Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅକ୍ଟୋବର 2027 › ଅକ୍ଟୋବର 4

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 4 ଅକ୍ଟୋବର 2027

ସୋମବାର · ସାଧାରଣ କାଳର 27ତମ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର 27ତମ ସପ୍ତାହର ସୋମବାର

ସ୍ମୃତି ଦିବସ · ଉପାସନାର ରଙ୍ଗ: ଧଳା

ଆସିସିର ସନ୍ଥ ଫ୍ରାନ୍ସିସ୍ · ସ୍ମୃତି ଦିବସ

ଦିନର ପାଠ

ପ୍ରଥମ ପାଠ

ଯୂନ 1:1–17; 2:10

1ଅମିତ୍ତୟଙ୍କ ପୁତ୍ର ଯୂନସଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। 2“ଉଠ, ନୀନିବୀ ମହାନଗରକୁ ଯାଅ ଓ ତହିଁ ବିରୁଦ୍ଧରେ ଘୋଷଣା କର; କାରଣ ସେମାନଙ୍କର ଦୁଷ୍ଟତା ଆମ୍ଭ ସମ୍ମୁଖରେ ଉପସ୍ଥିତ ହୋଇଅଛି।” 3ମାତ୍ର ଯୂନସ ସଦାପ୍ରଭୁଙ୍କ ଛାମୁରୁ ତର୍ଶୀଶକୁ ପଳାଇ ଯିବା ନିମନ୍ତେ ଉଠିଲେ ଓ ଯାଫୋ ନଗରକୁ ଯାଇ ତର୍ଶୀଶଗାମୀ ଏକ ଜାହାଜ ପାଇଲେ; ତହୁଁ ସେ ତହିଁର ଭଡ଼ା ଦେଇ ସଦାପ୍ରଭୁଙ୍କ ଛାମୁରୁ ତର୍ଶୀଶକୁ ସେମାନଙ୍କ ସଙ୍ଗେ ଯିବା ନିମନ୍ତେ ସେହି ଜାହାଜରେ ଚଢ଼ିଲେ। 4ମାତ୍ର ସଦାପ୍ରଭୁ ସମୁଦ୍ରକୁ ପ୍ରଚଣ୍ଡ ବାୟୁ ପ୍ରେରଣ କଲେ, ତହିଁରେ ସମୁଦ୍ରରେ ଏପରି ପ୍ରବଳ ତୋଫାନ ହେଲା ଯେ, ଜାହାଜ ଭାଙ୍ଗିଯିବା ପରି ହେଲା। 5ସେତେବେଳେ ନାବିକମାନେ, ଭୀତ ହୋଇ ପ୍ରତ୍ୟେକ ଲୋକ ଆପଣା ଆପଣା ଦେବତା ନିକଟରେ ପ୍ରାର୍ଥନା କଲେ; ପୁଣି, ସେମାନେ ଜାହାଜକୁ ହାଲୁକା କରିବା ପାଇଁ ତନ୍ମଧ୍ୟସ୍ଥ ଦ୍ରବ୍ୟାଦି ସମୁଦ୍ରରେ ପକାଇଦେଲେ। ମାତ୍ର, ଯୂନସ ଜାହାଜର ଅନ୍ତରସ୍ଥ ଭାଗକୁ ଯାଇଥିଲେ; ଆଉ, ଶୟନ କରି ଘୋର ନିଦ୍ରାରେ ମଗ୍ନ ହୋଇଥିଲେ। 6ତହିଁରେ ଜାହାଜର ଅଧ୍ୟକ୍ଷ ତାଙ୍କ ନିକଟକୁ ଆସି କହିଲେ, “ହେ ନିଦ୍ରାଳୁ, କଅଣ କରୁଅଛ? ଉଠ, ତୁମ୍ଭ ଦେବତାଙ୍କ ନିକଟରେ ପ୍ରାର୍ଥନା କର, କେଜାଣି ତୁମ୍ଭର ଦେବତା ଆମ୍ଭମାନଙ୍କ ବିଷୟରେ ମନୋଯୋଗ କରିବେ ଓ ଆମ୍ଭେମାନେ ବିନଷ୍ଟ ନୋହିବୁ।” 7ପୁଣି, ନାବିକମାନେ ପ୍ରତ୍ୟେକେ ଆପଣା ଆପଣା ସଙ୍ଗୀକୁ କହିଲେ, “କାହା ହେତୁରୁ ଏହି ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟୁଅଛି ଏହା ଜାଣିବା ନିମନ୍ତେ ଆସ, ଆମ୍ଭେମାନେ ଗୁଲିବାଣ୍ଟ କରୁ।” ତହୁଁ ସେମାନେ ଗୁଲିବାଣ୍ଟ କରନ୍ତେ, ଯୂନସଙ୍କ ନାମରେ ଗୁଲି ଉଠିଲା। 8ସେତେବେଳେ ସେମାନେ ତାଙ୍କୁ କହିଲେ, “କାହା ହେତୁରୁ ଏହି ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟିଅଛି, ତାହା ଆମ୍ଭମାନଙ୍କୁ କୁହ; ତୁମ୍ଭେ କେଉଁ ବ୍ୟବସାୟୀ ଓ କେଉଁଠାରୁ ଆସିଅଛ? ତୁମ୍ଭର କେଉଁ ଦେଶ? ଓ ତୁମ୍ଭେ କେଉଁ ଗୋଷ୍ଠୀର ଲୋକ?” 9ତହିଁରେ ସେ ସେମାନଙ୍କୁ କହିଲେ, “ମୁଁ ଜଣେ ଏବ୍ରୀୟ; ପୁଣି, ଯେ ସମୁଦ୍ର ଓ ଶୁଷ୍କ ଭୂମିର ସୃଷ୍ଟି କରିଅଛନ୍ତି, ସେହି ସ୍ୱର୍ଗସ୍ଥ ପରମେଶ୍ୱର ସଦାପ୍ରଭୁଙ୍କୁ ମୁଁ ଭୟ କରେ।” 10ଏଥିରେ ସେହି ଲୋକମାନେ ମହାଭୀତ ହୋଇ ତାଙ୍କୁ କହିଲେ, “ତୁମ୍ଭେ ଏ କି କର୍ମ କରିଅଛ? କାରଣ ସେ ଜଣାଇଥିବାରୁ ସେମାନେ ଜାଣିଥିଲେ ଯେ, ସେ ସଦାପ୍ରଭୁଙ୍କ ଛାମୁରୁ ପଳାଉଅଛନ୍ତି।” 11ସେତେବେଳେ ସେମାନେ ତାଙ୍କୁ କହିଲେ, “ସମୁଦ୍ର ଯେପରି ଆମ୍ଭମାନଙ୍କ ପ୍ରତି ସୁସ୍ଥିର ହେବ, ଏଥିପାଇଁ ଆମ୍ଭେମାନେ ତୁମ୍ଭ ପ୍ରତି କଅଣ କରିବା?” କାରଣ, ସମୁଦ୍ର ବେଳକୁ ବେଳ ପ୍ରଚଣ୍ଡତର ହୋଇ ବଢ଼ିଲା। 12ତହିଁରେ ସେ ସେମାନଙ୍କୁ କହିଲେ, “ମୋତେ ଧରି ସମୁଦ୍ରରେ ପକାଇଦିଅ; ତହିଁରେ ସମୁଦ୍ର ତୁମ୍ଭମାନଙ୍କ ପ୍ରତି ସୁସ୍ଥିର ହେବ; କାରଣ ମୋʼ ସକାଶୁ ତୁମ୍ଭମାନଙ୍କ ନିକଟରେ ଏହି ମହାତୋଫାନ ଉପସ୍ଥିତ ହୋଇଅଛି ବୋଲି ମୁଁ ଜାଣେ।” 13ତଥାପି ସେହି ଲୋକମାନେ କୂଳକୁ ଫେରିଯିବା ନିମନ୍ତେ ବଡ଼ ଯତ୍ନରେ ଆହୁଲା ପକାଇଲେ; ମାତ୍ର ସେମାନେ ପାରିଲେ ନାହିଁ; କାରଣ ସମୁଦ୍ର ସେମାନଙ୍କ ପ୍ରତିକୂଳରେ ବେଳକୁ ବେଳ ପ୍ରଚଣ୍ଡତର ହୋଇ ବଢ଼ିଲା। 14ଏହେତୁରୁ ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ଆମ୍ଭେମାନେ ବିନତି କରୁଅଛୁ, ହେ ସଦାପ୍ରଭୁ, ଆମ୍ଭେମାନେ ବିନତି କରୁଅଛୁ, ଏହି ମନୁଷ୍ୟର ପ୍ରାଣ ସକାଶୁ ଆମ୍ଭେମାନେ ବିନଷ୍ଟ ନ ହେଉ, ପୁଣି ନିରପରାଧର ରକ୍ତପାତ-ଦୋଷ ଆମ୍ଭମାନଙ୍କ ଉପରେ ନ ବର୍ତ୍ତାଅ; କାରଣ ହେ ସଦାପ୍ରଭୁ, ତୁମ୍ଭେ ଆପଣା ଇଚ୍ଛାମତ କାର୍ଯ୍ୟ କରିଅଛ।” 15ଏଥିରେ ସେମାନେ ଯୂନସଙ୍କୁ ଧରି ସମୁଦ୍ରରେ ପକାଇଦେଲେ; ପୁଣି, ସମୁଦ୍ର ଆପଣା ପ୍ରଚଣ୍ଡତାରୁ ନିବୃତ୍ତ ହେଲା। 16ଏଥିରେ ସେହି ଲୋକମାନେ ସଦାପ୍ରଭୁଙ୍କୁ ଅତିଶୟ ଭୟ କଲେ ଓ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କଲେ ଓ ନାନା ମାନତ କଲେ। 17ପୁଣି, ଯେତେବେଳେ ସେମାନେ ଯୂନସଙ୍କୁ ସମୁଦ୍ରରେ ପକାଇଦେଲେ, ତାହାଙ୍କୁ ଗିଳିବା ନିମନ୍ତେ ସଦାପ୍ରଭୁ ଏକ ବୃହତ ମତ୍ସ୍ୟ ନିରୂପଣ କଲେ; ପୁଣି, ଯୂନସ ସେହି ମତ୍ସ୍ୟ ଉଦରରେ ତିନି ଦିନ ଓ ତିନି ରାତ୍ର ରହିଲେ। 2:10ଏଥିରେ ସଦାପ୍ରଭୁ ସେହି ମତ୍ସ୍ୟକୁ ଆଜ୍ଞା କରନ୍ତେ, ସେ ଯୂନସଙ୍କୁ ଶୁଷ୍କ ଭୂମିରେ ଉଦ୍ଗାର କଲା।

ପ୍ରତିଉତ୍ତର ଗୀତ

ଯୂନ 2:2–4, 7

2ଆଉ, ସେ କହିଲେ, “ମୁଁ ଆପଣା ଦୁଃଖ ସକାଶୁ ସଦାପ୍ରଭୁଙ୍କୁ ଡାକିଲି, ତହିଁରେ ସେ ମୋତେ ଉତ୍ତର ଦେଲେ, ମୁଁ ପାତାଳର ଉଦରରୁ ପ୍ରାର୍ଥନା କଲି, ତୁମ୍ଭେ ମୋର ରବ ଶୁଣିଲ। 3କାରଣ ତୁମ୍ଭେ ସମୁଦ୍ର ଗର୍ଭର ଗଭୀର ଜଳରେ ମୋତେ ନିକ୍ଷେପ କଲ, ତହିଁରେ ସ୍ରୋତ ମୋତେ ଚାରିଆଡ଼େ ଘେରିଲା; ତୁମ୍ଭର ଢେଉ ଓ ତରଙ୍ଗସବୁ ମୋʼ ଉପର ଦେଇ ଗଲା। 4ଆଉ, ମୁଁ କହିଲି, ମୁଁ ତୁମ୍ଭ ଦୃଷ୍ଟିଗୋଚରରୁ ଦୂରୀକୃତ ହୋଇଅଛି; ତଥାପି ମୁଁ ପୁନର୍ବାର ତୁମ୍ଭ ପବିତ୍ର ମନ୍ଦିର ଆଡ଼େ ଦୃଷ୍ଟିପାତ କରିବି। 7ମୋʼ ମଧ୍ୟରେ ମୋʼ ପ୍ରାଣ ମୂର୍ଚ୍ଛିତ ହେବା ବେଳେ ମୁଁ ସଦାପ୍ରଭୁଙ୍କୁ ସ୍ମରଣ କଲି; ପୁଣି, ମୋʼ ପ୍ରାର୍ଥନା ତୁମ୍ଭ ନିକଟରେ, ତୁମ୍ଭ ପବିତ୍ର ମନ୍ଦିରରେ ଉପସ୍ଥିତ ହେଲା।

ସୁସମାଚାର

ଲୂକ 10:25–37

25ଆଉ ଦେଖ, ଜଣେ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ଉଠି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କଅଣ କରିବି? 26ସେଥିରେ ଯୀଶୁ ତାହାଙ୍କୁ କହିଲେ, “ମୋଶାଙ୍କ ବ୍ୟବସ୍ଥାରେ କଅଣ ଲେଖାଅଛି? ତୁମ୍ଭେ କିପରି ପାଠ କରୁଅଛ?” 27ସେ ଉତ୍ତର ଦେଲେ, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ପ୍ରଭୁ ଆପଣା ଈଶ୍ବରଙ୍କୁ ପ୍ରେମ କର; ପୁଣି, ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର। 28ସେଥିରେ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ଠିକ୍ ଉତ୍ତର ଦେଲ; ଏହା କର, ତାହାହେଲେ ତୁମ୍ଭେ ଜୀବନ ପାଇବ।” 29କିନ୍ତୁ ସେ ଆପଣାକୁ ଧାର୍ମିକ ବୋଲି ଦେଖାଇବାକୁ ଇଚ୍ଛା କରି ଯୀଶୁଙ୍କୁ ପଚାରିଲେ, ତେବେ ମୋହର ପ୍ରତିବାସୀ କିଏ? 30ଯୀଶୁ ସେହି ପ୍ରସଙ୍ଗ ଧରି କହିଲେ, “ଜଣେ ଲୋକ ଯିରୂଶାଲମ ସହରରୁ ଯିରୀହୋକୁ ଯାଉ ଯାଉ ଡକାଇତମାନଙ୍କ ହାବୁଡ଼ରେ ପଡ଼ିଲା। ସେମାନେ ତାହାର ଲୁଗାପଟା ଛଡ଼ାଇନେଇ ଓ ମାଡ଼ ମାରି ତାହାକୁ ଦରମରା ଅବସ୍ଥାରେ ଛାଡ଼ି ଚାଲିଗଲେ। 31ଘଟଣା ପରେ-ପରେ ଜଣେ ଯାଜକ ସେହି ବାଟ ଦେଇ ଯାଉଥିଲେ, ଆଉ ସେ ତାହାକୁ ଦେଖି ବାଟର ଆରପାଖ ଦେଇ ଗଲେ। 32ସେହି ପ୍ରକାରେ ଜଣେ ଲେବୀୟ ମଧ୍ୟ ସେ ସ୍ଥାନକୁ ଆସି ତାହାକୁ ଦେଖି ବାଟର ଆରପାଖ ଦେଇ ଚାଲିଗଲେ। 33କିନ୍ତୁ ଜଣେ ଶମିରୋଣୀୟ ପଥିକ ତାହା ନିକଟକୁ ଆସି ତାହାକୁ ଦେଖି ଦୟାରେ ବିଗଳିତ ହେଲେ, 34ଏବଂ ପାଖକୁ ଯାଇ ତାହାର କ୍ଷତ ସବୁରେ ତୈଳ ଓ ଦ୍ରାକ୍ଷାରସ ଢ଼ାଳି ସେହିସବୁ ବାନ୍ଧିଦେଲେ, ଆଉ ତାହାକୁ ନିଜ ଗଧ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାକୁ ନେଇଯାଇ ତାହାର ସେବା କଲେ। 35ତହିଁ ଆରଦିନ ସେ ଦୁଇଟି ରୌପ୍ୟ-ମୁଦ୍ରା ବାହାର କରି ପାନ୍ଥଶାଳାର ମାଲିକଙ୍କୁ ଦେଇ କହିଲେ, ‘ଏହାର ସେବା କର, ଆଉ ଯାହା କିଛି ଅଧିକ ଖର୍ଚ୍ଚ କରିବ, ତାହା ମୁଁ ଫେରିଆସିବା ସମୟରେ ତୁମ୍ଭକୁ ପରିଶୋଧ କରିବି।’” 36“ଏହି ତିନି ଜଣଙ୍କ ମଧ୍ୟରୁ କିଏ ଡକାଇତମାନଙ୍କ ହାବୁଡ଼ରେ ପଡ଼ିଥିବା ଲୋକଟିର ପ୍ରତିବାସୀ ବୋଲି ମନେ କରୁଅଛ?” 37ସେ କହିଲେ, ଯେ ତାହା ପ୍ରତି ଦୟା କଲା, ସେ। ଯୀଶୁ ତାହାଙ୍କୁ କହିଲେ, “ଯାଅ, ତୁମ୍ଭେ ମଧ୍ୟ ସେହି ପ୍ରକାର କର।”

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର