ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜାନୁଆରୀ 2027 › ଜାନୁଆରୀ 17
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 17 ଜାନୁଆରୀ 2027
ରବିବାର · ସାଧାରଣ କାଳର ଦ୍ୱିତୀୟ ସପ୍ତାହ
ପର୍ବ ଓ ସନ୍ଥ
ସାଧାରଣ କାଳର ଦ୍ୱିତୀୟ ରବିବାର
ରବିବାର · ଉପାସନାର ରଙ୍ଗ: ସବୁଜ
ଦିନର ପାଠ
ପ୍ରଥମ ପାଠ
3ଓ ପରମେଶ୍ୱରଙ୍କ ସିନ୍ଦୁକ ଯେଉଁ ସ୍ଥାନରେ ଥାଏ, ଏପରି ସଦାପ୍ରଭୁଙ୍କ ମନ୍ଦିରରେ ପରମେଶ୍ୱରଙ୍କ ପ୍ରଦୀପ ଲିଭିବା ପୂର୍ବେ ଯେତେବେଳେ ଶାମୁୟେଲ ଶୋଇଥିଲେ, 4ସେତେବେଳେ ସଦାପ୍ରଭୁ ଶାମୁୟେଲଙ୍କୁ ଡାକିଲେ; ସେ କହିଲେ, “ମୁଁ ଏଠାରେ ଅଛି।” 5ପୁଣି, ସେ ଏଲିଙ୍କ ନିକଟକୁ ଧାଇଁଯାଇ କହିଲେ, “ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ ପରା?” ସେ କହିଲେ, “ମୁଁ ଡାକି ନାହିଁ; ଫେରିଯାଇ ଶୁଅ।” ତହୁଁ ସେ ଯାଇ ଶୋଇଲେ; 6ଏଉତ୍ତାରେ ସଦାପ୍ରଭୁ “ଶାମୁୟେଲ” ବୋଲି ପୁନର୍ବାର ଡାକିଲେ। ତହୁଁ ଶାମୁୟେଲ ଉଠି ଏଲିଙ୍କ ନିକଟକୁ ଯାଇ କହିଲେ, “ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ ପରା?” ସେ ଉତ୍ତର ଦେଲେ, “ହେ ପୁତ୍ର, ମୁଁ ଡାକି ନାହିଁ; ଫେରିଯାଇ ଶୁଅ।” 7ସେସମୟରେ ଶାମୁୟେଲ ସଦାପ୍ରଭୁଙ୍କର ପରିଚୟ ପାଇ ନ ଥିଲେ, କିଅବା ସଦାପ୍ରଭୁଙ୍କ ବାକ୍ୟ ତାଙ୍କ ପ୍ରତି ପ୍ରକାଶିତ ହୋଇ ନ ଥିଲା। 8ଏଉତ୍ତାରେ ସଦାପ୍ରଭୁ ପୁନର୍ବାର ତୃତୀୟ ଥର ଶାମୁୟେଲଙ୍କୁ ଡାକିଲେ। ତହୁଁ ସେ ଉଠି ଏଲିଙ୍କ ନିକଟକୁ ଯାଇ କହିଲେ, “ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ ପରା?” ଏଥିରେ ସଦାପ୍ରଭୁ ଯେ ବାଳକକୁ ଡାକୁଅଛନ୍ତି, ଏହା ଏଲି ବୁଝିଲେ। 9ତେଣୁ, ଏଲି ଶାମୁୟେଲଙ୍କୁ କହିଲେ, “ଯାଇ ଶୁଅ; ଯେବେ ସେ ତୁମ୍ଭକୁ ଡାକନ୍ତି, ତେବେ ତୁମ୍ଭେ କହିବ, ‘ହେ ସଦାପ୍ରଭୋ କହନ୍ତୁ, ଆପଣଙ୍କ ଦାସ ଶୁଣୁଅଛି।’” ତହୁଁ ଶାମୁୟେଲ ଯାଇ ଆପଣା ସ୍ଥାନରେ ଶୋଇଲେ। 10ଏଉତ୍ତାରେ ସଦାପ୍ରଭୁ ଆସିଲେ, ପୁଣି, ଠିଆ ହୋଇ ଅନ୍ୟ ସମୟ ପରି “ଶାମୁୟେଲ, ଶାମୁୟେଲ,” ବୋଲି ଡାକିଲେ। ତେବେ ଶାମୁୟେଲ କହିଲେ, “କହନ୍ତୁ; ଆପଣଙ୍କ ଦାସ ଶୁଣୁଅଛି।” 19ଏଥିଉତ୍ତାରେ ଶାମୁୟେଲ ବଢ଼ିଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗେ ଥାଇ ଶାମୁୟେଲଙ୍କ କୌଣସି କଥା ତଳେ ପଡ଼ିବାକୁ ଦେଲେ ନାହିଁ।
ପ୍ରତିଉତ୍ତର ଗୀତ
2ମଧ୍ୟ ସେ ମୋତେ ଭୟଙ୍କର ଗର୍ତ୍ତରୁ ଓ ଦହଲା କାଦୁଅରୁ ଉଠାଇ ଆଣିଲେ ଓ ଶୈଳ ଉପରେ ମୋହର ଚରଣ ରଖିଲେ ଓ ମୋହର ପାଦଗତି ଦୃଢ଼ କଲେ। 3ପୁଣି, ସେ ମୋʼ ମୁଖରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଶଂସାର ଏକ ନୂତନ ଗୀତ ଦେଇଅଛନ୍ତି; ଅନେକେ ଏହା ଦେଖିବେ ଓ ଭୟ କରିବେ, ପୁଣି, ସଦାପ୍ରଭୁଙ୍କଠାରେ ବିଶ୍ୱାସ କରିବେ। 6ବଳିଦାନ ଓ ନୈବେଦ୍ୟରେ ତୁମ୍ଭର ସନ୍ତୋଷ ନାହିଁ; ତୁମ୍ଭେ ମୋହର କର୍ଣ୍ଣ ମୁକ୍ତ କରିଅଛ; ତୁମ୍ଭେ ହୋମବଳି ଓ ପାପାର୍ଥକ ବଳି ଚାହିଁ ନାହଁ। 7ତେବେ ମୁଁ କହିଲି, “ଦେଖ, ମୁଁ ଉପସ୍ଥିତ; ଶାସ୍ତ୍ରରେ ମୋହର ବିଷୟ ଲିଖିତ ଅଛି। 8ହେ ମୋହର ପରମେଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୋହର ସନ୍ତୋଷ; ତୁମ୍ଭ ବ୍ୟବସ୍ଥା ମୋʼ ହୃଦୟରେ ଅଛି।” 9ମୁଁ ମହାସମାଜରେ ଧର୍ମ ପ୍ରଚାର କରିଅଛି; ଦେଖ, ମୁଁ ଆପଣା ଓଷ୍ଠାଧର ରୁଦ୍ଧ କରିବି ନାହିଁ, ହେ ସଦାପ୍ରଭୋ, ତୁମ୍ଭେ ଜାଣୁଅଛ।
ଦ୍ୱିତୀୟ ପାଠ
13ଖାଦ୍ୟ ଉଦର ନିମନ୍ତେ, ପୁଣି, ଉଦର ଖାଦ୍ୟ ନିମନ୍ତେ; କିନ୍ତୁ ଈଶ୍ବର ଉଭୟକୁ ଲୋପ କରିବେ। ଶରୀର ବ୍ୟଭିଚାର ନିମନ୍ତେ ନୁହେଁ, କିନ୍ତୁ ପ୍ରଭୁଙ୍କ ନିମନ୍ତେ, ଆଉ ପ୍ରଭୁ ଶରୀର ନିମନ୍ତେ; 14ଈଶ୍ବର ପ୍ରଭୁଙ୍କୁ ଉଠାଇଲେ, ପୁଣି, ଆପଣା ଶକ୍ତି ଦ୍ୱାରା ଆମ୍ଭମାନଙ୍କୁ ମଧ୍ୟ ଉଠାଇବେ। 15ତୁମ୍ଭମାନଙ୍କ ଶରୀର ଯେ ଖ୍ରୀଷ୍ଟଙ୍କ ଅଙ୍ଗ ସ୍ୱରୂପ, ଏହା କି ଜାଣ ନାହିଁ? ତେବେ ମୁଁ କଅଣ ଖ୍ରୀଷ୍ଟଙ୍କ ଅଙ୍ଗ ଘେନିଯାଇ ବେଶ୍ୟାର ଅଙ୍ଗ କରିବି? ତାହା କେବେ ହେଁ ନ ହେଉ। 17କିନ୍ତୁ ଯେ ପ୍ରଭୁଙ୍କ ସହିତ ସଂଯୁକ୍ତ ହୁଏ, ସେ ତାହାଙ୍କ ସହିତ ଏକ ଆତ୍ମା ହୁଏ। 18ବ୍ୟଭିଚାରଠାରୁ ପଳାୟନ କର। ମନୁଷ୍ୟ ଅନ୍ୟ ଯେକୌଣସି ପାପ କରେ, ତାହା ଶରୀରର ବହିର୍ଭୂତ; କିନ୍ତୁ ଯେ ବ୍ୟଭିଚାର କରେ, ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ। 19ଅବା ତୁମ୍ଭମାନଙ୍କ ଶରୀର ଯେ ଈଶ୍ବରଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର, ଏହା କଅଣ ଜାଣ ନାହିଁ? ଆଉ, ତୁମ୍ଭେମାନେ ନିଜେ ନିଜର ନୁହଁ; 20ଈଶ୍ବର ତୁମ୍ଭମାନଙ୍କୁ ବିଶେଷ ମୂଲ୍ୟରେ କିଣିଅଛନ୍ତି; ଏଣୁ ତୁମ୍ଭମାନଙ୍କ ଶରୀରରେ ଈଶ୍ବରଙ୍କ ଗୌରବ ପ୍ରକାଶ କର।
ସୁସମାଚାର
35ତହିଁ ଆରଦିନ ପୁନର୍ବାର ଯୋହନ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣ ଠିଆ ହୋଇଥିଲେ; 36ଆଉ, ସେ ଯୀଶୁଙ୍କୁ ସେହି ବାଟ ଦେଇ ଯାଉଥିବା ଦେଖି ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହି ଦେଖ, ଈଶ୍ବରଙ୍କ ମେଷଶାବକ। 37ସେହି ଦୁଇ ଜଣ ଶିଷ୍ୟ ତାହାଙ୍କ କଥା ଶୁଣି ଯୀଶୁଙ୍କ ପଛେ ପଛେ ଗଲେ। 38ଯୀଶୁ ବୁଲିପଡ଼ି ସେମାନଙ୍କୁ ପଛେ ପଛେ ଆସୁଥିବା ଦେଖି ପଚାରିଲେ, “ତୁମ୍ଭେମାନେ କଅଣ ଖୋଜୁଅଛ?” ସେମାନେ ତାହାଙ୍କୁ ପଚାରିଲେ, ରାବ୍ବୀ (ଅର୍ଥାତ୍ ଗୁରୁ), ଆପଣ କେଉଁଠାରେ ରୁହନ୍ତି? 39ସେ ସେମାନଙ୍କୁ କହିଲେ, “ଆସ, ଦେଖିବ।” ସେଥିରେ ସେମାନେ ଯାଇ ତାହାଙ୍କ ବସା ଦେଖିଲେ, ପୁଣି, ସେହି ଦିନ ତାହାଙ୍କ ସାଙ୍ଗରେ ରହିଲେ; କାରଣ ସେତେବେଳେ ପ୍ରାୟ ସନ୍ଧ୍ୟା ଚାରି ଘଣ୍ଟା ହୋଇଥିଲା। 40ଯେଉଁ ଦୁଇ ଜଣ ଯୋହନଙ୍କ କଥା ଶୁଣି ଯୀଶୁଙ୍କ ପଛେ ପଛେ ଯାଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଶିମୋନ ପିତରଙ୍କ ଭାଇ ଆନ୍ଦ୍ରିୟ ଥିଲେ। 41ସେ ପ୍ରଥମେ ଆପଣା ଭାଇ ଶିମୋନଙ୍କ ଦେଖା ପାଇ ତାହାଙ୍କୁ କହିଲେ, ଆମ୍ଭେମାନେ ମସୀହଙ୍କର (ଅର୍ଥାତ୍ ଖ୍ରୀଷ୍ଟଙ୍କୁ) ଦେଖା ପାଇଅଛୁ। 42ସେ ତାହାଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ। ଯୀଶୁ ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, “ତୁମ୍ଭେ ଯୋହନଙ୍କ ପୁତ୍ର ଶିମୋନ। ତୁମ୍ଭେ କୈଫା (ଅର୍ଥାତ୍ ପିତର) ନାମରେ ଖ୍ୟାତ ହେବ।”
ଆଜିର ସନ୍ଥ
- ମିସରର ସନ୍ଥ ଆଣ୍ଟୋନି, ମଠାଧ୍ୟକ୍ଷ
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର