Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅକ୍ଟୋବର 2027 › ଅକ୍ଟୋବର 23

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 23 ଅକ୍ଟୋବର 2027

ଶନିବାର · ସାଧାରଣ କାଳର 29ତମ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର 29ତମ ସପ୍ତାହର ଶନିବାର

ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ସବୁଜ

କାପିଷ୍ଟ୍ରାନୋର ସନ୍ଥ ଜନ୍, ପୁରୋହିତ · ଇଚ୍ଛାଧୀନ ସ୍ମୃତି ଦିବସ

ଦିନର ପାଠ

ପ୍ରଥମ ପାଠ

ରୋମୀ 8:1–11

1ଅତଏବ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ। 2କାରଣ ଜୀବନଦାୟକ ଆତ୍ମା ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ତୁମ୍ଭକୁ ପାପ ଓ ମୃତ୍ୟୁଦାୟକ ବ୍ୟବସ୍ଥାରୁ ମୁକ୍ତ କରିଅଛି। 3ଯେଣୁ ଶରୀର ସକାଶେ ଦୁର୍ବଳ ହେବାରୁ ବ୍ୟବସ୍ଥା ଯାହା ସାଧନ କରିପାରିଲା ନାହିଁ, ତାହା ଈଶ୍ବର ଆପଣା ପୁତ୍ରଙ୍କୁ ପାପମୟ ଶରୀରର ସାଦୃଶ୍ୟରେ ପାପ ବିନାଶ ନିମନ୍ତେ ପ୍ରେରଣ କରି ଶରୀରରେ ପାପକୁ ଦଣ୍ଡାଜ୍ଞା ଦେବା ଦ୍ୱାରା କଲେ, 4ଯେପରି ଆମ୍ଭେମାନେ ଶାରୀରିକ ଭାବାନୁସାରେ ଆଚରଣ ନ କରି ଆତ୍ମିକ ଭାବାନୁସାରେ ଆଚରଣ କରିଥାଉ, ଆମ୍ଭମାନଙ୍କଠାରେ ବ୍ୟବସ୍ଥାର ଧର୍ମବିଧି ସଫଳ ହୁଏ। 5କାରଣ ଯେଉଁମାନେ ଶାରୀରିକମନା, ସେମାନେ ଶାରୀରିକ ବିଷୟରେ ମନୋଯୋଗ କରନ୍ତି, କିନ୍ତୁ ଯେଉଁମାନେ ଆତ୍ମିକମନା, ସେମାନେ ଆତ୍ମିକ ବିଷୟରେ ମନୋଯୋଗ କରନ୍ତି। 6କାରଣ ଶାରୀରିକ ମନ ମୃତ୍ୟୁଜନକ, କିନ୍ତୁ ଆତ୍ମିକ ମନ ଜୀବନ ଓ ଶାନ୍ତିଦାୟକ; 7ଯେଣୁ ଶାରୀରିକ ମନ ଈଶ୍ବରଙ୍କ ବିରୁଦ୍ଧରେ ଶତ୍ରୁତା; କାରଣ ତାହା ଈଶ୍ବରଙ୍କ ବ୍ୟବସ୍ଥାର ବଶୀଭୂତ ନୁହେଁ, ପୁଣି, ବଶୀଭୂତ ହେବା ଅସମ୍ଭବ; 8ଯେଉଁମାନେ ଶରୀରର ବଶରେ ଅଛନ୍ତି, ସେମାନେ ଈଶ୍ବରଙ୍କର ସନ୍ତୋଷପାତ୍ର ହୋଇପାରନ୍ତି ନାହିଁ। 9କିନ୍ତୁ ଈଶ୍ବରଙ୍କ ଆତ୍ମା ଯଦି ତୁମ୍ଭମାନଙ୍କଠାରେ ବାସ କରନ୍ତି, ତାହାହେଲେ ତୁମ୍ଭେମାନେ ଶରୀରର ବଶରେ ନାହଁ, ମାତ୍ର ଆତ୍ମାଙ୍କ ବଶରେ ଅଛ। ଯଦି କେହି ଖ୍ରୀଷ୍ଟଙ୍କ ଆତ୍ମା ପାଇ ନ ଥାଏ, ତେବେ ସେ ତାହାଙ୍କର ନୁହେଁ। 10କିନ୍ତୁ ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କଠାରେ ଥାଆନ୍ତି, ତାହାହେଲେ ଶରୀର ପାପ ହେତୁ ମୃତ ଅଟେ, ମାତ୍ର ଆତ୍ମା ଧାର୍ମିକତା ହେତୁ ଜୀବିତ ଅଟେ। 11ଆଉ ଯେ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କୁ ଉଠାଇଲେ, ତାହାଙ୍କର ଆତ୍ମା ଯଦି ତୁମ୍ଭମାନଙ୍କଠାରେ ବାସ କରନ୍ତି, ତେବେ ଯେ ମୃତମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଯୀଶୁଙ୍କୁ ଉଠାଇଲେ, ସେ ତୁମ୍ଭମାନଙ୍କଠାରେ ବାସ କରୁଥିବା ଆପଣା ଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରକୁ ମଧ୍ୟ ଜୀବିତ କରିବେ।

ପ୍ରତିଉତ୍ତର ଗୀତ

ଗୀତ 24:1–6

1ଦାଉଦଙ୍କର ଗୀତ। ପୃଥିବୀ ଓ ତହିଁର ପୂର୍ଣ୍ଣତା, ଜଗତ ଓ ତନ୍ନିବାସୀ ସମସ୍ତେ ସଦାପ୍ରଭୁଙ୍କର। 2କାରଣ ସେ ସମୁଦ୍ର ଉପରେ ତାହା ସ୍ଥାପନ କରିଅଛନ୍ତି ଓ ନଦୀ ଉପରେ ତାହା ଦୃଢ଼ କରିଅଛନ୍ତି। 3କିଏ ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବ? ଓ କିଏ ତାହାଙ୍କ ପବିତ୍ର ସ୍ଥାନରେ ଠିଆ ହେବ? 4ଯାହାର ହସ୍ତ ଶୁଚି ଓ ଅନ୍ତଃକରଣ ନିର୍ମଳ; ଯାହାର ମନ ଅସାରତା ପ୍ରତି ଉଠି ନାହିଁ, ପୁଣି, ଯେ ଛଳ ଭାବରେ ଶପଥ କରି ନାହିଁ, ସେ। 5ସେ ସଦାପ୍ରଭୁଙ୍କଠାରୁ ଆଶୀର୍ବାଦ ଓ ଆପଣାର ପରିତ୍ରାଣ ସ୍ୱରୂପ ପରମେଶ୍ୱରଙ୍କଠାରୁ ଧାର୍ମିକତା ପ୍ରାପ୍ତ ହେବ। 6ଯେଉଁମାନେ ପରମେଶ୍ୱରଙ୍କୁ ଅନ୍ୱେଷଣ କରନ୍ତି, ସେମାନଙ୍କର ବଂଶ ଏହି, ହେ ଯାକୁବର ପରମେଶ୍ୱର, ଏମାନେ ତୁମ୍ଭର ମୁଖ ଅନ୍ୱେଷଣ କରନ୍ତି। [ସେଲା]

ସୁସମାଚାର

ଲୂକ 13:1–9

1ସେହି ସମୟରେ କେତେକ ଲୋକ ଆସି, ପୀଲାତ ଯେଉଁ ଗାଲିଲୀୟମାନଙ୍କ ରକ୍ତ ସେମାନଙ୍କର ବଳି ସହିତ ମିଶାଇଥିଲେ, ସେମାନଙ୍କ ବିଷୟରେ ଯୀଶୁଙ୍କୁ ଜଣାଇଲେ। 2ସେଥିରେ ସେ ସେମାନଙ୍କୁ ଉତ୍ତର ଦେଲେ, “ଏହାସବୁ ଭୋଗ କରିବାରୁ ଏହି ଗାଲିଲୀୟମାନେ ଅନ୍ୟ ସମସ୍ତ ଗାଲିଲୀୟମାନଙ୍କ ଅପେକ୍ଷା ଅଧିକ ପାପୀ ବୋଲି କି ତୁମ୍ଭେମାନେ ମନେ କରୁଅଛ? 3ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, କିନ୍ତୁ ମନ-ପରିବର୍ତ୍ତନ ନ କଲେ ତୁମ୍ଭେମାନେ ସମସ୍ତେ ସେହି ପ୍ରକାରେ ବିନଷ୍ଟ ହେବ। 4କିମ୍ବା ଶୀଲୋହରେ ସେହି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀ-ଗୃହ ପଡ଼ି ସେମାନଙ୍କର ପ୍ରାଣନାଶ କଲା, ସେମାନେ ସମସ୍ତ ଯିରୂଶାଲମବାସୀଙ୍କ ଅପେକ୍ଷା ଅଧିକ ଅପରାଧୀ ବୋଲି କି ତୁମ୍ଭେମାନେ ମନେ କରୁଅଛ? 5ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, କିନ୍ତୁ ମନ-ପରିବର୍ତ୍ତନ ନ କଲେ ତୁମ୍ଭେମାନେ ସମସ୍ତେ ସେହିପରି ବିନଷ୍ଟ ହେବ।” 6ଆଉ, ସେ ଏହି ଦୃଷ୍ଟାନ୍ତ କହିଲେ, “ଜଣକର ଦ୍ରାକ୍ଷାକ୍ଷେତ୍ରରେ ଗୋଟିଏ ଡିମ୍ବିରିବୃକ୍ଷ ଲଗାଯାଇଥିଲା। ସେ ଆସି ସେଥିରେ ଫଳ ଖୋଜିଲେ, କିନ୍ତୁ ପାଇଲେ ନାହିଁ। 7ତେଣୁ ସେ ମାଳୀକୁ କହିଲେ, ଦେଖ, ଏହି ତିନି ବର୍ଷ ହେଲା ମୁଁ ଆସି ଏହି ଡିମ୍ବିରିବୃକ୍ଷରେ ଫଳ ଖୋଜୁଅଛି, କିନ୍ତୁ ପାଉ ନାହିଁ; ଏହାକୁ ହାଣିପକାଅ, ଏଇଟା କାହିଁକି ଭୂମିକୁ ମଧ୍ୟ ନଷ୍ଟ କରୁଅଛି? 8ମାତ୍ର ସେ ତାହାଙ୍କୁ ଉତ୍ତର ଦେଲା, ‘ପ୍ରଭୁ, ଏହାକୁ ଏହି ବର୍ଷଟି ମଧ୍ୟ ଛାଡ଼ିଦିଅନ୍ତୁ, ମୁଁ ଇତିମଧ୍ୟରେ ଏହାର ଚାରିପାଖ ଖୋଳି ଖତ ଦେବି, 9ଆଉ ପରେ ଫଳ ହୁଏତ ଭଲ, ନୋହିଲେ ତାହାକୁ ହାଣିପକାଇବେ।’”

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର