋଇଅଛି, ତାହା ନୁହେଁ, ମାତ୍ର ପିତୃ-ପୁରୁଷଙ୍କଠାରୁ), ଆଉ ତୁମ୍ଭେମାନେ ବିଶ୍ରାମବାର ଦିନରେ ମନୁଷ୍ୟର ସୁନ୍ନତ କରୁଅଛ। 23ମୋଶାଙ୍କର ବ୍ୟବସ୍ଥା ଲଙ୍ଘନ ନ ହେବା ନିମନ୍ତେ ଯଦି ବିଶ୍ରାମବାର ଦିନରେ ମନୁଷ୍ୟ ସୁନ୍ନତ ପ୍ରାପ୍ତ ହୁଏ, ତାହାହେଲେ ମୁଁ ବିଶ୍ରାମବାର ଦିନରେ ଜଣେ ମନୁଷ୍ୟକୁ ସର୍ବାଙ୍ଗ ସୁସ୍ଥ କରିବାରୁ ତୁମ୍ଭେମାନେ କାହିଁକି ମୋʼ ଉପରେ କ୍ରୋଧ କରୁଅଛ? 24ବାହ୍ୟ ବିଷୟ ଦେଖି ବିଚାର ନ କରି ଉଚିତ୍ ନ୍ୟାୟବିଚାର କର।” 25ଏଥିରେ ଯିରୂଶାଲମ ସହରନିବାସୀମାନଙ୍କ ମଧ୍ୟରୁ କେହି କେହି କହିବାକୁ ଲାଗିଲେ, ସେମାନେ ଯାହାକୁ ବଧ କରିବା ନିମନ୍ତେ ଚେଷ୍ଟା କରୁଅଛନ୍ତି, ଏ କଅଣ ସେ ନୁହେଁ? 26ପୁଣି, ଦେଖ, ସେ ପ୍ରକାଶରେ କଥା କହୁଅଛି, ଆଉ ସେମାନେ ତାହାକୁ କିଛି କରୁ ନାହାନ୍ତି। ଏ ଯେ ଖ୍ରୀଷ୍ଟ, ଏହା କଅଣ ନେତାମାନେ ସତେ ଜାଣି ସାରିଲେଣି? 27ଯାହା ହେଉ, ଆମ୍ଭେମାନେ ଜାଣୁ ଯେ ଏହି ବ୍ୟକ୍ତି କେଉଁଠାରୁ, କିନ୍ତୁ ଖ୍ରୀଷ୍ଟ ଯେତେବେଳେ ଆସିବେ, ସେତେବେଳେ କେହି ଜାଣିବ ନାହିଁ ଯେ ସେ କେଉଁଠାରୁ ଅଟନ୍ତି। 28ସେଥିରେ ଯୀଶୁ ମନ୍ଦିରରେ ଶିକ୍ଷା ଦେଉ ଦେଉ ଉଚ୍ଚସ୍ୱରରେ କହିଲେ, “ତୁମ୍ଭେମାନେ ମୋତେ ଓ ମୋହର ଉତ୍ପତ୍ତି ଉଭୟ ଜାଣ; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ମୋହର ପ୍ରେରଣକର୍ତ୍ତା ସତ, ତାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ। 29ମୁଁ ତାହାଙ୍କୁ ଜାଣେ, କାରଣ ମୁଁ ତାହାଙ୍କଠାରୁ ଉତ୍ପନ୍ନ, ଆଉ ସେ ମୋତେ ପ୍ରେରଣ କଲେ।” 30ସେଥିରେ ସେମାନେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ; କିନ୍ତୁ କେହି ତାହାଙ୍କ ଉପରେ ହାତ ଦେଲେ ନାହିଁ, କାରଣ ତାହାଙ୍କ ସମୟ ସେପର୍ଯ୍ୟନ୍ତ ଉପସ୍ଥିତ ହୋଇ ନ ଥିଲା।
ପତ୍ର (ଜଳର ଆଶୀର୍ବାଦ)
11ଯେଣୁ ଯେ ପବିତ୍ର କରନ୍ତି ଓ ଯେଉଁମାନେ ପବିତ୍ରୀକୃତ ହୁଅନ୍ତି, ସେମାନେ ସମସ୍ତେ ଏକ ପିତାଙ୍କର ସନ୍ତାନ; ସେଥିନିମନ୍ତେ ସେ ସେମାନଙ୍କୁ ଭ୍ରାତା ବୋଲି କହିବାକୁ ଲଜ୍ଜିତ ନୁହଁନ୍ତି, 12ଯେପରି ସେ ଈଶ୍ବରଙ୍କୁ କହନ୍ତି, “ମୁଁ ଆପଣା ଭ୍ରାତୃଗଣଙ୍କ ନିକଟରେ ତୁମ୍ଭ ନାମ ଘୋଷଣା କରିବି, ସଭା ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି,” 13ପୁନଶ୍ଚ କହନ୍ତି, “ମୁଁ ତାହାଙ୍କଠାରେ ମୋହର ବିଶ୍ୱାସ ରଖିବି।” ପୁନର୍ବାର, “ଏହି ଦେଖ, ମୁଁ ଓ ଈଶ୍ବରଙ୍କ ଦ୍ଵାରା ଦିଆଯାଇଥିବା ମୋହର ସନ୍ତାନମାନେ।” 14ଅତଏବ, ସନ୍ତାନମାନେ ରକ୍ତ-ମାଂସର ସହଭାଗୀ ହୋଇଥିବାରୁ ଯୀଶୁ ମଧ୍ୟ ନିଜେ ସେହିପରି ସେଥିର ସହଭାଗୀ ହେଲେ, ଯେପରି ମୃତ୍ୟୁ ଦ୍ୱାରା ମୃତ୍ୟୁର ଅଧିକାରୀକୁ, ଅର୍ଥାତ୍, ଶୟତାନକୁ ବିନାଶ କରିପାରନ୍ତି; 15ପୁଣି, ମୃତ୍ୟୁର ଭୟରେ ଯେଉଁମାନେ ଯାବଜୀବନ ଦାସତ୍ୱର ବନ୍ଧନରେ ଥିଲେ, ସେମାନଙ୍କୁ ସେ ଉଦ୍ଧାର କରନ୍ତି। 16କାରଣ ପ୍ରକୃତରେ ସେ ତ ଦୂତମାନଙ୍କ ଯତ୍ନ ନ ନେଇ ଅବ୍ରହାମଙ୍କ ସନ୍ତାନମାନଙ୍କ ଯତ୍ନ ନିଅନ୍ତି। 17ଅତଏବ, ସମସ୍ତ ବିଷୟରେ ଆପଣା ଭ୍ରାତାମାନଙ୍କ ସଦୃଶ ହେବା ତାହାଙ୍କର ଉଚିତ୍ ଥିଲା, ଯେପରି ସେ ଲୋକମାନଙ୍କ ପାପର ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ଈଶ୍ବରଙ୍କ ସେବା ସମ୍ବନ୍ଧରେ ଜଣେ ଦୟାଳୁ ଓ ବିଶ୍ୱସ୍ତ ମହାଯାଜକ ହୁଅନ୍ତି। 18କାରଣ ସେ ନିଜେ ପରୀକ୍ଷିତ ହୋଇ ଦୁଃଖଭୋଗ କରିଥିବାରୁ ପରୀକ୍ଷିତ ହେଉଥିବା ଲୋକମାନଙ୍କ ଉପକାର କରିବା ନିମନ୍ତେ ସକ୍ଷମ ଅଟନ୍ତି।
ସୁସମାଚାର (ଜଳର ଆଶୀର୍ବାଦ)
1ଏଥିଉତ୍ତାରେ ଯିହୁଦୀମାନଙ୍କର ଗୋଟିଏ ପର୍ବ ପଡ଼ିଲା, ଆଉ ଯୀଶୁ ଯିରୂଶାଲମ ସହରକୁ ଯାତ୍ରା କଲେ। 2ଯିରୂଶାଲମ ସହରର ମେଷଦ୍ୱାର ନିକଟରେ ଗୋଟିଏ ପୋଖରୀ ଅଛି; ଏବ୍ରୀ ଭାଷାରେ ତାହାକୁ ବେଥେସ୍ଦା ବୋଲି କହନ୍ତି, ତାହାର ପାଞ୍ଚୋଟି ମଣ୍ଡପ। 3ସେଗୁଡ଼ିକରେ ଅନେକ ଅନେକ ପୀଡ଼ିତ, ଅନ୍ଧ, ଖଞ୍ଜ ଓ ଶୁଷ୍କାଙ୍ଗ ପଡ଼ିରହୁଥିଲେ। [ସେମାନେ ଜଳସଞ୍ଚଳନ ଅପେକ୍ଷାରେ ରହୁଥିଲେ; 4କାରଣ କୌଣସି କୌଣସି ସମୟରେ ପ୍ରଭୁଙ୍କର ଜଣେ ଦୂତ ପୁଷ୍କରିଣୀରେ ଅବତରଣ କରି ଜଳ କମ୍ପାଉଥିଲେ, ଆଉ ଜଳ କମ୍ପିଲା ପରେ ଯେ କେହି ପ୍ରଥମରେ ସେଥିରେ ପ୍ରବେଶ କରୁଥିଲା, ସେ ଯେକୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ସୁସ୍ଥ ହେଉଥିଲା।]
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ମଇ 13 ନାଗରିକ ପଞ୍ଜିକାର ମଇ 26। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର