ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅକ୍ଟୋବର 2027 › ଅକ୍ଟୋବର 3
ଅର୍ଥୋଡକ୍ସ ପଞ୍ଜିକା · 20 ସେପ୍ଟେମ୍ବର (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 3 ଅକ୍ଟୋବର 2027
ରବିବାର · ସ୍ୱର 6
ପର୍ବ ଓ ସନ୍ଥ
ପେଣ୍ଟିକଷ୍ଟ ପରେ 15ତମ ରବିବାର
ଉତ୍ତୋଳନ ପର୍ବ ପରର ରବିବାର
ଉପବାସ
ଉପବାସ ନାହିଁ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପ୍ରଭାତୀ ପ୍ରାର୍ଥନାର ଚତୁର୍ଥ ସୁସମାଚାର
1ଆଉ ବିଶ୍ରାମବାର ଦିନରେ ସେମାନେ ବିଧି ଅନୁସାରେ ବିଶ୍ରାମ କଲେ, କିନ୍ତୁ ସପ୍ତାହର ପ୍ରଥମ ଦିନର ଅତି ପ୍ରତ୍ୟୁଷରେ ସେମାନେ ସେମାନଙ୍କ ପ୍ରସ୍ତୁତ ସୁଗନ୍ଧିଦ୍ରବ୍ୟ ଘେନି ସମାଧି-ସ୍ଥାନ ନିକଟକୁ ଗଲେ। 2ପୁଣି, ସେମାନେ ସମାଧିରୁ ପଥରଟା ଗଡ଼ାଇ ଦିଆଯାଇଥିବା ଦେଖିଲେ, 3କିନ୍ତୁ ଭିତରକୁ ଯାଇ ପ୍ରଭୁ ଯୀଶୁଙ୍କ ଶରୀର ପାଇଲେ ନାହିଁ। 4ଆଉ, ସେମାନେ ସେ ସମ୍ବନ୍ଧରେ ହତବୁଦ୍ଧି ହେଉଅଛନ୍ତି, ଏପରି ସମୟରେ ଦେଖ, ଉଜ୍ଜ୍ୱଳବସ୍ତ୍ର ପରିହିତ ଦୁଇ ଜଣ ବ୍ୟକ୍ତି ସେମାନଙ୍କ ନିକଟରେ ଉପସ୍ଥିତ ହେଲେ; 5ସେଥିରେ ସେମାନେ ଭୀତ ହୋଇ ଅଧୋମୁଖ ହୁଅନ୍ତେ ସେମାନେ ସେମାନଙ୍କୁ କହିଲେ, ମୃତମାନଙ୍କ ମଧ୍ୟରେ ତୁମ୍ଭେମାନେ କାହିଁକି ଜୀବିତଙ୍କର ଅନ୍ୱେଷଣ କରୁଅଛ? 6ସେ ଏଠାରେ ନାହାନ୍ତି, ମାତ୍ର ଉଠିଅଛନ୍ତି। “ମନୁଷ୍ୟପୁତ୍ରଙ୍କୁ ଯେ ଅବଶ୍ୟ ପାପୀମାନଙ୍କ ହସ୍ତରେ ସମର୍ପିତ ହୋଇ କ୍ରୁଶରେ ହତ ହେବାକୁ ଓ ତୃତୀୟ ଦିବସରେ ପୁନରୁତ୍ଥାନ କରିବାକୁ ହେବ,” 7ଏହି ଯେଉଁ ବାକ୍ୟ ସେ ଗାଲିଲୀରେ ଥିବା ସମୟରେ ତୁମ୍ଭମାନଙ୍କୁ କହିଥିଲେ, ତାହା ସ୍ମରଣ କର। 8ସେଥିରେ ସେମାନେ ତାହାଙ୍କ ବାକ୍ୟ ସ୍ମରଣ କଲେ, 9ପୁଣି, ସମାଧିରୁ ବାହୁଡ଼ିଯାଇ ଏକାଦଶ ଶିଷ୍ୟମାନଙ୍କୁ ଓ ଅନ୍ୟ ସମସ୍ତଙ୍କୁ ଏହିସବୁ ସମ୍ବାଦ ଦେଲେ। 10ଏମାନେ ମଗ୍ଦଲୀନୀ ମରୀୟମ, ଯୋହାନା, ଯାକୁବଙ୍କ ମାତା ମରୀୟମ ଓ ଏମାନଙ୍କ ସାଙ୍ଗରେ ଥିବା ଅନ୍ୟ ସ୍ତ୍ରୀଲୋକମାନେ; ଏମାନେ ପ୍ରେରିତମାନଙ୍କୁ ଏହିସବୁ ବିଷୟ ଜଣାଇଲେ। 11ମାତ୍ର ଏସମସ୍ତ କଥା ସେମାନଙ୍କ ନିକଟରେ କଳ୍ପିତ ଗଳ୍ପ ପରି ଲାଗିଲା, ଆଉ ସେମାନେ ସେମାନଙ୍କୁ ବିଶ୍ୱାସ କଲେ ନାହିଁ। 12[କିନ୍ତୁ ପିତର ଉଠି ସମାଧି ନିକଟକୁ ଦୌଡ଼ିଗଲେ ପୁଣି, ନଇଁପଡ଼ି ଚାହିଁ କେବଳ ସୂକ୍ଷ୍ମ ବସ୍ତ୍ରସବୁ ଦେଖିଲେ, ଆଉ ସେ ସେହି ଘଟଣା ବିଷୟରେ ଚମତ୍କୃତ ହୋଇ ଆପଣା ଘରକୁ ଚାଲିଗଲେ।]
ପତ୍ର (କ୍ରୁଶର ଉତ୍ତୋଳନ ପରର ରବିବାର ପାଇଁ)
16ତଥାପି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ଜାଣି ଆମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ, ଯେପରି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେଉ; କାରଣ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ମନୁଷ୍ୟ ଧାର୍ମିକ ଗଣିତ ହେବ ନାହିଁ। 17କିନ୍ତୁ ଖ୍ରୀଷ୍ଟଙ୍କ ଦ୍ୱାରା ଧାର୍ମିକ ଗଣିତ ହେବାକୁ ଚେଷ୍ଟା କରି ଆମ୍ଭେମାନେ ନିଜେ ମଧ୍ୟ ଯଦି ପାପୀ ବୋଲି ଦେଖାଗଲୁ, ତେବେ ଖ୍ରୀଷ୍ଟ କି ପାପର ସେବକ? ତାହା କେବେ ହେଁ ନ ହେଉ। 18କାରଣ ମୁଁ ଯେଉଁ ଯେଉଁ ମୋଶାଙ୍କ ବ୍ୟବସ୍ଥା ଭାଙ୍ଗିଅଛି, ସେହିସବୁ ଯଦି ଆଉ ଥରେ ନିର୍ମାଣ କରେ, ତେବେ ମୁଁ ନିଜକୁ ଅପରାଧୀ ବୋଲି ପ୍ରମାଣ କରୁଅଛି। 19ଯେଣୁ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଜୀବିତ ହେବା ନିମନ୍ତେ ମୁଁ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ମୋଶାଙ୍କ ବ୍ୟବସ୍ଥା ପ୍ରତି ମୃତ ହୋଇଅଛି। 20ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି; ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋʼ ଠାରେ ଜୀବିତ ଅଛନ୍ତି; ପୁଣି, ମୁଁ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନଯାପନ କରୁଅଛି, ତାହା ବିଶ୍ୱାସରେ, ଅର୍ଥାତ୍, ଈଶ୍ବରଙ୍କ ପୁତ୍ର ମୋତେ ପ୍ରେମ କରି ମୋʼ ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, ତାହାଙ୍କଠାରେ ବିଶ୍ୱାସ କରି ଯାପନ କରୁଅଛି।
ପତ୍ର
6ଯେଣୁ ଅନ୍ଧକାରରୁ ଦୀପ୍ତି ପ୍ରକାଶ ପାଉ ବୋଲି ଆଜ୍ଞା ଦେଇଥିଲେ ଯେଉଁ ଈଶ୍ବର, ସେ ଖ୍ରୀଷ୍ଟଙ୍କ ମୁଖରେ ପ୍ରକାଶିତ ଈଶ୍ବରଙ୍କ ଗୌରବମୟ ଜ୍ଞାନର ଆଲୋକ ଦେଖାଇବା ନିମନ୍ତେ ଆମ୍ଭମାନଙ୍କ ହୃଦୟରେ ଆଲୋକ ପ୍ରକାଶ କରିଅଛନ୍ତି। 7ମାତ୍ର ମହାଶକ୍ତି ଯେ ଈଶ୍ବରଙ୍କର, ପୁଣି, ତାହା ଯେ ଆମ୍ଭମାନଙ୍କଠାରୁ ଉତ୍ପନ୍ନ ନୁହେଁ, ଏହା ଯେପରି ପ୍ରକାଶ ପାଏ, ଏଥିନିମନ୍ତେ ଆମ୍ଭେମାନେ ଏହି ଧନ ମୃତ୍ତିକା ପାତ୍ରରେ ପାଇଅଛୁ; 8ଆମ୍ଭେମାନେ ସର୍ବପ୍ରକାରେ କ୍ଳେଶଭୋଗ କରୁଅଛୁ, ତଥାପି ଅବରୁଦ୍ଧ ନୋହୁଁ; ହତବୁଦ୍ଧି ହେଉଅଛୁ, ତଥାପି ନିରାଶ ନୋହୁଁ; 9ତାଡ଼ନା ପ୍ରାପ୍ତ ହେଉଅଛୁ, ତଥାପି ପରିତ୍ୟକ୍ତ ନୋହୁଁ; ଅଧଃପତିତ ହେଉଅଛୁ, ତଥାପି ବିନଷ୍ଟ ନୋହୁଁ; 10ଆମ୍ଭେମାନେ ସର୍ବଦା ଯୀଶୁଙ୍କ ମୃତ୍ୟୁଭୋଗ ଶରୀରରେ ଅନୁଭବ କରୁଅଛୁ, ଯେପରି ଯୀଶୁଙ୍କ ଜୀବନ ମଧ୍ୟ ଆମ୍ଭମାନଙ୍କ ଶରୀରରେ ପ୍ରକାଶିତ ହୁଏ। 11କାରଣ ଯୀଶୁଙ୍କ ଜୀବନ ଯେପରି ଆମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ପ୍ରକାଶିତ ହୁଏ, ଏଥିପାଇଁ ଆମ୍ଭେମାନେ ଜୀବିତ ହେଲେ ହେଁ ସର୍ବଦା ଯୀଶୁଙ୍କ ସକାଶେ ମୃତ୍ୟୁମୁଖରେ ସମର୍ପିତ ହେଉଅଛୁ। 12ଏହି ପ୍ରକାରେ ଆମ୍ଭମାନଙ୍କଠାରେ ମୃତ୍ୟୁ, କିନ୍ତୁ ତୁମ୍ଭମାନଙ୍କଠାରେ ଜୀବନ କାର୍ଯ୍ୟ ସାଧନ କରୁଅଛି। 13“ମୁଁ ବିଶ୍ୱାସ କଲି, ଏଣୁ କଥା କହିଲି,” ଶାସ୍ତ୍ରରେ ଏହି ଲିଖିତ ବାକ୍ୟ ଅନୁସାରେ ସେହି ବିଶ୍ୱାସଜନକ ଆତ୍ମା ପାଇଥିବାରୁ ଆମ୍ଭେମାନେ ମଧ୍ୟ ବିଶ୍ୱାସ କରୁ, ଏଣୁ ମଧ୍ୟ କଥା କହୁ; 14କାରଣ ଆମ୍ଭେମାନେ ଜାଣୁ, ପ୍ରଭୁ ଯୀଶୁଙ୍କୁ ଯେ ଉଠାଇଲେ, ସେ ଆମ୍ଭମାନଙ୍କୁ ମଧ୍ୟ ଯୀଶୁଙ୍କ ସହିତ ଉଠାଇବେ ଓ ତାହାଙ୍କ ଛାମୁରେ ତୁମ୍ଭମାନଙ୍କ ସହିତ ଉପସ୍ଥିତ କରିବେ। 15ଯେଣୁ ସମସ୍ତ ବିଷୟ ତୁମ୍ଭମାନଙ୍କ ସକାଶେ ହେଉଅଛି, ସେହିପରି ଅନେକ ଲୋକଙ୍କଠାରେ ଅନୁଗ୍ରହ ଅତ୍ୟଧିକ ବୃଦ୍ଧି ପାଇ ଈଶ୍ବରଙ୍କ ଗୌରବାର୍ଥେ ବହୁଳ ଧନ୍ୟବାଦର କାରଣ ହେଉ।
ସୁସମାଚାର (କ୍ରୁଶର ଉତ୍ତୋଳନ ପରର ରବିବାର ପାଇଁ)
34ତତ୍ପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଲୋକସମୂହକୁ ନିକଟକୁ ଡାକି କହିଲେ, “କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ। 35କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋହର ଓ ସୁସମାଚାର ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ। 36ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ? 37ପୁଣି, ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେଇ ପାରେ? 38ଯେଣୁ ଯେ କେହି ଏହି କାଳର ବ୍ୟଭିଚାରୀ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜାବୋଧ କରେ, ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ଦୂତମାନଙ୍କ ସହିତ ଆପଣା ପିତାଙ୍କ ମହିମାରେ ଆଗମନ କରିବେ, ସେତେବେଳେ ସେ ମଧ୍ୟ ତାହା ବିଷୟରେ ଲଜ୍ଜାବୋଧ କରିବେ।” 9:1ପୁନଶ୍ଚ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ବରଙ୍କ ରାଜ୍ୟକୁ ପରାକ୍ରମରେ ଉପସ୍ଥିତ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦ ପାଇବେ ନାହିଁ।
ସୁସମାଚାର
35ଆଉ ସେମାନଙ୍କ ମଧ୍ୟରୁ ଜଣେ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ତାହାଙ୍କୁ ପରୀକ୍ଷା କରି ପଚାରିଲେ, 36ହେ ଗୁରୁ, ମୋଶାଙ୍କ ବ୍ୟବସ୍ଥା ମଧ୍ୟରେ କି ପ୍ରକାର ଆଜ୍ଞା ଶ୍ରେଷ୍ଠ? 37ସେ ତାହାଙ୍କୁ କହିଲେ, “‘ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ବରଙ୍କୁ ପ୍ରେମ କର।’ 38ଏହା ହିଁ ଶ୍ରେଷ୍ଠ ଓ ପ୍ରଥମ ଆଜ୍ଞା। 39ଦ୍ୱିତୀୟଟି ଏହାର ସଦୃଶ, ‘ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।’ 40ଏହି ଦୁଇ ଆଜ୍ଞା ଉପରେ ସମସ୍ତ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଧର୍ମଶାସ୍ତ୍ର ନିର୍ଭର କରେ।” 41ଫାରୂଶୀମାନେ ଏକତ୍ର ହୋଇଥିବା ସମୟରେ ଯୀଶୁ ସେମାନଙ୍କୁ ପଚାରିଲେ, 42“ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭମାନଙ୍କର ମତ କଅଣ? ସେ କାହାର ସନ୍ତାନ? ସେମାନେ ତାହାଙ୍କୁ କହିଲେ, ଦାଉଦଙ୍କର।” 43ଯୀଶୁ ସେମାନଙ୍କୁ କହିଲେ, “ତେବେ ଦାଉଦ କିପ୍ରକାରେ ଆତ୍ମାଙ୍କ ଦ୍ୱାରା ତାହାଙ୍କୁ ‘ପ୍ରଭୁ’ ବୋଲି କହନ୍ତି? 44‘ଯଥା, ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ, ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ପାଦ ତଳେ ରଖି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ।’ 45ଅତଏବ, ଦାଉଦ ଯଦି ତାହାଙ୍କୁ ‘ପ୍ରଭୁ’ ବୋଲି କହନ୍ତି, ତେବେ ସେ କିପ୍ରକାରେ ତାହାଙ୍କର ସନ୍ତାନ?” 46ସେଥିରେ କେହି ତାହାଙ୍କୁ ପଦେ ହେଲେ ଉତ୍ତର ଦେଇ ପାରିଲେ ନାହିଁ, ପୁଣି, ସେହି ଦିନଠାରୁ କେହି ତାହାଙ୍କୁ ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ସେପ୍ଟେମ୍ବର 20 ନାଗରିକ ପଞ୍ଜିକାର ଅକ୍ଟୋବର 3। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର