Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ରାଜାବଳୀ ଓ ବଂଶାବଳୀ › ହିଜକୀୟଠାରୁ ଯୋଶୀୟ ପର୍ଯ୍ୟନ୍ତ

ପାଖାପାଖି ରାଜାବଳୀ ଓ ବଂଶାବଳୀ · ହିଜକୀୟଠାରୁ ଯୋଶୀୟ ପର୍ଯ୍ୟନ୍ତ

ଯୋଶୀୟ ଓ ବ୍ୟବସ୍ଥା-ପୁସ୍ତକ

ଦ୍ଵି.ରା 22:1–20 · ଦ୍ଵି.ବଂ 34:1–28

ଦ୍ୱିତୀୟ ରାଜାବଳୀ

ଦ୍ଵି.ରା 22:1–20

1ଯୋଶୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଆଠ ବର୍ଷ ବୟସ୍କ ଥିଲେ, ଆଉ ସେ ଯିରୂଶାଲମରେ ଏକତିରିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ଯିଦୀଦା, ସେ ବସ୍କତୀୟ ଅଦାୟାଙ୍କର କନ୍ୟା ଥିଲେ।

2ପୁଣି ଯୋଶୀୟ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ଓ ଆପଣା ପୂର୍ବପୁରୁଷ ଦାଉଦଙ୍କର ସମସ୍ତ ପଥରେ ଚାଲିଲେ, ପୁଣି ସେ ଡାହାଣ କିମ୍ବା ବାମ ପାର୍ଶ୍ୱକୁ ଫେରିଲେ ନାହିଁ।

3ଏଥିଉତ୍ତାରେ ଯୋଶୀୟ ରାଜାଙ୍କ ରାଜତ୍ଵର ଅଠର ବର୍ଷରେ ରାଜା, ମଶୁଲ୍ଲମ୍‍ର ପୌତ୍ର ଅତ୍‍ସଲୀୟର ପୁତ୍ର ଶାଫନ୍‍ ଲେଖକଙ୍କୁ ସଦାପ୍ରଭୁଙ୍କ ଗୃହକୁ ପଠାଇ କହିଲେ,

4“ସଦାପ୍ରଭୁଙ୍କ ଗୃହକୁ ଆନୀତ ଯେଉଁ ମୁଦ୍ରା ଦ୍ୱାରପାଳମାନେ ଲୋକମାନଙ୍କଠାରୁ ସଂଗ୍ରହ କରିଅଛନ୍ତି, ତାହା ଯେପରି ହିଲ୍‍କୀୟ ମହାଯାଜକ ଗଣିବ, ଏଥିପାଇଁ ତାହା ନିକଟକୁ ଯାଅ।

5ଆଉ ସେମାନେ ସଦାପ୍ରଭୁଙ୍କ ଗୃହର ତତ୍ତ୍ୱାବଧାରଣ କର୍ମକାରୀମାନଙ୍କ ହସ୍ତରେ ତାହା ସମର୍ପଣ କରନ୍ତୁ ଓ ସେମାନେ ସଦାପ୍ରଭୁଙ୍କ ଗୃହର କର୍ମକାରୀମାନଙ୍କୁ,

6ଅର୍ଥାତ୍‍, ସୂତ୍ରଧର ଓ ନିର୍ମାଣକାରୀ ଓ ରାଜମିସ୍ତ୍ରୀମାନଙ୍କୁ ଗୃହର ଭଗ୍ନ ସ୍ଥାନ ପୁନଃନିର୍ମାଣ କରିବା ପାଇଁ ଓ ଗୃହର ପୁନଃନିର୍ମାଣ କରିବା ନିମନ୍ତେ କାଷ୍ଠ ଓ ଖୋଦିତ ପ୍ରସ୍ତର କିଣିବା ପାଇଁ ତାହା ଦେଉନ୍ତୁ।”

7ତଥାପି ସେମାନଙ୍କ ହସ୍ତରେ ଯେଉଁ ମୁଦ୍ରା ସମର୍ପିତ ହେଲା, ତହିଁର ହିସାବ ସେମାନଙ୍କଠାରୁ ନିଆଗଲା ନାହିଁ, କାରଣ ସେମାନେ ବିଶ୍ୱସ୍ତ ରୂପେ କାର୍ଯ୍ୟ କଲେ।

8ସେତେବେଳେ ହିଲ୍‍କୀୟ ମହାଯାଜକ ଶାଫନ୍‍ ଲେଖକଙ୍କୁ କହିଲା, “ଆମ୍ଭେ ସଦାପ୍ରଭୁଙ୍କ ଗୃହରେ ଏହି ବ୍ୟବସ୍ଥା-ପୁସ୍ତକ ପାଇଅଛୁ।” ଆଉ ହିଲ୍‍କୀୟ ଶାଫନ୍‍କୁ ସେହି ପୁସ୍ତକ ଦିଅନ୍ତେ, ସେ ତାହା ପାଠ କଲା।

9ଏଥିଉତ୍ତାରେ ଶାଫନ୍‍ ଲେଖକ ରାଜାଙ୍କ ନିକଟକୁ ଆସିଲା ଓ ପୁନର୍ବାର ରାଜାଙ୍କୁ ସମ୍ବାଦ ଦେଇ କହିଲା, “ଆପଣଙ୍କ ଦାସମାନେ ମନ୍ଦିରରେ ପ୍ରାପ୍ତ ସମସ୍ତ ମୁଦ୍ରା ଖାଲି କରି ସଦାପ୍ରଭୁଙ୍କ ଗୃହର ତତ୍ତ୍ୱାବଧାରଣ କର୍ମକାରୀମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।”

10ଆହୁରି ଶାଫନ୍‍ ଲେଖକ ରାଜାଙ୍କୁ ଜଣାଇ କହିଲା, “ହିଲ୍‍କୀୟ ଯାଜକ ଆମ୍ଭକୁ ଏହି ପୁସ୍ତକ ଦେଇଅଛନ୍ତି ଓ ଶାଫନ୍‍ ତାହା ରାଜାଙ୍କ ସାକ୍ଷାତରେ ପାଠ କଲା।”

11ଏଥିରେ ରାଜା ସେହି ବ୍ୟବସ୍ଥା-ପୁସ୍ତକରୁ ବାକ୍ୟ ଶ୍ରବଣ କରନ୍ତେ, ଆପଣା ବସ୍ତ୍ର ଚିରିଲେ।

12ପୁଣି ରାଜା ଯୋଶୀୟ ହିଲ୍‍କୀୟ ଯାଜକକୁ ଓ ଶାଫନ୍‍ର ପୁତ୍ର ଅହୀକାମକୁ ଓ ମୀଖାୟର ପୁତ୍ର ଅକ୍‍ବୋରକୁ ଓ ଶାଫନ୍‍ ଲେଖକଙ୍କୁ ଓ ଅସାୟ ନାମକ ରାଜଭୃତ୍ୟକୁ ଏହି ଆଜ୍ଞା ଦେଇ କହିଲେ,

13“ତୁମ୍ଭେମାନେ ଯାଅ, ଏହି ପ୍ରାପ୍ତ ପୁସ୍ତକର ବାକ୍ୟ ବିଷୟରେ ଆମ୍ଭ ପାଇଁ ଓ ଲୋକମାନଙ୍କ ପାଇଁ ଓ ସମଗ୍ର ଯିହୁଦା ପାଇଁ ସଦାପ୍ରଭୁଙ୍କୁ ପଚାର, କାରଣ ଆମ୍ଭମାନଙ୍କ ବିଷୟରେ ଏହି ପୁସ୍ତକ-ଲିଖିତ ସମସ୍ତ ବାକ୍ୟାନୁସାରେ କର୍ମ କରିବା ପାଇଁ ଆମ୍ଭମାନଙ୍କ ପିତୃଲୋକମାନେ ମନୋଯୋଗୀ ନ ହେବାରୁ, ଆମ୍ଭମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ ପ୍ରଜ୍ୱଳିତ କ୍ରୋଧ ଗୁରୁତର ହୋଇଅଛି।”

14ତହିଁରେ ହିଲ୍‍କୀୟ ଯାଜକ ଓ ଅହୀକାମ୍‍ ଓ ଅକ୍‍ବୋର ଓ ଶାଫନ୍‍ ଓ ଅସାୟ, ବସ୍ତ୍ରାଗାରର ରକ୍ଷକ ହର୍ହସର ପୌତ୍ର ତିକ୍‍ବର ପୁତ୍ର ଶଲ୍ଲୁମ୍‍ର ଭାର୍ଯ୍ୟା ହୁଲ୍‍ଦା ଭବିଷ୍ୟଦ୍‍ବକ୍ତ୍ରୀ ନିକଟକୁ ଗଲେ। ସେ ଯିରୂଶାଲମର ଦ୍ୱିତୀୟ ବିଭାଗରେ ବାସ କରୁଥିଲା, ଆଉ ସେମାନେ ତାହା ସଙ୍ଗେ କଥୋପକଥନ କଲେ।

15ତହିଁରେ ହୁଲ୍‍ଦା ଭବିଷ୍ୟଦ୍‍ବକ୍ତ୍ରୀ ସେମାନଙ୍କୁ କହିଲା, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଯେଉଁ ଲୋକ ତୁମ୍ଭମାନଙ୍କୁ ଆମ୍ଭ ନିକଟକୁ ପଠାଇଲେ, ତାହାକୁ କୁହ,

16‘ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ଯିହୁଦାର ରାଜା ଏହି ପୁସ୍ତକର ଯେଉଁ ଯେଉଁ ବାକ୍ୟ ପାଠ କରିଅଛି, ସେହି ସମସ୍ତ ଘଟାଇବା।

17କାରଣ ସେମାନେ ଆପଣାମାନଙ୍କ ହସ୍ତକୃତ ସମସ୍ତ କର୍ମ ଦ୍ୱାରା ଆମ୍ଭକୁ ବିରକ୍ତ କରିବା ପାଇଁ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଅଛନ୍ତି। ଏହେତୁ ଏହି ସ୍ଥାନ ବିରୁଦ୍ଧରେ ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହେବ ଓ ତାହା ନିର୍ବାଣ ହେବ ନାହିଁ।

18ମାତ୍ର ସଦାପ୍ରଭୁଙ୍କୁ ପଚାରିବା ପାଇଁ ତୁମ୍ଭମାନଙ୍କୁ ପଠାଇଲେ ଯେ ଯିହୁଦା-ରାଜା ଯୋଶୀୟ, ତାଙ୍କୁ ତୁମ୍ଭେମାନେ କହିବ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭର ଶ୍ରୁତ ବାକ୍ୟ ବିଷୟରେ ସଦାପ୍ରଭୁ କହନ୍ତି, ଆମ୍ଭେ ଏହି ସ୍ଥାନ ବିରୁଦ୍ଧରେ ଓ ତହିଁର ନିବାସୀମାନଙ୍କ ବିରୁଦ୍ଧରେ ଯେସକଳ ବାକ୍ୟ କହିଅଛୁ, ଅର୍ଥାତ୍‍, ସେମାନେ ଯେ ଧ୍ୱଂସର ଓ ଅଭିଶାପର ପାତ୍ର ହେବେ,

19ଏହି କଥା ଶୁଣି ତୁମ୍ଭର ଅନ୍ତଃକରଣ କୋମଳ ହେଲା, ତୁମ୍ଭେ ସଦାପ୍ରଭୁଙ୍କ ଛାମୁରେ ଆପଣାକୁ ନମ୍ର କଲ ଓ ଆପଣା ବସ୍ତ୍ର ଚିରିଲ ଓ ଆମ୍ଭ ଛାମୁରେ ରୋଦନ କଲ, ଏହେତୁ ଆମ୍ଭେ ମଧ୍ୟ ତୁମ୍ଭ କଥା ଶୁଣିଲୁ।

20ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭକୁ ତୁମ୍ଭ ପିତୃଲୋକଙ୍କ ନିକଟରେ ସଂଗ୍ରହ କରିବା ଓ ତୁମ୍ଭେ ଶାନ୍ତିରେ ଆପଣା କବରରେ ସଂଗୃହୀତ ହେବ, ପୁଣି ଆମ୍ଭେ ଏହି ସ୍ଥାନ ଉପରେ ଯେସବୁ ଅମଙ୍ଗଳ ଆଣିବା, ତାହା ତୁମ୍ଭ ଚକ୍ଷୁ ଦେଖିବ ନାହିଁ।’” ଏଥିଉତ୍ତାରେ ଲୋକମାନେ ପୁନର୍ବାର ରାଜାଙ୍କୁ ଏହି କଥାର ସମାଚାର ଦେଲେ।

ଦ୍ୱିତୀୟ ବଂଶାବଳୀ

ଦ୍ଵି.ବଂ 34:1–28

1ଯୋଶୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଆଠ ବର୍ଷ ବୟସ୍କ ଥିଲେ; ଆଉ ସେ ଯିରୂଶାଲମରେ ଏକତିରିଶ ବର୍ଷ ରାଜ୍ୟ କଲେ।

2ପୁଣି, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ଓ ଆପଣା ପୂର୍ବପୁରୁଷ ଦାଉଦଙ୍କର ପଥରେ ଚାଲିଲେ, ଆଉ, ଦକ୍ଷିଣରେ କି ବାମରେ ଫେରିଲେ ନାହିଁ।

3ତାହାଙ୍କ ରାଜତ୍ଵର ଅଷ୍ଟମ ବର୍ଷରେ ସେ ଅଳ୍ପ ବୟସ୍କ ଥାଉ ଥାଉ ଆପଣା ପୂର୍ବପୁରୁଷ ଦାଉଦଙ୍କର ପରମେଶ୍ୱରଙ୍କୁ ଅନ୍ୱେଷଣ କରିବାକୁ ଆରମ୍ଭ କଲେ ଓ ସେ ଦ୍ୱାଦଶ ବର୍ଷରେ ଉଚ୍ଚସ୍ଥଳୀ ଓ ଆଶେରା ମୂର୍ତ୍ତି ଓ ଖୋଦିତ ପ୍ରତିମା ଓ ଛାଞ୍ଚରେ ଢଳା ପ୍ରତିମାରୁ ଯିହୁଦା ଓ ଯିରୂଶାଲମକୁ ଶୁଚି କରିବାକୁ ଲାଗିଲେ।

4ପୁଣି, ଲୋକମାନେ ତାଙ୍କ ସାକ୍ଷାତରେ ବାଲ୍‍ ଦେବଗଣର ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ, ଆଉ ସେ ତହିଁ ଉପରେ ସ୍ଥାପିତ ସୂର୍ଯ୍ୟ-ପ୍ରତିମାସବୁ କାଟି ପକାଇଲେ ଓ ଆଶେରା ମୂର୍ତ୍ତି, ଖୋଦିତ ପ୍ରତିମା ଓ ଛାଞ୍ଚରେ ଢଳା ପ୍ରତିମାସବୁ ଭାଙ୍ଗି ଚୂର୍ଣ୍ଣ କରି ସେସବୁର ଉଦ୍ଦେଶ୍ୟରେ ବଳିଦାନକାରୀ ଲୋକମାନଙ୍କ କବର ଉପରେ ତାହା ବିଞ୍ଚିଲେ।

5ଆଉ, ସେମାନଙ୍କ ଯଜ୍ଞବେଦି ଉପରେ ଯାଜକମାନଙ୍କ ଅସ୍ଥି ଦଗ୍ଧ କରି ଯିହୁଦା ଓ ଯିରୂଶାଲମକୁ ଶୁଚି କଲେ।

6ସେ ମନଃଶି ଓ ଇଫ୍ରୟିମ ଓ ଶିମୀୟୋନର ନଗରସମୂହରେ ନପ୍ତାଲି ପର୍ଯ୍ୟନ୍ତ କାନ୍ଥଡ଼ାର ଚତୁର୍ଦ୍ଦିଗରେ ଏହି ପ୍ରକାର କଲେ।

7ଆଉ, ସେ ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତି ଓ ଖୋଦିତ ପ୍ରତିମାସବୁ ଚୂର୍ଣ୍ଣ କଲେ ଓ ଇସ୍ରାଏଲ ଦେଶର ସର୍ବତ୍ର ସୂର୍ଯ୍ୟ-ପ୍ରତିମାସବୁ କାଟି ପକାଇ ଯିରୂଶାଲମକୁ ଫେରି ଆସିଲେ।

8ଏଥିଉତ୍ତାରେ ସେ ଆପଣା ରାଜତ୍ଵର ଅଠର ବର୍ଷରେ ଦେଶ ଓ ଗୃହ ଶୁଚି କଲା ଉତ୍ତାରେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଗୃହର ମରାମତି ନିମନ୍ତେ ଅତ୍‍ସଲୀୟର ପୁତ୍ର ଶାଫନ୍‍କୁ ଓ ନଗରାଧ୍ୟକ୍ଷ ମାସେୟକୁ ଓ ଯୋୟାହସର ପୁତ୍ର ଯୋୟାହ ଇତିହାସ ଲେଖକକୁ ପଠାଇଲେ।

9ତହୁଁ ସେମାନେ ହିଲ୍‍କୀୟ ମହାଯାଜକ ନିକଟକୁ ଆସି ଲେବୀୟ ଦ୍ୱାରପାଳମାନଙ୍କ ଦ୍ୱାରା ମନଃଶି ଓ ଇଫ୍ରୟିମ ଓ ସମଗ୍ର ଇସ୍ରାଏଲର ଅବଶିଷ୍ଟାଂଶ, ପୁଣି ସମଗ୍ର ଯିହୁଦା ଓ ବିନ୍ୟାମୀନ୍ ଓ ଯିରୂଶାଲମ ନିବାସୀମାନଙ୍କ ହସ୍ତରୁ ସଂଗୃହୀତ ପରମେଶ୍ୱରଙ୍କ ଗୃହକୁ ଆନୀତ ସକଳ ମୁଦ୍ରା ତାହା ନିକଟରେ ସମର୍ପଣ କଲେ।

10ଆଉ, ସେମାନେ ସଦାପ୍ରଭୁଙ୍କ ଗୃହର ତତ୍ତ୍ୱାବଧାରଣ କର୍ମକାରୀମାନଙ୍କ ହସ୍ତରେ ତାହା ସମର୍ପି ଦେଲେ; ପୁଣି ସଦାପ୍ରଭୁଙ୍କ ଗୃହର କର୍ମକାରୀମାନେ ସେହି ଗୃହର ଜୀର୍ଣ୍ଣସଂସ୍କାର ଓ ପୁନଃନିର୍ମାଣ ନିମନ୍ତେ ତାହା ଦେଲେ;

11ଅର୍ଥାତ୍‍, ଯିହୁଦା-ରାଜାଗଣ ଯେସକଳ ଗୃହ ବିନାଶ କରିଥିଲେ, ତହିଁ ନିମନ୍ତେ ଖୋଦିତ ପ୍ରସ୍ତର ଓ ବରଗା ଓ କଡ଼ିକାଠ କିଣିବା ପାଇଁ ତାହା ସୂତ୍ରଧର ଓ ଗାନ୍ଥକମାନଙ୍କୁ ଦେଲେ।

12ଆଉ, ଲୋକମାନେ ବିଶ୍ୱସ୍ତ ରୂପେ କାର୍ଯ୍ୟ କଲେ; ମରାରି-ସନ୍ତାନଗଣ ମଧ୍ୟରୁ ଯହତ୍‍ ଓ ଓବଦୀୟ, ଏହି ଲେବୀୟମାନେ ସେମାନଙ୍କର ତତ୍ତ୍ୱାବଧାରକ ଥିଲେ; ପୁଣି, କହାତ-ସନ୍ତାନଗଣର ମଧ୍ୟରୁ ଜିଖରୀୟ ଓ ମଶୁଲ୍ଲମ୍‍ ଓ ଅନ୍ୟ ଲେବୀୟମାନେ, ଅର୍ଥାତ୍‍, ବାଦ୍ୟ ବଜାଇବାକୁ ନିପୁଣ ସମସ୍ତ ଲୋକ କର୍ମ ଚଳାଇବାକୁ ନିଯୁକ୍ତ ଥିଲେ।

13ଆହୁରି, ସେମାନେ ଭାରବାହକମାନଙ୍କର ତତ୍ତ୍ୱାବଧାରକ ଓ କର୍ମ ଚଳାଇବା ପାଇଁ ସର୍ବପ୍ରକାର ସେବାକାର୍ଯ୍ୟକାରୀମାନଙ୍କ ଉପରେ ନିଯୁକ୍ତ ଥିଲେ; ପୁଣି, ଲେବୀୟମାନଙ୍କ ମଧ୍ୟରୁ ଲେଖକ, କାର୍ଯ୍ୟଶାସକ ଓ ଦ୍ୱାରପାଳ ଥିଲେ।

14ପୁଣି, ସେମାନେ ସଦାପ୍ରଭୁଙ୍କ ଗୃହକୁ ଆନୀତ ମୁଦ୍ରା ବାହାର କରି ଆଣିଲା ବେଳେ ହିଲ୍‍କୀୟ ଯାଜକ ମୋଶାଙ୍କ ଦ୍ୱାରା ଦତ୍ତ ସଦାପ୍ରଭୁଙ୍କ ବ୍ୟବସ୍ଥା-ପୁସ୍ତକ ପାଇଲା।

15ତହିଁରେ ହିଲ୍‍କୀୟ ଶାଫନ୍‍ ଲେଖକକୁ ଉତ୍ତର କରି କହିଲା, “ମୁଁ ସଦାପ୍ରଭୁଙ୍କ ଗୃହରେ ବ୍ୟବସ୍ଥା-ପୁସ୍ତକ ପାଇଅଛି।” ପୁଣି ହିଲ୍‍କୀୟ ଶାଫନ୍‍କୁ ସେହି ପୁସ୍ତକ ଦେଲା।

16ଆଉ, ଶାଫନ୍‍ ରାଜାଙ୍କ ନିକଟକୁ ସେହି ପୁସ୍ତକ ନେଇଗଲା, ଆହୁରି ରାଜାଙ୍କ ନିକଟକୁ ପୁନର୍ବାର ସମ୍ବାଦ ନେଇ କହିଲା, “ଆପଣଙ୍କ ଦାସମାନଙ୍କ ପ୍ରତି ଅର୍ପିତ ସମସ୍ତ କାର୍ଯ୍ୟ ସେମାନେ କରୁଅଛନ୍ତି।

17ପୁଣି, ସେମାନେ ସଦାପ୍ରଭୁଙ୍କ ଗୃହରେ ଥିବା ମୁଦ୍ରା କାଢ଼ିନେଇ ତତ୍ତ୍ୱାବଧାରକମାନଙ୍କ ହସ୍ତରେ ଓ କର୍ମକାରୀମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।”

18ଆହୁରି, ଶାଫନ୍‍ ଲେଖକ ରାଜାଙ୍କୁ ଜଣାଇ କହିଲା, ହିଲ୍‍କୀୟ ଯାଜକ ଆମ୍ଭକୁ ଖଣ୍ଡେ ପୁସ୍ତକ ଦେଇଅଛନ୍ତି ଆଉ, ଶାଫନ୍‍ ରାଜାଙ୍କ ସାକ୍ଷାତରେ ତହିଁରୁ ପାଠ କଲା।

19ଏଥିରେ ରାଜା ସେହି ବ୍ୟବସ୍ଥାର ବାକ୍ୟ ଶ୍ରବଣ କରନ୍ତେ, ଆପଣା ବସ୍ତ୍ର ଚିରିଲେ।

20ପୁଣି, ରାଜା ହିଲ୍‍କୀୟକୁ ଓ ଶାଫନ୍‍ର ପୁତ୍ର ଅହୀକାମକୁ ଓ ମୀଖାର ପୁତ୍ର ଅବ୍‍ଦୋନ୍‍କୁ ଓ ଶାଫନ୍‍ ଲେଖକକୁ ଓ ରାଜାର ଦାସ ଅସାୟକୁ ଆଜ୍ଞା କରି କହିଲେ,

21“ତୁମ୍ଭେମାନେ ଯାଇ ମୋʼ ନିମନ୍ତେ, ପୁଣି ଇସ୍ରାଏଲ ଓ ଯିହୁଦା ମଧ୍ୟରେ ଅବଶିଷ୍ଟ ଲୋକଙ୍କ ନିମନ୍ତେ ଏହି ପ୍ରାପ୍ତ ପୁସ୍ତକର ବାକ୍ୟ ବିଷୟରେ ସଦାପ୍ରଭୁଙ୍କୁ ପଚାର; କାରଣ ଆମ୍ଭମାନଙ୍କ ପିତୃଲୋକମାନେ ଏହି ପୁସ୍ତକର ସକଳ ଲିଖନାନୁସାରେ କର୍ମ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟ ପାଳନ ନ କରିବାରୁ ଆମ୍ଭମାନଙ୍କ ଉପରେ ସଦାପ୍ରଭୁଙ୍କର ମହାକୋପ ବର୍ଷିଅଛି।”

22ତହିଁରେ ହିଲ୍‍କୀୟ ଓ ରାଜାଜ୍ଞାପ୍ରାପ୍ତ ଲୋକମାନେ ହସ୍ରର ପୌତ୍ର ତୋଖତର ପୁତ୍ର ଶଲ୍ଲୁମ୍‍ ନାମକ ବସ୍ତ୍ରାଗାରରକ୍ଷକର ଭାର୍ଯ୍ୟା ହୁଲ୍‍ଦା ଭବିଷ୍ୟଦ୍‍ବକ୍ତ୍ରୀ ନିକଟକୁ ଗଲେ; ସେ ଯିରୂଶାଲମର ଦ୍ୱିତୀୟ ବିଭାଗରେ ବାସ କରୁଥିଲା, ପୁଣି ସେମାନେ ତାହାକୁ ସେହି ଭାବର କଥା କହିଲେ।

23ତହିଁରେ ସେ ସେମାନଙ୍କୁ ଉତ୍ତର କଲା, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଯେଉଁ ଲୋକ ତୁମ୍ଭମାନଙ୍କୁ ଆମ୍ଭ କତିକି ପଠାଇଲା, ତାହାକୁ କୁହ,

24‘ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ସେମାନେ ଯିହୁଦାର ରାଜା ସାକ୍ଷାତରେ ଯେଉଁ ପୁସ୍ତକ ପାଠ କରିଅଛନ୍ତି, ତହିଁରେ ଲିଖିତ ସକଳ ଅଭିଶାପ ଘଟାଇବା।

25କାରଣ ସେମାନେ ଆପଣାମାନଙ୍କ ହସ୍ତକୃତ ସକଳ କର୍ମ ଦ୍ୱାରା ଆମ୍ଭକୁ ବିରକ୍ତ କରିବା ପାଇଁ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଅଛନ୍ତି; ଏହେତୁ ଏହି ସ୍ଥାନ ଉପରେ ଆମ୍ଭର କୋପାନଳ ବର୍ଷିଅଛି ଓ ତାହା ନିର୍ବାଣ ନୋହିବ।

26ମାତ୍ର ସଦାପ୍ରଭୁଙ୍କୁ ପଚାରିବା ପାଇଁ ତୁମ୍ଭମାନଙ୍କୁ ପଠାଇଲା ଯେ ଯିହୁଦାର ରାଜା, ତାହାକୁ ତୁମ୍ଭେମାନେ କହିବ, ତୁମ୍ଭର ଶୁଣିବା ବାକ୍ୟ ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି;

27ଏହି ସ୍ଥାନ ବିରୁଦ୍ଧରେ ଓ ତନ୍ନିବାସୀମାନଙ୍କ ବିରୁଦ୍ଧରେ ଉକ୍ତ ପରମେଶ୍ୱରଙ୍କ ବାକ୍ୟ ଶୁଣିବାମାତ୍ରେ ତୁମ୍ଭର ଅନ୍ତଃକରଣ କୋମଳ ହେଲା ଓ ତୁମ୍ଭେ ତାହାଙ୍କ ସାକ୍ଷାତରେ ଆପଣାକୁ ନମ୍ର କଲ; ଏଣୁ ତୁମ୍ଭେ ଆମ୍ଭ ସାକ୍ଷାତରେ ଆପଣାକୁ ନମ୍ର କରିବାରୁ ଓ ଆପଣା ବସ୍ତ୍ର ଚିରି ଆମ୍ଭ ସାକ୍ଷାତରେ ରୋଦନ କରିବାରୁ, ସଦାପ୍ରଭୁ କହନ୍ତି, ଆମ୍ଭେ ମଧ୍ୟ ତୁମ୍ଭ କଥା ଶୁଣିଲୁ।

28ଦେଖ, ଆମ୍ଭେ ତୁମ୍ଭର ପିତୃଲୋକମାନଙ୍କ ନିକଟରେ ତୁମ୍ଭକୁ ସଂଗ୍ରହ କରିବା, ଆଉ ତୁମ୍ଭେ ଶାନ୍ତିରେ ଆପଣା କବରରେ ସଂଗୃହୀତ ହେବ, ପୁଣି ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀମାନଙ୍କ ଉପରେ ଯେଉଁ ଯେଉଁ ଅମଙ୍ଗଳ ଘଟାଇବା, ତାହାସବୁ ତୁମ୍ଭର ଚକ୍ଷୁ ଦେଖିବ ନାହିଁ।’” ଏଥିଉତ୍ତାରେ ସେମାନେ ପୁନର୍ବାର ରାଜା ନିକଟକୁ ସମାଚାର ଆଣିଲେ।

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର