23:36ଯିହୋୟାକୀମ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ; ସେ ଯିରୂଶାଲମରେ ଏଗାର ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କର ନାମ ସବୀଦା, ସେ ରୁମା ନିବାସୀ ପଦାୟର କନ୍ୟା ଥିଲେ।
23:37ଏହି ଯିହୋୟାକୀମ୍ ଆପଣା ପୂର୍ବପୁରୁଷଗଣର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
24:1ଯିହୋୟାକୀମ୍ଙ୍କ ରାଜତ୍ୱ ସମୟରେ ବାବିଲର ରାଜା ନବୂଖଦ୍ନିତ୍ସର ଯିହୁଦା ଉପରେ ଆକ୍ରମଣ କଲେ, ପୁଣି ଯିହୋୟାକୀମ୍ ତିନି ବର୍ଷ ତାହାର ଦାସ ହେଲେ; ତହିଁ ଉତ୍ତାରେ ସେ ଫେରି ତାହାର ବିଦ୍ରୋହୀ ହେଲେ।
24:2ଏଥିଉତ୍ତାରେ ସଦାପ୍ରଭୁ ତାଙ୍କ ବିରୁଦ୍ଧରେ କଲ୍ଦୀୟ ସୈନ୍ୟଦଳ ଓ ଅରାମୀୟ ସୈନ୍ୟଦଳ ଓ ମୋୟାବୀୟ ସୈନ୍ୟଦଳ ଓ ଅମ୍ମୋନ-ସନ୍ତାନମାନଙ୍କ ସୈନ୍ୟଦଳ ପ୍ରେରଣ କଲେ। ସଦାପ୍ରଭୁ ଆପଣା ଦାସ ଭବିଷ୍ୟଦ୍ବକ୍ତାଗଣ ଦ୍ୱାରା ଯାହା କହିଥିଲେ, ଆପଣାର ସେହି ବାକ୍ୟାନୁସାରେ ଯିହୁଦାକୁ ବିନାଶ କରିବା ପାଇଁ ତହିଁ ବିରୁଦ୍ଧରେ ସେମାନଙ୍କୁ ପ୍ରେରଣ କଲେ।
24:3ପ୍ରକୃତରେ ମନଃଶିର ପାପ ସକାଶୁ, ତାହାର ସମସ୍ତ କୃତକର୍ମାନୁସାରେ,
24:4ଓ ମଧ୍ୟ ସେ ନିର୍ଦ୍ଦୋଷ ରକ୍ତପାତ କରିବା ସକାଶୁ, ଯିହୁଦାକୁ ଆପଣା ଦୃଷ୍ଟିରୁ ଦୂର କରିବା ଲାଗି ସଦାପ୍ରଭୁଙ୍କ ଆଜ୍ଞାରେ ସେମାନଙ୍କ ପ୍ରତି ଏହା ଘଟିଲା; କାରଣ ମନଃଶି ନିର୍ଦ୍ଦୋଷ ରକ୍ତରେ ଯିରୂଶାଲମକୁ ପରିପୂର୍ଣ୍ଣ କଲା, ପୁଣି ସଦାପ୍ରଭୁ କ୍ଷମା କରିବାକୁ ସମ୍ମତ ହେଲେ ନାହିଁ।
24:5ଏହି ଯିହୋୟାକୀମ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କʼଣ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
24:6ଏଥିଉତ୍ତାରେ ଯିହୋୟାକୀମ୍ ମୃତ୍ୟୁବରଣ କଲେ; ତହୁଁ ତାଙ୍କର ପୁତ୍ର ଯିହୋୟାଖୀନ୍ ତାଙ୍କର ପଦରେ ରାଜ୍ୟ କଲେ।
24:7ଏଥିଉତ୍ତାରେ ମିସରର ରାଜା ପୁନର୍ବାର ଆପଣା ଦେଶରୁ ଆଉ ଆସିଲେ ନାହିଁ; କାରଣ ବାବିଲର ରାଜା ମିସରର ନଦୀଠାରୁ ଫରାତ୍ ନଦୀ ପର୍ଯ୍ୟନ୍ତ ମିସରୀୟ ରାଜାଙ୍କର ସମସ୍ତ ଅଧିକାର ହସ୍ତଗତ କରିଥିଲେ।