Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମାର୍ଚ୍ଚ 2027 › ମାର୍ଚ୍ଚ 3

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 3 ମାର୍ଚ୍ଚ 2027

ବୁଧବାର · ଉପବାସ କାଳର ତୃତୀୟ ସପ୍ତାହ

ପର୍ବ ଓ ସନ୍ଥ

ଉପବାସ କାଳର ତୃତୀୟ ସପ୍ତାହର ବୁଧବାର

ସାଧାରଣ ଦିନ · ଉପାସନାର ରଙ୍ଗ: ବାଇଗଣୀ

ଦିନର ପାଠ

ପ୍ରଥମ ପାଠ

ଦ୍ବି.ବି 4:1, 5–9

1ଏବେ ହେ ଇସ୍ରାଏଲ, ମୁଁ ଯେଉଁ ଯେଉଁ ବିଧି ଓ ଶାସନ ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଶିକ୍ଷା ଦେଉଅଛି, ତହିଁରେ ମନୋଯୋଗ କର; ତାହା କଲେ ତୁମ୍ଭେମାନେ ବଞ୍ଚିବ ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ତହିଁରେ ପ୍ରବେଶ କରି ତାହା ଅଧିକାର କରିବ। 5ଦେଖ, ସଦାପ୍ରଭୁ ମୋହର ପରମେଶ୍ୱର ମୋତେ ଯେପରି ଆଜ୍ଞା ଦେଲେ, ମୁଁ ତୁମ୍ଭମାନଙ୍କୁ ସେପରି ବିଧି ଓ ଶାସନ ଶିକ୍ଷା ଦେଇଅଛି; ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତହିଁ ମଧ୍ୟରେ ତୁମ୍ଭମାନଙ୍କୁ ସେହିପରି ବ୍ୟବହାର କରିବାକୁ ହେବ। 6ଏଣୁ ତୁମ୍ଭେମାନେ ତାହାସବୁ ପାଳନ କର; କାରଣ ନାନା ଦେଶୀୟ ଲୋକମାନଙ୍କ ସାକ୍ଷାତରେ ଏହା ହିଁ ତୁମ୍ଭମାନଙ୍କର ଜ୍ଞାନ ଓ ବୁଦ୍ଧି ସ୍ୱରୂପ ହେବ; ସେମାନେ ଏହିସବୁ ବିଧି ଶୁଣି କହିବେ, “ଏହି ମହାଗୋଷ୍ଠୀ ନିତାନ୍ତ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ ଅଟନ୍ତି।” 7ଯେହେତୁ ଆମ୍ଭେମାନେ ଯେକୌଣସି ସମୟରେ ପ୍ରାର୍ଥନା କରୁ, ସେସମୟରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମ୍ଭମାନଙ୍କର ନିକଟବର୍ତ୍ତୀ ହୁଅନ୍ତି, ସେପରି ଆଉ କେଉଁ ମହାଗୋଷ୍ଠୀର ପରମେଶ୍ୱର ସେମାନଙ୍କର ନିକଟବର୍ତ୍ତୀ ହୁଅନ୍ତି? 8ପୁଣି ମୁଁ ଆଜି ତୁମ୍ଭମାନଙ୍କ ସାକ୍ଷାତରେ ଯେଉଁ ସମସ୍ତ ବ୍ୟବସ୍ଥା ଦେଉଅଛି, ତାହା ତୁଲ୍ୟ ଯଥାର୍ଥ ବିଧି ଓ ଶାସନ ଆଉ କେଉଁ ମହାଗୋଷ୍ଠୀର ଅଛି? 9କେବଳ ନିଜ ବିଷୟରେ ସାବଧାନ ହୁଅ ଓ ନିଜ ପ୍ରାଣକୁ ଯତ୍ନପୂର୍ବକ ରକ୍ଷା କର, ନୋହିଲେ ଯାହା ତୁମ୍ଭର ଚକ୍ଷୁ ଦେଖିଅଛି, ତାହା ତୁମ୍ଭେ ପାସୋରି ଯିବ ଓ ତାହା ଜୀବନ ସାରା ତୁମ୍ଭ ହୃଦୟରୁ ଲୋପ ପାଇବ; ମାତ୍ର ତୁମ୍ଭେ ଆପଣା ପୁତ୍ରପୌତ୍ରମାନଙ୍କୁ ତାହା ଶିଖାଅ।

ପ୍ରତିଉତ୍ତର ଗୀତ

ଗୀତ 147:12–13, 15–16, 19

12ହେ ଯିରୂଶାଲମ, ସଦାପ୍ରଭୁଙ୍କର ପ୍ରଶଂସା କର; ହେ ସିୟୋନ, ତୁମ୍ଭ ପରମେଶ୍ୱରଙ୍କର ପ୍ରଶଂସା କର; 13କାରଣ ସେ ତୁମ୍ଭ ଦ୍ୱାରର ଅର୍ଗଳସବୁ ଦୃଢ଼ କରିଅଛନ୍ତି; ସେ ତୁମ୍ଭ ମଧ୍ୟବର୍ତ୍ତୀ ତୁମ୍ଭ ସନ୍ତାନଗଣକୁ ଆଶୀର୍ବାଦ କରିଅଛନ୍ତି। 15ସେ ପୃଥିବୀରେ ଆପଣା ଆଜ୍ଞା ପ୍ରେରଣ କରନ୍ତି; ତାହାଙ୍କ ବାକ୍ୟ ଅତି ଶୀଘ୍ର ଦୌଡ଼ଇ। 16ସେ ମେଷଲୋମ ପରି ତୁଷାର ଦିଅନ୍ତି; ସେ ଭସ୍ମ ତୁଲ୍ୟ ନୀହାର ବିଞ୍ଚି ଦିଅନ୍ତି। 19ସେ ଯାକୁବ ପ୍ରତି ଆପଣା ବାକ୍ୟ, ଇସ୍ରାଏଲ ପ୍ରତି ଆପଣା ବିଧି ଓ ଶାସନ ପ୍ରକାଶ କରନ୍ତି।

ସୁସମାଚାର

ମାଥି 5:17–19

17ମୁଁ ଯେ ବ୍ୟବସ୍ଥା କି ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଲୋପ କରିବାକୁ ଆସିଅଛି, ଏପରି ଭାବ ନାହିଁ; ଲୋପ କରିବାକୁ ଆସି ନାହିଁ ବରଂ ସଫଳ କରିବାକୁ ଆସିଅଛି। 18କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେପର୍ଯ୍ୟନ୍ତ ଆକାଶମଣ୍ଡଳ ଓ ପୃଥିବୀ ଲୋପ ନ ପାଇବ, ସେପର୍ଯ୍ୟନ୍ତ ସମସ୍ତ ନ ଘଟିବା ଯାଏ ବ୍ୟବସ୍ଥାରୁ ଏକ ମାତ୍ରା କି ଏକ ବିନ୍ଦୁ କୌଣସି ପ୍ରକାରେ ଲୋପ ପାଇବ ନାହିଁ। 19ଅତଏବ ଯେ କେହି ଏହି ସମସ୍ତ କ୍ଷୁଦ୍ରତମ ଆଜ୍ଞା ମଧ୍ୟରୁ କୌଣସି ଗୋଟିଏ ଆଜ୍ଞା ଅମାନ୍ୟ କରେ ଓ ଲୋକଙ୍କୁ ସେହି ପ୍ରକାରେ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ କ୍ଷୁଦ୍ରତମ ବୋଲି ପରିଚିତ ହେବ; କିନ୍ତୁ ଯେକେହି ସେହି ସମସ୍ତ ପାଳନ କରେ ଓ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ମହାନ ବୋଲି ପରିଚିତ ହେବ।

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର