Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ନଭେମ୍ବର 2026 › ନଭେମ୍ବର 8

ଅର୍ଥୋଡକ୍ସ ପଞ୍ଜିକା · 26 ଅକ୍ଟୋବର (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 8 ନଭେମ୍ବର 2026

ରବିବାର · ସ୍ୱର 6

ପର୍ବ ଓ ସନ୍ଥ

ପେଣ୍ଟିକଷ୍ଟ ପରେ 23ତମ ରବିବାର

ଉପବାସ

ଉପବାସ ନାହିଁ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ସନ୍ଧ୍ୟା ପ୍ରାର୍ଥନା: ପାଠ

ଯିଶା 63:15–64:5, 8–9

15ଏବେ ସ୍ୱର୍ଗରୁ ଅବଲୋକନ କର, ତୁମ୍ଭ ପବିତ୍ରତାର ଓ ତୁମ୍ଭ ପ୍ରତାପର ବସତି-ସ୍ଥାନରୁ ଦୃଷ୍ଟିପାତ କର; ତୁମ୍ଭର ଉଦ୍‍ଯୋଗ ଓ ତୁମ୍ଭର ବିକ୍ରମକାର୍ଯ୍ୟସବୁ କାହିଁ? ତୁମ୍ଭ ଅନ୍ତଃକରଣର ବ୍ୟଥା ଓ ତୁମ୍ଭର ସ୍ନେହସବୁ ମୋʼ ପ୍ରତି ନିବୃତ୍ତ ହୋଇଅଛି। 16ଯଦ୍ୟପି ଅବ୍ରହାମ ଆମ୍ଭମାନଙ୍କୁ ଜାଣନ୍ତି ନାହିଁ ଓ ଇସ୍ରାଏଲ ଆମ୍ଭମାନଙ୍କୁ ସ୍ୱୀକାର କରନ୍ତି ନାହିଁ, ତଥାପି ତୁମ୍ଭେ ତ ଆମ୍ଭମାନଙ୍କର ପିତା; ହେ ସଦାପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଅନନ୍ତ କାଳରୁ ଆମ୍ଭମାନଙ୍କର ମୁକ୍ତିଦାତା ବୋଲି ତୁମ୍ଭର ନାମ ଅଛି। 17ହେ ସଦାପ୍ରଭୋ, ଆମ୍ଭମାନଙ୍କୁ ତୁମ୍ଭ ପଥରୁ କାହିଁକି ଭ୍ରାନ୍ତ କରାଉଅଛ ଓ ତୁମ୍ଭକୁ ଭୟ କରିବା ପ୍ରତି ଆମ୍ଭମାନଙ୍କ ଅନ୍ତଃକରଣକୁ କଠିନ କରାଉଅଛ? ଆପଣା ଦାସମାନଙ୍କର, ଆପଣା ଅଧିକାର ସ୍ୱରୂପ ଗୋଷ୍ଠୀଗଣର ସକାଶୁ ଫେର। 18ତୁମ୍ଭର ପବିତ୍ର ଲୋକମାନେ କେବଳ ଅଳ୍ପ କାଳ ତାହା ଅଧିକାର କଲେ; ଆମ୍ଭମାନଙ୍କର ବିପକ୍ଷମାନେ ତୁମ୍ଭର ପବିତ୍ର ଧାମ ପଦ ତଳେ ଦଳି ପକାଇଅଛନ୍ତି। 19ଯେଉଁମାନଙ୍କ ଉପରେ ତୁମ୍ଭେ କେବେ କର୍ତ୍ତୃତ୍ୱ କରି ନାହଁ, ଯେଉଁମାନେ ତୁମ୍ଭ ନାମରେ କେବେ ଖ୍ୟାତ ହୋଇ ନ ଥିଲେ, ଏପରି ଲୋକମାନଙ୍କ ତୁଲ୍ୟ ଆମ୍ଭେମାନେ ହୋଇଅଛୁ। 64:1ଆହା, ଅନ୍ୟ ଦେଶୀୟମାନେ ଯେପରି ତୁମ୍ଭ ସାକ୍ଷାତରେ କମ୍ପମାନ ହେବେ, ଏଥିପାଇଁ ତୁମ୍ଭ ବିପକ୍ଷଗଣକୁ ତୁମ୍ଭ ନାମ ଜ୍ଞାତ କରାଇବା ନିମନ୍ତେ, 2ଅଗ୍ନି ଝାଟି ଜ୍ୱଳାଇବା ପରି, ଅଗ୍ନି ଜଳ ଫୁଟାଇବା ପରି ଯଦି ତୁମ୍ଭେ ଆକାଶମଣ୍ଡଳ ବିଦୀର୍ଣ୍ଣ କରି ଓହ୍ଲାଇ ଆସନ୍ତ ଓ ପର୍ବତଗଣ ତୁମ୍ଭ ସାକ୍ଷାତରେ ପ୍ରବାହିତ ହୁଅନ୍ତେ! 3ଯେତେବେଳେ ତୁମ୍ଭେ ଆମ୍ଭମାନଙ୍କର ଅନପେକ୍ଷିତ ଭୟାନକ କ୍ରିୟା କଲ, ସେତେବେଳେ ତୁମ୍ଭେ ଓହ୍ଲାଇ ଆସିଲ, ପର୍ବତଗଣ ତୁମ୍ଭ ସାକ୍ଷାତରେ ପ୍ରବାହିତ ହେଲେ। 4କାରଣ ଯେ ଆପଣା ଅପେକ୍ଷାକାରୀ ପକ୍ଷରେ କାର୍ଯ୍ୟ ସାଧନ କରନ୍ତି, ଲୋକେ ପ୍ରାଚୀନ କାଳରୁ ତୁମ୍ଭ ଛଡ଼ା ଅନ୍ୟ ପରମେଶ୍ୱର ବିଷୟ ଶୁଣି ନାହାନ୍ତି, ଅଥବା କର୍ଣ୍ଣ ଜ୍ଞାତ ହୋଇ ନାହିଁ, କିଅବା ଚକ୍ଷୁ ଦେଖି ନାହିଁ। 5ଯେଉଁ ଲୋକ ଆନନ୍ଦରେ ଧର୍ମାଚରଣ କରେ, ଯେଉଁମାନେ ତୁମ୍ଭ ପଥରେ ତୁମ୍ଭକୁ ସ୍ମରଣ କରନ୍ତି, ତୁମ୍ଭେ ସେମାନଙ୍କ ସହିତ ସାକ୍ଷାତ କରିଥାଅ; ଦେଖ, ତୁମ୍ଭେ କ୍ରୁଦ୍ଧ ଥିଲ ଓ ଆମ୍ଭେମାନେ ପାପ କଲୁ; ଆମ୍ଭେମାନେ ଦୀର୍ଘ କାଳ ତହିଁରେ ରହିଅଛୁ, ଆମ୍ଭେମାନେ କି ପରିତ୍ରାଣ ପାଇବା? 8ମାତ୍ର ଏବେ ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଆମ୍ଭେମାନେ ମୃତ୍ତିକା, ତୁମ୍ଭେ ଆମ୍ଭମାନଙ୍କର କୁମ୍ଭକାର; ପୁଣି, ଆମ୍ଭେ ସମସ୍ତେ ତୁମ୍ଭର ହସ୍ତକୃତ କର୍ମ। 9ହେ ସଦାପ୍ରଭୋ, ଅତ୍ୟନ୍ତ କ୍ରୁଦ୍ଧ ହୁଅ ନାହିଁ, କିଅବା ଚିରକାଳ ଅପରାଧ ମନରେ ରଖ ନାହିଁ; ଆମ୍ଭେମାନେ ବିନତି କରୁ, ଦେଖ, ଦୃଷ୍ଟି କର, ଆମ୍ଭେ ସମସ୍ତେ ତୁମ୍ଭର ଲୋକ।

ସନ୍ଧ୍ୟା ପ୍ରାର୍ଥନା: ପାଠ

ଯିରି 2:2–12

2“ଯାଅ ଓ ଯିରୂଶାଲମର କର୍ଣ୍ଣଗୋଚରରେ ପ୍ରଚାର କରି କୁହ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭ ଯୌବନାବସ୍ଥାର ଭକ୍ତି, ତୁମ୍ଭ ବିବାହ ସମୟର ପ୍ରେମ, ତୁମ୍ଭେ ପ୍ରାନ୍ତରରେ ଅବୁଣା ଦେଶରେ କିରୂପେ ଆମ୍ଭ ପଶ୍ଚାଦ୍‍ଗମନ କଲ, ଏହା ତୁମ୍ଭ ପକ୍ଷରେ ଆମ୍ଭେ ସ୍ମରଣ କରୁଅଛୁ। 3ଇସ୍ରାଏଲ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର, ତାହାଙ୍କ ଆୟର ପ୍ରଥମ ଫଳ ସ୍ୱରୂପ ଥିଲା। ଯେଉଁମାନେ ତାହାକୁ ଗ୍ରାସ କରନ୍ତି, ସେସମସ୍ତେ ଦୋଷୀ ଗଣାଯିବେ; ସେମାନଙ୍କ ପ୍ରତି ଅମଙ୍ଗଳ ଘଟିବ,” ଏହା ସଦାପ୍ରଭୁ କହନ୍ତି। 4ହେ ଯାକୁବର ବଂଶ, ଆଉ ହେ ଇସ୍ରାଏଲ ବଂଶର ଗୋଷ୍ଠୀସବୁ, ସଦାପ୍ରଭୁଙ୍କର ବାକ୍ୟ ଶୁଣ; 5ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭଠାରେ କେଉଁ ଅନ୍ୟାୟ ଦେଖିଲେ ଯେ, ସେମାନେ ଆମ୍ଭଠାରୁ ଦୂରକୁ ଯାଇଅଛନ୍ତି ଓ ଅସାର ପ୍ରତିମାଗଣର ପଶ୍ଚାଦ୍‍ଗମନ କରି ନିଜେ ଅସାର ହୋଇଅଛନ୍ତି? 6ଅଥବା ‘ଯେ ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ଯେ ପ୍ରାନ୍ତରର, ମରୁଭୂମି ଓ ଗର୍ତ୍ତମୟ ଦେଶର, ଆଉ ନିର୍ଜଳ ଓ ମୃତ୍ୟୁଚ୍ଛାୟାରୂପ ଦେଶର, ପୁଣି ପଥିକବିହୀନ ଓ ନିବାସୀଶୂନ୍ୟ ଦେଶର ମଧ୍ୟରେ ଆମ୍ଭମାନଙ୍କୁ କଢ଼ାଇ ଆଣିଲେ, ସେହି ସଦାପ୍ରଭୁ କାହାନ୍ତି,’ ଏହା ସେମାନେ କହିଲେ ନାହିଁ। 7ପୁଣି, ତୁମ୍ଭେମାନେ ଯେପରି ଫଳ ଓ ଅତ୍ୟୁତ୍ତମ ଦ୍ରବ୍ୟ ଭୋଜନ କରିବ, ଏଥିପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଏକ ଅତି ଉର୍ବରା ଦେଶକୁ ଆଣିଲୁ; ମାତ୍ର ତୁମ୍ଭେମାନେ ପ୍ରବେଶ କରି ଆମ୍ଭ ଦେଶକୁ ଅଶୁଚି ଓ ଆମ୍ଭ ଅଧିକାରକୁ ଘୃଣାସ୍ପଦ କଲ। 8‘ସଦାପ୍ରଭୁ କାହାନ୍ତି,’ ଏହା ଯାଜକମାନେ କହିଲେ ନାହିଁ, ଆଉ ଯେଉଁମାନେ ବ୍ୟବସ୍ଥା ହସ୍ତରେ ଧରନ୍ତି, ସେମାନେ ଆମ୍ଭକୁ ଜାଣିଲେ ନାହିଁ; ଶାସନକର୍ତ୍ତାମାନେ ମଧ୍ୟ ଆମ୍ଭ ବିରୁଦ୍ଧରେ ଅଧର୍ମାଚରଣ କଲେ, ଆଉ ଭବିଷ୍ୟଦ୍‍ବକ୍ତାମାନେ ବାଲ୍‍ଦେବ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ ଓ ନିଷ୍ଫଳ ବସ୍ତୁମାନର ପଶ୍ଚାଦ୍‍ଗମନ କଲେ। 9ଏହେତୁ ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କ ସହିତ ଆହୁରି ପ୍ରତିବାଦ କରିବା ଓ ତୁମ୍ଭମାନଙ୍କ ସନ୍ତାନଗଣର ସନ୍ତାନ ସହିତ ଆମ୍ଭେ ପ୍ରତିବାଦ କରିବା। 10ପାର ହୋଇ କିତ୍ତୀୟମାନଙ୍କର ଦ୍ୱୀପସମୂହକୁ ଯାଇ ଦେଖ, ଆଉ କେଦାରକୁ ଲୋକ ପଠାଅ ଓ ସୂକ୍ଷ୍ମ ରୂପେ ବିବେଚନା କର; ଆଉ ଦେଖ, ଏପରି କାର୍ଯ୍ୟ କି କେବେ ହୋଇଅଛି? 11ଦେବତାମାନେ ଈଶ୍ୱର ନୋହିଲେ ହେଁ କୌଣସି ଦେଶୀୟ ଲୋକେ କି ଆପଣା ଦେବତାମାନଙ୍କୁ ବଦଳ କରିଅଛନ୍ତି? ମାତ୍ର ଆମ୍ଭର ଲୋକମାନେ ନିଷ୍ଫଳ ବସ୍ତୁ ନିମନ୍ତେ ଆପଣାମାନଙ୍କର ଗୌରବସ୍ୱରୂପଙ୍କୁ ବଦଳ କରିଅଛନ୍ତି। 12ହେ ଆକାଶମଣ୍ଡଳ, ଏଥିରେ ଚମତ୍କୃତ ହୁଅ ଓ ମହାଭୟଗ୍ରସ୍ତ ହୋଇ ସଙ୍କୁଚିତ ହୁଅ, ଏହା ସଦାପ୍ରଭୁ କହନ୍ତି।

ସନ୍ଧ୍ୟା ପ୍ରାର୍ଥନା: ପାଠ

ଏହି ଅନୁବାଦରେ ନାହିଁ

ପ୍ରଭାତୀ ପ୍ରାର୍ଥନାର ପ୍ରଥମ ସୁସମାଚାର

ମାଥି 28:16–20

16କିନ୍ତୁ ଏକାଦଶ ଶିଷ୍ୟ ଗାଲିଲୀକୁ ଯାଇ, ଯୀଶୁ ଯେଉଁ ପର୍ବତ ବିଷୟ ସେମାନଙ୍କୁ କହିଥିଲେ, ସେହି ପର୍ବତକୁ ଗଲେ। 17ଆଉ, ସେମାନେ ତାହାଙ୍କୁ ଦେଖି ପ୍ରଣାମ କଲେ, ମାତ୍ର କେହି କେହି ସନ୍ଦେହ କଲେ। 18ପୁଣି, ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, “ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଅଛି। 19ଅତଏବ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ, 20ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହିସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର; ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି।”

ପତ୍ର

ଏଫି 2:4–10

4ମାତ୍ର ଏପରି ଅପରାଧରେ ମୃତ ହେଲେ ହେଁ ଦୟାସାଗର ଯେ ଈଶ୍ବର, ସେ ଆମ୍ଭମାନଙ୍କୁ ଯେଉଁ ମହା ପ୍ରେମରେ ପ୍ରେମ କଲେ, 5ସେଥିସକାଶେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ଜୀବିତ କରିଅଛନ୍ତି, ଏଣୁ ଅନୁଗ୍ରହରେ ତୁମ୍ଭେମାନେ ପରିତ୍ରାଣ ପାଇଅଛ, 6ପୁଣି, ତାହାଙ୍କ ସହିତ ଆମ୍ଭମାନଙ୍କୁ ଉତ୍ଥାପିତ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ତାହାଙ୍କ ସହିତ ସ୍ୱର୍ଗରେ ଉପବେଶନ କରାଇଅଛନ୍ତି, 7ଯେପରି ଖ୍ରୀଷ୍ଟ ଯୀଶୁଙ୍କଠାରେ ସେ ଆମ୍ଭମାନଙ୍କ ପ୍ରତି କରୁଣା କରି ଆଗାମୀ ଯୁଗରେ ଆପଣା ଅନୁଗ୍ରହର ଅତ୍ୟଧିକ ଧନ ପ୍ରକାଶ କରନ୍ତି। 8କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ; ତାହା ତୁମ୍ଭମାନଙ୍କ ନିଜଠାରୁ ହୋଇ ନାହିଁ, ତାହା ଈଶ୍ବରଙ୍କ ଦାନ, 9କର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ। 10କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେ ସମସ୍ତ ସତ୍କର୍ମ ଆମ୍ଭେମାନେ କରିବୁ ବୋଲି ଈଶ୍ବର ପୂର୍ବରୁ ପ୍ରସ୍ତୁତ କରିଥିଲେ, ଆଚରଣରେ ସେହିସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୃଷ୍ଟ।

ପତ୍ର (ଭୂମିକମ୍ପ ସମୟରେ)

ଏବ୍ରୀ 12:6–13, 25–27

6କାରଣ ପ୍ରଭୁ ଯାହାକୁ ପ୍ରେମ କରନ୍ତି, ତାହାକୁ ଶାସନ କରନ୍ତି, ପୁଣି, ଯେଉଁ ପୁତ୍ରକୁ ସେ ଗ୍ରହଣ କରନ୍ତି, ତାହାକୁ ପ୍ରହାର କରନ୍ତି।” 7ଶାସନ ଉଦ୍ଦେଶ୍ୟରେ ତ ତୁମ୍ଭେମାନେ କ୍ଳେଶ ସହ୍ୟ କରୁଅଛ ଈଶ୍ବର ତୁମ୍ଭମାନଙ୍କ ସହିତ ପୁତ୍ର ତୁଲ୍ୟ ବ୍ୟବହାର କରୁଅଛନ୍ତି, କାରଣ ପିତା ଯାହାକୁ ଶାସନ ନ କରନ୍ତି, ଏପରି ପୁତ୍ର କିଏ ଅଛି? 8କିନ୍ତୁ ଯେଉଁ ଶାସନର ସମସ୍ତେ ସହଭାଗୀ, ଯଦି ତୁମ୍ଭେମାନେ ସେଥିର ଅଂଶୀ ନୁହଁ, ତେବେ ତୁମ୍ଭେମାନେ ପୁତ୍ର ନ ହୋଇ ଜାରଜ ଅଟ। 9ଆହୁରି ମଧ୍ୟ, ଆମ୍ଭମାନଙ୍କ ଶାସନକାରୀ ଆମ୍ଭମାନଙ୍କ ଶାରୀରିକ ପିତୃଗଣଙ୍କୁ ଆମ୍ଭେମାନେ ସମାଦର କଲୁ, ତେବେ ଆତ୍ମାମାନଙ୍କ ପିତାଙ୍କର ବରଂ କେତେ ଅଧିକ ରୂପେ ବଶୀଭୂତ ହୋଇ ଜୀବନ ପ୍ରାପ୍ତ ନ ହେବୁ? 10କାରଣ ସେମାନଙ୍କୁ ଯେପରି ବିହିତ ବୋଧ ହେଲା, ତଦନୁସାରେ ସେମାନେ ଅଳ୍ପ ଦିନ ନିମନ୍ତେ ଆମ୍ଭମାନଙ୍କୁ ଶାସନ କଲେ; କିନ୍ତୁ ଆମ୍ଭେମାନେ ଯେପରି ତାହାଙ୍କ ପବିତ୍ରତାର ସହଭାଗୀ ହେଉ, ଏଥିପାଇଁ ସେ ଆମ୍ଭମାନଙ୍କ ମଙ୍ଗଳ ନିମନ୍ତେ ଶାସନ କରନ୍ତି। 11ଶାସନ ବର୍ତ୍ତମାନ ଆନନ୍ଦଜନକ ବୋଧ ନ ହୋଇ ଦୁଃଖଜନକ ବୋଧ ହୁଏ ତଥାପି ଯେଉଁମାନେ ତଦ୍ୱାରା ଶିକ୍ଷା ପ୍ରାପ୍ତ କରିଅଛନ୍ତି, ତାହା ପରେ ସେମାନଙ୍କୁ ଶାନ୍ତିର ଫଳ ସ୍ୱରୂପ ଧାର୍ମିକତା ପ୍ରଦାନ କରେ। 12ଅତଏବ, ତୁମ୍ଭେମାନେ ଦୁର୍ବଳ ହସ୍ତ ଓ ଅବଶ ଜାନୁ ସବଳ କର, 13ପୁଣି, ଆପଣା ଆପଣା ପାଦ ନିମନ୍ତେ ସଳଖ ପଥ ପ୍ରସ୍ତୁତ କର ଯେପରି ଯାହା ଖଞ୍ଜ, ତାହା ଅଧିକ ବିକୃତ ନ ହୋଇ ବରଂ ସୁସ୍ଥ ହୁଏ। 25ସାବଧାନ, ଯେ ବାକ୍ୟ କହୁଅଛନ୍ତି, ତାହାଙ୍କୁ ଅଗ୍ରାହ୍ୟ କର ନାହିଁ, କାରଣ ଯେଉଁ ମୋଶା ପୃଥିବୀରେ ଆଦେଶ ଦେଲେ, ତାହାଙ୍କୁ ଅଗ୍ରାହ୍ୟ କରିବାରୁ ଇସ୍ରାଏଲର ଲୋକମାନେ ଯଦି ରକ୍ଷା ପାଇଲେ ନାହିଁ, ତେବେ ଯେ ସ୍ୱର୍ଗରୁ ଆଦେଶ ଦେଉଅଛନ୍ତି, ତାହାଙ୍କଠାରୁ ବିମୁଖ ହେଲେ ଆମ୍ଭେମାନେ ମଧ୍ୟ ଯେ ରକ୍ଷା ପାଇବା ନାହିଁ, ଏହା ଯେ ଅଧିକ ସୁନିଶ୍ଚିତ! 26ସେତେବେଳେ ଈଶ୍ବରଙ୍କ ସ୍ୱର ପୃଥିବୀକୁ ଟଳମଳ କଲା, କିନ୍ତୁ ଏବେ ସେ ପ୍ରତିଜ୍ଞା କରି କହିଅଛନ୍ତି, “ପୁନର୍ବାର ଆମ୍ଭେ ଯେ କେବଳ ପୃଥିବୀକୁ କମ୍ପାଇବା, ତାହା ନୁହେଁ, ମାତ୍ର ଆକାଶକୁ ମଧ୍ୟ କମ୍ପାଇବା।” 27ପୁନର୍ବାର ବୋଲି କହିବା ଦ୍ୱାରା ଏହା ବୁଝାଯାଏ ଯେ, ଅଟଳ ବିଷୟସବୁ ରହିବା ନିମନ୍ତେ ଟଳମଳ ବିଷୟ, ଅର୍ଥାତ୍‍, ସୃଷ୍ଟ ବିଷୟସବୁର ପରିବର୍ତ୍ତନ ହେବ।

ପତ୍ର (ସନ୍ଥ ଦିମିତ୍ରିୟସ୍‌ଙ୍କ ପାଇଁ)

ଦ୍ଵି.ତୀମ 2:1–10

1ଅତଏବ, ହେ ମୋହର ପୁତ୍ର, ଖ୍ରୀଷ୍ଟ ଯୀଶୁଙ୍କ ପ୍ରଦତ୍ତ ଅନୁଗ୍ରହରେ ବଳବାନ ହୁଅ, 2ଆଉ ଅନେକ ସାକ୍ଷୀମାନଙ୍କ ସାକ୍ଷାତରେ ଯେଉଁ ସବୁ ବାକ୍ୟ ମୋʼଠାରୁ ଶୁଣିଅଛ, ଯେଉଁମାନେ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେବାକୁ ସମର୍ଥ, ଏପରି ବିଶ୍ୱସ୍ତ ଲୋକମାନଙ୍କ ନିକଟରେ ସେହିସବୁ ଅର୍ପଣ କର। 3ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ଯୋଦ୍ଧା ପରି ମୋ ସହିତ କ୍ଲେଶ ସହ୍ୟ କର। 4କୌଣସି ଲୋକ ସୈନ୍ୟକାର୍ଯ୍ୟ କରି ସଂସାରର ଅନ୍ୟ କାର୍ଯ୍ୟରେ ନିଜକୁ ଆବଦ୍ଧ କରେ ନାହିଁ, ଯେପରି ସୈନ୍ୟପଦରେ ନିଯୋଗକର୍ତ୍ତାଙ୍କୁ ସେ ସନ୍ତୁଷ୍ଟ କରିପାରେ। 5ଆହୁରି ମଧ୍ୟ ଯଦି ଜଣେ ଲୋକ ଖେଳରେ ଭାଗ ନିଏ, ସେ ନିୟମ ଅନୁସାରେ ତାହା ନ କଲେ ମୁକୁଟ ପାଏ ନାହିଁ। 6ଯେଉଁ କୃଷକ ପରିଶ୍ରମ କରେ, ସେ ପ୍ରଥମେ ଫଳର ଅଂଶ ପାଇବା ଉଚିତ। 7ମୁଁ ଯାହା କହୁଅଛି, ତାହା ଚିନ୍ତା କର; ପ୍ରଭୁ ସମସ୍ତ ବିଷୟରେ ତୁମ୍ଭକୁ ବୁଦ୍ଧି ଦେବେ। 8ମୋ ଦ୍ୱାରା ପ୍ରଚାରିତ ସୁସମାଚାର ଅନୁସାରେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ଓ ଦାଉଦଙ୍କର ବଂଶଜାତ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ମରଣ କର। 9ସେହି ସୁସମାଚାର ନିମନ୍ତେ ମୁଁ ଅପରାଧୀ ପରି ବନ୍ଧାଯିବା ପର୍ଯ୍ୟନ୍ତ କ୍ଲେଶ ଭୋଗ କରୁଅଛି; କିନ୍ତୁ ଈଶ୍ବରଙ୍କ ବାକ୍ୟ ଆବଦ୍ଧ ନୁହେଁ। 10ଅତଏବ, ମନୋନୀତ ଲୋକମାନେ ମଧ୍ୟ ଯେପରି ଅନନ୍ତ ଗୌରବ ସହିତ ଖ୍ରୀଷ୍ଟ ଯୀଶୁଙ୍କ ଦତ୍ତ ପରିତ୍ରାଣ ପାଆନ୍ତି, ଏଥିପାଇଁ ମୁଁ ସେମାନଙ୍କ ନିମନ୍ତେ ସମସ୍ତ ବିଷୟ ଧୈର୍ଯ୍ୟ ଧରି ସହ୍ୟ କରୁଅଛି।

ସୁସମାଚାର

ଲୂକ 16:19–31

19“ଜଣେ ଧନୀ ଲୋକ ଥିଲା, ସେ କୃଷ୍ଣଲୋହିତ ବର୍ଣ୍ଣର ବହୁମୂଲ୍ୟ ବସ୍ତ୍ର ପିନ୍ଧି ମହା ଆଡ଼ମ୍ବରରେ ପ୍ରତିଦିନ ଆମୋଦ ପ୍ରମୋଦ କରୁଥିଲା; 20କିନ୍ତୁ ତାହାର ଫାଟକ ପାଖରେ ଲାଜାର ବୋଲି ଜଣେ ଭିକାରୀ ପଡ଼ି ରହିଥିଲା, 21ତାର ଦେହରେ ଘାଆ ଭର୍ତ୍ତି ହୋଇଥିଲା; ସେ ସେହି ଧନୀ ଲୋକର ମେଜରୁ ପଡ଼ିବା ଅଇଁଣ୍ଠାରୁ କିଛି ଖାଇ ପେଟ ପୁରାଇବାକୁ ଆଶା କରୁଥିଲା; ଆଉ କୁକୁରଗୁଡ଼ାକ ସୁଦ୍ଧା ଆସି ତାହାର ଘାଆ ସବୁ ଚାଟୁଥିଲେ। 22କାଳକ୍ରମେ ସେହି ଭିକାରୀଟି ମରିଗଲା ଓ ଦୂତମାନଙ୍କ ଦ୍ୱାରା ଅବ୍ରହାମଙ୍କ କୋଳକୁ ନିଆଗଲା; ପରେ ସେହି ଧନୀ ଲୋକ ମଧ୍ୟ ମରିଗଲା ଓ ସମାଧି ପାଇଲା। 23ଆଉ, ସେ ନର୍କ-ଯନ୍ତ୍ରଣାରେ କଲବଲ ହୋଇ ଉପରକୁ ଚାହିଁ ଦୂରରେ ଅବ୍ରହାମ ଓ ତାହାଙ୍କ କୋଳରେ ଲାଜାରକୁ ଦେଖିଲା। 24ସେଥିରେ ସେ ଡାକି କହିଲେ, ‘ହେ ପିତା ଅବ୍ରହାମ, ମୋତେ ଦୟା କରି ଲାଜାରକୁ ପଠାଇ ଦିଅନ୍ତୁ, ଯେପରି ସେ ପାଣିରେ ନିଜ ଅଙ୍ଗୁଳିର ଟିପ ବୁଡ଼ାଇ ମୋହର ଜିଭକୁ ଥଣ୍ଡା କରେ, କାରଣ ମୁଁ ଏହି ନିଆଁରେ କଲବଲ ହେଉଅଛି।’ 25କିନ୍ତୁ ଅବ୍ରହାମ କହିଲେ, ‘ପୁଅରେ, ତୁ ଯେ ଜୀବିତ ଥିବା ସମୟରେ ତୋର ଭଲ ବିଷୟସବୁ ପାଇଲୁ, ଆଉ ଲାଜାର ସେହିପରି ମନ୍ଦ ବିଷୟସବୁ ପାଇଲା, ଏହା ମନେ କର; କିନ୍ତୁ ଏବେ ସେ ଏହି ସ୍ଥାନରେ ସାନ୍ତ୍ୱନା ପାଉଅଛି, ଆଉ ତୁ କଲବଲ ହେଉଅଛୁ। 26ତାହା ଛଡ଼ା ତୁମ ଓ ଆମ ମଧ୍ୟରେ ବହୁତ ବଡ଼ ବ୍ୟବଧାନ ଅଛି, ଯେପରି ଯେଉଁମାନେ ଏ ସ୍ଥାନରୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରନ୍ତି, ସେମାନେ ଯାଇ ପାରିବେ ନାହିଁ, କିମ୍ବା ସେ ସ୍ଥାନରୁ କେହି ଆମ୍ଭମାନଙ୍କ ନିକଟକୁ ପାର ହୋଇ ଆସି ପାରିବେ ନାହିଁ।’ 27ସେଥିରେ ସେ କହିଲେ, ‘ହେ ପିତା, ତାହାହେଲେ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି, ତାହାକୁ ମୋହର ବାପାଙ୍କ ଘରକୁ ପଠାଉନ୍ତୁ, 28କାରଣ ମୋହର ପାଞ୍ଚ ଭାଇ ଅଛନ୍ତି; ସେମାନେ ମଧ୍ୟ ଯେପରି ଏହି ଯନ୍ତ୍ରଣାମୟ ସ୍ଥାନକୁ ନ ଆସିବେ, ସେଥିପାଇଁ ସେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବେ।’ 29କିନ୍ତୁ ଅବ୍ରହାମ କହିଲେ, ‘ସେମାନଙ୍କ ନିକଟରେ ମୋଶା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଅଛି, ସେମାନେ ସେମାନଙ୍କର କଥା ଶୁଣନ୍ତୁ।’ 30ସେଥିରେ ସେ କହିଲେ, ‘ହେ ପିତା ଅବ୍ରହାମ, ତାହା ଯଥେଷ୍ଟ ନୁହେଁ, ମାତ୍ର ଯଦି ମୃତମାନଙ୍କ ପାଖରୁ ଜଣେ ସେମାନଙ୍କ ନିକଟକୁ ଯିବ, ତାହାହେଲେ ସେମାନେ ମନ-ପରିବର୍ତ୍ତନ କରିବେ।’ 31କିନ୍ତୁ ସେ ତାହାକୁ କହିଲେ, ‘ଯଦି ସେମାନେ ମୋଶା ଓ ଭାବବାଦୀମାନଙ୍କର କଥା ନ ଶୁଣନ୍ତି, ତାହାହେଲେ ମୃତମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହେଲେ ସୁଦ୍ଧା ସେମାନେ ପରାମର୍ଶ ଗ୍ରହଣ କରିବେ ନାହିଁ।’”

ସୁସମାଚାର (ଭୂମିକମ୍ପ ସମୟରେ)

ମାଥି 8:23–27

23ସେ ନୌକାରେ ଚଢ଼ନ୍ତେ ତାହାଙ୍କର ଶିଷ୍ୟମାନେ ତାହାଙ୍କ ପଛେ ପଛେ ଗଲେ। 24ପୁଣି, ଦେଖ, ସମୁଦ୍ରରେ ଏପରି ପ୍ରବଳ ଝଡ଼ ହେଲା ଯେ, ତରଙ୍ଗରେ ନୌକାଟି ଆଚ୍ଛାଦିତ ହେବାକୁ ଲାଗିଲା, ମାତ୍ର ସେ ଶୋଇଥିଲେ। 25ଆଉ ସେମାନେ ପାଖକୁ ଆସି ତାହାଙ୍କୁ ଉଠାଇ କହିଲେ, ହେ ପ୍ରଭୁ, ରକ୍ଷା କରନ୍ତୁ, ଆମେ ମଲୁ। 26ସେ ସେମାନଙ୍କୁ କହିଲେ, “ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ?” ସେତେବେଳେ ସେ ଉଠି ପବନ ଓ ସମୁଦ୍ରକୁ ଧମକ ଦେଲେ, ଆଉ ସବୁ ଧିରସ୍ଥିର ହେଲା। 27ସେଥିରେ ଲୋକମାନେ ଚମତ୍କୃତ ହୋଇ କହିଲେ, ଏ କିପରି ବ୍ୟକ୍ତି ଯେ ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି।

ସୁସମାଚାର (ସନ୍ଥ ଦିମିତ୍ରିୟସ୍‌ଙ୍କ ପାଇଁ)

ଯୋହ 15:17–16:2

17ତୁମ୍ଭେମାନେ ଯେପରି ପରସ୍ପରକୁ ପ୍ରେମ କର, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ ଆଜ୍ଞା ଦେଉଅଛି।” 18“ଜଗତ ତୁମ୍ଭମାନଙ୍କୁ ଘୃଣା କରେ, ତେବେ ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବେ ତାହା ଯେ ମୋତେ ଘୃଣା କରିଅଛି, ଏହା ଜାଣ। 19ଯଦି ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇଥାଆନ୍ତ, ତେବେ ଜଗତ ତୁମ୍ଭମାନଙ୍କୁ ଆପଣାର ଲୋକ ଜାଣି ପ୍ରେମ କରନ୍ତା; କିନ୍ତୁ ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ, ବରଂ ମୁଁ ତୁମ୍ଭମାନଙ୍କୁ ଜଗତ ମଧ୍ୟରୁ ମନୋନୀତ କରିଅଛି, ଏଥିନିମନ୍ତେ ଜଗତ ତୁମ୍ଭମାନଙ୍କୁ ଘୃଣା କରେ। 20ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ, ମୁଁ ତୁମ୍ଭମାନଙ୍କୁ ଏହି ଯେଉଁ ବାକ୍ୟ କହିଅଛି, ତାହା ସ୍ମରଣ କର। ଯଦି ସେମାନେ ମୋତେ ତାଡ଼ନା କରିଅଛନ୍ତି, ତାହାହେଲେ ତୁମ୍ଭମାନଙ୍କୁ ମଧ୍ୟ ତାଡ଼ନା କରିବେ; ଯଦି ସେମାନେ ମୋହର ବାକ୍ୟ ପାଳନ କରିଅଛନ୍ତି, ତାହାହେଲେ ତୁମ୍ଭମାନଙ୍କର ବାକ୍ୟ ମଧ୍ୟ ପାଳନ କରିବେ। 21କିନ୍ତୁ ସେମାନେ ମୋହର ପ୍ରେରଣକର୍ତ୍ତାଙ୍କୁ ଜାଣି ନ ଥିବାରୁ ମୋହର ନାମ ସକାଶେ ତୁମ୍ଭମାନଙ୍କ ପ୍ରତି ଏହି ସମସ୍ତ କରିବେ। 22ଯଦି ମୁଁ ଆସି ସେମାନଙ୍କୁ କହି ନ ଥାଆନ୍ତି, ତାହାହେଲେ ସେମାନଙ୍କ ପାପ ହୋଇ ନ ଥାଆନ୍ତା; କିନ୍ତୁ ଏବେ ସେମାନଙ୍କ ପାପ ବିଷୟରେ ସେମାନେ କୌଣସି ବାହାନା କରିପାରନ୍ତି ନାହିଁ। 23ଯେ ମୋତେ ଘୃଣା କରେ, ସେ ମୋହର ପିତାଙ୍କୁ ମଧ୍ୟ ଘୃଣା କରେ। 24ଯେଉଁ କର୍ମସବୁ ଆଉ କେହି କରି ନାହିଁ, ମୁଁ ଯଦି ସେହିସବୁ ସେମାନଙ୍କ ମଧ୍ୟରେ କରି ନ ଥାଆନ୍ତି, ତାହାହେଲେ ସେମାନଙ୍କର ପାପ ହୋଇ ନ ଥାଆନ୍ତା; କିନ୍ତୁ ଏବେ ସେମାନେ ଦେଖିଅଛନ୍ତି, ଆଉ ମୋତେ ଓ ମୋହର ପିତା ଉଭୟଙ୍କୁ ଘୃଣା କରିଅଛନ୍ତି। 25‘ମାତ୍ର ସେମାନେ ଅକାରଣରେ ମୋତେ ଘୃଣା କଲେ,’ ସେମାନଙ୍କ ବ୍ୟବସ୍ଥାରେ ଲିଖିତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ଏପରି ଘଟୁଅଛି। 26ପିତାଙ୍କ ନିକଟରୁ ମୁଁ ତୁମ୍ଭମାନଙ୍କ ନିକଟକୁ ଯେଉଁ ସାହାଯ୍ୟକାରୀଙ୍କୁ ପ୍ରେରଣ କରିବି, ପିତାଙ୍କଠାରୁ ବର୍ହିଗତ ସେହି ସତ୍ୟମୟ ଆତ୍ମା ଆସିଲେ ମୋʼ ବିଷୟରେ ସାକ୍ଷ୍ୟ ଦେବେ; 27ଆଉ, ତୁମ୍ଭେମାନେ ମଧ୍ୟ ସାକ୍ଷୀ, କାରଣ ତୁମ୍ଭେମାନେ ଆରମ୍ଭରୁ ମୋʼ ସହିତ ରହିଅଛ।” 16:1“ତୁମ୍ଭେମାନେ ଯେପରି ବିଘ୍ନ ନ ପାଅ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଅଛି। 2ସେମାନେ ତୁମ୍ଭମାନଙ୍କୁ ସମାଜଗୃହରୁ ବାହାର କରିବେ, ହଁ, ଏପରି ସମୟ ଆସୁଅଛି, ଯେତେବେଳେ ଯେ କେହି ତୁମ୍ଭମାନଙ୍କୁ ବଧ କରେ, ସେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଉପାସନାରୂପ ବଳି ଉତ୍ସର୍ଗ କରୁଅଛି ବୋଲି ମନେ କରିବ।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଅକ୍ଟୋବର 26 ନାଗରିକ ପଞ୍ଜିକାର ନଭେମ୍ବର 8। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର