ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମାର୍ଚ୍ଚ 2027 › ମାର୍ଚ୍ଚ 5
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 5 ମାର୍ଚ୍ଚ 2027
ଶୁକ୍ରବାର · ଉପବାସ କାଳର ତୃତୀୟ ସପ୍ତାହ
ପର୍ବ ଓ ସନ୍ଥ
ଉପବାସ କାଳର ତୃତୀୟ ସପ୍ତାହର ଶୁକ୍ରବାର
ସାଧାରଣ ଦିନ · ଉପାସନାର ରଙ୍ଗ: ବାଇଗଣୀ
ଉପବାସ ଓ ପ୍ରାୟଶ୍ଚିତ୍ତ
ମାଂସରୁ ବିରତି
ପ୍ରତ୍ୟେକ ଶୁକ୍ରବାର ପ୍ରାୟଶ୍ଚିତ୍ତର ଦିନ; ପ୍ରତ୍ୟେକ ବିଶପ୍ ସମ୍ମିଳନୀ ଏହା କିପରି ପାଳିବାକୁ ହେବ ସ୍ଥିର କରେ: ମାଂସରୁ ବିରତି କିମ୍ବା ପ୍ରାୟଶ୍ଚିତ୍ତର ଅନ୍ୟ କାର୍ଯ୍ୟ। ଉପବାସ 18ରୁ 59 ବର୍ଷ ପର୍ଯ୍ୟନ୍ତ, ବିରତି 14 ବର୍ଷରୁ ବାଧ୍ୟତାମୂଳକ।
ଦିନର ପାଠ
ପ୍ରଥମ ପାଠ
1ହେ ଇସ୍ରାଏଲ, ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟକୁ ଫେରି ଆସ; କାରଣ ତୁମ୍ଭେ ଆପଣା ଅଧର୍ମରେ ପତିତ ହୋଇଅଛ। 2ତୁମ୍ଭେମାନେ ବାକ୍ୟ ସଙ୍ଗରେ ଘେନି ସଦାପ୍ରଭୁଙ୍କ ନିକଟକୁ ଫେରି ଆସ; ତାହାଙ୍କୁ କୁହ, “ଅଧର୍ମସକଳ କ୍ଷମା କର ଓ ଯାହା ଉତ୍ତମ, ତାହା ଗ୍ରହଣ କର; ତହିଁରେ ଆମ୍ଭେମାନେ ଆପଣା ଆପଣା ଓଷ୍ଠାଧରର ଉପହାର ବୃଷ ରୂପରେ ଉତ୍ସର୍ଗ କରିବା। 3ଅଶୂର ଆମ୍ଭମାନଙ୍କର ପରିତ୍ରାଣ କରିବ ନାହିଁ; ଆମ୍ଭେମାନେ ଅଶ୍ୱାରୋହଣ କରିବା ନାହିଁ; କିଅବା ‘ତୁମ୍ଭେମାନେ ଆମ୍ଭମାନଙ୍କର ଦେବଗଣ’ ବୋଲି ଆପଣାମାନଙ୍କ ହସ୍ତକୃତ ବସ୍ତୁକୁ ଆଉ କହିବା ନାହିଁ; କାରଣ ପିତୃହୀନ ତୁମ୍ଭ ନିକଟରେ ଦୟାପ୍ରାପ୍ତ ହୁଏ।” 4ଆମ୍ଭେ ସେମାନଙ୍କ ବିପଥଗମନର ପ୍ରତିକାର କରିବା, ଆମ୍ଭେ ସ୍ୱଚ୍ଛନ୍ଦରେ ସେମାନଙ୍କୁ ପ୍ରେମ କରିବା; କାରଣ ଆମ୍ଭ କ୍ରୋଧ ତାହାଠାରୁ ନିବୃତ୍ତ ହୋଇଅଛି। 5ଆମ୍ଭେ ଇସ୍ରାଏଲ ପକ୍ଷରେ କାକର ତୁଲ୍ୟ ହେବା; ସେ କଇଁଫୁଲ ତୁଲ୍ୟ ଫୁଟିବ ଓ ଲିବାନୋନର ତୁଲ୍ୟ ମୂଳ ବାନ୍ଧିବ। 6ତାହାର ଶାଖାସବୁ ବିସ୍ତାରିତ ହେବ ଓ ତାହାର ଶୋଭା ଜୀତବୃକ୍ଷ ତୁଲ୍ୟ ଓ ତାହାର ସୁବାସ ଲିବାନୋନ ପରି ହେବ। 7ତାହାର ଛାୟା ତଳେ ବାସକାରୀମାନେ ଫେରି ଆସିବେ; ସେମାନେ ଶସ୍ୟ ପରି ସଂଜୀବିତ ହେବେ ଓ ଦ୍ରାକ୍ଷାଲତା ପରି ପ୍ରସ୍ପୁଟିତ ହେବେ; ତହିଁର ସୁବାସ ଲିବାନୋନର ଦ୍ରାକ୍ଷାରସ ତୁଲ୍ୟ ହେବ। 8ଇଫ୍ରୟିମ କହିବ, “ପ୍ରତିମାଗଣରେ ମୋର ଆଉ କି କାର୍ଯ୍ୟ?” ଆମ୍ଭେ ଉତ୍ତର ଦେଇଅଛୁ ଓ ତାହା ବିଷୟରେ ମନୋଯୋଗ କରିବା; ଆମ୍ଭେ ସତେଜ ଦେବଦାରୁ ବୃକ୍ଷ ତୁଲ୍ୟ; ଆମ୍ଭଠାରୁ ତୁମ୍ଭର ଫଳପ୍ରାପ୍ତି ହୁଏ। 9ଜ୍ଞାନବାନ କିଏ? ସେ ଏହିସବୁ ବିଷୟ ବୁଝିବ। ବୁଦ୍ଧିମାନ କିଏ? ସେ ଏସବୁ ଜାଣିବ, କାରଣ ସଦାପ୍ରଭୁଙ୍କର ପଥସକଳ ସରଳ, ଧାର୍ମିକମାନେ ତହିଁରେ ଗମନ କରିବେ; ମାତ୍ର ଆଜ୍ଞା-ଲଙ୍ଘନକାରୀମାନେ ତହିଁ ମଧ୍ୟରେ ପତିତ ହେବେ।
ପ୍ରତିଉତ୍ତର ଗୀତ
5ସେ ମିସର ଦେଶ ବିରୁଦ୍ଧରେ ବାହାରିବା ବେଳେ ଯୋଷେଫ ମଧ୍ୟରେ ସାକ୍ଷ୍ୟ ନିମନ୍ତେ ତାହା ସ୍ଥାପନ କଲେ; ସେଠାରେ ଆମ୍ଭେ ଆପଣାର ଅଜ୍ଞାତ ବାଣୀ ଶୁଣିଲୁ। 6“ଆମ୍ଭେ ତାହାର ସ୍କନ୍ଧ ଭାରରୁ ଘୁଞ୍ଚାଇ ଦେଲୁ; ତାହାର ହସ୍ତ ଟୋକାଇରୁ ମୁକ୍ତ ହେଲା। 7ତୁମ୍ଭେ ସଙ୍କଟ ବେଳେ ଡାକିଲ, ତହୁଁ ଆମ୍ଭେ ତୁମ୍ଭକୁ ଉଦ୍ଧାର କଲୁ; ଆମ୍ଭେ ମେଘଗର୍ଜ୍ଜନର ଗୁପ୍ତ ସ୍ଥାନରେ ତୁମ୍ଭକୁ ଉତ୍ତର ଦେଲୁ; ଆମ୍ଭେ ମିରୀବାଃ ଜଳ ନିକଟରେ ତୁମ୍ଭକୁ ପରୀକ୍ଷା କଲୁ। [ସେଲା] 8ହେ ଆମ୍ଭର ଲୋକ, ଶୁଣ, ଆମ୍ଭେ ତୁମ୍ଭ ନିକଟରେ ସାକ୍ଷ୍ୟ ଦେବା; ହେ ଇସ୍ରାଏଲ, ଯଦି ତୁମ୍ଭେ ଆମ୍ଭ କଥା ଶୁଣନ୍ତ! 9ତୁମ୍ଭ ମଧ୍ୟରେ ଅନ୍ୟ କୌଣସି ଦେବତା ରହିବ ନାହିଁ; କିଅବା ତୁମ୍ଭେ ଅନ୍ୟ କୌଣସି ଦେବତାକୁ ପ୍ରଣାମ କରିବ ନାହିଁ। 10ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ଆମ୍ଭେ ତୁମ୍ଭକୁ ମିସର ଦେଶରୁ ବାହାର କରି ଆଣିଲୁ; ଆପଣା ମୁଖ ବଡ଼ କରି ମେଲାଅ, ଆମ୍ଭେ ତାହା ପୂର୍ଣ୍ଣ କରିବା। 13ଆହା, ଯଦି ଆମ୍ଭ ଲୋକେ ଆମ୍ଭର କଥା ଶୁଣନ୍ତେ! ଯଦି ଇସ୍ରାଏଲ ଆମ୍ଭ ପଥରେ ଚାଲନ୍ତା! 16ଆହୁରି, ସେ ଉତ୍ତମ ଗହମରେ ସେମାନଙ୍କୁ ପ୍ରତିପୋଷଣ କରନ୍ତେ ଓ ଆମ୍ଭେ ଶୈଳରୁ ମଧୁ ଦେଇ ତୁମ୍ଭକୁ ପରିତୃପ୍ତ କରନ୍ତୁ।”
ସୁସମାଚାର
28ସେତେବେଳେ ଶାସ୍ତ୍ରୀମାନଙ୍କ ମଧ୍ୟରୁ ଜଣେ ପାଖକୁ ଆସି ସେମାନଙ୍କର ବାଦାନୁବାଦ ଶୁଣି ଓ ଯୀଶୁ ଯେ ସେମାନଙ୍କୁ ଯଥାର୍ଥ ଉତ୍ତର ଦେଇଅଛନ୍ତି, ଏହା ଜାଣି ତାହାଙ୍କୁ ପଚାରିଲେ, ସମସ୍ତ ଆଜ୍ଞା ମଧ୍ୟରେ କେଉଁ ଆଜ୍ଞା ପ୍ରଧାନ? 29ଯୀଶୁ ଉତ୍ତର ଦେଲେ, “ପ୍ରଧାନ ଆଜ୍ଞା ଏହି, ହେ ଇସ୍ରାଏଲ, ଶୁଣ; ପ୍ରଭୁ ଆମ୍ଭମାନଙ୍କ ଈଶ୍ବର ଏକମାତ୍ର ପ୍ରଭୁ ଅଟନ୍ତି; 30‘ଆଉ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ବରଙ୍କୁ ପ୍ରେମ କର।’ 31ଦ୍ୱିତୀୟଟି ଏହି, ‘ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।’ ଏହି ଆଜ୍ଞାଗୁଡ଼ିକ ଅପେକ୍ଷା ଆଉ କୌଣସି ଶ୍ରେଷ୍ଠ ଆଜ୍ଞା ନାହିଁ।” 32ସେଥିରେ ସେହି ଶାସ୍ତ୍ରୀ ତାହାଙ୍କୁ କହିଲେ, ହେ ଗୁରୁ, ତାହା ସତ୍ୟ, ସେ ଯେ ଏକ ଓ ତାହାଙ୍କ ବିନା ଆଉ କେହି ନାହିଁ, ଏହା ଆପଣ ଯଥାର୍ଥ କହିଅଛନ୍ତି; 33ପୁଣି, ସମସ୍ତ ଅନ୍ତଃକରଣ, ସମସ୍ତ ବୁଦ୍ଧି ଓ ସମସ୍ତ ଶକ୍ତି ଦେଇ ତାହାଙ୍କୁ ପ୍ରେମ କରିବା ଏବଂ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବା ସମସ୍ତ ହୋମବଳି ଓ ବଳିଦାନ ଅପେକ୍ଷା ଗୁରୁତର। 34ସେ ବୁଦ୍ଧି ସହିତ ଉତ୍ତର ଦେଇଅଛନ୍ତି ଦେଖି ଯୀଶୁ ତାହାଙ୍କୁ କହିଲେ, “ଈଶ୍ବରଙ୍କ ରାଜ୍ୟଠାରୁ ତୁମ୍ଭେ ଦୂରବର୍ତ୍ତୀ ନୁହଁ।” ଏଥିଉତ୍ତାରେ କେହି ତାହାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ।
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର