Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମଇ 2027 › ମଇ 4

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 4 ମଇ 2027

ମଙ୍ଗଳବାର · ପାସ୍କା କାଳର ଷଷ୍ଠ ସପ୍ତାହ

ପର୍ବ ଓ ସନ୍ଥ

ପାସ୍କା କାଳର ଷଷ୍ଠ ସପ୍ତାହର ମଙ୍ଗଳବାର

ସାଧାରଣ ଦିନ · ଉପାସନାର ରଙ୍ଗ: ଧଳା

ଦିନର ପାଠ

ପ୍ରଥମ ପାଠ

ପ୍ରେରି 16:22–34

22ସେଥିରେ ଲୋକସମୂହ ମଧ୍ୟ ସେମାନଙ୍କ ବିରୁଦ୍ଧରେ ଉଠିଲେ, ପୁଣି, ବିଚାରକର୍ତ୍ତାମାନେ ସେମାନଙ୍କର ବସ୍ତ୍ର କାଢ଼ିପକାଇ ସେମାନଙ୍କୁ ବେତ୍ରାଘାତ କରିବା ପାଇଁ ଆଜ୍ଞା ଦେଲେ। 23ସେମାନେ ସେମାନଙ୍କୁ ବହୁତ ପ୍ରହାର କରାଇଲା ଉତ୍ତାରେ କାରାଗାରରେ ନିକ୍ଷେପ କରି ସେମାନଙ୍କୁ ସାବଧାନରେ ରକ୍ଷା କରିବା ନିମନ୍ତେ କାରାରକ୍ଷକଙ୍କୁ ଦୃଢ଼ ଆଜ୍ଞା ଦେଲେ। 24ସେ ଏହି ପ୍ରକାର ଦୃଢ଼ ଆଜ୍ଞା ପ୍ରାପ୍ତ ହୋଇ ସେମାନଙ୍କୁ ଭିତର କାରାଗାରରେ ନିକ୍ଷେପ କରି ସେମାନଙ୍କ ପାଦରେ ବଡ଼ କାଠଗଣ୍ଡି ବାନ୍ଧିଦେଲେ। 25କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ଶୀଲା ଈଶ୍ବରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ, ଆଉ ବନ୍ଦୀମାନେ ଶୁଣୁଥିଲେ। 26ସେତେବେଳେ ହଠାତ୍‍ ଏପରି ମହା ଭୂମିକମ୍ପ ହେଲା ଯେ, କାରାଗାରର ଭିତ୍ତିମୂଳ କମ୍ପିବାକୁ ଲାଗିଲା, ଆଉ ତତ୍‌କ୍ଷଣାତ୍ ସମସ୍ତ ଦ୍ୱାର ଖୋଲା ହୋଇଗଲା, ପୁଣି, ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା। 27ଏଥିରେ କାରାରକ୍ଷକ ନିଦ୍ରାରୁ ଉଠି କାରାଗାରର ଦ୍ୱାର ଖୋଲା ହେବା ଦେଖି ବନ୍ଦୀମାନେ ପଳାଇଯାଇଅଛନ୍ତି ବୋଲି ମନେ କରି, ଖଣ୍ଡା ବାହାର କରି ଆପଣାକୁ ବଧ କରିବାକୁ ଯାଉଥିଲେ। 28କିନ୍ତୁ ପାଉଲ ଉଚ୍ଚସ୍ୱରରେ ଡାକି କହିଲେ, ଆପଣାର କୌଣସି କ୍ଷତି କର ନାହିଁ, କାରଣ ଆମ୍ଭେମାନେ ସମସ୍ତେ ଏଠାରେ ଅଛୁ। 29ସେଥିରେ ସେ ଦୀପ ଆଣିବାକୁ କହି ଡେଇଁପଡ଼ି ଭୟରେ ଥରି ଥରି ପାଉଲ ଓ ଶୀଲାଙ୍କର ସମ୍ମୁଖରେ ପଡ଼ିଗଲେ, 30ଆଉ ସେମାନଙ୍କୁ ବାହାରକୁ ଆଣି କହିଲେ, ମହାଶୟମାନେ, ପରିତ୍ରାଣ ପାଇବା ନିମନ୍ତେ ମୋତେ କଅଣ କରିବାକୁ ହେବ? 31ସେମାନେ କହିଲେ, ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର, ତାହାହେଲେ ତୁମ୍ଭେ ଏବଂ ତୁମ୍ଭ ସପରିବାର ପରିତ୍ରାଣ ପାଇବ। 32ପରେ ସେମାନେ ତାହାଙ୍କୁ ଓ ତାହାଙ୍କ ଗୃହରେ ଥିବା ସମସ୍ତଙ୍କୁ ଈଶ୍ବରଙ୍କ ବାକ୍ୟ କହିଲେ। 33ଆଉ ସେ ସେମାନଙ୍କୁ ରାତ୍ରିର ସେହି ସମୟରେ ଘେନିଯାଇ ସେମାନଙ୍କ ପ୍ରହାରର କ୍ଷତସବୁ ଧୋଇଦେଲେ, ପୁଣି, ସେ ଓ ତାହାଙ୍କର ସମସ୍ତେ ସେହିକ୍ଷଣି ବାପ୍ତିଜିତ ହେଲେ। 34ସେଥିରେ ସେ ସେମାନଙ୍କୁ ଆପଣା ଗୃହକୁ ଘେନିଯାଇ ଖାଦ୍ୟ ପରିବେଷଣ କଲେ, ଆଉ ସମସ୍ତ ପରିବାର ସହିତ ଈଶ୍ବରଙ୍କଠାରେ ବିଶ୍ୱାସ କରି ଅତ୍ୟନ୍ତ ଆନନ୍ଦିତ ହେଲେ।

ପ୍ରତିଉତ୍ତର ଗୀତ

ଗୀତ 138:1–3, 7–8

1ଦାଉଦଙ୍କର ଗୀତ। ହେ ସଦାପ୍ରଭୁ, ମୁଁ ଆପଣାର ସର୍ବାନ୍ତଃକରଣରେ ତୁମ୍ଭର ଧନ୍ୟବାଦ କରିବି; ଦେବଗଣ ସାକ୍ଷାତରେ ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି। 2ମୁଁ ତୁମ୍ଭ ପବିତ୍ର ମନ୍ଦିର ଅଭିମୁଖରେ ତୁମ୍ଭର ଭଜନା କରିବି, ପୁଣି, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ସକାଶେ ତୁମ୍ଭ ନାମର ଧନ୍ୟବାଦ କରିବି। କାରଣ ତୁମ୍ଭେ ଆପଣାର ସକଳ ନାମ ଅପେକ୍ଷା ଆପଣାର ବାକ୍ୟ ମହତ କରିଅଛ। 3ମୁଁ ପ୍ରାର୍ଥନା କରିବା ଦିନ ତୁମ୍ଭେ ମୋତେ ଉତ୍ତର ଦେଲ, ତୁମ୍ଭେ ମୋʼ ପ୍ରାଣକୁ ବଳ ଦେଇ ସାହସିକ କଲ। 7ମୁଁ ସଙ୍କଟ ମଧ୍ୟରେ ଗମନ କଲେ ହେଁ ତୁମ୍ଭେ ମୋତେ ସୁରକ୍ଷିତ ରଖିବ, ତୁମ୍ଭେ ମୋʼ ଶତ୍ରୁଗଣର କୋପ ପ୍ରତିକୂଳରେ ଆପଣା ହସ୍ତ ବିସ୍ତାର କରିବ ଓ ତୁମ୍ଭ ଦକ୍ଷିଣ ହସ୍ତ ମୋତେ ତ୍ରାଣ କରିବ। 8ସଦାପ୍ରଭୁ ମୋʼ ସମ୍ପର୍କୀୟ ବିଷୟ ସାଧନ କରିବେ; ହେ ସଦାପ୍ରଭୋ, ତୁମ୍ଭ ଦୟା ଅନନ୍ତକାଳସ୍ଥାୟୀ; ତୁମ୍ଭେ ଆପଣା ହସ୍ତକୃତ କର୍ମ ପରିତ୍ୟାଗ କର ନାହିଁ।

ସୁସମାଚାର

ଯୋହ 16:5–11

5“କିନ୍ତୁ ବର୍ତ୍ତମାନ ମୁଁ ମୋହର ପ୍ରେରଣକର୍ତ୍ତାଙ୍କ ନିକଟକୁ ଯାଉଅଛି, ଆଉ ତୁମ୍ଭେ କେଉଁ ସ୍ଥାନକୁ ଯାଉଅଛ ବୋଲି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋତେ ପଚାରୁ ନାହଁ। 6ମାତ୍ର ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଥିବାରୁ ତୁମ୍ଭମାନଙ୍କ ହୃଦୟ ଦୁଃଖରେ ପରିପୂର୍ଣ୍ଣ ହୋଇଅଛି। 7କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୋହର ପ୍ରସ୍ଥାନ କରିବାରେ ତୁମ୍ଭମାନଙ୍କର ମଙ୍ଗଳ, କାରଣ ମୁଁ ପ୍ରସ୍ଥାନ ନ କଲେ ସେହି ସାହାଯ୍ୟକାରୀ ତୁମ୍ଭମାନଙ୍କ ନିକଟକୁ ଆସିବେ ନାହିଁ, ମାତ୍ର ମୁଁ ଗଲେ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଦେବି। 8ସେ ଆସି ପାପ, ଧାର୍ମିକତା ଓ ବିଚାର ବିଷୟରେ ଜଗତକୁ ପ୍ରମାଣ ଦେବେ; 9ପାପ ବିଷୟରେ, କାରଣ ସେମାନେ ମୋʼ ଠାରେ ବିଶ୍ୱାସ କରନ୍ତି ନାହିଁ; 10ଧାର୍ମିକତା ବିଷୟରେ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି ଓ ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ; 11ନ୍ୟାୟବିଚାର ବିଷୟରେ କାରଣ ଏହି ଜଗତର ଅଧିପତି ବିଚାରିତ ହୋଇଅଛି।

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର