Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମଇ 2027 › ମଇ 3

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 3 ମଇ 2027

ସୋମବାର · ପାସ୍କା କାଳର ଷଷ୍ଠ ସପ୍ତାହ

ପର୍ବ ଓ ସନ୍ଥ

ସନ୍ଥ ଫିଲିପ୍ପ ଓ ଯାକୁବ, ପ୍ରେରିତ

ପର୍ବ · ଉପାସନାର ରଙ୍ଗ: ନାଲି

ଦିନର ପାଠ

ପ୍ରଥମ ପାଠ

ପ୍ର.କରି 15:1–8

1ହେ ଭାଇମାନେ, ମୁଁ ତୁମ୍ଭମାନଙ୍କ ନିକଟରେ ଯେଉଁ ସୁସମାଚାର ପ୍ରଚାର କରିଥିଲି, ଯାହା ତୁମ୍ଭେମାନେ ଗ୍ରହଣ କରିଥିଲ, ଯହିଁରେ ମଧ୍ୟ ସ୍ଥିର ହୋଇ ରହିଅଛ, ମୁଁ କେଉଁ ପ୍ରକାରେ ତୁମ୍ଭମାନଙ୍କ ନିକଟରେ ତାହା ପ୍ରଚାର କରିଥିଲି, ଏହା ତୁମ୍ଭମାନଙ୍କୁ ସ୍ମରଣ କରାଉଅଛି; 2ଯଦି ତୁମ୍ଭେମାନେ ତାହା ଦୃଢ଼ ଭାବରେ ଧରିଥାଅ, ତେବେ ତାହା ଦ୍ୱାରା ପରିତ୍ରାଣ ପାଉଅଛ, ନୋହିଲେ ତ ତୁମ୍ଭେମାନେ ବ୍ୟର୍ଥରେ ବିଶ୍ୱାସୀ ହୋଇଥିଲ। 3କାରଣ ଯେଉଁ ଯେଉଁ ଶିକ୍ଷା ମୁଁ ପାଇଥିଲି, ସେଥିମଧ୍ୟରୁ ଏହି ପ୍ରଧାନ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି ଯଥା, ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କଲେ, 4ସମାଧିପ୍ରାପ୍ତ ହେଲେ, ଶାସ୍ତ୍ର ଅନୁସାରେ ତୃତୀୟ ଦିବସରେ ଉତ୍ଥିତ ହେଲେ; 5ସେ କୈଫାଙ୍କୁ, ଆଉ, ତାହା ପରେ ଦ୍ୱାଦଶଙ୍କୁ ଦର୍ଶନ ଦେଲେ; 6ଏଉତ୍ତାରେ ଏକାଥରେ ପାଞ୍ଚ ଶହଠାରୁ ଅଧିକ ଭାଇମାନଙ୍କୁ ଦର୍ଶନ ଦେଲେ; ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଜି ପର୍ଯ୍ୟନ୍ତ ଜୀବିତ ଅଛନ୍ତି, କିନ୍ତୁ କେହି କେହି ମହାନିଦ୍ରାପ୍ରାପ୍ତ କରିଅଛନ୍ତି। 7ତତ୍ପରେ ସେ ଯାକୁବଙ୍କୁ, ଆଉ, ପରେ ସମସ୍ତ ପ୍ରେରିତମାନଙ୍କୁ ଦର୍ଶନ ଦେଲେ; 8ଅବଶେଷରେ ଅକାଳଜାତ ପରି ଜଣେ ଯେ ମୁଁ, ସେ ମୋତେ ମଧ୍ୟ ଦର୍ଶନ ଦେଲେ।

ପ୍ରତିଉତ୍ତର ଗୀତ

ଗୀତ 19:1–4

1ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ଆକାଶମଣ୍ଡଳ ପରମେଶ୍ୱରଙ୍କ ଗୌରବ ବର୍ଣ୍ଣନା କରେ; ଶୂନ୍ୟମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ। 2ଦିବସ ଦିବସ ପ୍ରତି ବାକ୍ୟ ଉଚ୍ଚାରଣ କରେ ଓ ରାତ୍ରି ରାତ୍ରି ପ୍ରତି ଜ୍ଞାନ ପ୍ରକାଶ କରେ। 3କୌଣସି ବାକ୍ୟ କି ଭାଷା ନ ଥାଏ; ସେମାନଙ୍କ ରବ ଶୁଣାଯାଇ ନ ପାରେ। 4ତଥାପି ସେମାନଙ୍କର ରଜ୍ଜୁ ସମୁଦାୟ ପୃଥିବୀରେ ଓ ସେମାନଙ୍କର ବାକ୍ୟ ଜଗତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ। ସେମାନଙ୍କ ମଧ୍ୟରେ ସେ ସୂର୍ଯ୍ୟ ନିମନ୍ତେ ଏକ ଆବାସ ସ୍ଥାପନ କରିଅଛନ୍ତି,

ସୁସମାଚାର

ଯୋହ 14:6–14

6ଯୀଶୁ ତାହାଙ୍କୁ କହିଲେ, “ମୁଁ ପଥ, ସତ୍ୟ ଓ ଜୀବନ; ମୋʼ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। 7ଯଦି ତୁମ୍ଭେମାନେ ମୋତେ ଜାଣିଥାଆନ୍ତ, ତାହାହେଲେ ମୋହର ପିତାଙ୍କୁ ମଧ୍ୟ ଜାଣିଥାଆନ୍ତ; ଏବେ ହେଁ ତାହାଙ୍କୁ ଜାଣୁଅଛ ଓ ତାହାଙ୍କୁ ଦେଖିଅଛ।” 8ଫିଲିପ୍ପ ତାହାଙ୍କୁ କହିଲେ, ପ୍ରଭୁ, ଆମ୍ଭମାନଙ୍କୁ ପିତାଙ୍କୁ ଦର୍ଶନ କରାଉନ୍ତୁ, ତାହା ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ। 9ଯୀଶୁ ତାହାଙ୍କୁ କହିଲେ, “ଫିଲିପ୍ପ, ଏତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ଅଛି, ଆଉ ତୁମ୍ଭେ କଅଣ ମୋତେ ଜାଣିଲ ନାହିଁ? ଯେ ମୋତେ ଦର୍ଶନ କରିଅଛି, ସେ ପିତାଙ୍କୁ ଦର୍ଶନ କରିଅଛି; ଆମ୍ଭମାନଙ୍କୁ ପିତାଙ୍କୁ ଦର୍ଶନ କରାଉନ୍ତୁ ବୋଲି ତୁମ୍ଭେ କିପରି କହୁଅଛ? 10ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋʼ ଠାରେ ଅଛନ୍ତି, ଏ କଥା କଅଣ ବିଶ୍ୱାସ କରୁ ନାହଁ? ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହେ, ସେହିସବୁ ମୋʼ ନିଜରୁ କହେ ନାହିଁ, କିନ୍ତୁ ପିତା ମୋʼ ଠାରେ ଥାଇ ଆପଣା କର୍ମ କରୁଅଛନ୍ତି। 11ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋʼ ଠାରେ ଅଛନ୍ତି, ମୋହର ଏହି କଥା ବିଶ୍ୱାସ କର, ନତୁବା କର୍ମ ଯୋଗୁଁ ହେଲେ ବିଶ୍ୱାସ କର। 12ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋʼ ଠାରେ ଯେ ବିଶ୍ୱାସ କରେ, ମୁଁ ଯେଉଁ ଯେଉଁ କର୍ମ କରୁଅଛି, ସେ ମଧ୍ୟ ସେହିସବୁ କରିବ, ଆଉ ସେ ସବୁ ଅପେକ୍ଷା ଅଧିକ ମହତ କର୍ମ କରିବ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି। 13ପୁଣି, ପିତା ଯେପରି ପୁତ୍ରଙ୍କଠାରେ ମହିମାନ୍ୱିତ ହୁଅନ୍ତି, ଏଥିନିମନ୍ତେ ତୁମ୍ଭେମାନେ ମୋʼ ନାମରେ ଯାହା କିଛି ମାଗିବ, ତାହା ମୁଁ କରିବି। 14ଯଦି ତୁମ୍ଭେମାନେ ମୋʼ ନାମରେ କୌଣସି ବିଷୟ ମୋତେ ମାଗିବ, ମୁଁ ତାହା କରିବି।”

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର