ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜାନୁଆରୀ 2027 › ଜାନୁଆରୀ 2
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 2 ଜାନୁଆରୀ 2027
ଶନିବାର · ବଡ଼ଦିନ କାଳ
ପର୍ବ ଓ ସନ୍ଥ
2 ଜାନୁଆରୀ
ସ୍ମୃତି ଦିବସ · ଉପାସନାର ରଙ୍ଗ: ଧଳା
ସନ୍ଥ ମହାନ ବାସିଲ ଓ ନାଜିଆନଜସ୍ର ସନ୍ଥ ଗ୍ରେଗୋରୀ, ଧର୍ମାଧ୍ୟକ୍ଷ ଓ ମଣ୍ଡଳୀର ଆଚାର୍ଯ୍ୟ · ସ୍ମୃତି ଦିବସ
ଦିନର ପାଠ
ପ୍ରଥମ ପାଠ
22ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ନାସ୍ତି କରେ, ତାହାଠାରୁ ଆଉ ମିଥ୍ୟାବାଦୀ କିଏ? ଯେ ପିତା ଓ ପୁତ୍ରଙ୍କୁ ନାସ୍ତି କରେ, ସେ ତ ସେହି ଭଣ୍ଡଖ୍ରୀଷ୍ଟ। 23ଯେ ପୁତ୍ରଙ୍କୁ ନାସ୍ତି କରେ, ସେ ପିତାଙ୍କୁ ପ୍ରାପ୍ତ କରି ନାହିଁ; ଯେ ପୁତ୍ରଙ୍କୁ ସ୍ୱୀକାର କରେ, ସେ ପିତାଙ୍କୁ ମଧ୍ୟ ପ୍ରାପ୍ତ କରିଅଛି। 24ତୁମ୍ଭେମାନେ ଆରମ୍ଭରୁ ଯାହା ଶୁଣିଅଛ, ତାହା ତୁମ୍ଭମାନଙ୍କଠାରେ ଥାଉ। ତୁମ୍ଭେମାନେ ଆରମ୍ଭରୁ ଯାହା ଶୁଣିଅଛ, ତାହା ଯଦି ତୁମ୍ଭମାନଙ୍କଠାରେ ଥାଏ, ତାହାହେଲେ ତୁମ୍ଭେମାନେ ମଧ୍ୟ ପୁତ୍ର ଓ ପିତାଙ୍କଠାରେ ରହିବ। 25ଆଉ ସେ ଆମ୍ଭମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ଅନନ୍ତ ଜୀବନ। 26ଯେଉଁମାନେ ତୁମ୍ଭମାନଙ୍କୁ ଭ୍ରାନ୍ତ କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କ ସମ୍ବନ୍ଧରେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି। 27କିନ୍ତୁ ତୁମ୍ଭେମାନେ ତାହାଙ୍କଠାରୁ ଯେଉଁ ଅଭିଷେକ ପାଇଅଛ, ତାହା ତୁମ୍ଭମାନଙ୍କଠାରେ ରହିଅଛି, ପୁଣି, କେହି ଯେ ତୁମ୍ଭମାନଙ୍କୁ ଶିକ୍ଷା ଦେବ, ଏହା ତୁମ୍ଭମାନଙ୍କର ଆବଶ୍ୟକ ନାହିଁ, ମାତ୍ର ତାହାଙ୍କଠାରୁ ସେହି ଅଭିଷେକ ତୁମ୍ଭମାନଙ୍କୁ ସମସ୍ତ ବିଷୟରେ ଯେଉଁ ଶିକ୍ଷା ଦିଏ, ତାହା ସତ୍ୟ ଅଟେ, ମିଥ୍ୟା ନୁହେଁ; ଏଣୁ ସେହି ଶିକ୍ଷା ଅନୁସାରେ ତାହାଙ୍କଠାରେ ରୁହ। 28ଅତଏବ, ହେ ବତ୍ସଗଣ, ତାହାଙ୍କଠାରେ ରୁହ, ଯେପରି ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ତାହାଙ୍କ ଆଗମନ ସମୟରେ ତାହାଙ୍କ ଛାମୁରେ ଆମ୍ଭେମାନେ ଲଜ୍ଜିତ ନ ହୋଇ ସାହସ ପ୍ରାପ୍ତ ହେବା।
ପ୍ରତିଉତ୍ତର ଗୀତ
1ଗୀତ। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର; କାରଣ ସେ ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି; ତାହାଙ୍କ ଦକ୍ଷିଣ ହସ୍ତ ଓ ତାହାଙ୍କ ପବିତ୍ର ବାହୁ ତାହାଙ୍କ ପକ୍ଷରେ ପରିତ୍ରାଣ ସାଧନ କରିଅଛି। 2ସଦାପ୍ରଭୁ ଆପଣା ପରିତ୍ରାଣ ଜଣାଇ ଅଛନ୍ତି; ସେ ଅନ୍ୟ ଦେଶୀୟମାନଙ୍କ ଦୃଷ୍ଟିଗୋଚରରେ ଆପଣା ଧର୍ମ ପ୍ରକାଶ କରିଅଛନ୍ତି। 3ସେ ଇସ୍ରାଏଲ ବଂଶ ପକ୍ଷରେ ଆପଣା ଦୟା ଓ ବିଶ୍ୱସ୍ତତା ସ୍ମରଣ କରିଅଛନ୍ତି; ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପରିତ୍ରାଣ ଦେଖିଅଛନ୍ତି। 4ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କର; ଉଚ୍ଚଧ୍ୱନି କର, ଆନନ୍ଦଗାନ କର ଓ ପ୍ରଶଂସା ଗାନ କର।
ସୁସମାଚାର
19ଆପଣ କିଏ, ଏହା ଯୋହନଙ୍କୁ ପଚାରିବା ନିମନ୍ତେ ଯିହୁଦୀ ନେତାମାନେ ଯେତେବେଳେ ଯିରୂଶାଲମ ସହରରୁ ଯାଜକ ଓ ଲେବୀୟମାନଙ୍କୁ ତାହାଙ୍କ ନିକଟକୁ ପଠାଇଲେ, ସେତେବେଳେ ସେ ଏହି ସାକ୍ଷ୍ୟ ଦେଲେ, 20ସେ ସ୍ୱୀକାର କଲେ, ଅସ୍ୱୀକାର କଲେ ନାହିଁ; ସେ ସ୍ୱୀକାର କଲେ, ମୁଁ ଖ୍ରୀଷ୍ଟ ନୁହେଁ। 21ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତେବେ କଅଣ? ଆପଣ କଅଣ ଏଲୀୟ? ସେ କହିଲେ, ମୁଁ ନୁହେଁ। ଆପଣ କଅଣ ସେହି ଭାବବାଦୀ? ସେ ଉତ୍ତର ଦେଲେ, ନା। 22ସେଥିରେ ସେମାନେ ତାହାଙ୍କୁ କହିଲେ, ଆମ୍ଭମାନଙ୍କୁ ପଠାଇଥିବା ଲୋକଙ୍କୁ ଯେପରି ଉତ୍ତର ଦେଇପାରୁ, ଏଥିସକାଶେ ଆପଣ କିଏ? ଆପଣ ନିଜ ବିଷୟରେ କଅଣ କହୁଅଛନ୍ତି? 23ସେ କହିଲେ, “ଯିଶାଇୟ ଭାବବାଦୀ ଯେପରି କହିଥିଲେ, ‘ମୁଁ ସେହି ପ୍ରକାର ମରୁପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ସଳଖ କର।’” 24ପୁଣି, ଫାରୂଶୀମାନଙ୍କ ମଧ୍ୟରୁ କେତେକ ଜଣ ପ୍ରେରିତ ହୋଇଥିଲେ। 25ସେମାନେ ତାହାଙ୍କୁ ପଚାରିଲେ, ଆପଣ ଯଦି ଖ୍ରୀଷ୍ଟ ବା ଏଲୀୟ ବା ସେହି ଭାବବାଦୀ ନୁହଁନ୍ତି, ତାହାହେଲେ କାହିଁକି ବାପ୍ତିସ୍ମ ଦେଉଅଛନ୍ତି? 26ଯୋହନ ସେମାନଙ୍କୁ ଉତ୍ତର ଦେଲେ, ମୁଁ ଜଳରେ ବାପ୍ତିସ୍ମ ଦେଉଅଛି; ଯାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ, ସେ ତୁମ୍ଭମାନଙ୍କ ମଧ୍ୟରେ ବିଦ୍ୟମାନ; 27ସେ ମୋʼ ଉତ୍ତାରେ ଆସୁଅଛନ୍ତି, ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ। 28ଯର୍ଦ୍ଦନ ନଦୀର ପରପାରସ୍ଥ ଯେଉଁ ବେଥନୀୟାରେ ଯୋହନ ବାପ୍ତିସ୍ମ ଦେଉଥିଲେ, ସେହି ସ୍ଥାନରେ ଏହିସବୁ ଘଟିଲା।
ଆଜିର ସନ୍ଥ
- ସନ୍ଥ ମହାନ ବାସିଲ ଓ ନାଜିଆନଜସ୍ର ସନ୍ଥ ଗ୍ରେଗୋରୀ, ଧର୍ମାଧ୍ୟକ୍ଷ ଓ ମଣ୍ଡଳୀର ଆଚାର୍ଯ୍ୟ
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର