Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜାନୁଆରୀ 2027 › ଜାନୁଆରୀ 14

ଅର୍ଥୋଡକ୍ସ ପଞ୍ଜିକା · 1 ଜାନୁଆରୀ (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 14 ଜାନୁଆରୀ 2027

ଗୁରୁବାର · ପେଣ୍ଟିକଷ୍ଟ ପରେ 33ତମ ସପ୍ତାହ · ସ୍ୱର 7

ପର୍ବ ଓ ସନ୍ଥ

Circumcision of our Lord

ଖ୍ରୀଷ୍ଟଜନ୍ମ ଋତୁ (Svyatki)

ଉପବାସ ନାହିଁ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ସନ୍ଧ୍ୟା ପ୍ରାର୍ଥନା: ପାଠ

ଆଦି 17:1–2, 4–12, 14

1ଅବ୍ରାମଙ୍କର ଅନେଶ୍ୱତ ବର୍ଷ ବୟସରେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, “ଆମ୍ଭେ ସର୍ବଶକ୍ତିମାନ ପରମେଶ୍ୱର; ଆମ୍ଭ ଛାମୁରେ ଧର୍ମାଚରଣ କରି ତୁମ୍ଭେ ସିଦ୍ଧ ହୁଅ। 2ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରି ତୁମ୍ଭକୁ ଅତିଶୟ ବୃଦ୍ଧି କରିବା।” 4“ଦେଖ, ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରୁଅଛୁ, ତୁମ୍ଭେ ଅନେକ ଗୋଷ୍ଠୀର ଆଦିପୁରୁଷ ହେବ। 5ପୁଣି, ତୁମ୍ଭ ନାମ ଅବ୍ରାମ ଆଉ ରହିବ ନାହିଁ, ମାତ୍ର ଅବ୍ରହାମ ହେବ। ଯେହେତୁ ଆମ୍ଭେ ତୁମ୍ଭକୁ ଅନେକ ଗୋଷ୍ଠୀର ଆଦିପିତା କଲୁ। 6ଆମ୍ଭେ ତୁମ୍ଭକୁ ଅତିଶୟ ବୃଦ୍ଧି କରିବା, ତୁମ୍ଭଠାରୁ ଅନେକ ଗୋଷ୍ଠୀଜାତ କରାଇବା ଓ ରାଜାମାନେ ତୁମ୍ଭଠାରୁ ଉତ୍ପନ୍ନ ହେବେ। 7ଆମ୍ଭେ ତୁମ୍ଭ ସହିତ ଓ ତୁମ୍ଭ ଭବିଷ୍ୟତ ବଂଶ-ପରମ୍ପରା ସହିତ ଯେଉଁ ନିୟମ ସ୍ଥିର କଲୁ, ତାହା ଅନନ୍ତକାଳସ୍ଥାୟୀ ହେବ। ତହିଁରେ ଆମ୍ଭେ ତୁମ୍ଭର ଓ ତୁମ୍ଭ ଭବିଷ୍ୟତ ବଂଶର ପରମେଶ୍ୱର ହେବା। 8ପୁଣି, ତୁମ୍ଭେ ଏବେ ଏହି ଯେଉଁ କିଣାନ ଦେଶରେ ପ୍ରବାସ କରୁଅଛ, ତହିଁର ସମୁଦାୟ ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ଭବିଷ୍ୟତ ବଂଶକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ଦେବା ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା।” 9ପରମେଶ୍ୱର ଅବ୍ରହାମଙ୍କୁ ଆହୁରି କହିଲେ, “ତୁମ୍ଭେ ଆମ୍ଭର ନିୟମ ପାଳନ କରିବ; ତୁମ୍ଭେ ଓ ତୁମ୍ଭର ଭବିଷ୍ୟତ ବଂଶ ପୁରୁଷାନୁକ୍ରମେ ତାହା ପାଳନ କରିବେ। 10ତୁମ୍ଭର ଓ ତୁମ୍ଭ ଭବିଷ୍ୟତ ବଂଶର ସହିତ କୃତ ଆମ୍ଭର ଯେଉଁ ନିୟମ ତୁମ୍ଭେମାନେ ପାଳନ କରିବ ତାହା ଏହି, ତୁମ୍ଭମାନଙ୍କର ପ୍ରତ୍ୟେକ ପୁରୁଷ ସୁନ୍ନତ ହେବ। 11ତୁମ୍ଭେମାନେ ଆପଣା ଆପଣାର ଲିଙ୍ଗାଗ୍ର ଚର୍ମ ଛେଦନ କରିବ; ଆଉ ତାହା ତୁମ୍ଭମାନଙ୍କ ସହିତ ଆମ୍ଭ ନିୟମର ଚିହ୍ନ ହେବ। 12ପୁରୁଷାନୁକ୍ରମେ ତୁମ୍ଭମାନଙ୍କ ପ୍ରତ୍ୟେକ ପୁତ୍ର ସନ୍ତାନର ଆଠ ଦିନ ବୟସରେ ସୁନ୍ନତ ହେବ। ପୁଣି, ଯେଉଁମାନେ ତୁମ୍ଭର ବଂଶ ନୁହନ୍ତି, ଏପରି ବିଦେଶୀୟ ଯେଉଁ ଲୋକ ତୁମ୍ଭ ଗୃହରେ ଜାତ ଅଥବା ମୂଲ୍ୟରେ କ୍ରୀତ ହୁଏ, ତାହାର ମଧ୍ୟ ସୁନ୍ନତ ହେବ। 14ମାତ୍ର ଯାହାର ଲିଙ୍ଗାଗ୍ର ଚର୍ମର ଛେଦନ ହେବ ନାହିଁ, ଏପରି ଯେ ଅସୁନ୍ନତ ପୁରୁଷ, ସେ ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ; ସେ ଆମ୍ଭର ନିୟମ ଲଙ୍ଘନ କଲା।”

ସନ୍ଧ୍ୟା ପ୍ରାର୍ଥନା: ପାଠ

ହିତୋ 8:22–30

22ସଦାପ୍ରଭୁ ନିଜ ଗତିର ଆରମ୍ଭରେ, ତାହାଙ୍କ କର୍ମସକଳର ପୂର୍ବରେ ମୋତେ ଅଧିକାର କରିଥିଲେ। 23ଅନାଦିକାଳରୁ ଅବା ଆଦ୍ୟକାଳଠାରୁ ଅବା ପୃଥିବୀର ମୂଳସ୍ଥାପନର ପୂର୍ବରୁ ମୁଁ ସ୍ଥାପିତ ଅଛି। 24ବାରିଧିସକଳ ନ ଥିବା ସମୟରେ, ନିର୍ଝରସକଳ ଜଳପୂର୍ଣ୍ଣ ନ ଥିବା ସମୟରେ ମୁଁ ଜନ୍ମିଅଛି; 25ପୁଣି, ପର୍ବତଗଣ ଓ ଉପପର୍ବତଗଣ ସ୍ଥାପିତ ହେବା ପୂର୍ବରେ ମୁଁ ଜନ୍ମ ପାଇଅଛି; 26ସେହି ସମୟରେ ଭୂମି, କିମ୍ବା ପ୍ରାନ୍ତର, କିମ୍ବା ଜଗତସ୍ଥ ଧୂଳିର ଅଗ୍ରିମାଂଶ ସଦାପ୍ରଭୁ ସୃଷ୍ଟି କରି ନ ଥିଲେ। 27ଯେଉଁ ସମୟରେ ସେ ଆକାଶମଣ୍ଡଳ ସ୍ଥାପନ କଲେ, ସେହି ସମୟରେ ମୁଁ ସେଠାରେ ଥିଲି, ଯେଉଁ ସମୟରେ ସେ ବାରିଧି ଉପରେ ଚକ୍ରାକାର ସୀମା ନିରୂପଣ କଲେ, 28ପୁଣି ଉପରିସ୍ଥ ଆକାଶମଣ୍ଡଳକୁ ଦୃଢ଼ କଲେ ଓ ବାରିଧିର ପ୍ରବାହସକଳ ପ୍ରବଳ ହେଲା; 29ଜଳସମୂହ ଯେପରି ତାହାଙ୍କ ଆଜ୍ଞାଲଙ୍ଘନ କରି ନ ପାରେ, ଏଥିପାଇଁ ଯେଉଁ ସମୟରେ ସେ ସମୁଦ୍ରର ସୀମା ନିରୂପଣ କଲେ ଓ ଯେଉଁ ସମୟରେ ଜଗତର ମୂଳଦୁଆ ଚିହ୍ନିତ କଲେ; 30ସେହି ସମୟରେ ମୁଁ ତାହାଙ୍କ ନିକଟରେ ରାଜମିସ୍ତ୍ରୀ ଥିଲି; ପୁଣି, ମୁଁ ପ୍ରତିଦିନ ଆନନ୍ଦଦାୟୀ ହୋଇ ତାହାଙ୍କ ସମ୍ମୁଖରେ ସର୍ବଦା ଆନନ୍ଦ କଲି।

ସନ୍ଧ୍ୟା ପ୍ରାର୍ଥନା: ପାଠ

ହିତୋ 10:31–11:12

31ଧାର୍ମିକର ମୁଖ ଜ୍ଞାନ ଜନ୍ମାଏ, ମାତ୍ର କୁଟିଳବାଦୀ ଜିହ୍ୱା ଉଚ୍ଛିନ୍ନ ହେବ। 32ଧାର୍ମିକର ଓଷ୍ଠାଧର ତୁଷ୍ଟିକର କଥା ଜାଣେ, ମାତ୍ର ଦୁଷ୍ଟର ମୁଖ କୁଟିଳ କଥା କହେ। 11:1ଅଯଥାର୍ଥ ନିକ୍ତି ସଦାପ୍ରଭୁଙ୍କର ଘୃଣା ବିଷୟ। ମାତ୍ର ଯଥାର୍ଥ ବଟଖରା ତାହାଙ୍କର ତୁଷ୍ଟିକର। 2ଅହଙ୍କାର ଆସିଲେ ଲଜ୍ଜା ଆସେ; ମାତ୍ର ନମ୍ରଶୀଳ ଲୋକଠାରେ ଜ୍ଞାନ ଥାଏ। 3ସରଳାଚାରୀମାନଙ୍କ ସରଳତା ସେମାନଙ୍କୁ ପଥ ଦେଖାଇବ, ମାତ୍ର ବିଶ୍ୱାସଘାତକମାନଙ୍କ କୁଟିଳାଚରଣ ସେମାନଙ୍କୁ ନାଶ କରିବ। 4ପରମେଶ୍ୱରଙ୍କ କ୍ରୋଧର ଦିନରେ ଧନ ନିଷ୍ଫଳ, ମାତ୍ର ଧାର୍ମିକତା ମୃତ୍ୟୁରୁ ରକ୍ଷା କରେ। 5ସାଧୁର ଧାର୍ମିକତା ତାହାର ପଥ ନିର୍ଦ୍ଦେଶ କରିବ, ମାତ୍ର ଦୁଷ୍ଟ ଆପଣା ଦୁଷ୍ଟତାରେ ନିପାତିତ ହେବ। 6ସରଳ ଲୋକଙ୍କର ଧାର୍ମିକତା ସେମାନଙ୍କୁ ଉଦ୍ଧାର କରେ, ମାତ୍ର ବିଶ୍ୱାସଘାତକମାନେ ଆପଣା ଆପଣା କୁଅଭିଳାଷରେ ଧରା ପଡ଼ିବେ। 7ଦୁଷ୍ଟ ମଲେ, ତାହାର ଭରସା ନଷ୍ଟ ହୁଏ ଓ ଅଧାର୍ମିକମାନଙ୍କର ଆଶା ବିନଷ୍ଟ ହୁଏ। 8ଧାର୍ମିକ ଦୁଃଖରୁ ଉଦ୍ଧାର ପାଏ, ପୁଣି, ଦୁଷ୍ଟ ତାହା ବଦଳେ ତହିଁକୁ ଆସେ। 9ଭକ୍ତିହୀନ ଲୋକ ଆପଣା ମୁଖରେ ପ୍ରତିବାସୀକୁ ନାଶ କରେ, ମାତ୍ର ଧାର୍ମିକ ଜ୍ଞାନରେ ଉଦ୍ଧାର ପ୍ରାପ୍ତ ହୁଏ। 10ଧାର୍ମିକର ମଙ୍ଗଳ ହେଲେ, ନଗର ଆନନ୍ଦ କରେ; ପୁଣି, ଦୁଷ୍ଟର ବିନାଶ ହେଲେ, ଜୟଧ୍ୱନି ହୁଏ। 11ସରଳ ଲୋକର ଆଶୀର୍ବାଦରେ ନଗର ଉନ୍ନତ ହୁଏ, ମାତ୍ର ଦୁଷ୍ଟ ଲୋକର ମୁଖରେ ତାହାର ନିପାତ ହୁଏ। 12ଯେ ଆପଣା ପ୍ରତିବାସୀକୁ ତୁଚ୍ଛ କରେ, ସେ ନିର୍ବୋଧ; ମାତ୍ର ବୁଦ୍ଧିମାନ ତୁନି ହୋଇ ରହେ।

ପ୍ରଭାତୀ ପ୍ରାର୍ଥନା: ସୁସମାଚାର

ଯୋହ 10:9–16

9ମୁଁ ଦ୍ୱାର, ଯଦି କେହି ମୋʼ ଦେଇ ପ୍ରବେଶ କରେ, ତାହାହେଲେ ସେ ରକ୍ଷା ପାଇବ ଏବଂ ଭିତରକୁ ଆସି ଓ ବାହାରକୁ ଯାଇ ଚରା ପାଇବ। 10ଚୋର କେବଳ ଚୋରି, ବଧ ଓ ବିନାଶ କରିବା ନିମନ୍ତେ ଆସେ; ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥିନିମନ୍ତେ ମୁଁ ଆସିଅଛି। 11ମୁଁ ଉତ୍ତମ ମେଷପାଳକ; ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ। 12ଯେ ମେଷପାଳକ ନୁହେଁ, ମାତ୍ର ମୂଲିଆ, ମେଷଗୁଡ଼ିକ ଯାହାର ନିଜର ନୁହଁନ୍ତି, ସେ ବାଘ ଆସିବା ଦେଖି ମେଷଗୁଡ଼ିକୁ ଛାଡ଼ି ପଳାଏ (ଆଉ ବାଘ ସେମାନଙ୍କୁ ଧରି ଛିନ୍ନଭିନ୍ନ କରେ), 13କାରଣ ସେ ମୂଲିଆ ଓ ମେଷଗୁଡ଼ିକ ନିମନ୍ତେ ଚିନ୍ତା କରେ ନାହିଁ। 14ମୁଁ ଉତ୍ତମ ମେଷପାଳକ। ପିତା ଯେପରି ମୋତେ ଜାଣନ୍ତି ଓ ମୁଁ ପିତାଙ୍କୁ ଜାଣେ, 15ସେହିପରି ମୁଁ ମୋʼ ନିଜର ମେଷଗୁଡ଼ିକୁ ଜାଣେ, ଆଉ ମୋʼ ନିଜର ମେଷଗୁଡ଼ିକ ମୋତେ ଜାଣନ୍ତି, ପୁଣି, ମେଷଗୁଡ଼ିକ ନିମନ୍ତେ ମୁଁ ମୋହର ପ୍ରାଣ ଦିଏ। 16ଯେଉଁ ମେଷଗୁଡ଼ିକ ଏହି ମେଷଶାଳାର ନୁହଁନ୍ତି, ମୋହର ଏପରି ଅନ୍ୟ ମେଷଗୁଡ଼ିକ ଅଛନ୍ତି, ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ହେବ, ପୁଣି, ସେମାନେ ମୋହର ସ୍ୱର ଶୁଣିବେ; ସେଥିରେ ଗୋଟିଏ ପଲ ଓ ଗୋଟିଏ ପାଳକ ହେବେ।

ପତ୍ର (ପ୍ରଭୁଙ୍କ ସୁନ୍ନତ ପାଇଁ)

କଲ 2:8–12

8ସାବଧାନ, କାଳେ କେହି ଖ୍ରୀଷ୍ଟଙ୍କ ଶିକ୍ଷାର ଅସଙ୍ଗତ ମନୁଷ୍ୟର ପରମ୍ପରାଗତ ଓ ଜଗତର ମୌଳିକ ଶିକ୍ଷାନୁଯାୟୀ ଦର୍ଶନବିଦ୍ୟା ଓ ନିରର୍ଥକ ପ୍ରତାରଣା ଦ୍ୱାରା ତୁମ୍ଭମାନଙ୍କୁ ବନ୍ଦୀ କରିନିଏ; 9କାରଣ ଖ୍ରୀଷ୍ଟଙ୍କଠାରେ ସମ୍ପୂର୍ଣ୍ଣ ଈଶ୍ବରତ୍ତ୍ୱ ଦେହବନ୍ତ ହୋଇ ବାସ କରେ, 10ପୁଣି, ସମସ୍ତ ଆଧିପତ୍ୟ ଓ କର୍ତ୍ତାପଣର ମସ୍ତକ ସ୍ୱରୂପ ଯେ ସେ, ତାହାଙ୍କ ସହଭାଗିତାରେ ତୁମ୍ଭେମାନେ ପୂର୍ଣ୍ଣତା ପ୍ରାପ୍ତ ହୋଇଅଛ। 11ଆହୁରି ମଧ୍ୟ ତୁମ୍ଭେମାନେ ଶାରୀରିକ ସ୍ୱଭାବ ତ୍ୟାଗ କରି ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଅହସ୍ତକୃତ ସୁନ୍ନତରେ, ଅର୍ଥାତ୍‍ ଖ୍ରୀଷ୍ଟୀୟ ସୁନ୍ନତରେ ସୁନ୍ନତ ପ୍ରାପ୍ତ ହୋଇଅଛ; 12ତୁମ୍ଭେମାନେ ବାପ୍ତିସ୍ମରେ ତାହାଙ୍କ ସହିତ ସମାଧିପ୍ରାପ୍ତ ହୋଇ, ଯେଉଁ ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ତାହାଙ୍କ କାର୍ଯ୍ୟସାଧକ ଶକ୍ତିରେ ବିଶ୍ୱାସ କରି ଖ୍ରୀଷ୍ଟଙ୍କ ସହିତ ମଧ୍ୟ ଉତ୍ଥାପିତ ହୋଇଅଛ।

ପତ୍ର (ସନ୍ଥ ବାସିଲଙ୍କ ପାଇଁ)

ଏବ୍ରୀ 7:26–8:2

26କାରଣ ଏହି ପ୍ରକାର ମହାଯାଜକ ଆମ୍ଭମାନଙ୍କ ପକ୍ଷରେ ଉପଯୁକ୍ତ, ଯେ କି ପବିତ୍ର, ନିର୍ଦ୍ଦୋଷ, ନିଷ୍କଳଙ୍କ, ପାପୀମାନଙ୍କଠାରୁ ପୃଥକୀକୃତ, ପୁଣି, ଆକାଶମଣ୍ଡଳ ଉପରେ ଉଚ୍ଚୀକୃତ। 27ସେହି ମହାଯାଜକମାନଙ୍କ ସଦୃଶ ପ୍ରତିଦିନ ପ୍ରଥମରେ ଆପଣାର ପାପ ପାଇଁ ଓ ପରେ ଲୋକମାନଙ୍କ ପାପ ପାଇଁ ବଳି ଉତ୍ସର୍ଗ କରିବା ତାହାଙ୍କର ଆବଶ୍ୟକ ନୁହେଁ, କାରଣ ଆପଣାକୁ ଉତ୍ସର୍ଗ କରିବା ଦ୍ୱାରା ସେ ଏକାଥରକେ ଏହା କରିଅଛନ୍ତି। 28ଯେଣୁ ମୋଶାଙ୍କ ବ୍ୟବସ୍ଥା ଦୁର୍ବଳତାବିଶିଷ୍ଟ ମନୁଷ୍ୟକୁ ମହାଯାଜକ ପଦରେ ନିଯୁକ୍ତ କରେ, କିନ୍ତୁ ଯେଉଁ ଶପଥବାକ୍ୟ ମୋଶାଙ୍କ ବ୍ୟବସ୍ଥା ପରେ ହୋଇଥିଲା, ତାହା ଅନନ୍ତକାଳ ପର୍ଯ୍ୟନ୍ତ ସିଦ୍ଧିପ୍ରାପ୍ତ ଈଶ୍ବରଙ୍କ ପୁତ୍ରଙ୍କୁ ନିଯୁକ୍ତ କରେ। 8:1ଆମ୍ଭେମାନେ ଯାହା କହୁଅଛୁ, ସେଥିର ପ୍ରଧାନ ବିଷୟ ଏହି, ଆମ୍ଭମାନଙ୍କର ଏପରି ଜଣେ ମହାଯାଜକ ଅଛନ୍ତି, ଯେ ସ୍ୱର୍ଗରେ ମହାମହିମଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି; 2ସେ ମହାପବିତ୍ର ସ୍ଥାନର ପୁଣି, ଯେଉଁ ଯଥାର୍ଥ ତମ୍ବୁ ମନୁଷ୍ୟ ଦ୍ୱାରା ସ୍ଥାପିତ ନ ହୋଇ ପ୍ରଭୁଙ୍କ ଦ୍ୱାରା ସ୍ଥାପିତ ହୋଇଅଛି, ସେଥିର ସେବକ ଅଟନ୍ତି।

ସୁସମାଚାର (ପ୍ରଭୁଙ୍କ ସୁନ୍ନତ ପାଇଁ)

ଲୂକ 2:20–21, 40–52

20ଆଉ, ମେଷପାଳକମାନଙ୍କୁ ଯେପରି କୁହାଯାଇଥିଲା, ସେହିପରି ସେମାନେ ଯାହା ଯାହା ଶୁଣିଲେ ଓ ଦେଖିଲେ, ସେ ସମସ୍ତ ସକାଶେ ଈଶ୍ବରଙ୍କ ଗୌରବ ଓ ପ୍ରଶଂସା କରୁ କରୁ ଫେରିଗଲେ। 21ତାହାଙ୍କୁ ସୁନ୍ନତ କରିବା ନିମନ୍ତେ ଆଠ ଦିନ ହେବାରୁ, ତାହାଙ୍କର ନାମ ଯୀଶୁ ଦିଆଗଲା; ଏହି ନାମ ତାହାଙ୍କ ଗର୍ଭାସ୍ଥ ହେବା ପୂର୍ବରୁ ଦୂତଙ୍କ ଦ୍ୱାରା ଦିଆଯାଇଥିଲା। 40ଆଉ, ଶିଶୁ ବୃଦ୍ଧି ପାଇବାକୁ ଲାଗିଲେ ଓ ଜ୍ଞାନରେ ପୂର୍ଣ୍ଣ ହେଉ ହେଉ ଶକ୍ତିମାନ ହେଲେ, ପୁଣି, ଈଶ୍ବରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା। 41ତାହାଙ୍କ ପିତାମାତା ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଯିରୂଶାଲମ ସହରକୁ ଯାଉଥିଲେ। 42ତାହାଙ୍କର ବାର ବର୍ଷ ସମୟରେ ସେମାନେ ପର୍ବର ରୀତି ଅନୁସାରେ ସେଠାକୁ ଯାତ୍ରା କଲେ। 43ପର୍ବର ସମୟ ସମାପ୍ତ କରି ଯେତେବେଳେ ସେମାନେ ଫେରିଆସୁଥିଲେ, ସେତେବେଳେ ବାଳକ ଯୀଶୁ ଯିରୂଶାଲମ ସହରରେ ରହିଗଲେ, ଆଉ ତାହାଙ୍କ ପିତାମାତା ତାହା ଜାଣି ନ ଥିଲେ। 44କିନ୍ତୁ ସେ ସହଯାତ୍ରୀମାନଙ୍କ ସଙ୍ଗରେ ଅଛନ୍ତି ବୋଲି ମନେ କରି ସେମାନେ ଦିନକର ବାଟ ଚାଲିଗଲେ, ପୁଣି, ସମ୍ପର୍କୀୟ ଓ ପରିଚିତ ଲୋକଙ୍କ ମଧ୍ୟରେ ତାହାଙ୍କୁ ଖୋଜିବାକୁ ଲାଗିଲେ, 45ଆଉ ତାହାଙ୍କୁ ନ ପାଇ ଖୋଜୁ ଖୋଜୁ ଯିରୂଶାଲମ ସହରକୁ ଫେରିଗଲେ। 46ତିନି ଦିନ ପରେ ସେମାନେ ତାହାଙ୍କୁ ମନ୍ଦିରରେ ପାଇଲେ; ସେ ପଣ୍ଡିତମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ, 47ଆଉ ଯେତେ ଲୋକ ତାହାଙ୍କ କଥା ଶୁଣୁଥିଲେ, ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ଭିତ ହେଉଥିଲେ। 48ସେମାନେ ତାହାଙ୍କୁ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲେ, ଆଉ ତାହାଙ୍କର ମାତା ତାହାଙ୍କୁ କହିଲେ, ପୁଅରେ, ଆମ୍ଭମାନଙ୍କ ପ୍ରତି କାହିଁକି ଏପରି ବ୍ୟବହାର କଲୁ? ଦେଖ୍, ତୋର ବାପା ଓ ମୁଁ ଅତିଶୟ ବ୍ୟାକୁଳ ହୋଇ ତୋତେ ଖୋଜୁଥିଲୁ। 49ଏଥିରେ ସେ ସେମାନଙ୍କୁ କହିଲେ, “କାହିଁକି ତୁମ୍ଭେମାନେ ମୋତେ ଖୋଜୁଥିଲ? ମୋହର ପିତାଙ୍କ ଗୃହରେ ରହିବା ଯେ ମୋହର କର୍ତ୍ତବ୍ୟ, ଏହା କଅଣ ଜାଣି ନ ଥିଲ?” 50କିନ୍ତୁ ସେ ସେମାନଙ୍କୁ ଯେଉଁ କଥା କହିଲେ, ତାହା ସେମାନେ ବୁଝିଲେ ନାହିଁ। 51ପରେ ସେ ସେମାନଙ୍କ ସାଙ୍ଗରେ ଫେରି ନାଜରିତକୁ ଆସିଲେ ଓ ସେମାନଙ୍କ ବାଧ୍ୟ ହୋଇ ରହିଲେ; ପୁଣି, ତାହାଙ୍କ ମାତା ଏହି ସମସ୍ତ କଥା ସାବଧାନ ରୂପେ ଆପଣା ହୃଦୟରେ ରଖିଲେ। 52ଆଉ, ଯୀଶୁ ଜ୍ଞାନରେ ଓ ଶରୀରରେ, ପୁଣି, ଈଶ୍ବରଙ୍କ ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ।

ସୁସମାଚାର (ସନ୍ଥ ବାସିଲଙ୍କ ପାଇଁ)

ଲୂକ 6:17–23

17ଆଉ ସେ ସେମାନଙ୍କ ସହିତ ଓହ୍ଲାଇ ଗୋଟିଏ ସମତଳ ଭୂମିରେ ଠିଆ ହେଲେ, ପୁଣି, ତାହାଙ୍କର ଅନେକ ଶିଷ୍ୟ ଏବଂ ସମସ୍ତ ଯିହୂଦିୟା ପ୍ରଦେଶ, ଯିରୂଶାଲମ ଆଉ ସୋର ଓ ସୀଦୋନର ଉପକୂଳରୁ ଅନେକେ ଉପସ୍ଥିତ ହେଲେ; 18ସେମାନେ ତାହାଙ୍କ ବାକ୍ୟ ଶୁଣିବାକୁ ଓ ଆପଣା ଆପଣା ରୋଗରୁ ସୁସ୍ଥ ହେବାକୁ ଆସିଥିଲେ, ଆଉ ଯେଉଁମାନେ ଅଶୁଚି ଆତ୍ମାଗୁଡ଼ାକ ଦ୍ୱାରା କଷ୍ଟ ପାଉଥିଲେ, ସେମାନେ ସୁସ୍ଥ କରାଗଲେ; 19ପୁଣି, ଲୋକସମୂହ ତାହାଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ, କାରଣ ତାହାଙ୍କଠାରୁ ଶକ୍ତି ବାହାରି ସମସ୍ତଙ୍କୁ ସୁସ୍ଥ କରୁଥିଲା। 20ସେ ସମୟରେ ସେ ଆପଣା ଶିଷ୍ୟମାନଙ୍କୁ ଦେଖି କହିଲେ, “ଦୀନହୀନ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କର। 21ବର୍ତ୍ତମାନ କ୍ଷୁଧିତ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ତୁମ୍ଭେମାନେ ପରିତୃପ୍ତ ହେବ। ବର୍ତ୍ତମାନ ରୋଦନ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ତୁମ୍ଭେମାନେ ହାସ୍ୟ କରିବ। 22ଲୋକେ ଯେବେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଓ ମନୁଷ୍ୟପୁତ୍ରଙ୍କ ହେତୁ ଅଲଗା କରନ୍ତି ପୁଣି, ନିନ୍ଦା କରନ୍ତି ଓ ତୁମ୍ଭମାନଙ୍କ ନାମକୁ ମନ୍ଦ ବୋଲି ଅଗ୍ରାହ୍ୟ କରନ୍ତି, ତେବେ ତୁମ୍ଭେମାନେ ଧନ୍ୟ। 23ସେହି ଦିନ ଆନନ୍ଦରେ ନୃତ୍ୟ କର, କାରଣ ଦେଖ, ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ଆଉ ସେହିପରି ତ ସେମାନଙ୍କ ପିତୃ-ପୁରୁଷମାନେ ଭାବବାଦୀମାନଙ୍କ ପ୍ରତି କରୁଥିଲେ।”

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଜାନୁଆରୀ 1 ନାଗରିକ ପଞ୍ଜିକାର ଜାନୁଆରୀ 14। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର