ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମାର୍ଚ୍ଚ 2027 › ମାର୍ଚ୍ଚ 4
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 4 ମାର୍ଚ୍ଚ 2027
ଗୁରୁବାର · ଉପବାସ କାଳର ତୃତୀୟ ସପ୍ତାହ
ପର୍ବ ଓ ସନ୍ଥ
ଉପବାସ କାଳର ତୃତୀୟ ସପ୍ତାହର ଗୁରୁବାର
ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ବାଇଗଣୀ
ସନ୍ଥ କାସିମିର୍ · ସ୍ମରଣ
ଦିନର ପାଠ
ପ୍ରଥମ ପାଠ
23ମାତ୍ର ଆମ୍ଭେ ଆଜ୍ଞା ଦେଇ ସେମାନଙ୍କୁ ଏହି କଥା କହିଲୁ, ତୁମ୍ଭେମାନେ ଆମ୍ଭ ରବରେ ଅବଧାନ କର, ତହିଁରେ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା ଓ ତୁମ୍ଭେମାନେ ଆମ୍ଭର ଲୋକ ହେବ; ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଯେ ଯେ ପଥରେ ଚାଲିବାକୁ ଆଜ୍ଞା କରୁ, ସେସବୁ ପଥରେ ତୁମ୍ଭେମାନେ ଚାଲ, ତହିଁରେ ତୁମ୍ଭମାନଙ୍କର ମଙ୍ଗଳ ହେବ। 24ମାତ୍ର ସେମାନେ ଶୁଣିଲେ ନାହିଁ, କିଅବା କର୍ଣ୍ଣପାତ କଲେ ନାହିଁ, ମାତ୍ର ସେମାନେ ଆପଣା ଆପଣା ମନ୍ତ୍ରଣାରେ ଓ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତାନୁସାରେ ଗମନ କରି ପଶ୍ଚାଦ୍ବର୍ତ୍ତୀ ହେଲେ, ଅଗ୍ରବର୍ତ୍ତୀ ହେଲେ ନାହିଁ। 25ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ମିସର ଦେଶରୁ ବାହାର ହୋଇ ଆସିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭେ ଆପଣାର ସମସ୍ତ ଦାସ ଭବିଷ୍ୟଦ୍ବକ୍ତାମାନଙ୍କୁ ପଠାଇବା ନିମନ୍ତେ ନିତ୍ୟ ନିତ୍ୟ ପ୍ରତ୍ୟୁଷରେ ଉଠି ତୁମ୍ଭମାନଙ୍କ ନିକଟକୁ ସେମାନଙ୍କୁ ପଠାଇଅଛୁ; 26ତଥାପି ସେମାନେ ଆମ୍ଭ କଥା ଶୁଣିଲେ ନାହିଁ, କିଅବା ତହିଁରେ କର୍ଣ୍ଣପାତ କଲେ ନାହିଁ, ମାତ୍ର ଆପଣା ଆପଣା ଗ୍ରୀବା ଶକ୍ତ କଲେ; ସେମାନେ ଆପଣାମାନଙ୍କର ପୂର୍ବପୁରୁଷଗଣ ଅପେକ୍ଷା ଅଧିକ ଦୁରାଚାର କଲେ। 27ଆଉ, ତୁମ୍ଭେ ଏହିସବୁ କଥା ସେମାନଙ୍କୁ କହିବ; ମାତ୍ର ସେମାନେ ତୁମ୍ଭ କଥା ଶୁଣିବେ ନାହିଁ; ତୁମ୍ଭେ ସେମାନଙ୍କୁ ଡାକିବ; ମାତ୍ର ସେମାନେ ତୁମ୍ଭକୁ ଉତ୍ତର ଦେବେ ନାହିଁ। 28ତହିଁରେ ତୁମ୍ଭେ ସେମାନଙ୍କୁ କହିବ, ‘ଯେଉଁମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ରବରେ ଅବଧାନ ଓ ଶିକ୍ଷା ଗ୍ରହଣ କରି ନାହାନ୍ତି, ସେମାନେ ଏହି ଗୋଷ୍ଠୀ; ସତ୍ୟତା ଲୁପ୍ତ ଓ ତାହା ସେମାନଙ୍କ ମୁଖରୁ ଉଚ୍ଛିନ୍ନ ହୋଇଅଛି।
ପ୍ରତିଉତ୍ତର ଗୀତ
1ଆହେ, ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରୁ; ଆମ୍ଭମାନଙ୍କ ପରିତ୍ରାଣର ଶୈଳଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କରୁ। 2ଆମ୍ଭେମାନେ ଧନ୍ୟବାଦ କରି ତାହାଙ୍କ ଛାମୁକୁ ଆସୁ, ଆମ୍ଭେମାନେ ଗୀତ ଦ୍ୱାରା ତାହାଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କରୁ। 6ଆହେ, ଆସ, ଉବୁଡ଼ ହୋଇ ପ୍ରଣାମ କରୁ; ଆମ୍ଭମାନଙ୍କ ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କ ଛାମୁରେ ଆଣ୍ଠୁ ପାତୁ; 7କାରଣ ସେ ଆମ୍ଭମାନଙ୍କର ପରମେଶ୍ୱର, ପୁଣି, ଆମ୍ଭେମାନେ ତାହାଙ୍କ ଚରାସ୍ଥାନର ଲୋକ ଓ ତାହାଙ୍କ ହସ୍ତଗତ ମେଷ। ଆହା, ଯଦି ଆଜି ତୁମ୍ଭେମାନେ ତାହାଙ୍କ ରବ ଶୁଣନ୍ତ। 8ଯେପରି ମିରୀବାଃ ନିକଟରେ ଉତ୍ତେଜିତ ହେବା ସମୟରେ, ଯେପରି ପ୍ରାନ୍ତର ମଧ୍ୟରେ ମଃସା ନିକଟରେ ପରୀକ୍ଷା ସମୟରେ, ସେପରି ତୁମ୍ଭେମାନେ ଅନ୍ତଃକରଣ କଠିନ କର ନାହିଁ; 9ସେସମୟରେ ତୁମ୍ଭମାନଙ୍କ ପୂର୍ବପୁରୁଷଗଣ ଆମ୍ଭଙ୍କୁ ପରୀକ୍ଷା କଲେ, ଆମ୍ଭର ପ୍ରମାଣ ନେଲେ ଓ ଆମ୍ଭର କର୍ମ ଦେଖିଲେ।
ସୁସମାଚାର
14ଥରେ ସେ ଗୋଟିଏ ଭୂତ ଛଡ଼ାଉଥିଲେ, ସେହି ଭୂତଟା ଘୁଙ୍ଗା। ଭୂତ ବାହାରିଗଲା ପରେ ଘୁଙ୍ଗା ଲୋକଟି କଥା କହିଲା; ସେଥିରେ ଲୋକସମୂହ ଚକିତ ହେଲେ। 15କିନ୍ତୁ ସେମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଭୂତପତି ବାଲ୍ଜିବୂଲ୍ର ସାହାଯ୍ୟରେ ଭୂତ ଛଡ଼ାଏ। 16ଅନ୍ୟମାନେ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ତାହାଙ୍କଠାରୁ ଆକାଶରୁ ଏକ ଚିହ୍ନ ମାଗିଲେ। 17କିନ୍ତୁ ସେ ସେମାନଙ୍କ ମନର ଭାବ ଜାଣି ସେମାନଙ୍କୁ କହିଲେ, “ଯେକୌଣସି ରାଜ୍ୟ ଭାଗ ଭାଗ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ଉତ୍ସନ୍ନ ହୋଇ ଯାଏ, ପୁଣି, ଗୃହ ଗୃହ ଉପରେ ପଡ଼େ। 18ଆଉ ଶୟତାନ ମଧ୍ୟ ଯଦି ବିଭକ୍ତ ହୋଇ ନିଜ ବିରୁଦ୍ଧରେ ଉଠେ, ତାହାହେଲେ ତାହାର ରାଜ୍ୟ କିପ୍ରକାରେ ସ୍ଥିର ହୋଇ ରହିବ? ମୁଁ ବାଲ୍ଜିବୂଲ୍ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ ବୋଲି ତୁମ୍ଭେମାନେ ତ କହୁଅଛ। 19କିନ୍ତୁ ମୁଁ ଯେବେ ବାଲ୍ଜିବୂଲ୍ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତୁମ୍ଭମାନଙ୍କ ପୁତ୍ରମାନେ କାହା ସାହାଯ୍ୟରେ ସେମାନଙ୍କୁ ଛଡ଼ାନ୍ତି? ଏଣୁ ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ। 20କିନ୍ତୁ ମୁଁ ଯଦି ଈଶ୍ବରଙ୍କ ପରାକ୍ରମ ଦ୍ୱାରା ଭୂତମାନଙ୍କୁ ଛଡ଼ାଏ, ତେବେ ତ ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲାଣି। 21ବଳବାନ ଲୋକ ଯେପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ ଆପଣା ଗଡ଼ ରକ୍ଷା କରେ, ସେପର୍ଯ୍ୟନ୍ତ ତାହାର ସମ୍ପତ୍ତି ନିରାପଦରେ ଥାଏ; 22କିନ୍ତୁ ଯେତେବେଳେ ତାହାଠାରୁ ଅଧିକ ବଳବାନ ଲୋକ ତାହାକୁ ଆକ୍ରମଣ କରି ଜୟ କରେ, ସେତେବେଳେ ଯେଉଁ ଅସ୍ତ୍ର ଉପରେ ତାହାର ଭରସା ଥିଲା, ସେହିସବୁ ସେ ଛଡ଼ାଇ ନିଏ, ପୁଣି, ତାହାର ଲୁଟ କରିଥିବା ଧନସମ୍ପତ୍ତି ବାଣ୍ଟିନିଏ। 23ଯେ ମୋହର ସପକ୍ଷ ନୁହେଁ, ସେ ମୋହର ବିପକ୍ଷ; ପୁଣି, ଯେ ମୋʼ ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ।”
ଆଜିର ସନ୍ଥ
- ସନ୍ଥ କାସିମିର୍
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର