Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମାର୍ଚ୍ଚ 2027 › ମାର୍ଚ୍ଚ 3

ଅର୍ଥୋଡକ୍ସ ପଞ୍ଜିକା · 18 ଫେବୃଆରୀ (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 3 ମାର୍ଚ୍ଚ 2027

ବୁଧବାର · ମାଂସ-ତ୍ୟାଗ ସପ୍ତାହ · ସ୍ୱର 6

ପର୍ବ ଓ ସନ୍ଥ

ମାଂସ-ତ୍ୟାଗ ସପ୍ତାହର ବୁଧବାର

ଉପବାସ ଦିନ

ମାଛ ଚଳିବ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ପତ୍ର

ପ୍ର. ଯୋହ 3:21–4:6

21ହେ ପ୍ରିୟମାନେ, ଆମ୍ଭମାନଙ୍କ ହୃଦୟ ଯଦି ଆମ୍ଭମାନଙ୍କୁ ଦୋଷୀ ନ କରେ, ତାହାହେଲେ ଈଶ୍ବରଙ୍କ ଛାମୁରେ ଆମ୍ଭମାନଙ୍କର ସାହସ ଅଛି, 22ପୁଣି, ଆମ୍ଭେମାନେ ଯାହା ଯାହା ମାଗୁ, ସେହିସବୁ ତାହାଙ୍କଠାରୁ ପାଇଥାଉ, କାରଣ ଆମ୍ଭେମାନେ ତାହାଙ୍କର ଆଜ୍ଞା ପାଳନ କରୁ, ପୁଣି, ତାହାଙ୍କର ଦୃଷ୍ଟିରେ ଯାହା ସନ୍ତୋଷଜନକ, ତାହା କରିଥାଉ। 23ତାହାଙ୍କର ଆଜ୍ଞା ଏହି ଯେ, ଆମ୍ଭେମାନେ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ କରିବା ଓ ତାହାଙ୍କ ଦତ୍ତ ଆଜ୍ଞାନୁସାରେ ପରସ୍ପରକୁ ପ୍ରେମ କରିବା। 24ଯେ ତାହାଙ୍କ ଆଜ୍ଞା ପାଳନ କରେ, ସେ ତାହାଙ୍କଠାରେ ରହେ ଓ ସେ ତାହାଠାରେ ରହନ୍ତି; ଆଉ ସେ ଯେ ଆମ୍ଭମାନଙ୍କଠାରେ ରହନ୍ତି, ଏହା ଆମ୍ଭେମାନେ ତାହାଙ୍କ ଦତ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ଜାଣୁଅଛୁ। 4:1ହେ ପ୍ରିୟମାନେ, ପ୍ରତ୍ୟେକ ଆତ୍ମାଙ୍କୁ ବିଶ୍ୱାସ କର ନାହିଁ, ବରଂ ଆତ୍ମାମାନେ ଈଶ୍ବରଙ୍କଠାରୁ ଆଗତ କି ନାହିଁ, ଏହା ସେମାନଙ୍କୁ ପରୀକ୍ଷା କରି ଦେଖ, କାରଣ ଜଗତରେ ଅନେକ ଭଣ୍ଡ ଭାବବାଦୀ ବାହାରି ଅଛନ୍ତି। 2ଏହା ଦ୍ୱାରା ତୁମ୍ଭେମାନେ ଈଶ୍ବରଙ୍କ ଆତ୍ମାଙ୍କୁ ଚିହ୍ନି ପାରିବ, ଯୀଶୁ ଖ୍ରୀଷ୍ଟ ଯେ ଦେହବନ୍ତ ହୋଇ ଆସିଅଛନ୍ତି, ଏହା ଯେକୌଣସି ଆତ୍ମା ସ୍ୱୀକାର କରେ, ସେ ଈଶ୍ବରଙ୍କଠାରୁ ଆଗତ, 3ଆଉ ଯେକୌଣସି ଆତ୍ମା ଯୀଶୁଙ୍କୁ ସ୍ୱୀକାର ନ କରେ, ସେ ଈଶ୍ବରଙ୍କଠାରୁ ଆଗତ ନୁହେଁ; ଏହା ଭଣ୍ଡଖ୍ରୀଷ୍ଟର ଆତ୍ମା, ଯାହାର ଆଗମନ କଥା ତୁମ୍ଭେମାନେ ଶୁଣିଅଛ, ପୁଣି, ତାହା ଏବେ ହେଁ ଜଗତରେ ଉପସ୍ଥିତ ହୋଇଅଛି। 4ହେ ବତ୍ସଗଣ, ତୁମ୍ଭେମାନେ ଈଶ୍ବରଙ୍କଠାରୁ ଜାତ, ଆଉ ତୁମ୍ଭେମାନେ ସେମାନଙ୍କୁ ଜୟ କରିଅଛ, କାରଣ ତୁମ୍ଭମାନଙ୍କଠାରେ ଯେ ଅଛନ୍ତି, ସେ, ଜଗତରେ ଯେ ଅଛି, ତାହାଠାରୁ ମହାନ। 5ସେମାନେ ଜଗତରୁ ଉତ୍ପନ୍ନ, ଅତଏବ ସେମାନେ ଜାଗତିକ କଥା କହନ୍ତି, ଆଉ ଜଗତ ସେମାନଙ୍କ କଥା ଶୁଣେ। 6କିନ୍ତୁ ଆମ୍ଭେମାନେ ଈଶ୍ବରଙ୍କଠାରୁ ଜାତ; ଯେ ଈଶ୍ବରଙ୍କୁ ଜାଣେ, ସେ ଆମ୍ଭମାନଙ୍କ କଥା ଶୁଣେ; ଯେ ଈଶ୍ବରଙ୍କଠାରୁ ଜାତ ନୁହେଁ, ସେ ଆମ୍ଭମାନଙ୍କ କଥା ଶୁଣେ ନାହିଁ। ଏତଦ୍ଵାରା ଆମ୍ଭେମାନେ ସତ୍ୟମୟ ଆତ୍ମା ଓ ଭ୍ରାନ୍ତିପୂର୍ଣ୍ଣ ଆତ୍ମାକୁ ଚିହ୍ନି ପାରୁ।

ସୁସମାଚାର

ମାର୍କ 14:43–15:1

43ଆଉ ତତ୍‌କ୍ଷଣାତ୍, ଯୀଶୁ କଥା କହୁଥିବା ସମୟରେ, ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗଙ୍କଠାରୁ ଲୋକସମୂହ ଖଡ୍ଗ ଓ ଠେଙ୍ଗା ଧରି ଆସିଲେ। 44ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଙ୍କେତ ଦେଇ କହିଥିଲା, ମୁଁ ଯାହାଙ୍କୁ ଚୁମ୍ବନ କରିବି, ସେ ସେହି; ତାହାଙ୍କୁ ଧରି ସାବଧାନରେ ଘେନିଯିବ। 45ଏଣୁ ସେ ସେହିକ୍ଷଣି ତାହାଙ୍କ ପାଖକୁ ଯାଇ, ହେ ଗୁରୁ ବୋଲି କହି ତାହାଙ୍କୁ ଚୁମ୍ବନ କଲା। 46ସେଥିରେ ସେମାନେ ତାହାଙ୍କ ଉପରେ ହାତ ପକାଇ ତାହାଙ୍କୁ ଧରିଲେ। 47କିନ୍ତୁ ପାଖରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କ ଦାସକୁ ଆଘାତ କରି ତାହାର କାନ କାଟିପକାଇଲେ। 48ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଘେନି ତୁମ୍ଭେମାନେ କଅଣ ମୋତେ ଧରିବାକୁ ଆସିଲ? 49ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥାଇ ଶିକ୍ଷା ଦେଉଥିଲି, କିନ୍ତୁ ତୁମ୍ଭେମାନେ ମୋତେ ଧରିଲ ନାହିଁ; ମାତ୍ର ଧର୍ମଶାସ୍ତ୍ରର ବାକ୍ୟସମୂହ ଯେପରି ସଫଳ ହୁଏ, ସେଥିନିମନ୍ତେ ଏହି ସମସ୍ତ ଘଟୁଅଛି।” 50ସେତେବେଳେ ସମସ୍ତେ ତାହାଙ୍କୁ ଛାଡ଼ି ପଳାଇଗଲେ। 51କିନ୍ତୁ ଜଣେ ଯୁବା ଉଲଗ୍ନ ଦେହରେ ଖଣ୍ଡେ ସରୁ ଚାଦର ଘୋଡ଼ାଇ ହୋଇ ତାହାଙ୍କ ପଛେ ପଛେ ଯାଉଥିଲା; ସେମାନେ ତାହାକୁ ଧରିଲେ, 52ମାତ୍ର ସେ ସେହି ସରୁ ଚାଦର ଖଣ୍ଡିକ ଛାଡ଼ିଦେଇ ଖାଲି ଦେହରେ ପଳାଇଗଲା। 53ପରେ ସେମାନେ ଯୀଶୁଙ୍କୁ ମହାଯାଜକଙ୍କ ନିକଟକୁ ଘେନିଗଲେ, ପୁଣି, ପ୍ରଧାନ ଯାଜକ, ପ୍ରାଚୀନ ଓ ଶାସ୍ତ୍ରୀମାନେ ସମସ୍ତେ ଆସି ଏକତ୍ର ହେଲେ। 54ପିତର ଦୂରରେ ରହି ତାହାଙ୍କ ପଛେ ପଛେ ମହାଯାଜକଙ୍କ ପ୍ରାଙ୍ଗଣ ଭିତରକୁ ଗଲେ ଓ ପଦାତିକମାନଙ୍କ ସହିତ ବସି ନିଆଁ ସେକି ହେଉଥିଲେ। 55ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ସାକ୍ଷ୍ୟ ଅନ୍ୱେଷଣ କରିବାକୁ ଲାଗିଲେ, କିନ୍ତୁ ପାଇଲେ ନାହିଁ; 56କାରଣ ଅନେକେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଲେ ହେଁ ସେମାନଙ୍କର ସାକ୍ଷ୍ୟ ମିଶିଲା ନାହିଁ। 57ପରେ କେତେକ ଲୋକ ଉଠି ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଇ କହିବାକୁ ଲାଗିଲେ, 58ଆମ୍ଭେମାନେ ଏହାକୁ ଏହି କଥା କହିବା ଶୁଣିଅଛୁ, ମୁଁ ଏହି ହସ୍ତକୃତ ମନ୍ଦିରକୁ ଭାଙ୍ଗି ତିନି ଦିନ ମଧ୍ୟରେ ଆଉ ଗୋଟିଏ ଅହସ୍ତକୃତ ମନ୍ଦିର ନିର୍ମାଣ କରିବି। 59କିନ୍ତୁ ଏଥିରେ ମଧ୍ୟ ସେମାନଙ୍କର ସାକ୍ଷ୍ୟ ମିଶିଲା ନାହିଁ। 60ତହିଁରେ ମହାଯାଜକ ମଧ୍ୟସ୍ଥଳରେ ଠିଆ ହୋଇ ଯୀଶୁଙ୍କୁ ପଚାରିଲେ, ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ସେଥିରେ କିଛି ଉତ୍ତର ଦେଉ ନାହଁ? 61କିନ୍ତୁ ସେ ନୀରବ ହୋଇ ରହି କୌଣସି ଉତ୍ତର ଦେଲେ ନାହିଁ। ମହାଯାଜକ ପୁନର୍ବାର ତାହାଙ୍କୁ ପଚାରିଲେ, ତୁମ୍ଭେ ପରମ-ଧନ୍ୟଙ୍କ ପୁତ୍ର ଖ୍ରୀଷ୍ଟ କି? 62ଯୀଶୁ କହିଲେ, “ମୁଁ ସେହି; ପୁଣି, ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ।” 63ସେଥିରେ ମହାଯାଜକ ଆପଣା ଅଙ୍ଗରଖା ଚିରି କହିଲେ, ସାକ୍ଷୀରେ ଆମ୍ଭମାନଙ୍କର ଆଉ କଅଣ ପ୍ରୟୋଜନ? 64ଆପଣମାନେ ତ ଈଶ୍ବର ନିନ୍ଦା ଶୁଣିଲେ; ଆପଣମାନଙ୍କର ବିଚାର କଅଣ? ଏଥିରେ ସେମାନେ ସମସ୍ତେ ସେ ପ୍ରାଣଦଣ୍ଡ ଯୋଗ୍ୟ ବୋଲି ମତ ଦେଲେ। 65ପୁଣି, କେହି କେହି ତାହାଙ୍କ ଉପରେ ଛେପ ପକାଇବାକୁ ଲାଗିଲେ ଓ ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ବିଧା ମାରି କହିବାକୁ ଲାଗିଲେ, ତୁ ପରା ଭାବବାଦୀ! ପ୍ରମାଣ ଦେ। ଆଉ ପଦାତିକମାନେ ଚାପୁଡ଼ା ମାରୁ ମାରୁ ତାହାଙ୍କୁ ଧରି ଘେନିଗଲେ। 66ଇତିମଧ୍ୟରେ ପିତର ତଳେ ପ୍ରାଙ୍ଗଣରେ ଥିବା ସମୟରେ ମହାଯାଜକଙ୍କର ଦାସୀ ଆସି ପିତରଙ୍କୁ ନିଆଁ ସେକି ହେଉଥିବାର ଦେଖିଲା, 67ଆଉ ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲା, ତୁମ୍ଭେ ମଧ୍ୟ ନାଜରିତୀୟ ଯୀଶୁଙ୍କ ସାଙ୍ଗରେ ଥିଲ। 68କିନ୍ତୁ ସେ ଅସ୍ୱୀକାର କରି କହିଲେ, ମୁଁ ତାହାକୁ ଜାଣେ ନାହିଁ, ଆଉ ତୁମ୍ଭେ କଅଣ କହୁଅଛ, ମୁଁ ବୁଝୁ ନାହିଁ। ପରେ ସେ ଦାଣ୍ଡଦ୍ୱାରକୁ ବାହାରିଗଲେ; 69ପୁଣି, ସେହି ଦାସୀ ତାହାଙ୍କୁ ଦେଖି ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ଆଉ ଥରେ କହିବାକୁ ଲାଗିଲା, ଏ ସେମାନଙ୍କ ମଧ୍ୟରୁ ଜଣେ। 70କିନ୍ତୁ ସେ ପୁନର୍ବାର ଅସ୍ୱୀକାର କରିବାକୁ ଲାଗିଲେ। ପୁନଶ୍ଚ ଅଳ୍ପ ସମୟ ପରେ ପାଖରେ ଠିଆ ହୋଇଥିବା ଲୋକମାନେ ପିତରଙ୍କୁ କହିଲେ, ତୁମ୍ଭେ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମ୍ଭେ ତ ଗାଲିଲୀୟ ଲୋକ। 71କିନ୍ତୁ ସେ ଅଭିଶାପ ଦେଇ ଓ ଶପଥ କରି କହିବାକୁ ଲାଗିଲେ, ତୁମ୍ଭେମାନେ ଯେଉଁ ଲୋକର କଥା କହୁଅଛ, ମୁଁ ତାହାକୁ ଜାଣେ ନାହିଁ। 72ସେହିକ୍ଷଣି କୁକୁଡ଼ା ଦ୍ୱିତୀୟ ଥର ରାବିଲା। ଏଥିରେ, “କୁକୁଡ଼ା ଦ୍ୱିତୀୟ ଥର ରାବିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ,” ଏହି ଯେଉଁ କଥା ଯୀଶୁ ପିତରଙ୍କୁ କହିଥିଲେ, ତାହା ତାହାଙ୍କ ମନରେ ପଡ଼ିଲା, ଆଉ ସେ ସେହି କଥା ଭାବି ରୋଦନ କରିବାକୁ ଲାଗିଲେ। 15:1ପ୍ରଭାତ ହେବାମାତ୍ରେ ସମସ୍ତେ ମହାସଭା, ଅର୍ଥାତ୍‍ ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କ ସହିତ ପ୍ରଧାନ ଯାଜକମାନେ ସଭା କରି ଯୀଶୁଙ୍କୁ ବାନ୍ଧି ଘେନିଯାଇ ପୀଲାତଙ୍କ ହସ୍ତରେ ସମର୍ପଣ କଲେ।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଫେବୃଆରୀ 18 ନାଗରିକ ପଞ୍ଜିକାର ମାର୍ଚ୍ଚ 3। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର