Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜାନୁଆରୀ 2027 › ଜାନୁଆରୀ 18

ଅର୍ଥୋଡକ୍ସ ପଞ୍ଜିକା · 5 ଜାନୁଆରୀ (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 18 ଜାନୁଆରୀ 2027

ସୋମବାର · ପେଣ୍ଟିକଷ୍ଟ ପରେ 34ତମ ସପ୍ତାହ · ସ୍ୱର 8

ପର୍ବ ଓ ସନ୍ଥ

ଈଶ୍ବରପ୍ରକାଶର ପୂର୍ବସନ୍ଧ୍ୟା

ଏକ ଦିନର ଉପବାସ · କଠୋର ଉପବାସ

ଉପବାସ: ତେଲ ସହିତ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ପ୍ରଥମ ଘଣ୍ଟା: ଭବିଷ୍ୟଦ୍‌ବାଣୀ

ଯିଶା 35:1–10

1ପ୍ରାନ୍ତର ଓ ଶୂନ୍ୟସ୍ଥାନ ଆନନ୍ଦିତ ହେବ; ଆଉ, ମରୁଭୂମି ଉଲ୍ଲସିତ ହୋଇ ଗୋଲାପ ତୁଲ୍ୟ ପ୍ରଫୁଲ୍ଲ ହେବ। 2ତାହା ଅତିଶୟ ପ୍ରଫୁଲ୍ଲ ହେବ, ପୁଣି ଆନନ୍ଦ ଓ ଗାନ କରି ଉଲ୍ଲସିତ ହେବ; ଲିବାନୋନର ପ୍ରତାପ, କର୍ମିଲ ଓ ଶାରୋଣର ଶୋଭା ତାହାକୁ ଦତ୍ତ ହେବ; ସେମାନେ ସଦାପ୍ରଭୁଙ୍କର ପ୍ରତାପ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କର ଶୋଭା ଦେଖିବେ। 3ତୁମ୍ଭେମାନେ ଦୁର୍ବଳ ହସ୍ତକୁ ସବଳ କର ଓ ଥରଥର ଆଣ୍ଠୁକୁ ସୁସ୍ଥିର କର। 4ଭୀତାନ୍ତଃକରଣମାନଙ୍କୁ କୁହ, “ସାହସିକ ହୁଅ, ଭୟ କର ନାହିଁ; ଦେଖ, ତୁମ୍ଭମାନଙ୍କ ପରମେଶ୍ୱର ପ୍ରତିଶୋଧ ସହିତ, ପରମେଶ୍ୱରଙ୍କର ପ୍ରତିଫଳ ସହିତ ଆସିବେ; ସେ ଆସି ତୁମ୍ଭମାନଙ୍କର ପରିତ୍ରାଣ କରିବେ।” 5ସେତେବେଳେ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ ହେବ ଓ ବଧିରମାନଙ୍କର କର୍ଣ୍ଣ ମୁକ୍ତ ହେବ। 6ସେତେବେଳେ ନେଙ୍ଗଡ଼ା ଲୋକ ହରିଣ ପରି ଡିଆଁ ମାରିବ ଓ ଘୁଙ୍ଗାମାନଙ୍କର ଜିହ୍ୱା ଗାନ କରିବ; କାରଣ ପ୍ରାନ୍ତରରେ ଜଳ ଓ ମରୁଭୂମିରେ ସ୍ରୋତ ବାହାରିବ। 7ପୁଣି, ମୃଗତୃଷ୍ଣା ଜଳାଶୟ ହେବ ଓ ଶୁଷ୍କ ଭୂମି ନିର୍ଝରମୟ ହେବ; ଶୃଗାଳମାନଙ୍କର ନିବାସ ମଧ୍ୟରେ, ସେମାନଙ୍କର ଶୟନ ସ୍ଥାନରେ ଘାସ, ନଳ ଓ ତଣ୍ଡିବଣ ହେବ। 8ପୁଣି, ସେଠାରେ ଏକ ରାଜଦାଣ୍ଡ ଓ ପଥ ହେବ, ତାହା ପବିତ୍ରତାର ପଥ ବୋଲି ବିଖ୍ୟାତ ହେବ; ତାହା କେବଳ ସେମାନଙ୍କ ନିମନ୍ତେ ହେବ, ମାତ୍ର କୌଣସି ଅଶୁଚି ଲୋକ ତହିଁ ଉପରେ ଗମନ କରିବ ନାହିଁ; ପଥିକମାନେ ଓ ଅଜ୍ଞାନମାନେ ମଧ୍ୟ ତହିଁରେ ଭ୍ରାନ୍ତ ହେବେ ନାହିଁ। 9ସେଠାରେ କୌଣସି ସିଂହ ନ ଥିବ, କିଅବା କୌଣସି ହିଂସ୍ରକ ଜନ୍ତୁ ତହିଁ ଉପରକୁ ଯିବ ନାହିଁ, ସେମାନେ ସେଠାରେ ଦେଖାଯିବେ ନାହିଁ; ମାତ୍ର ମୁକ୍ତିପ୍ରାପ୍ତ ଲୋକମାନେ ସେଠାରେ ଗମନ କରିବେ; 10ପୁଣି, ସଦାପ୍ରଭୁଙ୍କ ନିସ୍ତାରିତ ଲୋକମାନେ ଫେରି ଆସିବେ ଓ ଗାନ କରୁ କରୁ ସିୟୋନରେ ଉପସ୍ଥିତ ହେବେ ଓ ନିତ୍ୟସ୍ଥାୟୀ ଆନନ୍ଦ ସେମାନଙ୍କର ମସ୍ତକର ଭୂଷଣ ହେବ; ସେମାନେ ଆନନ୍ଦ ଓ ଆହ୍ଲାଦ ପ୍ରାପ୍ତ ହେବେ, ପୁଣି ଶୋକ ଓ ଆର୍ତ୍ତସ୍ୱର ଦୂରକୁ ପଳାଇଯିବ।

ପ୍ରଥମ ଘଣ୍ଟା: ପତ୍ର

ପ୍ରେରି 13:25–32

25ଆଉ ଯୋହନ ଆପଣାର ନିରୂପିତ କର୍ମ ସମାପ୍ତ କରୁ କରୁ କହିଲେ, ମୁଁ ଯେ ବୋଲି ତୁମ୍ଭେମାନେ ମନେ କରୁଅଛ, ମୁଁ ସେ ନୁହେଁ। କିନ୍ତୁ ଦେଖ, ମୋ ପଛରେ ଜଣେ ଆସୁଅଛନ୍ତି, ତାହାଙ୍କ ପାଦର ପାଦୁକା ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ। 26ହେ ଭାଇମାନେ, ଅବ୍ରହାମଙ୍କ ବଂଶର ସନ୍ତାନସନ୍ତତି ଓ ଆପଣମାନଙ୍କ ମଧ୍ୟରୁ ଈଶ୍ବର ଭୟକାରୀମାନେ, ଆମ୍ଭମାନଙ୍କ ନିକଟକୁ ଏହି ପରିତ୍ରାଣର ବାକ୍ୟ ପ୍ରେରିତ ହୋଇଅଛି। 27କାରଣ ଯିରୂଶାଲମ ନିବାସୀମାନେ ଆଉ ସେମାନଙ୍କର ଅଧ୍ୟକ୍ଷଗଣ ତାହାଙ୍କୁ ପୁଣି, ପ୍ରତି ବିଶ୍ରାମବାର ଦିନରେ ପାଠ କରାଯାଉଥିବା ଭାବବାଦୀମାନଙ୍କର ବାକ୍ୟସବୁକୁ ନ ଜାଣିବାରୁ ତାହାଙ୍କୁ ଦୋଷୀ କରି ସେ ସମସ୍ତ ସଫଳ କଲେ, 28ଆଉ ପ୍ରାଣଦଣ୍ଡର କୌଣସି କାରଣ ନ ପାଇଲେ ସୁଦ୍ଧା ତାହାଙ୍କୁ ବଧ କରିବା ନିମନ୍ତେ ପୀଲାତଙ୍କୁ ନିବେଦନ କଲେ। 29ପୁଣି, ତାହାଙ୍କ ବିଷୟରେ ଯାହାସବୁ ଲେଖାଅଛି, ସେ ସମସ୍ତ ପୂର୍ଣ୍ଣ କଲା ଉତ୍ତାରେ ତାହାଙ୍କୁ କ୍ରୁଶରୁ ଓହ୍ଲାଇ ଆଣି ସମାଧିରେ ରଖିଦେଲେ। 30କିନ୍ତୁ ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, 31ପୁଣି, ଯେଉଁମାନେ ତାହାଙ୍କ ସହିତ ଗାଲିଲୀରୁ ଯିରୂଶାଲମ ସହରକୁ ଆସିଥିଲେ, ସେମାନେ ଅନେକ ଦିନ ପର୍ଯ୍ୟନ୍ତ ତାହାଙ୍କ ଦର୍ଶନ ପାଇଲେ; ସେମାନେ ବର୍ତ୍ତମାନ ଲୋକମାନଙ୍କ ନିକଟରେ ତାହାଙ୍କର ସାକ୍ଷୀ। 32ଆଉ ପିତୃ-ପୁରୁଷମାନଙ୍କ ନିକଟରେ କୃତ ପ୍ରତିଜ୍ଞା ବିଷୟରେ ଆମ୍ଭେମାନେ ଆପଣମାନଙ୍କୁ ଏହି ସୁସମାଚାର ଜଣାଉଅଛୁ ଯେ,

ପ୍ରଥମ ଘଣ୍ଟା: ସୁସମାଚାର

ମାଥି 3:1–11

1ସେହି କାଳରେ ବାପ୍ତିଜକ ଯୋହନ ଉପସ୍ଥିତ ହୋଇ ଯିହୂଦିୟା ପ୍ରଦେଶର ପ୍ରାନ୍ତରରେ ଘୋଷଣା କରି କହିବାକୁ ଲାଗିଲେ, 2“ମନ-ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ।” 3ଯିଶାଇୟ ଭାବବାଦୀ ଯାହାଙ୍କ ବିଷୟରେ ଏହି ବାକ୍ୟ କହିଥିଲେ, “ଏ ସେହି ବ୍ୟକ୍ତି, ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ‘ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର।’” 4ସେହି ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା ଅଣ୍ଟାରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି, ତାହାଙ୍କ ଖାଦ୍ୟ ପଙ୍ଗପାଳ (କ୍ୟାରବ ବୃକ୍ଷର ଫଳ) ଓ ବନମଧୁ ଥିଲା। 5ସେତେବେଳେ ଯିରୂଶାଲମ ଓ ସମସ୍ତ ଯିହୂଦିୟା ପ୍ରଦେଶ ପୁଣି, ଯର୍ଦ୍ଦନ ନଦୀ ନିକଟବର୍ତ୍ତୀ ସମସ୍ତ ଅଞ୍ଚଳର ଲୋକମାନେ ବାହାରି ତାହାଙ୍କ ପାଖକୁ ଆସିବାକୁ ଲାଗିଲେ, 6ଆଉ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ। 7କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରୁ ଅନେକେ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି, ଏହା ଦେଖି ସେ ସେମାନଙ୍କୁ କହିଲେ, “ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା? 8ଏଣୁ ମନ-ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର, 9ପୁଣି, ଅବ୍ରହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ଏପରି କହିବାକୁ ଭାବ ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବର ଏହି ପଥରଗୁଡ଼ାକରୁ ଅବ୍ରହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିପାରନ୍ତି। 10ଆଉ ଏବେ ମଧ୍ୟ ଗଛଗୁଡ଼ିକ ମୂଳରେ କୁରାଢ଼ୀ ଲାଗିଅଛି; ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ। 11ମୁଁ ସିନା ତୁମ୍ଭମାନଙ୍କୁ ମନ-ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋ ପରେ ଯେ ଆସୁଅଛନ୍ତି, ସେ ମୋʼଠାରୁ ଅଧିକ ଶକ୍ତିମାନ, ତାହାଙ୍କ ପାଦୁକା ବହନ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ।

ତୃତୀୟ ଘଣ୍ଟା: ଭବିଷ୍ୟଦ୍‌ବାଣୀ

ଯିଶା 1:16–20

16ତୁମ୍ଭେମାନେ ଆପଣାମାନଙ୍କୁ ଧୌତ କର, ଆପଣାମାନଙ୍କୁ ଶୁଚି କର; ଆମ୍ଭ ଦୃଷ୍ଟିରୁ ଆପଣାମାନଙ୍କର କ୍ରିୟାର ମନ୍ଦତା ଦୂର କର; କୁକ୍ରିୟା କରିବାରୁ ନିବୃତ୍ତ ହୁଅ; 17ସୁକ୍ରିୟା କରିବାକୁ ଶିଖ; ନ୍ୟାୟବିଚାର ଚେଷ୍ଟା କର, ଉପଦ୍ରବଗ୍ରସ୍ତମାନଙ୍କର ସାହାଯ୍ୟ କର, ପିତୃହୀନମାନଙ୍କର ନ୍ୟାୟବିଚାର କର, ବିଧବାମାନଙ୍କ ପକ୍ଷରେ ପ୍ରତିବାଦ କର।” 18ସଦାପ୍ରଭୁ କହନ୍ତି, “ଆସ, ଆମ୍ଭେମାନେ ଉତ୍ତର ପ୍ରତ୍ୟୁତ୍ତର କରୁ; ତୁମ୍ଭମାନଙ୍କର ପାପସବୁ ସିନ୍ଦୂର ବର୍ଣ୍ଣ ପରି ହେଲେ ହେଁ ହିମ ପରି ଶୁକ୍ଳବର୍ଣ୍ଣ ହେବ; ସେହି ସବୁ ଲୋହିତବର୍ଣ୍ଣ ପରି ରଙ୍ଗ ହେଲେ ହେଁ ମେଷଲୋମ ପରି ହେବ। 19ଯଦି ତୁମ୍ଭେମାନେ ସମ୍ମତ ଓ ଆଜ୍ଞାବହ ହେବ, ତେବେ ଦେଶର ଉତ୍ତମ ଫଳ ଭୋଗ କରିବ। 20ମାତ୍ର ଯଦି ତୁମ୍ଭେମାନେ ଅସମ୍ମତ ଓ ବିରୁଦ୍ଧାଚାରୀ ହେବ, ତେବେ ଖଡ୍ଗଭୁକ୍ତ ହେବ; କାରଣ ସଦାପ୍ରଭୁଙ୍କ ମୁଖ ଏହା କହିଅଛି।”

ତୃତୀୟ ଘଣ୍ଟା: ପତ୍ର

ପ୍ରେରି 19:1–8

1ଆପଲ୍ଲ କରିନ୍ଥ ସହରରେ ଥିବା ସମୟରେ ପାଉଲ ପାହାଡ଼ିଆ ଅଞ୍ଚଳ ଦେଇ ଯାତ୍ରା କରି ଏଫିସ ନଗରକୁ ଆସି କେତେକ ଶିଷ୍ୟଙ୍କ ଦେଖାପାଇଲେ। 2ସେ ସେମାନଙ୍କୁ ପଚାରିଲେ, ବିଶ୍ୱାସ କରିବା ସମୟରେ କଅଣ ତୁମ୍ଭେମାନେ ପବିତ୍ର ଆତ୍ମାଙ୍କୁ ପାଇଥିଲ? ସେମାନେ ତାହାଙ୍କୁ ଉତ୍ତର ଦେଲେ, ନା ପବିତ୍ର ଆତ୍ମା ଯେ ଦତ୍ତ ହୋଇଅଛନ୍ତି, ତାହା ସୁଦ୍ଧା ଆମ୍ଭେମାନେ ଶୁଣି ନାହୁଁ। 3ତେଣୁ ସେ ପଚାରିଲେ, ତେବେ ତୁମ୍ଭେମାନେ କାହିଁରେ ବାପ୍ତିଜିତ ହୋଇଥିଲ? ସେମାନେ କହିଲେ, ଯୋହନଙ୍କ ବାପ୍ତିସ୍ମରେ। 4ସେଥିରେ ପାଉଲ କହିଲେ, ଯୋହନ ମନ-ପରିବର୍ତ୍ତନର ବାପ୍ତିସ୍ମରେ ବାପ୍ତିସ୍ମ ଦେଇ, ତାହାଙ୍କ ପରେ ଯେ ଆସିବେ, ତାହାଙ୍କଠାରେ ଅର୍ଥାତ୍‍ ଯୀଶୁଙ୍କଠାରେ ବିଶ୍ୱାସ କରିବାକୁ ହେବ ବୋଲି ଲୋକମାନଙ୍କୁ କହୁଥିଲେ। 5ସେମାନେ ଏହା ଶୁଣି ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହେଲେ, 6ଆଉ ପାଉଲ ସେମାନଙ୍କ ଉପରେ ହସ୍ତାର୍ପଣ କରନ୍ତେ ପବିତ୍ର ଆତ୍ମା ସେମାନଙ୍କ ଉପରେ ଅବତରଣ କଲେ, ପୁଣି, ସେମାନେ ନାନା ଭାଷାରେ କଥା କହିବାକୁ ଓ ଭାବବାଣୀ ମଧ୍ୟ କହିବାକୁ ଲାଗିଲେ। 7ସେମାନେ ସମସ୍ତେ ପ୍ରାୟ ବାର ଜଣ ପୁରୁଷ ଥିଲେ। 8ପରେ ସେ ସମାଜଗୃହରେ ପ୍ରବେଶ କରି ତିନି ମାସ ପର୍ଯ୍ୟନ୍ତ ସାହସ ସହିତ ଈଶ୍ବରଙ୍କ ରାଜ୍ୟ ବିଷୟରେ ଉପଦେଶ ଦେଇ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରିବାକୁ ଲାଗିଲେ।

ତୃତୀୟ ଘଣ୍ଟା: ସୁସମାଚାର

ମାର୍କ 1:1–8

1ଈଶ୍ବରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାରର ଆରମ୍ଭ। 2ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରରେ ଯେପରି ଲେଖାଅଛି, “ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପ୍ରେରଣ କରୁଅଛୁ, ସେ ତୁମ୍ଭର ପଥ ପ୍ରସ୍ତୁତ କରିବ; 3ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର।” 4ବାପ୍ତିଜକ ଯୋହନ ପ୍ରାନ୍ତରରେ ଉପସ୍ଥିତ ହୋଇ ପାପ କ୍ଷମା ନିମନ୍ତେ ମନ-ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ। 5ସେଥିରେ ସମଗ୍ର ଯିହୂଦିୟା ପ୍ରଦେଶ ଓ ସମସ୍ତ ଯିରୂଶାଲମ ସହରନିବାସୀ ବାହାରି ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ ଓ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ। 6ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା କଟିରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି, ପଙ୍ଗପାଳ ଓ ବନମଧୁ ଖାଉଥିଲେ। 7ସେ ଘୋଷଣା କରି କହିବାକୁ ଲାଗିଲେ, “ମୋʼଠାରୁ ଯେ ଅଧିକ ଶକ୍ତିମାନ, ସେ ମୋʼ ଉତ୍ତାରେ ଆସୁଅଛନ୍ତି; ମୁଁ ଅବନତ ହୋଇ ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ଯୋଗ୍ୟ ନୁହେଁ। 8ମୁଁ ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଲି, ମାତ୍ର ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ।”

ଷଷ୍ଠ ଘଣ୍ଟା: ଭବିଷ୍ୟଦ୍‌ବାଣୀ

ଯିଶା 12:3–6

3ଏହେତୁ ତୁମ୍ଭେମାନେ ଆନନ୍ଦରେ ପରିତ୍ରାଣର କୂପସମୂହରୁ ଜଳ କାଢ଼ିବ। 4ପୁଣି, ସେହି ଦିନରେ ତୁମ୍ଭେମାନେ କହିବ, “ସଦାପ୍ରଭୁଙ୍କର ଧନ୍ୟବାଦ କର, ତାହାଙ୍କ ନାମରେ ପ୍ରାର୍ଥନା କର, ଗୋଷ୍ଠୀୟମାନଙ୍କ ମଧ୍ୟରେ ତାହାଙ୍କର କ୍ରିୟାସକଳ ପ୍ରଚାର କର, ତାହାଙ୍କର ନାମ ଉନ୍ନତ ବୋଲି ବ୍ୟକ୍ତ କର। 5ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର; କାରଣ ସେ ମହିମାଯୁକ୍ତ କର୍ମ କରିଅଛନ୍ତି; ତାହା ସମୁଦାୟ ପୃଥିବୀର ଜ୍ଞାତ ହେଉ। 6ହେ ସିୟୋନ ନିବାସିନୀ, ତୁମ୍ଭେ ଉଚ୍ଚସ୍ୱର କରି ଆନନ୍ଦଧ୍ୱନି କର; କାରଣ ଯେ ଇସ୍ରାଏଲର ଧର୍ମସ୍ୱରୂପ, ସେ ତୁମ୍ଭ ମଧ୍ୟରେ ମହାନ ଅଟନ୍ତି।”

ଷଷ୍ଠ ଘଣ୍ଟା: ପତ୍ର

ରୋମୀ 6:3–11

3ଆମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟ ଯୀଶୁଙ୍କଠାରେ ବାପ୍ତିଜିତ ହୋଇଅଛୁ, ସମସ୍ତେ ଯେ ତାହାଙ୍କ ମରଣରେ ବାପ୍ତିଜିତ ହୋଇଅଛୁ, ଏହା କି ତୁମ୍ଭେମାନେ ଜାଣ ନାହିଁ? 4ଅତଏବ, ଆମ୍ଭେମାନେ ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ ସମାଧି ପାଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ୱାରା ମୃତମାନଙ୍କ ମଧ୍ୟରୁ ଯେଉଁ ପ୍ରକାରେ ଉତ୍ଥାପିତ ହେଲେ, ଆମ୍ଭେମାନେ ମଧ୍ୟ ସେହି ପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ; 5କାରଣ ଯଦି ଆମ୍ଭେମାନେ ତାହାଙ୍କ ମୃତ୍ୟୁର ସାଦୃଶ୍ୟରେ ମୃତ୍ୟୁଭୋଗ କରି ତାହାଙ୍କ ସହିତ ଏକୀଭୂତ ହୋଇଅଛୁ, ତାହାହେଲେ ନିଶ୍ଚୟ ତାହାଙ୍କ ପୁନରୁତ୍ଥାନର ସାଦୃଶ୍ୟରେ ମଧ୍ୟ ଉତ୍ଥିତ ହୋଇ ତାହାଙ୍କ ସହିତ ଏକୀଭୂତ ହେବା। 6ଯେପରି ଆମ୍ଭେମାନେ ଆଉ ପାପର ଦାସତ୍ୱରେ ନ ରହୁ, ଏଥିପାଇଁ ପାପର ଶରୀର ବିନଷ୍ଟ ହେବା ନିମନ୍ତେ ଆମ୍ଭମାନଙ୍କର ପୁରାତନ ସ୍ୱଭାବ ଯେ ତାହାଙ୍କ ସହିତ କ୍ରୁଶରେ ହତ ହୋଇଅଛି, 7ଏହା ତ ଆମ୍ଭେମାନେ ଜାଣୁ, କାରଣ ଯେ ମରିଅଛି, ସେ ପାପରୁ ମୁକ୍ତ ହୋଇଅଛି। 8କିନ୍ତୁ ଆମ୍ଭେମାନେ ଯଦି ଖ୍ରୀଷ୍ଟଙ୍କ ସହିତ ମରିଅଛୁ, ତାହାହେଲେ ଆମ୍ଭେମାନେ ଯେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା, ଏହା ଆମ୍ଭେମାନେ ବିଶ୍ୱାସ କରୁ। 9ଖ୍ରୀଷ୍ଟ ମୃତମାନଙ୍କ ମଧ୍ୟରୁ ଉତ୍ଥାପିତ ହେବାରୁ ଯେ ଆଉ କେବେ ମରିବେ ନାହିଁ, ଏହା ତ ଆମ୍ଭେମାନେ ଜାଣୁ; ତାହାଙ୍କ ଉପରେ ମୃତ୍ୟୁର ଆଉ କର୍ତ୍ତୃତ୍ୱ ନାହିଁ। 10କାରଣ ସେ ଯେଉଁ ମୃତ୍ୟୁଭୋଗ କଲେ, ତଦ୍ୱାରା ସେ ଥରେ ହିଁ ପାପ ପ୍ରତି ମୃତ ହେଲେ; କିନ୍ତୁ ସେ ଯେଉଁ ଜୀବନରେ ଜୀବିତ, ସେଥିରେ ସେ ଈଶ୍ବରଙ୍କ ପ୍ରତି ଜୀବିତ ଅଟନ୍ତି। 11ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆପଣା ଆପଣାକୁ ପାପ ପ୍ରତି ମୃତ, କିନ୍ତୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଥାଇ ଈଶ୍ବରଙ୍କ ପ୍ରତି ଜୀବିତ ବୋଲି ଗଣନା କର।

ଷଷ୍ଠ ଘଣ୍ଟା: ସୁସମାଚାର

ମାର୍କ 1:9–15

9ସେହି ସମୟରେ ଯୀଶୁ ଗାଲିଲୀର ନାଜରିତରୁ ଆସି ଯର୍ଦ୍ଦନ ନଦୀରେ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଲେ। 10ଆଉ, ସେହିକ୍ଷଣି ସେ ଜଳରୁ ଉଠି ଆସିବା ସମୟରେ ଆକାଶ ଉନ୍ମୁକ୍ତ ହେବା ଓ ପବିତ୍ର ଆତ୍ମାଙ୍କୁ କପୋତ ପରି ଆପଣା ଉପରକୁ ଓହ୍ଲାଇ ଆସିବା ଦେଖିଲେ, 11ପୁଣି, ଆକାଶରୁ ଏହି ବାଣୀ ହେଲା, “ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ।” 12ସେହିକ୍ଷଣି ପବିତ୍ର ଆତ୍ମା ତାହାଙ୍କୁ ପ୍ରାନ୍ତରକୁ ଘେନିଗଲେ। 13ଯୀଶୁ ପ୍ରାନ୍ତରରେ ଚାଳିଶ ଦିନ ରହି ଶୟତାନ ଦ୍ୱାରା ପରୀକ୍ଷିତ ହେଉଥିବା ସମୟରେ, ସେ ବନ୍ୟ-ପଶୁମାନଙ୍କ ସହିତ ରହିଲେ, ପୁଣି, ଦୂତମାନେ ତାହାଙ୍କ ସେବା କରୁଥିଲେ। 14ଯୋହନ କାରାରୁଦ୍ଧ ହେଲା ପରେ ଯୀଶୁ ଗାଲିଲୀକୁ ଆସି ଈଶ୍ବରଙ୍କ ସୁସମାଚାର ଘୋଷଣା କରି କହିବାକୁ ଲାଗିଲେ, 15“କାଳ ସମ୍ପୂର୍ଣ୍ଣ ହେଲାଣି, ଈଶ୍ବରଙ୍କ ରାଜ୍ୟ ସନ୍ନିକଟ; ମନ-ପରିବର୍ତ୍ତନ କର ଓ ସୁସମାଚାରରେ ବିଶ୍ୱାସ କର।”

ନବମ ଘଣ୍ଟା: ଭବିଷ୍ୟଦ୍‌ବାଣୀ

ଯିଶା 49:8–15

8ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଗ୍ରାହ୍ୟ ସମୟରେ ତୁମ୍ଭକୁ ଉତ୍ତର ଦେଇଅଛୁ ଓ ପରିତ୍ରାଣ ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କରିଅଛୁ; ପୁଣି, ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ଦେଶର ଉନ୍ନତି ସାଧନ ନିମନ୍ତେ, ଲୋକମାନଙ୍କୁ ସେମାନଙ୍କର ଧ୍ୱଂସିତ ଉତ୍ତରାଧିକାର ଭୋଗ କରାଇବା ନିମନ୍ତେ ଆମ୍ଭେ ତୁମ୍ଭକୁ ଲୋକମାନଙ୍କର ନିୟମ ସ୍ୱରୂପ ନିଯୁକ୍ତ କରିବା; 9ତୁମ୍ଭେ ‘ବନ୍ଦୀଗଣକୁ ବାହାରି ଯାଅ’ ବୋଲି, ଅନ୍ଧକାରସ୍ଥିତ ଲୋକମାନଙ୍କୁ ‘ଆପଣାମାନଙ୍କୁ ଦେଖାଅ’ ବୋଲି କହିବ। ସେମାନେ ପଥରେ ଚରିବେ ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀସକଳ ସେମାନଙ୍କର ଚରାସ୍ଥାନ ହେବ। 10ସେମାନେ କ୍ଷୁଧାର୍ତ୍ତ କି ତୃଷାର୍ତ୍ତ ହେବେ ନାହିଁ; କିଅବା ଗ୍ରୀଷ୍ମ ଅଥବା ସୂର୍ଯ୍ୟତାପ ସେମାନଙ୍କୁ କାଟିବ ନାହିଁ; କାରଣ ଯେ ସେମାନଙ୍କୁ ଦୟା କରନ୍ତି, ସେ ସେମାନଙ୍କୁ ଚଳାଇବେ, ଜଳ ନିର୍ଝର ନିକଟ ଦେଇ ସେ ସେମାନଙ୍କୁ କଢ଼ାଇ ନେବେ। 11ପୁଣି, ଆମ୍ଭେ ଆପଣାର ପର୍ବତସବୁକୁ ଏକ ପଥ କରିବା ଓ ଆମ୍ଭର ରାଜପଥସକଳ ଉଚ୍ଚ କରାଯିବ। 12ଦେଖ, ଏମାନେ ଦୂରରୁ ଆସିବେ; ଆଉ ଦେଖ, ଏମାନେ ଉତ୍ତର ଓ ପଶ୍ଚିମ ଦିଗରୁ ଆସିବେ; ପୁଣି, ଏମାନେ ସୀନୀମ୍‍ ଦେଶରୁ ଆସିବେ।” 13ହେ ଆକାଶମଣ୍ଡଳ, ଗାନ କର; ହେ ପୃଥିବୀ, ଉଲ୍ଲସିତ ହୁଅ; ହେ ପର୍ବତମାଳ, ଉଚ୍ଚସ୍ୱରେ ଗାନ କର; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି ଓ ଆପଣାର କ୍ଳିଷ୍ଟ ଲୋକମାନଙ୍କୁ କରୁଣା କରିବେ। 14ମାତ୍ର ସିୟୋନ କହିଲା, “ସଦାପ୍ରଭୁ ମୋତେ ତ୍ୟାଗ କରିଅଛନ୍ତି, ପ୍ରଭୁ ମୋତେ ପାସୋରିଅଛନ୍ତି।” 15“ସ୍ତ୍ରୀଲୋକ ଆପଣା ଗର୍ଭଜାତ ପୁତ୍ରକୁ ସ୍ନେହ ନ କରି କି ଆପଣା ସ୍ତନ୍ୟପାୟୀ ଶିଶୁକୁ ପାସୋରି ପାରିବ? ହଁ, ଏମାନେ ପାସୋରି ପାରନ୍ତି, ତଥାପି ଆମ୍ଭେ ତୁମ୍ଭକୁ ପାସୋରିବା ନାହିଁ।

ନବମ ଘଣ୍ଟା: ପତ୍ର

ତୀତ 2:11–14; 3:4–7

11କାରଣ ସମସ୍ତ ମାନବର ପରିତ୍ରାଣ ନିମନ୍ତେ ଈଶ୍ବରଙ୍କ ଅନୁଗ୍ରହ ପ୍ରକାଶିତ ହୋଇଅଛି, 12ପୁଣି, ଆମ୍ଭେମାନେ ଯେପରି ଅଧର୍ମ ଓ ସାଂସାରିକ ଅଭିଳାଷ ପରିତ୍ୟାଗ କରି ଏହି ବର୍ତ୍ତମାନ ଯୁଗରେ ସୁବୁଦ୍ଧି, ଧାର୍ମିକ ଓ ଭକ୍ତ ଭାବରେ ଜୀବନଯାପନ କରୁ, 13ଆଉ ସେହି ଆନନ୍ଦଦାୟକ ଭରସା ପୁଣି, ଆମ୍ଭମାନଙ୍କ ମହାନ ଈଶ୍ବର ଓ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଗୌରବର ପ୍ରକାଶ ଅପେକ୍ଷାରେ ରହୁ, ଏଥିନିମନ୍ତେ ଶିକ୍ଷା ଦେଉଅଛି। 14ସେହି ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କୁ ସମସ୍ତ ଅଧର୍ମରୁ ମୁକ୍ତ କରିବାକୁ ଓ ଆପଣା ନିମନ୍ତେ ସତ୍କର୍ମରେ ଉଦ୍‌ଯୋଗୀ ନିଜସ୍ୱ ଲୋକ ସ୍ୱରୂପେ ଶୁଦ୍ଧ କରିବାକୁ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ। 3:4କିନ୍ତୁ ଯେତେବେଳେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ଦୟା ଓ ମାନବଜାତି ପ୍ରତି ତାହାଙ୍କ ପ୍ରେମ ପ୍ରକାଶିତ ହେଲା, 5ସେତେବେଳେ ସେ ଆମ୍ଭମାନଙ୍କ କୃତ ଧର୍ମକର୍ମ ସକାଶେ ନୁହେଁ, ମାତ୍ର ଆପଣାର ଦୟାନୁସାରେ ନୂତନ ଜନ୍ମର ପ୍ରକ୍ଷାଳନ ଓ ପବିତ୍ର ଆତ୍ମାଙ୍କ ନୂତନୀକରଣ ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି; 6ସେହି ପବିତ୍ର ଆତ୍ମାଙ୍କୁ ସେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଚୁର ରୂପେ ଆମ୍ଭମାନଙ୍କ ଉପରେ ଢାଳି ଦେଲେ, 7ଯେପରି ଆମ୍ଭେମାନେ ତାହାଙ୍କ ଅନୁଗ୍ରହରେ ଧାର୍ମିକ ଗଣିତ ହୋଇ ଭରସାନୁସାରେ ଅନନ୍ତ ଜୀବନର ଅଧିକାରୀ ହେବୁ।

ନବମ ଘଣ୍ଟା: ସୁସମାଚାର

ମାଥି 3:13–17

13ସେତେବେଳେ ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ଗାଲିଲୀରୁ ଯର୍ଦ୍ଦନ ନଦୀକୁ ଆସିଲେ। 14କିନ୍ତୁ ଯୋହନ ତାହାଙ୍କୁ ମନା କରିବାକୁ ଚେଷ୍ଟା କରି କହିଲେ, “ଆପଣଙ୍କ ଦ୍ୱାରା ବାପ୍ତିଜିତ ହେବା ମୋହର ଆବଶ୍ୟକ, ଆଉ ଆପଣ ମୋ ନିକଟକୁ ଆସୁଅଛନ୍ତି?” 15ମାତ୍ର ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଏବେ ରାଜି ହୁଅ, କାରଣ ଏହି ପ୍ରକାରେ ସମସ୍ତ ଧର୍ମକର୍ମ ସାଧନ କରିବା ଆମ୍ଭମାନଙ୍କର ଉଚିତ।” ସେଥିରେ ସେ ତାହାଙ୍କ କଥାରେ ରାଜି ହେଲେ। 16ଯୀଶୁ ବାପ୍ତିଜିତ ହେଲାକ୍ଷଣି ଜଳରୁ ଉଠି ଆସିଲେ, ଆଉ ଦେଖ, ଆକାଶ ଉନ୍ମୁକ୍ତ ହେଲା, ପୁଣି, ସେ ଈଶ୍ବରଙ୍କ ଆତ୍ମାଙ୍କୁ କପୋତ ପରି ଅବତରଣ କରି ଆପଣା ଉପରକୁ ଆସିବା ଦେଖିଲେ। 17ଆଉ ଦେଖ, ଆକାଶରୁ ଏହି ବାଣୀ ହେଲା, “ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ।”

ସନ୍ଧ୍ୟା ପ୍ରାର୍ଥନା: ପାଠ

ଆଦି 1:1–13

1ଆଦ୍ୟରେ ପରମେଶ୍ୱର ସ୍ୱର୍ଗସମୂହ ଓ ପୃଥିବୀକୁ ସୃଷ୍ଟି କଲେ। 2ପୃଥିବୀ ନିର୍ଜନ ଓ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା; ପୁଣି, ପରମେଶ୍ୱରଙ୍କ ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲେ। 3ଏଥିଉତ୍ତାରେ ପରମେଶ୍ୱର କହିଲେ, “ଦୀପ୍ତି ହେଉ,” ତହିଁରେ ଦୀପ୍ତି ହେଲା। 4ଆଉ ପରମେଶ୍ୱର ଦୀପ୍ତିକୁ ଦେଖିଲେ ଯେ ତାହା ଉତ୍ତମ; ତହୁଁ ପରମେଶ୍ୱର ଅନ୍ଧକାରରୁ ଦୀପ୍ତିକୁ ଭିନ୍ନ କଲେ। 5ପୁଣି, ପରମେଶ୍ୱର ଦୀପ୍ତିର ନାମ “ଦିବସ,” ଓ ଅନ୍ଧକାରର ନାମ “ରାତ୍ରି” ଦେଲେ। ତହୁଁ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ପ୍ରଥମ ଦିବସ ହେଲା। 6ଏଥିଉତ୍ତାରେ ପରମେଶ୍ୱର କହିଲେ, “ଜଳ ମଧ୍ୟରେ ଶୂନ୍ୟ ଜାତ ହୋଇ ଜଳକୁ ଦୁଇ ଭାଗରେ ଭିନ୍ନ କରୁ।” 7ଏହିରୂପେ ପରମେଶ୍ୱର ଶୂନ୍ୟ ନିର୍ମାଣ କରି ଶୂନ୍ୟର ଊର୍ଦ୍ଧ୍ୱସ୍ଥ ଜଳରୁ ଶୂନ୍ୟର ଅଧଃସ୍ଥ ଜଳକୁ ଭିନ୍ନ କଲେ; ତହିଁରେ ସେହିରୂପ ହେଲା। 8ଆଉ ପରମେଶ୍ୱର ସେହି ଶୂନ୍ୟର ନାମ “ଆକାଶମଣ୍ଡଳ” ଦେଲେ। ପୁଣି, ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଦ୍ୱିତୀୟ ଦିବସ ହେଲା। 9ଏଥିଉତ୍ତାରେ ପରମେଶ୍ୱର କହିଲେ, “ଆକାଶମଣ୍ଡଳର ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନରେ ସଂଗୃହୀତ ହେଉ ଓ ସ୍ଥଳ ପ୍ରକାଶ ହେଉ,” ତହିଁରେ ସେହିରୂପ ହେଲା। 10ପୁଣି, ପରମେଶ୍ୱର ସ୍ଥଳର ନାମ “ପୃଥିବୀ,” ଓ ଜଳରାଶିର ନାମ “ସମୁଦ୍ର” ଦେଲେ; ଆଉ ପରମେଶ୍ୱର ତାହା ଉତ୍ତମ ଦେଖିଲେ। 11ଏଉତ୍ତାରୁ ପରମେଶ୍ୱର କହିଲେ, “ପୃଥିବୀ ତୃଣ ଓ ସବୀଜ ଶାକ ଓ ବୀଜ ସମ୍ବଳିତ ସ୍ୱ ସ୍ୱ ଜାତି ଅନୁଯାୟୀ ଫଳୋତ୍ପାଦକ ଫଳବୃକ୍ଷ ଭୂମି ଉପରେ ଉତ୍ପନ୍ନ କରୁ,” ତହିଁରେ ସେପରି ହେଲା। 12ଅର୍ଥାତ୍‍, ପୃଥିବୀ ତୃଣ ଓ ସ୍ୱ ସ୍ୱ ଜାତି ଅନୁସାରେ ବୀଜଉତ୍ପାଦକ ଶାକ ଓ ସ୍ୱ ସ୍ୱ ଜାତି ଅନୁସାରେ ସବୀଜ ଫଳୋତ୍ପାଦକ ବୃକ୍ଷ ଉତ୍ପନ୍ନ କଲା; ପୁଣି, ପରମେଶ୍ୱର ତାହା ଉତ୍ତମ ଦେଖିଲେ। 13ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ତୃତୀୟ ଦିବସ ହେଲା।

ସନ୍ଧ୍ୟା ପ୍ରାର୍ଥନା: ପାଠ

ଯାତ୍ରା 14:15–18, 21–23, 27–29

15ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆମ୍ଭଙ୍କୁ କାହିଁକି ଡାକୁଅଛ? ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ସେମାନେ ଅଗ୍ରସର ହେଉନ୍ତୁ। 16ପୁଣି, ତୁମ୍ଭେ ଆପଣା ଯଷ୍ଟି ଉଠାଅ ଓ ସମୁଦ୍ର ଉପରେ ହସ୍ତ ବିସ୍ତାର କରି ତାହା ଦୁଇ ଭାଗ କର; ତହିଁରେ ଇସ୍ରାଏଲ-ସନ୍ତାନଗଣ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ପ୍ରବେଶ କରିବେ। 17ପୁଣି, ଆମ୍ଭେ, ଦେଖ, ଆମ୍ଭେ ମିସରୀୟମାନଙ୍କ ହୃଦୟ କଠିନ କରନ୍ତେ, ସେମାନେ ସେମାନଙ୍କ ପଛେ ପଛେ ଯିବେ, ତହିଁରେ ଆମ୍ଭେ ଫାରୋ ଓ ତାହାର ସମସ୍ତ ସୈନ୍ୟ, ରଥ ଓ ଅଶ୍ୱାରୂଢ଼ ଲୋକମାନଙ୍କ ଦ୍ୱାରା ସମ୍ଭ୍ରମ ପ୍ରାପ୍ତ ହେବା। 18ଆଉ ଫାରୋ, ତାହାର ରଥ ଓ ତାହାର ଅଶ୍ୱାରୂଢ଼ ଲୋକମାନଙ୍କ ଦ୍ୱାରା ସମ୍ଭ୍ରମ ପ୍ରାପ୍ତ ହେଲା ଉତ୍ତାରେ ଆମ୍ଭେ ଯେ ସଦାପ୍ରଭୁ, ଏହା ମିସରୀୟ ଲୋକମାନେ ଜାଣିବେ।” 21ଏଥିଉତ୍ତାରେ ମୋଶା ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କରନ୍ତେ, ସଦାପ୍ରଭୁ ସେହି ସମସ୍ତ ରାତ୍ରି ପ୍ରବଳ ପୂର୍ବୀୟ ବାୟୁ ଦ୍ୱାରା ସମୁଦ୍ରକୁ ପଶ୍ଚାତ୍‍ ହଟାଇ ଶୁଷ୍କ କଲେ ଓ ଜଳ ଦୁଇ ଭାଗ ହେଲା। 22ତହିଁରେ ଇସ୍ରାଏଲ-ସନ୍ତାନଗଣ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ଗମନ କଲେ, ପୁଣି, ସେମାନଙ୍କ ଦକ୍ଷିଣରେ ଓ ବାମରେ ଜଳ ପ୍ରାଚୀର ତୁଲ୍ୟ ହେଲା। 23ଏଥିଉତ୍ତାରେ ମିସରୀୟମାନେ, ଅର୍ଥାତ୍‍, ଫାରୋଙ୍କର ସମସ୍ତ ଅଶ୍ୱ, ରଥ, ଓ ଅଶ୍ୱାରୂଢ଼ ଲୋକ ସମସ୍ତେ ଦୌଡ଼ି ସେମାନଙ୍କ ପଛେ ପଛେ ସମୁଦ୍ରରେ ପ୍ରବେଶ କଲେ। 27ତହୁଁ ମୋଶା ସମୁଦ୍ର ଉପରେ ହସ୍ତ ବିସ୍ତାର କଲେ, ଆଉ ପ୍ରଭାତ ସମୟକୁ ସମୁଦ୍ର ପୁନର୍ବାର ସମାନ ହେବାକୁ ଲାଗିଲା; ତହୁଁ ମିସରୀୟମାନେ ଉଜାଣି ପଳାୟନ କରନ୍ତେ, ସଦାପ୍ରଭୁ ସମୁଦ୍ର ମଧ୍ୟରେ ସେମାନଙ୍କୁ ନିକ୍ଷେପ କଲେ। 28ପୁଣି, ଜଳ ପୁନର୍ବାର ଆସି ସେମାନଙ୍କ ରଥ ଓ ଅଶ୍ୱାରୂଢ଼ ଲୋକମାନଙ୍କୁ ଆଚ୍ଛାଦନ କଲା; ତହିଁରେ ଫାରୋଙ୍କର ଯେଉଁସବୁ ସୈନ୍ୟ ସେମାନଙ୍କ ପଛେ ପଛେ ସମୁଦ୍ର ମଧ୍ୟରେ ପ୍ରବେଶ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ମଧ୍ୟ ଅବଶିଷ୍ଟ ରହିଲା ନାହିଁ। 29ମାତ୍ର ଇସ୍ରାଏଲ-ସନ୍ତାନଗଣ ଶୁଷ୍କ ପଥରେ ସମୁଦ୍ର ମଧ୍ୟଦେଇ ଗମନ କଲେ; ପୁଣି, ଜଳ ସେମାନଙ୍କ ବାମ ଓ ଦକ୍ଷିଣରେ ପ୍ରାଚୀର ତୁଲ୍ୟ ହେଲା।

ସନ୍ଧ୍ୟା ପ୍ରାର୍ଥନା: ପାଠ

ଯାତ୍ରା 15:22–16:1

22ଏଥିଉତ୍ତାରେ ମୋଶା ଇସ୍ରାଏଲଙ୍କୁ ସୂଫ ସାଗରଠାରୁ ଯାତ୍ରା କରାଇଲେ, ପୁଣି, ସେମାନେ ଶୂର-ପ୍ରାନ୍ତର ଆଡ଼କୁ ଯାତ୍ରା କଲେ, ସେମାନେ ପ୍ରାନ୍ତରରେ ତିନି ଦିନ ଯାତ୍ରା କରି ଜଳ ପାଇଲେ ନାହିଁ। 23ତହୁଁ ସେମାନେ ମାରାଠାରେ ଉପସ୍ଥିତ ହୁଅନ୍ତେ, ତିକ୍ତତା ହେତୁରୁ ମାରାର ଜଳ ପାନ କରି ପାରିଲେ ନାହିଁ; ଏଣୁ ତାହାର ନାମ ମାରା ହେଲା। 24ସେତେବେଳେ ଲୋକମାନେ ମୋଶାଙ୍କ ବିରୁଦ୍ଧରେ ବଚସା କରି କହିଲେ, “ଆମ୍ଭେମାନେ କଅଣ ପିଇବା?” 25ତହିଁରେ ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସଦାପ୍ରଭୁ ତାଙ୍କୁ ଏକ-ପ୍ରକାର କାଷ୍ଠ ଦେଖାଇଲେ, ସେ ତାହା ନେଇ ଜଳରେ ପକାନ୍ତେ, ଜଳ ମିଷ୍ଟ ହେଲା। ସେହି ସ୍ଥାନରେ ସଦାପ୍ରଭୁ ସେମାନଙ୍କ ନିମନ୍ତେ ବିଧି ଓ ଆଦେଶ ନିରୂପଣ କଲେ, ପୁଣି, ସେମାନଙ୍କର ପରୀକ୍ଷା ନେଇ କହିଲେ, 26“ତୁମ୍ଭେ ଯଦି ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କର, ତାହାଙ୍କ ଦୃଷ୍ଟିରେ ଯାହା ଉଚିତ ତାହା କର, ତାହାଙ୍କ ଆଜ୍ଞାରେ କର୍ଣ୍ଣ ଦିଅ ଓ ତାହାଙ୍କ ବିଧି ସମସ୍ତ ପାଳନ କର, ତେବେ ଆମ୍ଭେ ମିସରୀୟ ଲୋକମାନଙ୍କୁ ଯେସବୁ ରୋଗ ଭୋଗ କରାଇଲୁ, ତାହାସବୁ ତୁମ୍ଭମାନଙ୍କୁ ଭୋଗ କରିବାକୁ ଦେବା ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।” 27ଏଥିଉତ୍ତାରେ ସେମାନେ ଏଲୀମଠାରେ ଉପସ୍ଥିତ ହେଲେ; ସେଠାରେ ଜଳର ବାର ନିର୍ଝର ଓ ସତୁରି ଖର୍ଜ୍ଜୁର ବୃକ୍ଷ ଥିଲା; ତହିଁରେ ସେମାନେ ସେହି ଜଳ ନିକଟରେ ଛାଉଣି ସ୍ଥାପନ କଲେ। 16:1ଏଥିଉତ୍ତାରେ ସେମାନେ ଏଲୀମଠାରୁ ଯାତ୍ରା କଲେ, ଆଉ ମିସର ଦେଶରୁ ପ୍ରସ୍ଥାନ କଲା ଉତ୍ତାରେ ଦ୍ୱିତୀୟ ମାସର ପଞ୍ଚଦଶ ଦିନରେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ଏଲୀମ ଓ ସୀନୟର ମଧ୍ୟବର୍ତ୍ତୀ ସୀନ୍‍ ପ୍ରାନ୍ତରରେ ଉପସ୍ଥିତ ହେଲେ।

ସନ୍ଧ୍ୟା ପ୍ରାର୍ଥନା: ପାଠ

ଯିହୋ 3:7–8, 15–17

7ଏଥିରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଆମ୍ଭେ ଆଜି ଦିନ ସମୁଦାୟ ଇସ୍ରାଏଲଙ୍କ ସାକ୍ଷାତରେ ତୁମ୍ଭକୁ ସମ୍ଭ୍ରାନ୍ତ କରିବାକୁ ଆରମ୍ଭ କରିବା, ତହିଁରେ ଆମ୍ଭେ ଯେପରି ମୋଶା ସଙ୍ଗରେ ଥିଲୁ, ସେହିପରି ତୁମ୍ଭ ସଙ୍ଗରେ ହେବା, ଏହା ସେମାନେ ଜ୍ଞାତ ହେବେ। 8ଏନିମନ୍ତେ ତୁମ୍ଭେ ନିୟମ-ସିନ୍ଦୁକବାହକ ଯାଜକମାନଙ୍କୁ ଆଜ୍ଞା ଦେଇ କୁହ, ‘ତୁମ୍ଭେମାନେ ଯର୍ଦ୍ଦନ ଜଳଧାରରେ ଉପସ୍ଥିତ ହେଲେ, ସେଠାରେ ଯର୍ଦ୍ଦନ ତୀରରେ ଠିଆ ହୋଇ ରହିବ।’” 15ଆଉ ଯଦ୍ୟପି ଶସ୍ୟଚ୍ଛେଦନର ସମସ୍ତ କାଳ ଯର୍ଦ୍ଦନର ସବୁ-ତୀର ଉପରକୁ ବଢ଼ି ଉଠେ, ତଥାପି ସିନ୍ଦୁକ-ବାହକମାନେ ଯେତେବେଳେ ଯର୍ଦ୍ଦନ ସମୀପରେ ଉପସ୍ଥିତ ହେଲେ, ସେତେବେଳେ ଜଳଧାରରେ ସିନ୍ଦୁକ-ବାହକ ଯାଜକମାନଙ୍କ ପାଦ ଜଳରେ ଡୁବିବା ମାତ୍ର, 16ଊର୍ଦ୍ଧ୍ୱରୁ ଆଗତ ସମସ୍ତ ଜଳ ସ୍ଥଗିତ ହୋଇ ସର୍ତ୍ତନ ନିକଟବର୍ତ୍ତୀ ଆଦମ ନଗରଠାରୁ ଅତି ଦୂରରେ ଏକ ରାଶି ହୋଇ ଉଠିଲା; ପୁଣି ପଦାଭୂମିର ସମୁଦ୍ର, ଅର୍ଥାତ୍‍, ଲବଣ ସମୁଦ୍ରଗାମୀ ଜଳ ସମ୍ପୂର୍ଣ୍ଣ ରୂପେ କଟା ହେଲା; ତହିଁରେ ଲୋକମାନେ ଯିରୀହୋ ସମ୍ମୁଖରେ ପାର ହୋଇଗଲେ। 17ଆଉ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହକ ଯାଜକମାନେ ଯର୍ଦ୍ଦନ ମଧ୍ୟରେ ଶୁଷ୍କ ଭୂମିରେ ସ୍ଥିର ରୂପେ ସ୍ଥଗିତ ରହିଲେ; ତହିଁରେ ସମୁଦାୟ ଇସ୍ରାଏଲ ଗୋଷ୍ଠୀ ନିଃଶେଷ ରୂପେ ଯର୍ଦ୍ଦନ ପାର ହେବା ଯାଏ ସମସ୍ତେ ଶୁଷ୍କ ଭୂମି ଦେଇ ପାର ହୋଇଗଲେ।

ସନ୍ଧ୍ୟା ପ୍ରାର୍ଥନା: ପାଠ

ଦ୍ଵି.ରା 2:6–14

6ଏଥିଉତ୍ତାରେ ଏଲୀୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଅଛି, ଏଠାରେ ଥାଅ; କାରଣ ସଦାପ୍ରଭୁ ମୋତେ ଯର୍ଦ୍ଦନକୁ ପଠାଇଅଛନ୍ତି।” ତହୁଁ ସେ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ।” ଏଥିରେ ସେ ଦୁହେଁ ଅଗ୍ରସର ହେଲେ। 7ପୁଣି ଭବିଷ୍ୟଦ୍‍ବକ୍ତାଗଣଙ୍କ ଦଳ ମଧ୍ୟରୁ ପଚାଶ ଜଣ ଯାଇ ସେମାନଙ୍କ ସମ୍ମୁଖରେ ଦୂରରେ ଠିଆ ହେଲେ; ଆଉ ସେ ଦୁହେଁ ଯର୍ଦ୍ଦନ ନିକଟରେ ଠିଆ ହେଲେ। 8ଏଥିରେ ଏଲୀୟ ଆପଣା ବସ୍ତ୍ର ନେଇ ଏକତ୍ର ଗୁଡ଼ାଇ ଜଳକୁ ଆଘାତ କଲେ, ତହିଁରେ ଜଳ ଏପାଖେ ସେପାଖେ ବିଭକ୍ତ ହୋଇଯାଆନ୍ତେ, ସେ ଦୁହେଁ ଶୁଷ୍କ ଭୂମି ଦେଇ ପାର ହୋଇଗଲେ। 9ପୁଣି ସେମାନେ ପାର ହୋଇଗଲା ଉତ୍ତାରେ ଏଲୀୟ ଇଲୀଶାୟଙ୍କୁ କହିଲେ, “ମୁଁ ତୁମ୍ଭ ପାଇଁ କଅଣ କରିବି, ଏହା ମୁଁ ତୁମ୍ଭ ନିକଟରୁ ନିଆଯିବା ପୂର୍ବରୁ ମାଗ।” ତହିଁରେ ଇଲୀଶାୟ କହିଲେ, “ମୁଁ ବିନୟ କରୁଅଛି, ଆପଣଙ୍କ ଆତ୍ମାର ଦୁଇଗୁଣ ଅଂଶ ମୋʼ ଉପରେ ବର୍ତ୍ତୁ।” 10ଏଥିରେ ଏଲୀୟ କହିଲେ, “ତୁମ୍ଭେ ଦୁଃସାଧ୍ୟ ବିଷୟ ମାଗିଲ; ତଥାପି ମୁଁ ତୁମ୍ଭ ନିକଟରୁ ନିଆଯିବା ବେଳେ ଯେବେ ତୁମ୍ଭେ ମୋତେ ଦେଖିବ, ତେବେ ତୁମ୍ଭ ପ୍ରତି ତଦ୍ରୂପ ବର୍ତ୍ତିବ; ମାତ୍ର ତାହା ନ ହେଲେ, ବର୍ତ୍ତିବ ନାହିଁ।” 11ଏହିରୂପେ ସେମାନେ ଯାଉ ଯାଉ ଓ କଥାବାର୍ତ୍ତା କରୁ କରୁ ଦେଖ, ଏକ ଅଗ୍ନିମୟ ରଥ ଓ ଅଗ୍ନିମୟ ଅଶ୍ୱମାନ ଉପସ୍ଥିତ ହୋଇ ସେ ଦୁହିଁଙ୍କୁ ପୃଥକ କଲା; ପୁଣି ଏଲୀୟ ଘୂର୍ଣ୍ଣିବାୟୁରେ ସ୍ୱର୍ଗାରୋହଣ କଲେ। 12ଆଉ ଇଲୀଶାୟ ତାହା ଦେଖି ଉଚ୍ଚସ୍ୱରରେ କହିଲେ, “ହେ ଆମ୍ଭ ପିତଃ, ହେ ଆମ୍ଭ ପିତଃ, ହେ ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ!” ଏଉତ୍ତାରେ ସେ ଏଲୀୟଙ୍କୁ ଆଉ ଦେଖିଲେ ନାହିଁ; ଏଣୁ ସେ ଆପଣା ବସ୍ତ୍ର ଧରି ଦୁଇ ଖଣ୍ଡ କରି ଚିରିଲେ। 13ମଧ୍ୟ ସେ ଏଲୀୟଙ୍କଠାରୁ ପଡ଼ିଥିବା ବସ୍ତ୍ରଖଣ୍ଡ ଉଠାଇ ନେଲେ ଓ ଫେରିଯାଇ ଯର୍ଦ୍ଦନ ତୀରରେ ଠିଆ ହେଲେ। 14ପୁଣି ସେ ଏଲୀୟଙ୍କଠାରୁ ପଡ଼ିଥିବା ବସ୍ତ୍ର ନେଇ ଜଳକୁ ଆଘାତ କରି କହିଲେ, “ସଦାପ୍ରଭୁ ଏଲୀୟଙ୍କର ପରମେଶ୍ୱର କାହାନ୍ତି?” ପୁଣି ସେ ମଧ୍ୟ ଜଳକୁ ଆଘାତ କରନ୍ତେ, ତାହା ଏପାଖେ ସେପାଖେ ବିଭକ୍ତ ହୋଇଗଲା; ତହିଁରେ ଇଲୀଶାୟ ପାର ହୋଇଗଲେ।

ସନ୍ଧ୍ୟା ପ୍ରାର୍ଥନା: ପାଠ

ଦ୍ଵି.ରା 5:9–14

9ଏଣୁ ନାମାନ୍‍ ଆପଣା ଅଶ୍ୱ ଓ ରଥ ଇତ୍ୟାଦି ସହିତ ଆସି ଇଲୀଶାୟଙ୍କ ଗୃହର ଦ୍ୱାର ନିକଟରେ ଠିଆ ହେଲା। 10ତହୁଁ ଇଲୀଶାୟ ଏକ ଦୂତ ପଠାଇ ତାହାଙ୍କୁ କହିଲେ, “ତୁମ୍ଭେ ଯାଇ ଯର୍ଦ୍ଦନରେ ସାତ ଥର ସ୍ନାନ କର, ତହିଁରେ ତୁମ୍ଭର ନୂତନ ମାଂସ ହେବ ଓ ତୁମ୍ଭେ ଶୁଚି ହେବ।” 11ମାତ୍ର ନାମାନ୍‍ କ୍ରୁଦ୍ଧ ହୋଇ ଚାଲିଗଲା, ଆଉ କହିଲା, “ଦେଖ, ମୁଁ ଭାବିଥିଲି, ସେ ଅବଶ୍ୟ ବାହାରି ମୋʼ ନିକଟକୁ ଆସିବ ଓ ଠିଆ ହୋଇ ସଦାପ୍ରଭୁ ତାହାର ପରମେଶ୍ୱରଙ୍କ ନାମରେ ପ୍ରାର୍ଥନା କରି କୁଷ୍ଠ ସ୍ଥାନରେ ହସ୍ତ ହଲାଇ ତାହା ସୁସ୍ଥ କରିବ। 12ଇସ୍ରାଏଲର ସମୁଦାୟ ଜଳ ଅପେକ୍ଷା କି ଦମ୍ମେଶକର ଅବାନା ଓ ପର୍ପର ନଦୀ ଉତ୍ତମ ନୁହେଁ? ମୁଁ କି ତହିଁରେ ସ୍ନାନ କରି ଶୁଚି ହୋଇ ନ ପାରନ୍ତି?” ଏଣୁ ସେ ଫେରି କ୍ରୋଧରେ ଚାଲିଗଲା। 13ଏଥିରେ ତାହାର ଦାସମାନେ ନାମାନ୍‍ ନିକଟକୁ ଆସି କହିଲେ, “ଆମ୍ଭ ପିତଃ, ଯଦି ସେହି ଭବିଷ୍ୟଦ୍‍ବକ୍ତା କୌଣସି ବଡ଼ କାର୍ଯ୍ୟ କରିବାକୁ ଆପଣଙ୍କୁ ଆଜ୍ଞା କରିଥାʼନ୍ତେ, ତେବେ କି ଆପଣ ତାହା କରି ନ ଥାଆନ୍ତେ? ତେବେ ସ୍ନାନ କରି ଶୁଚି ହୁଅ, ଏହି କଥା ଯେତେବେଳେ ସେ ଆପଣଙ୍କୁ କହନ୍ତି, ତାହା ମାନିବା କେତେ ଅଧିକ କର୍ତ୍ତବ୍ୟ।” 14ତହୁଁ ସେ ପରମେଶ୍ୱରଙ୍କ ଲୋକଙ୍କ ବାକ୍ୟାନୁସାରେ ଯାଇ ଯର୍ଦ୍ଦନରେ ଆପଣାକୁ ସାତ ଥର ବୁଡ଼ାଇଲା; ଏଥିରେ ତାହାର ମାଂସ ପୁନର୍ବାର କ୍ଷୁଦ୍ର ବାଳକର ମାଂସ ତୁଲ୍ୟ ହେଲା ଓ ସେ ଶୁଚି ହେଲା।

ସନ୍ଧ୍ୟା ପ୍ରାର୍ଥନା: ପାଠ

ଯିଶା 1:16–20

16ତୁମ୍ଭେମାନେ ଆପଣାମାନଙ୍କୁ ଧୌତ କର, ଆପଣାମାନଙ୍କୁ ଶୁଚି କର; ଆମ୍ଭ ଦୃଷ୍ଟିରୁ ଆପଣାମାନଙ୍କର କ୍ରିୟାର ମନ୍ଦତା ଦୂର କର; କୁକ୍ରିୟା କରିବାରୁ ନିବୃତ୍ତ ହୁଅ; 17ସୁକ୍ରିୟା କରିବାକୁ ଶିଖ; ନ୍ୟାୟବିଚାର ଚେଷ୍ଟା କର, ଉପଦ୍ରବଗ୍ରସ୍ତମାନଙ୍କର ସାହାଯ୍ୟ କର, ପିତୃହୀନମାନଙ୍କର ନ୍ୟାୟବିଚାର କର, ବିଧବାମାନଙ୍କ ପକ୍ଷରେ ପ୍ରତିବାଦ କର।” 18ସଦାପ୍ରଭୁ କହନ୍ତି, “ଆସ, ଆମ୍ଭେମାନେ ଉତ୍ତର ପ୍ରତ୍ୟୁତ୍ତର କରୁ; ତୁମ୍ଭମାନଙ୍କର ପାପସବୁ ସିନ୍ଦୂର ବର୍ଣ୍ଣ ପରି ହେଲେ ହେଁ ହିମ ପରି ଶୁକ୍ଳବର୍ଣ୍ଣ ହେବ; ସେହି ସବୁ ଲୋହିତବର୍ଣ୍ଣ ପରି ରଙ୍ଗ ହେଲେ ହେଁ ମେଷଲୋମ ପରି ହେବ। 19ଯଦି ତୁମ୍ଭେମାନେ ସମ୍ମତ ଓ ଆଜ୍ଞାବହ ହେବ, ତେବେ ଦେଶର ଉତ୍ତମ ଫଳ ଭୋଗ କରିବ। 20ମାତ୍ର ଯଦି ତୁମ୍ଭେମାନେ ଅସମ୍ମତ ଓ ବିରୁଦ୍ଧାଚାରୀ ହେବ, ତେବେ ଖଡ୍ଗଭୁକ୍ତ ହେବ; କାରଣ ସଦାପ୍ରଭୁଙ୍କ ମୁଖ ଏହା କହିଅଛି।”

ସନ୍ଧ୍ୟା ପ୍ରାର୍ଥନା: ପାଠ

ଆଦି 32:1–10

1ତହିଁ ଉତ୍ତାରେ ଯାକୁବ ଯାତ୍ରା କରନ୍ତେ, ପରମେଶ୍ୱରଙ୍କ ଦୂତଗଣ ତାହା ସଙ୍ଗେ ଭେଟିଲେ। 2ସେଥିପାଇଁ ଯାକୁବ ସେମାନଙ୍କୁ ଦେଖି କହିଲା, “ଏମାନେ ପରମେଶ୍ୱରଙ୍କ ଦଳ;” ଏଥିପାଇଁ ସେହି ସ୍ଥାନର ନାମ ମହନୟିମ (ଦୁଇ ଦଳ) ରଖିଲା। 3ତହିଁ ଉତ୍ତାରେ ଯାକୁବ ଆପଣା ଆଗେ ସେୟୀର ଦେଶସ୍ଥ ଇଦୋମ ଅଞ୍ଚଳରେ ଭ୍ରାତା ଏଷୌ ନିକଟକୁ ଦୂତମାନଙ୍କୁ ପ୍ରେରଣ କଲା। 4ପୁଣି, ସେ ସେମାନଙ୍କୁ ଏହି ଆଜ୍ଞା ଦେଲା, “ତୁମ୍ଭେମାନେ ଆମ୍ଭର ପ୍ରଭୁ ଏଷୌଙ୍କୁ କହିବ, ଆପଣଙ୍କ ଦାସ ଯାକୁବ ଆପଣଙ୍କୁ ଜଣାଇଲା, ‘ମୁଁ ଲାବନ ପାଖରେ ପ୍ରବାସ କରୁଥିଲି, ଆଜି ପର୍ଯ୍ୟନ୍ତ ମୋହର ବିଳମ୍ବ ହେଲା। 5ମୋହର ଗୋରୁ, ଗଧ, ମେଷପଲ ଓ ଦାସଦାସୀ ଅଛନ୍ତି, ପୁଣି, ମୁଁ ଆପଣା ପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇବା ନିମନ୍ତେ ଆପଣଙ୍କ ନିକଟକୁ ସମ୍ବାଦ ପଠାଇଲି।’” 6ଏଥିଉତ୍ତାରେ ଦୂତମାନେ ଫେରିଆସି ଯାକୁବକୁ କହିଲେ, “ଆମ୍ଭେମାନେ ଆପଣଙ୍କ ଭ୍ରାତା ଏଷୌ ନିକଟକୁ ଯାଇଥିଲୁ, ସେ ଚାରି ଶହ ଲୋକ ସଙ୍ଗରେ ଘେନି ଆପଣଙ୍କ ସହିତ ଦେଖା କରିବାକୁ ଆସୁଅଛନ୍ତି।” 7ତହିଁରେ ଯାକୁବ ଅତିଶୟ ଭୀତ ଓ ଉଦ୍‍ବିଗ୍ନ ହେଲା, ପୁଣି, ସଙ୍ଗୀ ଲୋକମାନଙ୍କୁ ଓ ଗୋମେଷାଦି ସମସ୍ତ ପଲ ଓ ଓଟମାନଙ୍କୁ ଭିନ୍ନ ଭିନ୍ନ ଦୁଇ ଦଳ କରି କହିଲା, 8“ଏଷୌ ଆସି ଯଦି ଏକ ଦଳକୁ ପ୍ରହାର କରିବ, ତଥାପି ଅନ୍ୟ ଦଳ ବଞ୍ଚି ପଳାଇଯିବେ,” 9ସେତେବେଳେ ଯାକୁବ କହିଲା, “ହେ ମୋହର ପିତା ଅବ୍ରହାମଙ୍କର ପରମେଶ୍ୱର, ହେ ମୋହର ପିତା ଇସ୍‌ହାକଙ୍କର ପରମେଶ୍ୱର, ହେ ସଦାପ୍ରଭୋ, ତୁମ୍ଭେ ମୋତେ କହିଥିଲ, ‘ତୁମ୍ଭେ ଆପଣା ଦେଶ ଓ ଜ୍ଞାତିମାନଙ୍କ ନିକଟକୁ ଫେରିଯାଅ, ତହିଁରେ ଆମ୍ଭେ ତୁମ୍ଭର ମଙ୍ଗଳ କରିବା।’ 10ତୁମ୍ଭେ ଏହି ଦାସ ପ୍ରତି ଯେଉଁ ସମସ୍ତ ଦୟା ଓ ଯେଉଁ ସମସ୍ତ ବିଶ୍ୱସ୍ତତା ପ୍ରକାଶ କରିଅଛ, ମୁଁ ତହିଁର ଅଳ୍ପ ମଧ୍ୟ ପାଇବାର ଯୋଗ୍ୟ ନୁହେଁ; ଯେହେତୁ ମୁଁ ନିଜର ଯଷ୍ଟି ମାତ୍ର ଘେନି ଏହି ଯର୍ଦ୍ଦନ ପାର ହୋଇଥିଲି, ମାତ୍ର ଏବେ ମୁଁ ଦୁଇ ଦଳ ହୋଇଅଛି।

ସନ୍ଧ୍ୟା ପ୍ରାର୍ଥନା: ପାଠ

ଯାତ୍ରା 2:5–10

5ଏଥିଉତ୍ତାରେ ଫାରୋଙ୍କ କନ୍ୟା ସ୍ନାନ ନିମନ୍ତେ ନଦୀକୁ ଆସନ୍ତେ, ତାହାର ସହଚରୀଗଣ ନଦୀ ତୀରରେ ଭ୍ରମଣ କରୁଥିଲେ। ଏଥିମଧ୍ୟରେ ସେ ନଳବନରେ ଗୋଟିଏ ପେଡ଼ି ଦେଖି ତାହା ଆଣିବାକୁ ଆପଣା ଦାସୀକୁ ପଠାଇଲା। 6ସେ ପେଡ଼ି ଫିଟାଇ ସେହି ବାଳକକୁ ଦେଖିଲା; ଆଉ ଦେଖ, ସେହି ବାଳକଟି କାନ୍ଦୁଅଛି; ତହିଁରେ ସେ ଦୟା ବହି କହିଲା, “ଏଇଟି ଜଣେ ଏବ୍ରୀୟ ବାଳକ।” 7ସେତେବେଳେ ତାହାର ଭଗିନୀ ଫାରୋଙ୍କର କନ୍ୟାକୁ କହିଲା, “ମୁଁ ଯାଇ ଆପଣଙ୍କ ନିମନ୍ତେ ଏହି ବାଳକକୁ ସ୍ତନ୍ୟପାନ କରାଇବା ପାଇଁ କି ଏବ୍ରୀୟା ସ୍ତ୍ରୀଗଣ ମଧ୍ୟରୁ ଜଣେ ଧାତ୍ରୀକୁ ଡାକି ଆଣିବି?” 8ତହିଁରେ ଫାରୋଙ୍କର କନ୍ୟା କହିଲା, “ଯାଅ,” ତହୁଁ ସେ ବାଳିକା ଯାଇ ସେହି ବାଳକର ମାତାକୁ ଡାକି ଆଣିଲା। 9ତେବେ ଫାରୋଙ୍କର କନ୍ୟା ତାହାଙ୍କୁ କହିଲା, “ତୁମ୍ଭେ ଏ ବାଳକକୁ ନେଇ ମୋʼ ନିମନ୍ତେ ସ୍ତନ୍ୟପାନ କରାଅ; ମୁଁ ତୁମ୍ଭକୁ ବେତନ ଦେବି,” ତହିଁରେ ସେହି ସ୍ତ୍ରୀ ବାଳକକୁ ନେଇ ସ୍ତନ୍ୟପାନ କରାଇଲା। 10ଏଥିଉତ୍ତାରେ ବାଳକ ବଢ଼ନ୍ତେ, ସେ ତାକୁ ନେଇ ଫାରୋଙ୍କର କନ୍ୟାକୁ ଦେଲା। ତହିଁରେ ବାଳକ ତାହାର ପୁତ୍ର ହେଲା। ତେଣୁ ସେ ତାହାର ନାମ ମୋଶା ଦେଲା; “କାରଣ ସେ କହିଲା, ମୁଁ ଜଳରୁ ଏହାକୁ ଆକର୍ଷଣ କଲି।”

ସନ୍ଧ୍ୟା ପ୍ରାର୍ଥନା: ପାଠ

ବିଚାର 6:36–40

36ଏଉତ୍ତାରେ ଗିଦିୟୋନ୍‍ ପରମେଶ୍ୱରଙ୍କୁ କହିଲେ, “ଯେବେ ତୁମ୍ଭେ ଆପଣା ବାକ୍ୟ ପ୍ରମାଣେ ମୋʼ ହସ୍ତ ଦ୍ୱାରା ଇସ୍ରାଏଲକୁ ଉଦ୍ଧାର କରିବ, 37ତେବେ ଦେଖ, ମୁଁ ଖଳାରେ ଗଦାଏ ମେଷଲୋମ ରଖିବି; ଯେବେ କେବଳ ସେହି ଲୋମଗଦା ଉପରେ କାକର ପଡ଼େ ଓ ସମସ୍ତ ଭୂମି ଶୁଷ୍କ ରହେ, ତେବେ ତୁମ୍ଭେ ଆପଣା ବାକ୍ୟାନୁସାରେ ମୋʼ ହସ୍ତ ଦ୍ୱାରା ଇସ୍ରାଏଲକୁ ଉଦ୍ଧାର କରିବ ବୋଲି ମୁଁ ଜାଣିବି।” 38ତହିଁରେ ସେରୂପ ହେଲା; ସେ ପରଦିନ ପ୍ରଭାତରେ ଉଠି ସେହି ଲୋମ ଏକତ୍ର ଚିପି କାକର ଚିପୁଡ଼ନ୍ତେ, ଲୋମରୁ ପୂର୍ଣ୍ଣ ଏକ ପାତ୍ର ଜଳ ବାହାରିଲା। 39ସେତେବେଳେ ଗିଦିୟୋନ୍‍ ପରମେଶ୍ୱରଙ୍କୁ କହିଲେ, “ମୋʼ ପ୍ରତିକୂଳରେ ତୁମ୍ଭର କ୍ରୋଧ ପ୍ରଜ୍ୱଳିତ ନ ହେଉ, ମୁଁ ଏହି ଥରକ ମାତ୍ର କହିବି; ବିନୟ କରୁଅଛି; ଏହି ଲୋମ ଦ୍ୱାରା ମୋତେ ଏହି ଥରକ ମାତ୍ର ପରୀକ୍ଷା ନେବାକୁ ଦିଅ; ବିନୟ କରୁଅଛି, କେବଳ ଲୋମ ଉପରେ ଶୁଷ୍କତା ହେଉ ଓ ସମସ୍ତ ଭୂମି ଉପରେ କାକର ପଡ଼ୁ।” 40ତହୁଁ ପରମେଶ୍ୱର ସେହି ରାତ୍ରି ସେରୂପ କଲେ; କେବଳ ଲୋମ ଉପରେ ଶୁଷ୍କତା ହେଲା ଓ ସମସ୍ତ ଭୂମିରେ କାକର ପଡ଼ିଲା।

ସନ୍ଧ୍ୟା ପ୍ରାର୍ଥନା: ପାଠ

ପ୍ର.ରା 18:30–39

30ଏଥିରେ ଏଲୀୟ ସମଗ୍ର ଲୋକଙ୍କୁ କହିଲେ, “ମୋʼ ନିକଟକୁ ଆସ,” ତହୁଁ ସମଗ୍ର ଲୋକ ତାଙ୍କ ନିକଟକୁ ଆସିଲେ। ତହିଁରେ ସେ ସଦାପ୍ରଭୁଙ୍କ ଉତ୍ପାଟିତ ଯଜ୍ଞବେଦି ପୁନଃନିର୍ମାଣ କଲେ। 31ପୁଣି, ଯେଉଁ ଯାକୁବ ନିକଟରେ “ତୁମ୍ଭର ନାମ ଇସ୍ରାଏଲ ହେବ” ବୋଲି ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହୋଇଥିଲା, ତାହାର ପୁତ୍ରମାନଙ୍କ ଗୋଷ୍ଠୀର ସଂଖ୍ୟାନୁସାରେ ଏଲୀୟ ବାର ପଥର ନେଲେ। 32ଆଉ ସେହି ପଥର ସବୁରେ ସେ ସଦାପ୍ରଭୁଙ୍କ ନାମରେ ଏକ ଯଜ୍ଞବେଦି ନିର୍ମାଣ କରି ଯଜ୍ଞବେଦିର ଚାରିଆଡ଼େ ଦୁଇ ମହଣ ବିହନ ଧରୁଥିବା ଭଳି ଖାଇ ନିର୍ମାଣ କଲେ। 33ତହୁଁ ସେ କାଷ୍ଠ ସଜାଇ ବୃଷକୁ ଖଣ୍ଡ ଖଣ୍ଡ କରି କାଟି କାଷ୍ଠ ଉପରେ ଥୋଇଲେ। ଆଉ ସେ କହିଲେ, “ଚାରି କଳସ ଜଳରେ ପୂର୍ଣ୍ଣ କରି ହୋମାର୍ଥକ ବଳି ଓ କାଷ୍ଠ ଉପରେ ତାହା ଢାଳ।” 34ପୁଣି, ସେ କହିଲେ, “ଦ୍ୱିତୀୟ ଥର ତାହା କର,” ତହୁଁ ସେମାନେ ଦ୍ୱିତୀୟ ଥର ତାହା କଲେ। ଆହୁରି ସେ କହିଲେ, “ତୃତୀୟ ଥର ତାହା କର,” ତହୁଁ ସେମାନେ ତୃତୀୟ ଥର ତାହା କଲେ। 35ତହିଁରେ ଯଜ୍ଞବେଦିର ଚାରିଆଡ଼େ ଜଳ ବହିଗଲା; ଏଲୀୟ ଖାଇକୁ ମଧ୍ୟ ଜଳରେ ପୂର୍ଣ୍ଣ କଲେ। 36ଏଉତ୍ତାରେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ସମୟରେ ଏଲୀୟ ଭବିଷ୍ୟଦ୍‍ବକ୍ତା ନିକଟବର୍ତ୍ତୀ ହୋଇ କହିଲେ, “ହେ ସଦାପ୍ରଭୋ, ଅବ୍ରହାମର ଓ ଇସ୍‌ହାକର ଓ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଯେ ଇସ୍ରାଏଲ ମଧ୍ୟରେ ପରମେଶ୍ୱର ଅଟ ଓ ମୁଁ ଯେ ତୁମ୍ଭର ସେବକ ଓ ମୁଁ ଯେ ତୁମ୍ଭ ବାକ୍ୟ ପ୍ରମାଣେ ଏହିସବୁ କାର୍ଯ୍ୟ କରିଅଛି, ଏହା ଆଜି ଜଣାଯାଉ।” 37ତୁମ୍ଭେ ସଦାପ୍ରଭୁ ଯେ ପରମେଶ୍ୱର ଅଟ ଓ ତୁମ୍ଭେ ଯେ ସେମାନଙ୍କର ଅନ୍ତଃକରଣ ଫେରାଇଅଛ, ଏହା ଏହି ଲୋକମାନେ ଯେପରି ଜାଣି ପାରିବେ, ଏଥିପାଇଁ ମୋʼ କଥା ଶୁଣ, ହେ ସଦାପ୍ରଭୋ, ମୋʼ କଥା ଶୁଣ। 38ସେତେବେଳେ ସଦାପ୍ରଭୁଙ୍କ ଅଗ୍ନି ପତିତ ହୋଇ ହୋମାର୍ଥକ ବଳି, କାଷ୍ଠ, ପ୍ରସ୍ତରସବୁ, ଧୂଳି ଗ୍ରାସ କରି ଖାଇରେ ଥିବା ଜଳ ଚାଟି ପକାଇଲା। 39ଏଥିରେ ସମଗ୍ର ଲୋକ ଏହା ଦେଖି ମୁହଁ ମାଡ଼ି ପଡ଼ି କହିଲେ, “ସଦାପ୍ରଭୁ ହିଁ ପରମେଶ୍ୱର, ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି।”

ସନ୍ଧ୍ୟା ପ୍ରାର୍ଥନା: ପାଠ

ଦ୍ଵି.ରା 2:19–22

19ଏଥିଉତ୍ତାରେ ନଗରସ୍ଥ ଲୋକମାନେ ଇଲୀଶାୟଙ୍କୁ କହିଲେ, “ଦେଖନ୍ତୁ, ଆମ୍ଭେମାନେ ବିନୟ କରୁଅଛୁ, ଆମ୍ଭମାନଙ୍କ ପ୍ରଭୁ ଦେଖୁଅଛନ୍ତି ଯେ, ଏହି ନଗରର ସ୍ଥାନ ମନୋରମ; ମାତ୍ର ଜଳ ମନ୍ଦ ଓ ଭୂମି ଫଳନାଶକ।” 20ତହିଁରେ ସେ କହିଲେ, “ମୋʼ ନିକଟକୁ ଗୋଟିଏ ନୂତନ ପାତ୍ର ଆଣ ଓ ତହିଁରେ ଲବଣ ଦିଅ।” ତହୁଁ ସେମାନେ ତାଙ୍କ ନିକଟକୁ ତାହା ଆଣିଲେ। 21ଏଥିରେ ସେ ଜଳ ନିର୍ଝର ନିକଟକୁ ଗଲେ ଓ ତହିଁରେ ଲବଣ ପକାଇ କହିଲେ, ସଦାପ୍ରଭୁ ଏହି କଥା କହନ୍ତି, “ମୁଁ ଏହି ଜଳ ଭଲ କଲି; ତାହା ମୃତ୍ୟୁଜନକ ଅବା ଫଳନାଶକ ଆଉ ହେବ ନାହିଁ।” 22ଏହିରୂପେ ଇଲୀଶାୟଙ୍କର ଉକ୍ତ ବାକ୍ୟାନୁସାରେ ସେହି ଜଳ ଆଜି ପର୍ଯ୍ୟନ୍ତ ଭଲ ହୋଇଅଛି।

ସନ୍ଧ୍ୟା ପ୍ରାର୍ଥନା: ପାଠ

ଯିଶା 49:8–15

8ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଗ୍ରାହ୍ୟ ସମୟରେ ତୁମ୍ଭକୁ ଉତ୍ତର ଦେଇଅଛୁ ଓ ପରିତ୍ରାଣ ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କରିଅଛୁ; ପୁଣି, ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ଦେଶର ଉନ୍ନତି ସାଧନ ନିମନ୍ତେ, ଲୋକମାନଙ୍କୁ ସେମାନଙ୍କର ଧ୍ୱଂସିତ ଉତ୍ତରାଧିକାର ଭୋଗ କରାଇବା ନିମନ୍ତେ ଆମ୍ଭେ ତୁମ୍ଭକୁ ଲୋକମାନଙ୍କର ନିୟମ ସ୍ୱରୂପ ନିଯୁକ୍ତ କରିବା; 9ତୁମ୍ଭେ ‘ବନ୍ଦୀଗଣକୁ ବାହାରି ଯାଅ’ ବୋଲି, ଅନ୍ଧକାରସ୍ଥିତ ଲୋକମାନଙ୍କୁ ‘ଆପଣାମାନଙ୍କୁ ଦେଖାଅ’ ବୋଲି କହିବ। ସେମାନେ ପଥରେ ଚରିବେ ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀସକଳ ସେମାନଙ୍କର ଚରାସ୍ଥାନ ହେବ। 10ସେମାନେ କ୍ଷୁଧାର୍ତ୍ତ କି ତୃଷାର୍ତ୍ତ ହେବେ ନାହିଁ; କିଅବା ଗ୍ରୀଷ୍ମ ଅଥବା ସୂର୍ଯ୍ୟତାପ ସେମାନଙ୍କୁ କାଟିବ ନାହିଁ; କାରଣ ଯେ ସେମାନଙ୍କୁ ଦୟା କରନ୍ତି, ସେ ସେମାନଙ୍କୁ ଚଳାଇବେ, ଜଳ ନିର୍ଝର ନିକଟ ଦେଇ ସେ ସେମାନଙ୍କୁ କଢ଼ାଇ ନେବେ। 11ପୁଣି, ଆମ୍ଭେ ଆପଣାର ପର୍ବତସବୁକୁ ଏକ ପଥ କରିବା ଓ ଆମ୍ଭର ରାଜପଥସକଳ ଉଚ୍ଚ କରାଯିବ। 12ଦେଖ, ଏମାନେ ଦୂରରୁ ଆସିବେ; ଆଉ ଦେଖ, ଏମାନେ ଉତ୍ତର ଓ ପଶ୍ଚିମ ଦିଗରୁ ଆସିବେ; ପୁଣି, ଏମାନେ ସୀନୀମ୍‍ ଦେଶରୁ ଆସିବେ।” 13ହେ ଆକାଶମଣ୍ଡଳ, ଗାନ କର; ହେ ପୃଥିବୀ, ଉଲ୍ଲସିତ ହୁଅ; ହେ ପର୍ବତମାଳ, ଉଚ୍ଚସ୍ୱରେ ଗାନ କର; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି ଓ ଆପଣାର କ୍ଳିଷ୍ଟ ଲୋକମାନଙ୍କୁ କରୁଣା କରିବେ। 14ମାତ୍ର ସିୟୋନ କହିଲା, “ସଦାପ୍ରଭୁ ମୋତେ ତ୍ୟାଗ କରିଅଛନ୍ତି, ପ୍ରଭୁ ମୋତେ ପାସୋରିଅଛନ୍ତି।” 15“ସ୍ତ୍ରୀଲୋକ ଆପଣା ଗର୍ଭଜାତ ପୁତ୍ରକୁ ସ୍ନେହ ନ କରି କି ଆପଣା ସ୍ତନ୍ୟପାୟୀ ଶିଶୁକୁ ପାସୋରି ପାରିବ? ହଁ, ଏମାନେ ପାସୋରି ପାରନ୍ତି, ତଥାପି ଆମ୍ଭେ ତୁମ୍ଭକୁ ପାସୋରିବା ନାହିଁ।

ପତ୍ର (ଈଶ୍ବରପ୍ରକାଶର ପୂର୍ବସନ୍ଧ୍ୟା ପାଇଁ)

ପ୍ର.କରି 9:19–27

19କାରଣ ଯେପରି ମୁଁ ଅଧିକ ସଂଖ୍ୟକ ଲୋକ ଲାଭ କରିପାରେ, ଏଥିପାଇଁ ମୁଁ କାହାରି ଅଧୀନ ନ ହେଲେ ହେଁ ନିଜକୁ ସମସ୍ତଙ୍କ ଦାସ କଲି। 20ଯେପରି ମୁଁ ଯିହୁଦୀମାନଙ୍କୁ ଲାଭ କରିପାରେ, ଏଥିପାଇଁ ଯିହୁଦୀମାନଙ୍କ ନିକଟରେ ମୁଁ ଯିହୁଦୀ ପରି ହେଲି; ଯେପରି ମୋଶାଙ୍କ ବ୍ୟବସ୍ଥା ଅଧୀନରେ ଥିବା ଲୋକମାନଙ୍କୁ ଲାଭ କରିପାରେ, ଏଥିପାଇଁ ମୁଁ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନ ହେଲେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ଅଧୀନ ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥା ଅଧୀନର ପରି ହେଲି। 21ଯେପରି ମୁଁ ମୋଶାଙ୍କ ବ୍ୟବସ୍ଥାବିହୀନ ଲୋକମାନଙ୍କୁ ଲାଭ କରିପାରେ, ଏଥିପାଇଁ ମୁଁ ଈଶ୍ବରଙ୍କ ବ୍ୟବସ୍ଥାବିହୀନ ନ ହୋଇ ଏବଂ ଖ୍ରୀଷ୍ଟଙ୍କ ବ୍ୟବସ୍ଥାର ଅନୁଗତ ହେଲେ ହେଁ ମୋଶାଙ୍କ ବ୍ୟବସ୍ଥାବିହୀନ ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥାବିହୀନ ପରି ହେଲି। 22ଯେପରି ମୁଁ ଦୁର୍ବଳମାନଙ୍କୁ ଲାଭ କରିପାରେ, ଏଥିପାଇଁ ମୁଁ ଦୁର୍ବଳମାନଙ୍କ ନିକଟରେ ଦୁର୍ବଳ ପରି ହେଲି; ଯେପରି ମୁଁ ଯେକୌଣସି ପ୍ରକାରେ କେତେକଙ୍କୁ ରକ୍ଷା କରିପାରେ, ଏଥିପାଇଁ ମୁଁ ସମସ୍ତଙ୍କ ନିକଟରେ ସବୁପ୍ରକାର ହୋଇଅଛି। 23ମୁଁ ଯେପରି ସୁସମାଚାରର ଆଶୀର୍ବାଦର ସହଭାଗୀ ହୁଏ, ଏଥିପାଇଁ ମୁଁ ସୁସମାଚାର ନିମନ୍ତେ ସବୁ କରେ। 24ଯେଉଁମାନେ ରଙ୍ଗଭୂମିରେ ଦୌଡ଼ନ୍ତି, ସେମାନେ ସମସ୍ତେ ଦୌଡ଼ନ୍ତି ସତ, କିନ୍ତୁ କେବଳ ଜଣେ ଯେ ପଣ ପାଏ, ଏହା କି ତୁମ୍ଭେମାନେ ଜାଣ ନାହିଁ? ତୁମ୍ଭେମାନେ ଯେପରି ପଣ ପାଇବ, ଏଥିପାଇଁ ସେହିପରି ଦୌଡ଼। 25ଯେ କେହି କ୍ରୀଡ଼ାରେ ପ୍ରତିଦ୍ୱନ୍ଦିତା କରେ, ସେ ସମସ୍ତ ବିଷୟରେ ପରିମିତଭୋଗୀ ହୁଏ; ସେମାନେ କ୍ଷୟଣୀୟ ମୁକୁଟ ପାଇବା ନିମନ୍ତେ ତାହା କରନ୍ତି; ମାତ୍ର ଆମ୍ଭେମାନେ ଅକ୍ଷୟ ମୁକୁଟ ପାଇବା ନିମନ୍ତେ ତାହା କରୁ। 26ଅତଏବ ମୁଁ ଦୌଡ଼ୁଅଛି, କିନ୍ତୁ ବିନାଲକ୍ଷ୍ୟରେ ନୁହେଁ, ମୁଁ ମୁଷ୍ଟିଯୁଦ୍ଧ କରୁଅଛି, କିନ୍ତୁ ଶୂନ୍ୟକୁ ଆଘାତ କରିବା ଲୋକ ପରି ନୁହେଁ। 27ଅନ୍ୟ ଲୋକମାନଙ୍କ ନିକଟରେ ପ୍ରଚାର କରି କାଳେ ମୁଁ ନିଜେ କୌଣସି ପ୍ରକାରେ ଅଗ୍ରାହ୍ୟ ହୁଏ, ଏଥିପାଇଁ ମୋହର ନିଜ ଶରୀରକୁ କଷ୍ଟ ଦେଇ ବଶରେ ଦାସ କରି ରଖୁଅଛି।

ସୁସମାଚାର (ଈଶ୍ବରପ୍ରକାଶର ପୂର୍ବସନ୍ଧ୍ୟା ପାଇଁ)

ଲୂକ 3:1–18

1ତିବିରୀୟା କାଇସରଙ୍କ ଶାସନର ପନ୍ଦର ବର୍ଷରେ, ଯେତେବେଳେ ପନ୍ତିୟ ପୀଲାତ ଯିହୂଦିୟା ପ୍ରଦେଶର ଶାସନକର୍ତ୍ତା ଓ ହେରୋଦ ଗାଲିଲୀର ସାମନ୍ତରାଜା ଥିଲେ, ଆଉ ତାହାଙ୍କ ଭାଇ ଫିଲିପ୍ପ ଈତୂରୀୟା ଓ ତ୍ରାଖୋନୀତି ପ୍ରଦେଶର, ପୁଣି, ଲୂସାନୀୟା ଅବିଲୀନୀର ସାମନ୍ତରାଜା ଥିଲେ 2ଏବଂ ହାନାନ ଓ କୟାଫା ମହାଯାଜକ ଥିଲେ, ସେତେବେଳେ ଈଶ୍ବରଙ୍କ ବାକ୍ୟ ପ୍ରାନ୍ତରରେ ଜିଖରୀୟଙ୍କ ପୁତ୍ର ଯୋହନଙ୍କ ନିକଟରେ ଉପସ୍ଥିତ ହେଲା। 3ସେଥିରେ ସେ ଯର୍ଦ୍ଦନ ନଦୀର ନିକଟବର୍ତ୍ତୀ ସମସ୍ତ ଅଞ୍ଚଳକୁ ଯାଇ ପାପ କ୍ଷମା ନିମନ୍ତେ ମନ-ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ, 4ଯେପରି ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରରେ ଲିଖିତ ଅଛି, ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜପଥ ସଳଖ କର; 5ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରାଯିବ, ପୁଣି, ପ୍ରତ୍ୟେକ ପର୍ବତ ଓ ଉପପର୍ବତ ନୀଚ କରାଯିବ, ବକ୍ର ପଥସବୁ ସିଧା ହେବ, ଆଉ ଉଚ୍ଚ ନୀଚ ଭୂମି ସମତଳ ପଥରେ ପରିଣତ ହେବ; 6ପୁଣି, ସମସ୍ତ ମନୁଷ୍ୟ ଈଶ୍ବରଙ୍କ ପରିତ୍ରାଣ ଦେଖିବେ। 7ଅତଏବ, ଯୋହନ ତାହାଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ବାହାରି ଆସୁଥିବା ଲୋକସମୂହକୁ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା? 8ଏଣୁ ମନ-ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର; ପୁଣି, ଅବ୍ରହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ସୁଦ୍ଧା ଏପରି କୁହ ନାହିଁ; କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବର ଏହି ପଥରଗୁଡ଼ାକରୁ ଅବ୍ରହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିପାରନ୍ତି। 9ଆଉ, ଏବେ ସୁଦ୍ଧା ଗଛଗୁଡ଼ାକ ମୂଳରେ କୁରାଢ଼ୀ ଲାଗିଅଛି; ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ। 10ଏଥିରେ ଲୋକସମୂହ ତାହାଙ୍କୁ ପଚାରିବାକୁ ଲାଗିଲେ, ତାହାହେଲେ ଆମ୍ଭେମାନେ କଅଣ କରିବା? 11ସେ ସେମାନଙ୍କୁ ଉତ୍ତର ଦେଲେ, ଯାହାର ଦୁଇଟି ଅଙ୍ଗରଖା ଅଛି, ସେ ଯାହାର ନାହିଁ, ତାହାକୁ ଗୋଟିଏ ଦେଉ; ପୁଣି, ଯାହାର ଖାଦ୍ୟ ଅଛି, ସେ ସେହିପରି କରୁ। 12କରଗ୍ରାହୀମାନେ ମଧ୍ୟ ବାପ୍ତିସ୍ମ ପାଇବାକୁ ଆସି ତାହାଙ୍କୁ ପଚାରିଲେ, ହେ ଗୁରୁ, ଆମ୍ଭେମାନେ କଅଣ କରିବା? 13ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଯେତିକି ନିୟମ ଅଛି, ତାହାଠାରୁ ଅଧିକ ଆଦାୟ କର ନାହିଁ। 14ସୈନିକମାନେ ମଧ୍ୟ ତାହାଙ୍କୁ ପଚାରିବାକୁ ଲାଗିଲେ, ଆଉ ଆମ୍ଭେମାନେ କଅଣ କରିବା? ସେ ସେମାନଙ୍କୁ କହିଲେ, ବଳରେ କି ଛଳରେ କାହାର ଧନ ହରଣ କର ନାହିଁ, ପୁଣି, ତୁମ୍ଭମାନଙ୍କ ବେତନରେ ସନ୍ତୁଷ୍ଟ ହୋଇଥାଅ। 15ଲୋକେ ଅପେକ୍ଷାରେ ଥିବାରୁ ଓ ଯୋହନ କେଜାଣି ଖ୍ରୀଷ୍ଟ ହେବେ, ଏହା ତାହାଙ୍କ ବିଷୟରେ ସମସ୍ତେ ଆପଣା ଆପଣା ମନରେ ତର୍କବିତର୍କ କରୁଥିବାରୁ, 16ଯୋହନ ସମସ୍ତଙ୍କୁ ଉତ୍ତର ଦେଲେ, ମୁଁ ସିନା ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋʼଠାରୁ ଯେ ଅଧିକ ଶକ୍ତିମାନ, ସେ ଆସୁଅଛନ୍ତି, ତାହାଙ୍କର ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। 17ଆପଣା ଖଳା ଉତ୍ତମ ରୂପେ ପରିଷ୍କାର କରିବା ନିମନ୍ତେ ଓ ନିଜ ଅମାରରେ ଗହମ ସଂଗ୍ରହ କରି ରଖିବା ନିମନ୍ତେ ତାହାଙ୍କ ହାତରେ କୁଲା ଅଛି, କିନ୍ତୁ ଅଗାଡ଼ିଯାକ ସେ ଅନନ୍ତ ଅଗ୍ନିରେ ପୋଡ଼ିପକାଇବେ। 18ସେ ଏହିପରି ଅନେକ ଉପଦେଶ ଦେଇ, ପୁଣି, ବିଭିନ୍ନ ପ୍ରକାର ଉତ୍ସାହଜନକ ବାକ୍ୟ କହି ଲୋକଙ୍କ ନିକଟରେ ସୁସମ୍ବାଦ ପ୍ରଚାର କରୁଥିଲେ;

ଜଳର ମହା ଆଶୀର୍ବାଦ

ଯିଶା 35:1–10

1ପ୍ରାନ୍ତର ଓ ଶୂନ୍ୟସ୍ଥାନ ଆନନ୍ଦିତ ହେବ; ଆଉ, ମରୁଭୂମି ଉଲ୍ଲସିତ ହୋଇ ଗୋଲାପ ତୁଲ୍ୟ ପ୍ରଫୁଲ୍ଲ ହେବ। 2ତାହା ଅତିଶୟ ପ୍ରଫୁଲ୍ଲ ହେବ, ପୁଣି ଆନନ୍ଦ ଓ ଗାନ କରି ଉଲ୍ଲସିତ ହେବ; ଲିବାନୋନର ପ୍ରତାପ, କର୍ମିଲ ଓ ଶାରୋଣର ଶୋଭା ତାହାକୁ ଦତ୍ତ ହେବ; ସେମାନେ ସଦାପ୍ରଭୁଙ୍କର ପ୍ରତାପ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କର ଶୋଭା ଦେଖିବେ। 3ତୁମ୍ଭେମାନେ ଦୁର୍ବଳ ହସ୍ତକୁ ସବଳ କର ଓ ଥରଥର ଆଣ୍ଠୁକୁ ସୁସ୍ଥିର କର। 4ଭୀତାନ୍ତଃକରଣମାନଙ୍କୁ କୁହ, “ସାହସିକ ହୁଅ, ଭୟ କର ନାହିଁ; ଦେଖ, ତୁମ୍ଭମାନଙ୍କ ପରମେଶ୍ୱର ପ୍ରତିଶୋଧ ସହିତ, ପରମେଶ୍ୱରଙ୍କର ପ୍ରତିଫଳ ସହିତ ଆସିବେ; ସେ ଆସି ତୁମ୍ଭମାନଙ୍କର ପରିତ୍ରାଣ କରିବେ।” 5ସେତେବେଳେ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ ହେବ ଓ ବଧିରମାନଙ୍କର କର୍ଣ୍ଣ ମୁକ୍ତ ହେବ। 6ସେତେବେଳେ ନେଙ୍ଗଡ଼ା ଲୋକ ହରିଣ ପରି ଡିଆଁ ମାରିବ ଓ ଘୁଙ୍ଗାମାନଙ୍କର ଜିହ୍ୱା ଗାନ କରିବ; କାରଣ ପ୍ରାନ୍ତରରେ ଜଳ ଓ ମରୁଭୂମିରେ ସ୍ରୋତ ବାହାରିବ। 7ପୁଣି, ମୃଗତୃଷ୍ଣା ଜଳାଶୟ ହେବ ଓ ଶୁଷ୍କ ଭୂମି ନିର୍ଝରମୟ ହେବ; ଶୃଗାଳମାନଙ୍କର ନିବାସ ମଧ୍ୟରେ, ସେମାନଙ୍କର ଶୟନ ସ୍ଥାନରେ ଘାସ, ନଳ ଓ ତଣ୍ଡିବଣ ହେବ। 8ପୁଣି, ସେଠାରେ ଏକ ରାଜଦାଣ୍ଡ ଓ ପଥ ହେବ, ତାହା ପବିତ୍ରତାର ପଥ ବୋଲି ବିଖ୍ୟାତ ହେବ; ତାହା କେବଳ ସେମାନଙ୍କ ନିମନ୍ତେ ହେବ, ମାତ୍ର କୌଣସି ଅଶୁଚି ଲୋକ ତହିଁ ଉପରେ ଗମନ କରିବ ନାହିଁ; ପଥିକମାନେ ଓ ଅଜ୍ଞାନମାନେ ମଧ୍ୟ ତହିଁରେ ଭ୍ରାନ୍ତ ହେବେ ନାହିଁ। 9ସେଠାରେ କୌଣସି ସିଂହ ନ ଥିବ, କିଅବା କୌଣସି ହିଂସ୍ରକ ଜନ୍ତୁ ତହିଁ ଉପରକୁ ଯିବ ନାହିଁ, ସେମାନେ ସେଠାରେ ଦେଖାଯିବେ ନାହିଁ; ମାତ୍ର ମୁକ୍ତିପ୍ରାପ୍ତ ଲୋକମାନେ ସେଠାରେ ଗମନ କରିବେ; 10ପୁଣି, ସଦାପ୍ରଭୁଙ୍କ ନିସ୍ତାରିତ ଲୋକମାନେ ଫେରି ଆସିବେ ଓ ଗାନ କରୁ କରୁ ସିୟୋନରେ ଉପସ୍ଥିତ ହେବେ ଓ ନିତ୍ୟସ୍ଥାୟୀ ଆନନ୍ଦ ସେମାନଙ୍କର ମସ୍ତକର ଭୂଷଣ ହେବ; ସେମାନେ ଆନନ୍ଦ ଓ ଆହ୍ଲାଦ ପ୍ରାପ୍ତ ହେବେ, ପୁଣି ଶୋକ ଓ ଆର୍ତ୍ତସ୍ୱର ଦୂରକୁ ପଳାଇଯିବ।

ଜଳର ମହା ଆଶୀର୍ବାଦ

ଯିଶା 55:1–13

1“ହେ ତୃଷିତ ଲୋକସକଳ, ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଯାହାର କିଛି ଅର୍ଥ ନାହିଁ, ସେ ଆସୁ; ତୁମ୍ଭେମାନେ ଆସ, କିଣ ଓ ଭୋଜନ କର; ହଁ, ଆସ, ଅର୍ଥ ଓ ମୂଲ୍ୟ ବିନା ଦ୍ରାକ୍ଷାରସ ଓ ଦୁଗ୍ଧ କିଣ। 2ଅଖାଦ୍ୟ ଦ୍ରବ୍ୟ ନିମନ୍ତେ ତୁମ୍ଭେମାନେ କାହିଁକି ରୂପା ବ୍ୟୟ କରୁଅଛ? ଓ ଯାହା ତୃପ୍ତିକର ନୁହେଁ, ତହିଁ ପାଇଁ କାହିଁକି ତୁମ୍ଭେମାନେ ପରିଶ୍ରମ କରୁଅଛ? ମନୋଯୋଗ କରି ଆମ୍ଭର କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ଭୋଜନ କର ଓ ପୁଷ୍ଟିକର ଦ୍ରବ୍ୟରେ ତୁମ୍ଭମାନଙ୍କର ପ୍ରାଣକୁ ସନ୍ତୁଷ୍ଟ ହେବାକୁ ଦିଅ। 3କର୍ଣ୍ଣ ଡେର ଓ ଆମ୍ଭ ନିକଟକୁ ଆସ; ଶୁଣ, ତହିଁରେ ତୁମ୍ଭମାନଙ୍କର ପ୍ରାଣ ବଞ୍ଚିବ; ପୁଣି, ଆମ୍ଭେ ତୁମ୍ଭମାନଙ୍କ ସହିତ ଏକ ନିତ୍ୟସ୍ଥାୟୀ ନିୟମ, ଅର୍ଥାତ୍‍, ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା। 4ଦେଖ, ଆମ୍ଭେ ତାହାଙ୍କୁ ଗୋଷ୍ଠୀବର୍ଗର ସାକ୍ଷୀ ରୂପେ, ଗୋଷ୍ଠୀବର୍ଗର ଅଗ୍ରଣୀ ଓ ଆଜ୍ଞାଦାତା ରୂପେ ନିଯୁକ୍ତ କରିଅଛୁ। 5ଦେଖ, ଯେଉଁ ଗୋଷ୍ଠୀକୁ ତୁମ୍ଭେ ଜାଣୁ ନାହଁ, ତାହାକୁ ତୁମ୍ଭେ ଆହ୍ୱାନ କରିବ ଓ ଯେଉଁ ଗୋଷ୍ଠୀ ତୁମ୍ଭକୁ ଜାଣିଲା ନାହିଁ, ସେ ତୁମ୍ଭ ନିକଟକୁ ଦୌଡ଼ିବ, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ସକାଶୁ ଏହା ଘଟିବ; କାରଣ ସେ ତୁମ୍ଭଙ୍କୁ ଗୌରବାନ୍ୱିତ କରିଅଛନ୍ତି। 6ଯେପର୍ଯ୍ୟନ୍ତ ସଦାପ୍ରଭୁଙ୍କର ଉଦ୍ଦେଶ୍ୟ ମିଳୁଅଛି, ସେପର୍ଯ୍ୟନ୍ତ ତୁମ୍ଭେମାନେ ତାହାଙ୍କର ଅନ୍ୱେଷଣ କର, ଯେପର୍ଯ୍ୟନ୍ତ ସେ ନିକଟରେ ଅଛନ୍ତି, ସେପର୍ଯ୍ୟନ୍ତ ତାହାଙ୍କଠାରେ ପ୍ରାର୍ଥନା କର। 7ଦୁଷ୍ଟ ଆପଣାର ପଥ ଓ ଅଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ; ପୁଣି, ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାକୁ ଦୟା କରିବେ; ଆଉ, ସେ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ କ୍ଷମା କରିବେ। 8ଯେହେତୁ ସଦାପ୍ରଭୁ କହନ୍ତି, ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ, କିଅବା ତୁମ୍ଭମାନଙ୍କର ମାର୍ଗସକଳ ଆମ୍ଭର ମାର୍ଗ ପରି ନୁହେଁ। 9କାରଣ ପୃଥିବୀ ଅପେକ୍ଷା ଆକାଶମଣ୍ଡଳ ଯେପରି ଉଚ୍ଚ, ସେହିପରି ଆମ୍ଭର ମାର୍ଗସକଳ ତୁମ୍ଭମାନଙ୍କର ମାର୍ଗ ଅପେକ୍ଷା ଓ ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କ ସଂକଳ୍ପ ଅପେକ୍ଷା ଉଚ୍ଚତର ଅଟେ। 10ଯେହେତୁ ଯେପରି ବୃଷ୍ଟି ଓ ହିମ ଆକାଶରୁ ତଳକୁ ଆସେ ଓ ସେଠାକୁ ଫେରିଯାଏ ନାହିଁ, ମାତ୍ର ଭୂମିକୁ ସନ୍ତରା କରେ, ପୁଣି ଫଳବତୀ ଓ ତୃଣାଦି ଉତ୍ପନ୍ନ କରି ବପନକାରୀକୁ ବୀଜ ଓ ଭୋଜନକାରୀକୁ ଭକ୍ଷ୍ୟ ଦିଏ; 11ଆମ୍ଭ ମୁଖରୁ ନିର୍ଗତ ବାକ୍ୟ ସେହିପରି ହେବ; ତାହା ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ, ମାତ୍ର ଆମ୍ଭେ ଯାହା ଇଚ୍ଛା କରୁ, ତାହା ସିଦ୍ଧ କରିବା ଓ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରୁ, ତହିଁରେ କୃତାର୍ଥ ହେବ। 12ଏଣୁ ତୁମ୍ଭେମାନେ ଆନନ୍ଦରେ ବାହାର ହୋଇ ଶାନ୍ତିରେ ଆଗେ ଆଗେ ନିଆଯିବ; ପର୍ବତ ଓ ଉପପର୍ବତଗଣ ତୁମ୍ଭମାନଙ୍କ ସମ୍ମୁଖରେ ଉଚ୍ଚସ୍ୱରରେ ଗାନ କରିବେ ଓ କ୍ଷେତ୍ରସ୍ଥ ବୃକ୍ଷସକଳ କରତାଳି ଦେବେ। 13କଣ୍ଟକ ବୃକ୍ଷ ବଦଳରେ ଦେବଦାରୁ ଓ କାନକୋଳି କଣ୍ଟା ବଦଳରେ ମେହେନ୍ଦି ବୃକ୍ଷ ଉତ୍ପନ୍ନ ହେବ; ପୁଣି, ତାହା ସଦାପ୍ରଭୁଙ୍କର କୀର୍ତ୍ତି ସ୍ୱରୂପ ଓ ଅକ୍ଷୟ ନିତ୍ୟସ୍ଥାୟୀ ଚିହ୍ନସ୍ୱରୂପ ହେବ।”

ଜଳର ମହା ଆଶୀର୍ବାଦ

ଯିଶା 12:3–6

3ଏହେତୁ ତୁମ୍ଭେମାନେ ଆନନ୍ଦରେ ପରିତ୍ରାଣର କୂପସମୂହରୁ ଜଳ କାଢ଼ିବ। 4ପୁଣି, ସେହି ଦିନରେ ତୁମ୍ଭେମାନେ କହିବ, “ସଦାପ୍ରଭୁଙ୍କର ଧନ୍ୟବାଦ କର, ତାହାଙ୍କ ନାମରେ ପ୍ରାର୍ଥନା କର, ଗୋଷ୍ଠୀୟମାନଙ୍କ ମଧ୍ୟରେ ତାହାଙ୍କର କ୍ରିୟାସକଳ ପ୍ରଚାର କର, ତାହାଙ୍କର ନାମ ଉନ୍ନତ ବୋଲି ବ୍ୟକ୍ତ କର। 5ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର; କାରଣ ସେ ମହିମାଯୁକ୍ତ କର୍ମ କରିଅଛନ୍ତି; ତାହା ସମୁଦାୟ ପୃଥିବୀର ଜ୍ଞାତ ହେଉ। 6ହେ ସିୟୋନ ନିବାସିନୀ, ତୁମ୍ଭେ ଉଚ୍ଚସ୍ୱର କରି ଆନନ୍ଦଧ୍ୱନି କର; କାରଣ ଯେ ଇସ୍ରାଏଲର ଧର୍ମସ୍ୱରୂପ, ସେ ତୁମ୍ଭ ମଧ୍ୟରେ ମହାନ ଅଟନ୍ତି।”

ଜଳର ମହା ଆଶୀର୍ବାଦ (ପତ୍ର)

ପ୍ର.କରି 10:1–4

1କାରଣ, ହେ ଭାଇମାନେ, ଆମ୍ଭମାନଙ୍କ ପିତୃ-ପୁରୁଷ ସମସ୍ତେ ମେଘ ତଳେ ଥିଲେ, 2ଆଉ ସମସ୍ତେ ସମୁଦ୍ର ମଧ୍ୟ ଦେଇ ଗମନ କଲେ, ପୁଣି, ସମସ୍ତେ ମେଘ ଓ ସମୁଦ୍ରରେ ମୋଶାଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହେଲେ, 3ଆଉ ସମସ୍ତେ ଏକ ପାରମାର୍ଥିକ ଖାଦ୍ୟ ଭୋଜନ କଲେ 4ଓ ସମସ୍ତେ ଏକ ପାରମାର୍ଥିକ ପେୟ ପାନ କଲେ (ଯେଣୁ ସେମାନେ ସେମାନଙ୍କ ଅନୁବର୍ତ୍ତୀ ପାରମାର୍ଥିକ ଶୈଳରୁ ପାନ କରୁଥିଲେ, ଆଉ ସେହି ଶୈଳ ଖ୍ରୀଷ୍ଟ),

ଜଳର ମହା ଆଶୀର୍ବାଦ (ସୁସମାଚାର)

ମାର୍କ 1:9–11

9ସେହି ସମୟରେ ଯୀଶୁ ଗାଲିଲୀର ନାଜରିତରୁ ଆସି ଯର୍ଦ୍ଦନ ନଦୀରେ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଲେ। 10ଆଉ, ସେହିକ୍ଷଣି ସେ ଜଳରୁ ଉଠି ଆସିବା ସମୟରେ ଆକାଶ ଉନ୍ମୁକ୍ତ ହେବା ଓ ପବିତ୍ର ଆତ୍ମାଙ୍କୁ କପୋତ ପରି ଆପଣା ଉପରକୁ ଓହ୍ଲାଇ ଆସିବା ଦେଖିଲେ, 11ପୁଣି, ଆକାଶରୁ ଏହି ବାଣୀ ହେଲା, “ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ।”

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଜାନୁଆରୀ 5 ନାଗରିକ ପଞ୍ଜିକାର ଜାନୁଆରୀ 18। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର