Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଡିସେମ୍ବର 2027 › ଡିସେମ୍ବର 19

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 19 ଡିସେମ୍ବର 2027

ରବିବାର · ଆଗମନ କାଳର ଚତୁର୍ଥ ସପ୍ତାହ

ପର୍ବ ଓ ସନ୍ଥ

ଆଗମନ କାଳର ଚତୁର୍ଥ ରବିବାର

ରବିବାର · ଉପାସନାର ରଙ୍ଗ: ବାଇଗଣୀ

ଦିନର ପାଠ

ପ୍ରଥମ ପାଠ

ମୀଖା 5:2–5

2ମାତ୍ର ହେ ବେଥଲିହିମ-ଇଫ୍ରାଥା, ଯିହୁଦାର ସହସ୍ରଗଣର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ, ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ; ପୁରାତନ କାଳରୁ, ଅନାଦିକାଳରୁ ତାହାଙ୍କର ଉତ୍ପତ୍ତି ହୋଇଅଛି। 3ଏନିମନ୍ତେ ଯେଉଁ ସ୍ତ୍ରୀ ପ୍ରସବ ବେଦନାଗ୍ରସ୍ତା ହେଉଅଛି, ସେ ଯେପର୍ଯ୍ୟନ୍ତ ପ୍ରସବ ନ କରେ, ସେହି ସମୟ ପର୍ଯ୍ୟନ୍ତ ସେ ସେମାନଙ୍କୁ ତ୍ୟାଗ କରିବେ; ତହିଁ ଉତ୍ତାରେ ତାହାଙ୍କର ଅବଶିଷ୍ଟ ଭ୍ରାତୃଗଣ ଇସ୍ରାଏଲର ସନ୍ତାନଗଣର ନିକଟକୁ ଫେରି ଆସିବେ। 4ପୁଣି, ସେ ଠିଆ ହୋଇ ସଦାପ୍ରଭୁଙ୍କ ଶକ୍ତିରେ, ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମର ମହିମାରେ ଆପଣା ପଲ ଚରାଇବେ ଓ ସେମାନେ ସୁସ୍ଥିର ହୋଇ ବାସ କରିବେ; କାରଣ ସେହି ସମୟରେ ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ମହାନ ହେବେ। 5ଆଉ, ଏହି ମନୁଷ୍ୟ ଆମ୍ଭମାନଙ୍କର ଶାନ୍ତି ସ୍ୱରୂପ ହେବେ; ଯେଉଁ ସମୟରେ ଅଶୂରୀୟ ଗୋଷ୍ଠୀ ଆମ୍ଭମାନଙ୍କ ଦେଶକୁ ଆସିବେ ଓ ଆମ୍ଭମାନଙ୍କ ଅଟ୍ଟାଳିକାମାନରେ ପଦାର୍ପଣ କରିବ, ସେହି ସମୟରେ ଆମ୍ଭେମାନେ ତାହା ବିରୁଦ୍ଧରେ ସାତ ଜଣ ପଲରକ୍ଷକ ଓ ଆଠ ଜଣ ପ୍ରଧାନ ଲୋକଙ୍କୁ ଉତ୍ଥାପନ କରିବା।

ପ୍ରତିଉତ୍ତର ଗୀତ

ଗୀତ 80:1–2, 14–15, 17–18

1ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍‍-ଏଦୂତ୍‍ ସ୍ୱରରେ ଆସଫର ଗୀତ। ହେ ଇସ୍ରାଏଲର ପାଳକ, ମେଷପଲ ତୁଲ୍ୟ ଯୋଷେଫକୁ ଚଳାଅ ଯେ ତୁମ୍ଭେ, ତୁମ୍ଭେ କର୍ଣ୍ଣପାତ କର; କିରୂବମାନଙ୍କ ଉପରେ ଉପବିଷ୍ଟ ଯେ ତୁମ୍ଭେ, ତୁମ୍ଭେ ପ୍ରକାଶମାନ ହୁଅ। 2ଇଫ୍ରୟିମ, ବିନ୍ୟାମୀନ୍ ଓ ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଉତ୍ତେଜିତ କର ଓ ଆମ୍ଭମାନଙ୍କ ପରିତ୍ରାଣାର୍ଥେ ଆଗମନ କର। 14ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭେମାନେ ବିନୟ କରୁଅଛୁ, ଫେର; ସ୍ୱର୍ଗରୁ ନିରୀକ୍ଷଣ କର ଓ ଦୃଷ୍ଟିପାତ କରି ଏହି ଦ୍ରାକ୍ଷାଲତାର 15ଓ ତୁମ୍ଭ ଦକ୍ଷିଣ ହସ୍ତ ଦ୍ୱାରା ସ୍ଥାପିତ ଗଣ୍ଡିର ଓ ଆପଣା ନିମନ୍ତେ ତୁମ୍ଭ ସବଳୀକୃତ ଶାଖାର ତତ୍ତ୍ୱ ନିଅ। 17ତୁମ୍ଭ ଦକ୍ଷିଣ ହସ୍ତର ମନୁଷ୍ୟ ଉପରେ, ଆପଣା ନିମନ୍ତେ ସବଳୀକୃତ ମନୁଷ୍ୟପୁତ୍ର ଉପରେ ତୁମ୍ଭର ହସ୍ତ ଥାଉ। 18ତହିଁରେ ଆମ୍ଭେମାନେ ତୁମ୍ଭଠାରୁ ଫେରିଯିବା ନାହିଁ; ତୁମ୍ଭେ ଆମ୍ଭମାନଙ୍କୁ ସଜୀବ କର, ତହୁଁ ଆମ୍ଭେମାନେ ତୁମ୍ଭ ନାମରେ ପ୍ରାର୍ଥନା କରିବା।

ଦ୍ୱିତୀୟ ପାଠ

ଏବ୍ରୀ 10:5–10

5ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, “ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋʼ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ; 6ହୋମବଳି ଓ ପାପାର୍ଥକ ବଳିରେ ତୁମ୍ଭେ ସନ୍ତୁଷ୍ଟ ହେଲ ନାହିଁ।” 7ସେତେବେଳେ ମୁଁ କହିଲି, ଦେଖ, ଶାସ୍ତ୍ରରେ ମୋʼ ବିଷୟରେ ଲେଖାଅଛି, “ହେ ଈଶ୍ବର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି।” 8ଏସବୁ ଊର୍ଦ୍ଧ୍ୱରେ ସେ କହନ୍ତି, ବଳିଦାନ, ନୈବେଦ୍ୟ, ହୋମବଳି ଓ ପାପାର୍ଥକ ବଳି ତୁମ୍ଭେ ଲୋଡ଼ିଲ ନାହିଁ, କିମ୍ବା ସେଥିରେ ତୁମ୍ଭର ସନ୍ତୋଷ ନ ଥିଲା (ଯାହାସବୁ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଉତ୍ସର୍ଗ କରାଯାଏ) 9ତତ୍ପରେ ସେ କହନ୍ତି, “ଦେଖ, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି।” ଦ୍ୱିତୀୟ ନିୟମକୁ ସ୍ଥାପନ କରିବା ନିମନ୍ତେ ସେ ପ୍ରଥମ ନିୟମକୁ ଲୋପ କରନ୍ତି। 10ଦ୍ବିତୀୟ ନିୟମରେ ଯୀଶୁ ଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରୀକୃତ ହୋଇଅଛୁ।

ସୁସମାଚାର

ଲୂକ 1:39–45

39ଏହି ସମୟରେ ମରୀୟମ ଉଠି ପାର୍ବତୀୟ ଅଞ୍ଚଳର ଯିହୂଦା ପ୍ରଦେଶର ଗୋଟିଏ ନଗରକୁ ଶୀଘ୍ର ଗଲେ, 40ପୁଣି, ଜିଖରୀୟଙ୍କ ଗୃହରେ ପ୍ରବେଶ କରି ଏଲୀଶାବେଥଙ୍କୁ ନମସ୍କାର କଲେ। 41ଆଉ, ଏଲୀଶାବେଥ ମରୀୟମଙ୍କ ନମସ୍କାର ଶୁଣିବାମାତ୍ରେ ଶିଶୁଟି ତାହାଙ୍କ ଗର୍ଭରେ ନାଚି ଉଠିଲା, ପୁଣି, ଏଲୀଶାବେଥ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ 42ଅତି ଉଚ୍ଚସ୍ୱରରେ କହିଲେ, ନାରୀମାନଙ୍କ ମଧ୍ୟରେ ତୁମ୍ଭେ ଧନ୍ୟ, ପୁଣି, ଧନ୍ୟ ତୁମ୍ଭର ଗର୍ଭର ଫଳ। 43ଆଉ, ମୋ ପ୍ରଭୁଙ୍କ ମାତା ଯେ ମୋʼ ନିକଟକୁ ଆସିବେ, ମୋହର ଏହି ସୌଭାଗ୍ୟ କେଉଁଠାରୁ ହେଲା? 44କାରଣ ଦେଖ, ତୁମ୍ଭ ସମ୍ଭାଷଣର ସ୍ୱର ମୋʼ କାନରେ ପ୍ରବେଶ କରିବା ମାତ୍ରେ ଶିଶୁଟି ମୋʼ ଗର୍ଭରେ ଉଲ୍ଲାସରେ ନାଚି ଉଠିଲା। 45ଯେ ବିଶ୍ୱାସ କଲେ, ସେ ଧନ୍ୟ, କାରଣ ପ୍ରଭୁଙ୍କଠାରୁ ତାହାଙ୍କୁ ଯାହା ଯାହା କୁହାଯାଇଅଛି, ସେହିସବୁ ସଫଳ ହେବ।

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର C, ସପ୍ତାହ ଦିନର ବର୍ଷ II।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର