Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ରାଜାବଳୀ ଓ ବଂଶାବଳୀ › ହିଜକୀୟଠାରୁ ଯୋଶୀୟ ପର୍ଯ୍ୟନ୍ତ

ପାଖାପାଖି ରାଜାବଳୀ ଓ ବଂଶାବଳୀ · ହିଜକୀୟଠାରୁ ଯୋଶୀୟ ପର୍ଯ୍ୟନ୍ତ

ଯୋଶୀୟଙ୍କ ନିସ୍ତାର ପର୍ବ

ଦ୍ଵି.ରା 23:21–23 · ଦ୍ଵି.ବଂ 35:1–19

ଦ୍ୱିତୀୟ ରାଜାବଳୀ

ଦ୍ଵି.ରା 23:21–23

21ଆହୁରି ରାଜା ସମସ୍ତ ଲୋକଙ୍କୁ ଆଜ୍ଞା ଦେଇ କହିଲେ, “ଏହି ନିୟମ ପୁସ୍ତକରେ ଯେପରି ଲେଖାଅଛି; ତଦନୁସାରେ ତୁମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କର।”

22ପ୍ରକୃତରେ ଇସ୍ରାଏଲର ବିଚାରକାରୀ ବିଚାରକର୍ତ୍ତୃଗଣର ସମୟଠାରୁ, କିଅବା ଇସ୍ରାଏଲର ରାଜାମାନଙ୍କର ଓ ଯିହୁଦାର ରାଜାମାନଙ୍କର ସମସ୍ତ ସମୟରେ ଏପ୍ରକାର ନିସ୍ତାର ପର୍ବ ପାଳନ କରାଯାଇ ନ ଥିଲା।

23ମାତ୍ର ଯୋଶୀୟ ରାଜାଙ୍କ ରାଜତ୍ଵର ଅଠର ବର୍ଷରେ ଏହି ନିସ୍ତାର ପର୍ବ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯିରୂଶାଲମରେ ପାଳନ କରାଗଲା।

ଦ୍ୱିତୀୟ ବଂଶାବଳୀ

ଦ୍ଵି.ବଂ 35:1–19

1ଏଥିଉତ୍ତାରେ ଯୋଶୀୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯିରୂଶାଲମରେ ନିସ୍ତାର ପର୍ବ ପାଳନ କଲେ ଓ ଲୋକମାନେ ପ୍ରଥମ ମାସର ଚତୁର୍ଦ୍ଦଶ ଦିନରେ ନିସ୍ତାର ପର୍ବର ବଳି ବଧ କଲେ।

2ପୁଣି, ସେ ଯାଜକମାନଙ୍କୁ ସେମାନଙ୍କ ରକ୍ଷଣୀୟ ସ୍ଥାନରେ ନିଯୁକ୍ତ କଲେ ଓ ସଦାପ୍ରଭୁଙ୍କ ଗୃହର ସେବାକାର୍ଯ୍ୟ କରିବାକୁ ସେମାନଙ୍କୁ ସାହସ ଦେଲେ।

3ପୁଣି, ଯେଉଁ ଲେବୀୟମାନେ ସମଗ୍ର ଇସ୍ରାଏଲକୁ ଶିକ୍ଷା ଦେଲେ ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହୋଇଥିଲେ, ସେମାନଙ୍କୁ ସେ କହିଲେ, “ଇସ୍ରାଏଲର ରାଜା ଦାଉଦଙ୍କର ପୁତ୍ର ଶଲୋମନଙ୍କର ନିର୍ମିତ ଗୃହ ମଧ୍ୟରେ ପବିତ୍ର ସିନ୍ଦୁକ ରଖ; ତୁମ୍ଭମାନଙ୍କ ସ୍କନ୍ଧରେ ଆଉ ଭାର ରହିବ ନାହିଁ; ଏବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଓ ତାହାଙ୍କ ଲୋକ ଇସ୍ରାଏଲର ସେବା କର।

4ପୁଣି, ଇସ୍ରାଏଲର ରାଜା ଦାଉଦଙ୍କର ଲିଖନାନୁସାରେ ଓ ତାଙ୍କର ପୁତ୍ର ଶଲୋମନଙ୍କର ଲିଖନାନୁସାରେ ତୁମ୍ଭେମାନେ ଆପଣା ଆପଣା ପିତୃବଂଶାନୁସାରେ ପାଳି ଅନୁକ୍ରମେ ଆପଣାମାନଙ୍କୁ ପ୍ରସ୍ତୁତ କର।

5ଆଉ, ଲୋକମାନଙ୍କ ସନ୍ତାନଗଣର, ଅର୍ଥାତ୍‍, ତୁମ୍ଭମାନଙ୍କ ଭ୍ରାତୃଗଣର ପିତୃବଂଶୀୟ ବିଭାଗାନୁସାରେ ପବିତ୍ର ସ୍ଥାନରେ ଠିଆ ହୁଅ ଓ ଲେବୀୟମାନଙ୍କର ପ୍ରତ୍ୟେକ ପିତୃବଂଶ ପାଇଁ ଏକ ଏକ ଅଂଶ ହେଉ।

6ପୁଣି, ନିସ୍ତାର ପର୍ବର ବଳି ବଧ କର ଓ ଆପଣାମାନଙ୍କୁ ପବିତ୍ର କର ଓ ମୋଶାଙ୍କ ହସ୍ତରେ (ଦତ୍ତ) ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ କର୍ମ କରିବା ନିମନ୍ତେ ଆପଣାମାନଙ୍କ ଭ୍ରାତୃଗଣ ପାଇଁ ପ୍ରସ୍ତୁତ ହୁଅ।”

7ଏଉତ୍ତାରେ ଯୋଶୀୟ ଲୋକମାନଙ୍କ ସନ୍ତାନଗଣର ଉପସ୍ଥିତ ସମସ୍ତଙ୍କୁ କେବଳ ନିସ୍ତାର ପର୍ବର ବଳି ନିମନ୍ତେ ପଲ ମଧ୍ୟରୁ ତିରିଶ ହଜାର ପର୍ଯ୍ୟନ୍ତ ମେଷଶାବକ ଓ ଛାଗବତ୍ସ ଓ ତିନି ହଜାର ବୃଷ ଦେଲେ; ଏହିସବୁ ରାଜସମ୍ପତ୍ତିରୁ ଦିଆଗଲା।

8ପୁଣି, ତାଙ୍କର ଅଧିପତିମାନେ ସ୍ୱେଚ୍ଛାଦତ୍ତ ଉପହାର ନିମନ୍ତେ ଲୋକମାନଙ୍କୁ, ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ଦାନ କଲେ। ହିଲ୍‍କୀୟ ଓ ଜିଖରୀୟ ଓ ଯିହୀୟେଲ, ପରମେଶ୍ୱରଙ୍କ ଗୃହର ଏହି ଅଧ୍ୟକ୍ଷମାନେ ନିସ୍ତାର ପର୍ବର ବଳି ନିମନ୍ତେ ଯାଜକମାନଙ୍କୁ ଦୁଇ ହଜାର ଛଅ ଶହ ମେଷାଦିର ବତ୍ସ ଓ ତିନି ଶହ ବୃଷ ଦେଲେ।

9ମଧ୍ୟ କୋନାନୀୟ ଓ ଶମୟୀୟ ଓ ନଥନେଲ ନାମକ ତାହାର ଭାଇମାନେ, ଆଉ ହଶବୀୟ ଓ ଯିୟୀୟେଲ୍‍ ଓ ଯୋଷାବଦ୍‍, ଏହି ଲେବୀୟ ପ୍ରଧାନମାନେ ନିସ୍ତାର ପର୍ବର ବଳି ନିମନ୍ତେ ଲେବୀୟମାନଙ୍କୁ ପାଞ୍ଚ ସହସ୍ର ମେଷାଦିର ବତ୍ସ ଓ ପାଞ୍ଚ ଶହ ବୃଷ ଦେଲେ।

10ଏହିରୂପେ କର୍ମର ଆୟୋଜନ ହୁଅନ୍ତେ, ରାଜାଜ୍ଞାନୁସାରେ ଯାଜକମାନେ ଆପଣା ଆପଣା ସ୍ଥାନରେ ଓ ଲେବୀୟମାନେ ଆପଣା ଆପଣା ପାଳି ଅନୁସାରେ ଠିଆ ହେଲେ।

11ପୁଣି, ନିସ୍ତାର ପର୍ବର ବଳିସବୁ ବଧ କରାଯାʼନ୍ତେ, ଯାଜକମାନେ ସେମାନଙ୍କ ହସ୍ତରୁ ରକ୍ତ ନେଇ ସେଚନ କଲେ ଓ ଲେବୀୟମାନେ ସେସବୁର ଚର୍ମ କାଢ଼ିଲେ।

12ଆଉ, ମୋଶାଙ୍କ ପୁସ୍ତକର ଲିଖନାନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗକରଣାର୍ଥେ ଲୋକମାନଙ୍କ ସନ୍ତାନମାନଙ୍କୁ ସେମାନଙ୍କ ପିତୃବଂଶୀୟ ବିଭାଗାନୁସାରେ ଦେବା ପାଇଁ ସେମାନେ ହୋମବଳି ଉଠାଇ ନେଲେ, ଆଉ ସେମାନେ ବୃଷମାନଙ୍କୁ ସେହିପରି କଲେ।

13ଏଉତ୍ତାରେ ସେମାନେ ବିଧାନାନୁସାରେ ନିସ୍ତାର ପର୍ବର ବଳି ଅଗ୍ନିରେ ପାକ କଲେ; ଆଉ, ସେମାନେ ଅନ୍ୟାନ୍ୟ ପବିତ୍ର ବଳି ହାଣ୍ଡିରେ ଓ ହଣ୍ଡାରେ ଓ କରେଇରେ ସିଦ୍ଧ କଲେ ଓ ଲୋକମାନଙ୍କ ସନ୍ତାନଗଣ ନିକଟକୁ ତାହାସବୁ ଶୀଘ୍ର ନେଇ ପରିବେଷଣ କଲେ।

14ଏଥିଉତ୍ତାରେ ସେମାନେ ଆପଣାମାନଙ୍କ ପାଇଁ ଓ ଯାଜକମାନଙ୍କ ପାଇଁ ପ୍ରସ୍ତୁତ କଲେ; କାରଣ ହାରୋଣ ସନ୍ତାନ-ଯାଜକମାନେ ହୋମବଳି ଓ ମେଦ ଉତ୍ସର୍ଗ କରିବାରେ ରାତ୍ରି ପର୍ଯ୍ୟନ୍ତ ବ୍ୟସ୍ତ ଥିଲେ; ଏହେତୁ ଲେବୀୟମାନେ ଆପଣାମାନଙ୍କ ପାଇଁ ଓ ହାରୋଣ-ସନ୍ତାନ ଯାଜକମାନଙ୍କ ପାଇଁ ପ୍ରସ୍ତୁତ କଲେ।

15ପୁଣି, ଦାଉଦଙ୍କର ଓ ଆସଫର ଓ ହେମନର ଓ ରାଜଦର୍ଶକ ଯିଦୂଥୂନ୍‍ର ଆଜ୍ଞାନୁସାରେ, ଆସଫ-ସନ୍ତାନ ଗାୟକମାନେ ଆପଣା ଆପଣା ସ୍ଥାନରେ ଥିଲେ ଓ ପ୍ରତ୍ୟେକ ଦ୍ୱାରରେ ଦ୍ୱାରପାଳମାନେ ଥିଲେ; ଆପଣା ଆପଣା ସେବାକାର୍ଯ୍ୟରୁ ସେମାନଙ୍କର ଯିବାର ଆବଶ୍ୟକ ହେଲା ନାହିଁ, କାରଣ ସେମାନଙ୍କ ଲେବୀୟ ଭାଇମାନେ ସେମାନଙ୍କ ପାଇଁ ପ୍ରସ୍ତୁତ କଲେ।

16ଏହିରୂପେ ଯୋଶୀୟ ରାଜାଙ୍କର ଆଜ୍ଞାନୁସାରେ ନିସ୍ତାର ପର୍ବ ପାଳନାର୍ଥେ ଓ ସଦାପ୍ରଭୁଙ୍କ ଯଜ୍ଞବେଦିରେ ହୋମବଳି ଉତ୍ସର୍ଗକରଣାର୍ଥେ ସେହି ଦିନ ସଦାପ୍ରଭୁଙ୍କ ସେବାର୍ଥକ ସକଳର ଆୟୋଜନ ହେଲା।

17ଏଣୁ ଉପସ୍ଥିତ ଇସ୍ରାଏଲ ସନ୍ତାନମାନେ ସେହି ସମୟରେ ସାତ ଦିନ ନିସ୍ତାର ପର୍ବ ଓ ତାଡ଼ିଶୂନ୍ୟ ରୁଟିର ପର୍ବ ପାଳନ କଲେ।

18ପୁଣି, ଶାମୁୟେଲ ଭବିଷ୍ୟଦ୍‍ବକ୍ତାଙ୍କର ଦିନଠାରୁ ଇସ୍ରାଏଲ ମଧ୍ୟରେ ଏପ୍ରକାର ନିସ୍ତାର ପର୍ବ ପ୍ରତିପାଳିତ ହୋଇ ନ ଥିଲା; କିଅବା ଯୋଶୀୟ ଓ ଯାଜକମାନେ ଓ ଲେବୀୟମାନେ, ପୁଣି ଉପସ୍ଥିତ ସମଗ୍ର ଯିହୁଦା ଓ ଇସ୍ରାଏଲ ଓ ଯିରୂଶାଲମ ନିବାସୀମାନେ ଯେପରି ନିସ୍ତାର ପର୍ବ ପାଳନ କଲେ, ସେପରି ଇସ୍ରାଏଲର କୌଣସି ରାଜା କରି ନାହାନ୍ତି।

19ଯୋଶୀୟଙ୍କର ରାଜତ୍ଵର ଅଠର ବର୍ଷରେ ଏହି ନିସ୍ତାର ପର୍ବ ପ୍ରତିପାଳିତ ହେଲା।

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର