Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ରାଜାବଳୀ ଓ ବଂଶାବଳୀ › ହିଜକୀୟଠାରୁ ଯୋଶୀୟ ପର୍ଯ୍ୟନ୍ତ

ପାଖାପାଖି ରାଜାବଳୀ ଓ ବଂଶାବଳୀ · ହିଜକୀୟଠାରୁ ଯୋଶୀୟ ପର୍ଯ୍ୟନ୍ତ

ଯୋଶୀୟଙ୍କ ମୃତ୍ୟୁ

ଦ୍ଵି.ରା 23:28–30 · ଦ୍ଵି.ବଂ 35:20–27

ଦ୍ୱିତୀୟ ରାଜାବଳୀ

ଦ୍ଵି.ରା 23:28–30

28ଏହି ଯୋଶୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କʼଣ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?

29ତାଙ୍କ ସମୟରେ ମିସରୀୟ ରାଜା ଫାରୋ-ନଖୋ ଅଶୂରୀୟ ରାଜାର ବିରୁଦ୍ଧରେ ଫରାତ୍‍ ନଦୀ ଆଡ଼କୁ ଯାତ୍ରା କଲା; ଆଉ ଯୋଶୀୟ ରାଜା ତାହା ବିରୁଦ୍ଧରେ ଯାତ୍ରା କଲେ ତହିଁରେ ଫାରୋ-ନଖୋ ତାଙ୍କୁ ଦେଖି ମଗିଦ୍ଦୋ ନିକଟରେ ତାଙ୍କୁ ବଧ କଲା।

30ଏଥିଉତ୍ତାରେ ଯୋଶୀୟଙ୍କ ଦାସମାନେ ମଗିଦ୍ଦୋରୁ ଯିରୂଶାଲମକୁ ତାଙ୍କର ମୃତ ଶରୀର ରଥରେ ଆଣି ତାଙ୍କର ନିଜ କବରରେ କବର ଦେଲେ। ତହୁଁ ଦେଶର ଲୋକମାନେ ଯୋଶୀୟଙ୍କର ପୁତ୍ର ଯିହୋୟାହସ୍‌ଙ୍କୁ ନେଇ ତାଙ୍କୁ ଅଭିଷେକ କରି ତାଙ୍କ ପିତାଙ୍କ ପଦରେ ତାଙ୍କୁ ରାଜା କଲେ।

ଦ୍ୱିତୀୟ ବଂଶାବଳୀ

ଦ୍ଵି.ବଂ 35:20–27

20ଏହିସବୁର ଉତ୍ତାରେ, ଅର୍ଥାତ୍‍, ଯୋଶୀୟ ମନ୍ଦିର ପ୍ରସ୍ତୁତ କରି ସାରିଲା ଉତ୍ତାରେ ମିସରର ରାଜା ନଖୋ ଫରାତ୍‍ ନଦୀ ନିକଟସ୍ଥ କର୍କମୀଶ୍‍ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲା; ତହୁଁ ଯୋଶୀୟ ତାହା ବିରୁଦ୍ଧରେ ଗଲେ;

21ମାତ୍ର ସେ ତାଙ୍କ ନିକଟକୁ ଦୂତ ପଠାଇ କହିଲା, “ହେ ଯିହୁଦାର ରାଜନ୍‍, ତୁମ୍ଭ ସଙ୍ଗେ ମୋହର କʼଣ କରିବାର ଅଛି? ମୁଁ ଆଜି ତୁମ୍ଭ ବିରୁଦ୍ଧରେ ଆସି ନାହିଁ, ମାତ୍ର ଯେଉଁ ବଂଶ ସଙ୍ଗେ ମୋହର ଯୁଦ୍ଧ ଅଛି, ତାହା ବିରୁଦ୍ଧରେ ଆସିଅଛି; ଆଉ ପରମେଶ୍ୱର ଶୀଘ୍ର କରିବା ପାଇଁ ମୋତେ ଆଜ୍ଞା କରିଅଛନ୍ତି; ମୋହର ସହବର୍ତ୍ତୀ ପରମେଶ୍ୱର ଯେପରି ତୁମ୍ଭକୁ ବିନାଶ ନ କରନ୍ତି, ଏଥିପାଇଁ ତୁମ୍ଭେ ତାହାଙ୍କଠାରୁ ନିରସ୍ତ ହୁଅ;”

22ତଥାପି ଯୋଶୀୟ ତାହାଠାରୁ ବିମୁଖ ହେବାକୁ ସମ୍ମତ ନୋହିଲେ, ମାତ୍ର ତାହା ସଙ୍ଗେ ଯୁଦ୍ଧ କରିବା ପାଇଁ ଛଦ୍ମବେଶ ଧାରଣ କଲେ, ଆଉ ପରମେଶ୍ୱରଙ୍କ ମୁଖନିର୍ଗତ ନଖୋର ବାକ୍ୟରେ ମନୋଯୋଗ ନ କରି ମଗିଦ୍ଦୋ ଉପତ୍ୟକାରେ ଯୁଦ୍ଧ କରିବା ପାଇଁ ଉପସ୍ଥିତ ହେଲେ।

23ଏଥିଉତ୍ତାରେ ଧନୁର୍ଦ୍ଧରମାନେ ଯୋଶୀୟ ରାଜାଙ୍କୁ ତୀର ମାରିଲେ; ତହିଁରେ ରାଜା ଆପଣା ଦାସମାନଙ୍କୁ କହିଲେ, “ମୋତେ ନେଇଯାଅ, ମୁଁ ଅତ୍ୟନ୍ତ ଆହତ ହୋଇଅଛି।”

24ତହୁଁ ତାଙ୍କର ଦାସମାନେ ସେହି ରଥରୁ ତାଙ୍କୁ ନେଇ ତାଙ୍କର ଦ୍ୱିତୀୟ ରଥରେ ଚଢ଼ାଇ ଯିରୂଶାଲମକୁ ଆଣିଲେ; ଆଉ ସେ ମଲେ ଓ ଆପଣା ପିତୃଲୋକଙ୍କର କବରରେ କବର ପାଇଲେ। ଏଥିରେ ଯୋଶୀୟଙ୍କ ଲାଗି ସମଗ୍ର ଯିହୁଦା ଓ ଯିରୂଶାଲମ ଶୋକ କଲେ।

25ପୁଣି, ଯିରିମୀୟ ଯୋଶୀୟଙ୍କ ଲାଗି ବିଳାପ କଲେ; ଆଉ ଗାୟକ ଓ ଗାୟିକା ସମସ୍ତେ ଆପଣା ଆପଣା ବିଳାପରେ ଯୋଶୀୟଙ୍କ ବିଷୟ ଆଜି ପର୍ଯ୍ୟନ୍ତ ଉଲ୍ଲେଖ କରନ୍ତି; ଲୋକମାନେ ଇସ୍ରାଏଲ ମଧ୍ୟରେ ଏହା ଏକ ପାଳନୀୟ ବିଧି କଲେ; ଆଉ ଦେଖ, ତାହା ବିଳାପ-ସଂହିତାରେ ଲିଖିତ ଅଛି।

26ଏହି ଯୋଶୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସଦାପ୍ରଭୁଙ୍କ ବ୍ୟବସ୍ଥାର ଲିଖନାନୁଯାୟୀ ତାଙ୍କର ସୁକର୍ମ

27ଓ ତାଙ୍କର ଆଦ୍ୟନ୍ତ କ୍ରିୟାସକଳ, ଦେଖ, ଇସ୍ରାଏଲ ଓ ଯିହୁଦା-ରାଜାଗଣର ଇତିହାସ ପୁସ୍ତକରେ ଲିଖିତ ଅଛି।

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର