ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅକ୍ଟୋବର 2027 › ଅକ୍ଟୋବର 24
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 24 ଅକ୍ଟୋବର 2027
ରବିବାର · ସାଧାରଣ କାଳର 30ତମ ସପ୍ତାହ
ପର୍ବ ଓ ସନ୍ଥ
ସାଧାରଣ କାଳର 30ତମ ରବିବାର
ରବିବାର · ଉପାସନାର ରଙ୍ଗ: ସବୁଜ
ଦିନର ପାଠ
ପ୍ରଥମ ପାଠ
7କାରଣ ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଯାକୁବ ନିମନ୍ତେ ଆନନ୍ଦରେ ଗାନ କର ଓ ଗୋଷ୍ଠୀବର୍ଗର ଅଗ୍ରଗଣ୍ୟ ନିମନ୍ତେ ଜୟଧ୍ୱନି କର; ତୁମ୍ଭେମାନେ ପ୍ରଚାର କରି, ପ୍ରଶଂସା କରି କୁହ, ‘ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକ ଇସ୍ରାଏଲର ଅବଶିଷ୍ଟାଂଶକୁ ପରିତ୍ରାଣ କର।’ 8ଦେଖ, ଆମ୍ଭେ ସେମାନଙ୍କୁ ଉତ୍ତର ଦେଶରୁ ଆଣିବା, ପୁଣି ପୃଥିବୀର ପ୍ରାନ୍ତଭାଗରୁ ସେମାନଙ୍କୁ ଓ ସେମାନଙ୍କ ସହିତ ଅନ୍ଧ ଓ ଛୋଟା, ଗର୍ଭବତୀ ଓ ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀକୁ ଏକତ୍ର ସଂଗ୍ରହ କରିବା; ସେମାନେ ମହାଲୋକାରଣ୍ୟ ହୋଇ ଏହି ସ୍ଥାନକୁ ଆସିବେ। 9ସେମାନେ କ୍ରନ୍ଦନ କରୁ କରୁ ଆମ୍ଭ ଦ୍ୱାରା ଆନୀତ ହେବେ, ଆମ୍ଭେ ସେମାନଙ୍କୁ ସଜଳ ନଦୀମାନର ନିକଟ ଦେଇ ସଳଖ ପଥରେ ଗମନ କରାଇବା, ସେ ପଥରେ ସେମାନେ ଝୁଣ୍ଟିବେ ନାହିଁ; କାରଣ ଆମ୍ଭେ ଇସ୍ରାଏଲର ପିତା ଓ ଇଫ୍ରୟିମ ଆମ୍ଭର ପ୍ରଥମଜାତ ସନ୍ତାନ।
ପ୍ରତିଉତ୍ତର ଗୀତ
1ଆରୋହଣ ଗୀତ। ସଦାପ୍ରଭୁ ସିୟୋନର ଦାସତ୍ୱାବସ୍ଥା ପରିବର୍ତ୍ତନ କରିବା ବେଳେ ଆମ୍ଭେମାନେ ସ୍ୱପ୍ନଦର୍ଶକମାନଙ୍କ ପରି ଥିଲୁ। 2ସେତେବେଳେ ଆମ୍ଭମାନଙ୍କ ମୁଖ ହାସ୍ୟରେ ଓ ଜିହ୍ୱା ଗାୟନରେ ପରିପୂର୍ଣ୍ଣ ହେଲା; ସେତେବେଳେ ଗୋଷ୍ଠୀବର୍ଗ ମଧ୍ୟରେ ଲୋକମାନେ କହିଲେ, “ସଦାପ୍ରଭୁ ଏମାନଙ୍କ ପାଇଁ ମହତ କର୍ମ କରିଅଛନ୍ତି।” 3ସଦାପ୍ରଭୁ ଆମ୍ଭମାନଙ୍କ ପାଇଁ ମହତ କର୍ମ କରିଅଛନ୍ତି; ତହିଁ ସକାଶୁ ଆମ୍ଭେମାନେ ଆନନ୍ଦିତ ଅଛୁ। 4ହେ ସଦାପ୍ରଭୋ, ଦକ୍ଷିଣ ଦିଗର ସ୍ରୋତ ପରି ଆମ୍ଭମାନଙ୍କ ଦାସତ୍ୱାବସ୍ଥା ପରିବର୍ତ୍ତନ କର। 5ଯେଉଁମାନେ କାନ୍ଦି କାନ୍ଦି ବିହନ ବୁଣନ୍ତି, ସେମାନେ ଆନନ୍ଦ କରୁ କରୁ ଶସ୍ୟ କାଟିବେ। 6ଯଦ୍ୟପି ସେ ବିହନ ବହି କାନ୍ଦି କାନ୍ଦି ଆପଣା ପଥରେ ଯାଏ, ତଥାପି ସେ ବିଡ଼ା ଘେନି ଆନନ୍ଦ କରୁ କରୁ ନେଉଟି ଆସିବ।
ଦ୍ୱିତୀୟ ପାଠ
1କାରଣ ପ୍ରତ୍ୟେକ ମହାଯାଜକ ଯେପରି ପାପ ନିମନ୍ତେ ନୈବେଦ୍ୟ ଓ ବଳି ଉତ୍ସର୍ଗ କରିପାରନ୍ତି, ସେଥିପାଇଁ ସେ ମନୁଷ୍ୟମାନଙ୍କ ମଧ୍ୟରୁ ନୀତ ହୋଇ ଈଶ୍ବରଙ୍କ ସେବା ସମ୍ବନ୍ଧରେ ମନୁଷ୍ୟମାନଙ୍କ ପକ୍ଷରେ ନିଯୁକ୍ତ ହୁଅନ୍ତି। 2ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ, କାରଣ ସେ ନିଜେ ମଧ୍ୟ ଦୁର୍ବଳତା ବିଶିଷ୍ଟ; 3ଏଥିସକାଶୁ ଲୋକମାନଙ୍କ ନିମନ୍ତେ ଯେପରି, ଆପଣା ନିମନ୍ତେ ମଧ୍ୟ ସେହିପରି ପାପାର୍ଥକ ବଳି ଉତ୍ସର୍ଗ କରିବା ତାହାଙ୍କ ଆବଶ୍ୟକ। 4ଆଉ କେହି ଏହି ସମ୍ଭ୍ରାନ୍ତ ପଦ ନିଜେ ଗ୍ରହଣ କରନ୍ତି ନାହିଁ, କିନ୍ତୁ ହାରୋଣ ଯେପରି ଆହୂତ, ସେପରି ଈଶ୍ବରଙ୍କ ଦ୍ୱାରା ଆହୂତ ହେବା ଆବଶ୍ୟକ। 5ସେହିପରି ଖ୍ରୀଷ୍ଟ ମଧ୍ୟ ମହାଯାଜକ ପଦର ଗୌରବ ନିଜେ ଅନ୍ୱେଷଣ କରି ନ ଥିଲେ, କିନ୍ତୁ ଈଶ୍ବର ତାହାଙ୍କୁ ସେହି ଗୌରବର ପଦ ଦେଇଥିଲେ, କାରଣ ସେ ତାହାଙ୍କୁ କହିଥିଲେ, “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ।” 6ପୁଣି, ସେ ଅନ୍ୟ ସ୍ଥାନରେ ମଧ୍ୟ କହନ୍ତି, “ତୁମ୍ଭେ ମଲ୍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ ଅଟ।”
ସୁସମାଚାର
46ପରେ ସେମାନେ ଯିରୀହୋରେ ଉପସ୍ଥିତ ହେଲେ, ଆଉ ସେ ଆପଣା ଶିଷ୍ୟସମୂହ ଓ ବହୁସଂଖ୍ୟକ ଲୋକ ସହିତ ଯିରୀହୋରୁ ପ୍ରସ୍ଥାନ କରିବା ସମୟରେ ଟୀମାୟର ପୁତ୍ର ବାର୍ଟୀମୟ ନାମକ ଜଣେ ଅନ୍ଧ ଭିକ୍ଷୁକ ପଥ ପାର୍ଶ୍ୱରେ ବସିଥିଲା। 47ସେ ଯେ ନାଜରିତୀୟ ଯୀଶୁ, ଏହା ଶୁଣି ସେ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ଦାଉଦଙ୍କ ସନ୍ତାନ ଯୀଶୁ, ମୋତେ ଦୟା କରନ୍ତୁ। 48ଏଥିରେ ଅନେକେ ତାହାକୁ ତୁନି ହେବା ପାଇଁ ଧମକ ଦେବାକୁ ଲାଗିଲେ, କିନ୍ତୁ ସେ ଆହୁରି ଅଧିକ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ଦାଉଦଙ୍କ ସନ୍ତାନ, ମୋତେ ଦୟା କରନ୍ତୁ। 49ସେଥିରେ ଯୀଶୁ ଠିଆ ହୋଇ କହିଲେ, “ତାହାକୁ ଡାକ।” ସେମାନେ ସେହି ଅନ୍ଧ ଲୋକଟିକୁ ଡାକି କହିଲେ, ସାହସ ଧର, ଉଠ, ସେ ତୁମକୁ ଡାକୁଅଛନ୍ତି। 50ତହିଁରେ ସେ ଆପଣା ଚାଦର ଫୋପାଡ଼ିଦେଇ ଉଠି ଯୀଶୁଙ୍କ ନିକଟକୁ ଆସିଲା। 51ଯୀଶୁ ତାହାକୁ ଉତ୍ତର ଦେଲେ, “ମୁଁ ତୁମ୍ଭ ପାଇଁ କଅଣ କରିବି ବୋଲି ତୁମ୍ଭେ ଇଚ୍ଛା କରୁଅଛ?” ସେହି ଅନ୍ଧ ଲୋକଟି ତାହାଙ୍କୁ କହିଲା, ହେ ଗୁରୁ, ମୁଁ ଯେପରି ଦୃଷ୍ଟି ପାଏ। 52ଯୀଶୁ ତାହାକୁ କହିଲେ, “ଯାଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି।” ତତ୍କ୍ଷଣାତ୍ ସେ ଦୃଷ୍ଟି ପାଇ ପଥରେ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲା।
ଆଜିର ସନ୍ଥ
- ସନ୍ଥ ଆଣ୍ଟୋନି ମେରୀ କ୍ଲାରେଟ୍, ଧର୍ମାଧ୍ୟକ୍ଷ
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର