Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଡିସେମ୍ବର 2027 › ଡିସେମ୍ବର 16

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 16 ଡିସେମ୍ବର 2027

ଗୁରୁବାର · ଆଗମନ କାଳର ତୃତୀୟ ସପ୍ତାହ

ପର୍ବ ଓ ସନ୍ଥ

ଆଗମନ କାଳର ତୃତୀୟ ସପ୍ତାହର ଗୁରୁବାର

ସାଧାରଣ ଦିନ · ଉପାସନାର ରଙ୍ଗ: ବାଇଗଣୀ

ଦିନର ପାଠ

ପ୍ରଥମ ପାଠ

ଯିଶା 54:1–10

1“ଆଗୋ ବନ୍ଧ୍ୟେ, ଅପ୍ରସୂତେ, ତୁମ୍ଭେ ଗାନ କର, ଆଗୋ ଗର୍ଭବ୍ୟଥାରହିତେ, ତୁମ୍ଭେ ଉଚ୍ଚସ୍ୱରରେ ଗାନ କରି ଆନନ୍ଦଧ୍ୱନି କର, କାରଣ ସଦାପ୍ରଭୁ କହନ୍ତି, ବିବାହିତା ଭାର୍ଯ୍ୟାର ସନ୍ତାନ ଅପେକ୍ଷା ଅନାଥାର ସନ୍ତାନ ଅଧିକ। 2ତୁମ୍ଭେ ଆପଣା ତମ୍ବୁର ସ୍ଥାନ ବଢ଼ାଅ ଓ ସେମାନେ ତୁମ୍ଭ ବାସସ୍ଥାନର ଯବନିକାସବୁ ବିସ୍ତାର କରନ୍ତୁ; ବ୍ୟୟର ଆଶଙ୍କା କର ନାହିଁ; ତୁମ୍ଭର ଦଉଡ଼ିସବୁ ଲମ୍ବାଇ ଦିଅ ଓ କିଳାସବୁ ଦୃଢ଼ କର। 3କାରଣ ତୁମ୍ଭେ ଡାହାଣ ଓ ବାମରେ ବ୍ୟାପି ଯିବ ଓ ତୁମ୍ଭର ବଂଶ ଅନ୍ୟ ଦେଶୀୟମାନଙ୍କୁ ଅଧିକାର କରିବେ ଓ ନରଶୂନ୍ୟ ନଗରସମୂହକୁ ବସତି ସ୍ଥାନ କରାଇବେ। 4ଭୟ କର ନାହିଁ; କାରଣ ତୁମ୍ଭେ ଲଜ୍ଜିତ ହେବ ନାହିଁ। କିଅବା ବିଷଣ୍ଣମନା ହୁଅ ନାହିଁ; କାରଣ ତୁମ୍ଭକୁ ଲଜ୍ଜିତ କରାଯିବ ନାହିଁ; ତୁମ୍ଭେ ଆପଣା ଯୌବନ କାଳର ଲଜ୍ଜା ପାସୋରି ଯିବ ଓ ତୁମ୍ଭେ ଆପଣା ବିଧବାବସ୍ଥାର ଦୁର୍ନାମ ଆଉ ସ୍ମରଣ କରିବ ନାହିଁ। 5କାରଣ ତୁମ୍ଭର ନିର୍ମାଣକର୍ତ୍ତା ତୁମ୍ଭର ସ୍ୱାମୀ ଅଟନ୍ତି; ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ ଓ ଇସ୍ରାଏଲର ଧର୍ମସ୍ୱରୂପ ତୁମ୍ଭର ମୁକ୍ତିଦାତା; ସେ ସମୁଦାୟ ପୃଥିବୀର ପରମେଶ୍ୱର ବୋଲି ବିଖ୍ୟାତ ହେବେ। 6କାରଣ ତୁମ୍ଭ ପରମେଶ୍ୱର କହନ୍ତି, ତ୍ୟକ୍ତା ଓ ମନୋଦୁଃଖିନୀ ଭାର୍ଯ୍ୟା ଅଥବା ଯୌବନକାଳୀନ ଦୂରୀକୃତା ଭାର୍ଯ୍ୟା ତୁଲ୍ୟ ସଦାପ୍ରଭୁ ତୁମ୍ଭକୁ ଆହ୍ୱାନ କରିଅଛନ୍ତି। 7ଆମ୍ଭେ ଅଳ୍ପକ୍ଷଣ ନିମନ୍ତେ ତୁମ୍ଭକୁ ତ୍ୟାଗ କରିଅଛୁ; ମାତ୍ର ମହାକରୁଣାରେ ତୁମ୍ଭକୁ ସଂଗ୍ରହ କରିବା। 8ଅତିଶୟ କୋପରେ ଆମ୍ଭେ ଏକ ନିମିଷ ମାତ୍ର ଆପଣା ମୁଖ ତୁମ୍ଭଠାରୁ ଲୁଚାଇଲୁ; ମାତ୍ର ଅନନ୍ତକାଳସ୍ଥାୟୀ ଦୟାରେ ଆମ୍ଭେ ତୁମ୍ଭ ପ୍ରତି କରୁଣା କରିବା, ଏହା ତୁମ୍ଭର ମୁକ୍ତିଦାତା ସଦାପ୍ରଭୁ କହନ୍ତି। 9କାରଣ ଏହା ଆମ୍ଭ ପ୍ରତି ନୋହ ସମୟର ଜଳ ତୁଲ୍ୟ ଅଟେ; ନୋହ ସମୟର ଜଳ ଆଉ ପୃଥିବୀକୁ ପ୍ଲାବିତ କରିବ ନାହିଁ ବୋଲି ଆମ୍ଭେ ଯେପରି ଶପଥ କରିଅଛୁ, ସେହିପରି ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ, ଅବା ତୁମ୍ଭକୁ ଭର୍ତ୍ସନା କରିବା ନାହିଁ ବୋଲି ଶପଥ କରିଅଛୁ। 10ଯେହେତୁ ତୁମ୍ଭ ପ୍ରତି କରୁଣା କରିଅଛନ୍ତି ଯେଉଁ ସଦାପ୍ରଭୁ, ସେ କହନ୍ତି, ପର୍ବତଗଣ ବିଚଳିତ ହୋଇ ଘୁଞ୍ଚିଯିବେ ଓ ଉପପର୍ବତଗଣ ଟଳିବେ; ମାତ୍ର ଆମ୍ଭର ଦୟା ତୁମ୍ଭଠାରୁ ବିଚଳିତ ହେବ ନାହିଁ, ଅଥବା ଆମ୍ଭ ଶାନ୍ତିର ନିୟମ ଟଳିବ ନାହିଁ।

ପ୍ରତିଉତ୍ତର ଗୀତ

ଗୀତ 30:1, 3–5, 10–12

1ଗୀତ; ଗୃହ-ପ୍ରତିଷ୍ଠାକାଳୀନ ଗୀତ; ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ମୁଁ ତୁମ୍ଭର ଗୁଣଗାନ କରିବି; କାରଣ ତୁମ୍ଭେ ମୋତେ ଉଠାଇଅଛ; ଓ ମୋʼ ଶତ୍ରୁଗଣକୁ ମୋʼ ଉପରେ ଆନନ୍ଦ କରିବାକୁ ଦେଇ ନାହଁ। 3ହେ ସଦାପ୍ରଭୋ, ତୁମ୍ଭେ ପାତାଳରୁ ମୋʼ ପ୍ରାଣ ଉଠାଇ ଆଣିଅଛ; ମୁଁ ଯେପରି ଗର୍ତ୍ତକୁ ଗମନ ନ କରିବି, ଏଥିପାଇଁ ତୁମ୍ଭେ ମୋତେ ବଞ୍ଚାଇ ରଖିଅଛ। 4ହେ ସଦାପ୍ରଭୁଙ୍କର ସଦ୍‍ଭକ୍ତମାନେ, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, ପୁଣି, ତାହାଙ୍କ ପବିତ୍ର ନାମକୁ ଧନ୍ୟବାଦ ଦିଅ। 5କାରଣ ତାହାଙ୍କ କ୍ରୋଧ କ୍ଷଣମାତ୍ର ସ୍ଥାୟୀ; ତାହାଙ୍କ ଅନୁଗ୍ରହରେ ଜୀବନ ଥାଏ; ରୋଦନ ଏକ ରାତ୍ରି ପାଇଁ ଆସିପାରେ, ମାତ୍ର ପ୍ରାତଃକାଳରେ ଆନନ୍ଦ ଆସେ। 10ହେ ସଦାପ୍ରଭୋ, ଶୁଣ ଓ ମୋʼ ପ୍ରତି ଦୟା କର; ସଦାପ୍ରଭୋ, ତୁମ୍ଭେ ମୋହର ସହାୟ ହୁଅ। 11ତୁମ୍ଭେ ମୋହର ବିଳାପକୁ ନୃତ୍ୟରେ ପରିଣତ କରିଅଛ; ତୁମ୍ଭେ ମୋହର ଚଟବସ୍ତ୍ର ଫିଟାଇ ଆନନ୍ଦରୂପ ପଟୁକାରେ ମୋହର କଟି ବାନ୍ଧିଅଛ; 12ଏଥିପାଇଁ ମୋହର ପ୍ରାଣ ତୁମ୍ଭର ପ୍ରଶଂସା ଗାନ କରିବ ଓ ନୀରବ ନୋହିବ, ହେ ସଦାପ୍ରଭୋ, ମୋହର ପରମେଶ୍ୱର, ମୁଁ ଅନନ୍ତକାଳ ତୁମ୍ଭକୁ ଧନ୍ୟବାଦ ଦେବି।

ସୁସମାଚାର

ଲୂକ 7:24–30

24ଯୋହନଙ୍କ ଦୂତମାନେ ଯିବା ପରେ ଯୀଶୁ ଯୋହନଙ୍କ ବିଷୟରେ ଲୋକମାନଙ୍କୁ କହିବାକୁ ଲାଗିଲେ, ତୁମ୍ଭେମାନେ କଅଣ ଦେଖିବା ପାଇଁ ମରୁଭୂମିକୁ ବାହାରିଯାଇଥିଲ, କଅଣ ପବନରେ ଦୋହଲୁଥିବା ଗୋଟିଏ ନଳ? 25ତାହା ନ ହେଲେ ତୁମ୍ଭେମାନେ କଅଣ ଦେଖିବା ପାଇଁ ବାହାରିଯାଇଥିଲ? କଅଣ ଦାମୀ ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ? ଦେଖ, ଯେଉଁମାନେ ସୁନ୍ଦର ବସ୍ତ୍ର ପିନ୍ଧନ୍ତି ଏବଂ ସୁଖରେ ସମୟ କଟାନ୍ତି, ସେମାନେ ରାଜପ୍ରାସାଦରେ ଥାଆନ୍ତି। 26ତାହା ନ ହେଲେ କଅଣ ଦେଖିବା ନିମନ୍ତେ ବାହାରି ଯାଇଥିଲ? କଅଣ ଜଣେ ଭାବବାଦୀଙ୍କୁ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କୁ। 27ଯାହାଙ୍କ ବିଷୟରେ ଏହା ଲେଖାଅଛି, ‘ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି।’ 28ମୁଁ ତୁମ୍ଭମାନଙ୍କୁ କହୁଅଛି, ସ୍ତ୍ରୀଗର୍ଭରୁ ଜନ୍ମ ହୋଇଥିବା ସମସ୍ତଙ୍କ ମଧ୍ୟରେ ଯୋହନଙ୍କଠାରୁ ମହାନ କେହି ନାହାନ୍ତି; ତଥାପି ଈଶ୍ବରଙ୍କ ରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ।” 29ଏହା ଶୁଣି ସମସ୍ତ ଲୋକ, ଏପରିକି କରଗ୍ରାହୀମାନେ ସୁଦ୍ଧା ଯୋହନଙ୍କ ବାପ୍ତିସ୍ମରେ ବାପ୍ତିଜିତ ହୋଇଥିବାରୁ ଈଶ୍ବରଙ୍କୁ ଯଥାର୍ଥ ବୋଲି ସ୍ୱୀକାର କଲେ; 30କିନ୍ତୁ ଫାରୂଶୀମାନେ ଓ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ ତାହାଙ୍କ ଦ୍ୱାରା ବାପ୍ତିଜିତ ନ ହୋଇ ନିଜ ନିଜ ବିଷୟରେ ଈଶ୍ବରଙ୍କ ଯୋଜନା ଅଗ୍ରାହ୍ୟ କଲେ।

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର C, ସପ୍ତାହ ଦିନର ବର୍ଷ II।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର