Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ସେପ୍ଟେମ୍ବର 2027 › ସେପ୍ଟେମ୍ବର 23

ଅର୍ଥୋଡକ୍ସ ପଞ୍ଜିକା · 10 ସେପ୍ଟେମ୍ବର (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 23 ସେପ୍ଟେମ୍ବର 2027

ଗୁରୁବାର · ପେଣ୍ଟିକଷ୍ଟ ପରେ 14ତମ ସପ୍ତାହ · ସ୍ୱର 4

ପର୍ବ ଓ ସନ୍ଥ

Afterfeast of the Nativity of the Theotokos

ଉପବାସ

ଉପବାସ ନାହିଁ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ପତ୍ର

ଗାଲା 1:1–10, 20–2:5

1ମୁଁ ପାଉଲ, ଜଣେ ପ୍ରେରିତ ମନୁଷ୍ୟଠାରୁ ନୁହେଁ, କିମ୍ବା ମନୁଷ୍ୟମାନଙ୍କ ଦ୍ୱାରା ନୁହେଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏବଂ ଯେଉଁ ପିତା ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ତାହାଙ୍କ ଦ୍ୱାରା, 2ଆଉ ମୋହର ସାଙ୍ଗରେ ଥିବା ଭାଇ ସମସ୍ତେ ଗାଲାତୀୟ ଅଞ୍ଚଳରେ ଥିବା ମଣ୍ଡଳୀ-ସମୂହକୁ ପତ୍ର; 3ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ; 4ସେ ଆମ୍ଭମାନଙ୍କ ପିତା ଈଶ୍ବରଙ୍କ ଇଚ୍ଛାନୁସାରେ ଏହି ପାପମୟ ଜଗତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ଆମ୍ଭମାନଙ୍କ ପାପ ନିମନ୍ତେ ଆପଣାକୁ ପ୍ରଦାନ କଲେ; 5ଯୁଗେ ଯୁଗେ ତାହାଙ୍କର ଗୌରବ ହେଉ। ଆମେନ୍‍। 6ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଯେ ତୁମ୍ଭମାନଙ୍କୁ ଆହ୍ୱାନ କଲେ, ତାହାଙ୍କଠାରୁ ତୁମ୍ଭେମାନେ ଯେ ଏତେ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହେଉଅଛ, ଏଥିରେ ମୁଁ ଚମତ୍କୃତ ହେଉଅଛି; 7ତାହା ଅନ୍ୟ ସୁସମାଚାର ସୁଦ୍ଧା ନୁହେଁ, କେବଳ କେତେକ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛନ୍ତି ଓ ଖ୍ରୀଷ୍ଟଙ୍କ ସୁସମାଚାରକୁ ବିକୃତ କରିବାକୁ ଇଚ୍ଛା କରୁଅଛନ୍ତି। 8କିନ୍ତୁ ଯେଉଁ ସୁସମାଚାର ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ, ଯଦି ଆମ୍ଭେମାନେ କିମ୍ବା ସ୍ୱର୍ଗରୁ ଦୂତ ହେଲେ ମଧ୍ୟ ତା ବ୍ୟତୀତ ଅନ୍ୟ ସୁସମାଚାର ପ୍ରଚାର କରେ, ତେବେ ସେ ଶ୍ରାପଗ୍ରସ୍ତ ହେଉ। 9ଯେପରି ଆମ୍ଭେମାନେ ପୂର୍ବରେ କହିଅଛୁ, ସେହିପରି ମୁଁ ଏବେ ଆଉ ଥରେ କହୁଅଛି, ଯେଉଁ ସୁସମାଚାର ତୁମ୍ଭେମାନେ ଗ୍ରହଣ କରିଥିଲ, ତା ବ୍ୟତୀତ ଯଦି କୌଣସି ଲୋକ ଅନ୍ୟ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରେ, ତେବେ ସେ ଶ୍ରାପଗ୍ରସ୍ତ ହେଉ। 10ମୁଁ କି ଏବେ ମନୁଷ୍ୟମାନଙ୍କର କିମ୍ବା ଈଶ୍ବରଙ୍କର ପ୍ରିୟପାତ୍ର ହେବାକୁ ଯତ୍ନ କରୁଅଛି? ଅବା ମନୁଷ୍ୟମାନଙ୍କୁ କି ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଅଛି? ଯଦି ମୁଁ ଏବେ ସୁଦ୍ଧା ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରୁଥାଆନ୍ତି, ତେବେ ମୁଁ ଖ୍ରୀଷ୍ଟଙ୍କର ଦାସ ହୁଅନ୍ତି ନାହିଁ। 20ମୁଁ ଯେଉଁ ସବୁ ବିଷୟ ତୁମ୍ଭମାନଙ୍କୁ ଲେଖୁଅଛି, ଦେଖ, ଈଶ୍ବରଙ୍କ ସାକ୍ଷାତରେ କହୁଅଛି, ମୁଁ ମିଥ୍ୟା କହୁ ନାହିଁ 21ପରେ ମୁଁ ସିରିୟା ଓ କିଲିକିୟା ଅଞ୍ଚଳକୁ ଗଲି। 22ଯିହୂଦିୟା ପ୍ରଦେଶର ଖ୍ରୀଷ୍ଟାଶ୍ରିତ ମଣ୍ଡଳୀ-ସମୂହ ନିକଟରେ ମୁଁ ବ୍ୟକ୍ତିଗତ ଭାବରେ ପରିଚିତ ନ ଥିଲି; 23ସେମାନେ କେବଳ ଶୁଣୁଥିଲେ, ଏବଂ ଯେଉଁ ବ୍ୟକ୍ତି ପୂର୍ବେ ଆମ୍ଭମାନଙ୍କୁ ତାଡ଼ନା କରୁଥିଲେ, ଏବଂ ଥରେ ଯେଉଁ ବିଶ୍ୱାସମତକୁ ଉଚ୍ଛିନ୍ନ କରିବାକୁ ଚେଷ୍ଟା କରୁଥିଲେ, ସେ ଏବେ ସୁସମାଚାର ପ୍ରଚାର କରୁଅଛନ୍ତି; 24ଆଉ ସେମାନେ ମୋʼ ସକାଶେ ଈଶ୍ବରଙ୍କ ପ୍ରଶଂସା କରୁଥିଲେ। 2:1ତାହା ପରେ ଚଉଦ ବର୍ଷ ଗତ ହୁଅନ୍ତେ, ମୁଁ ବର୍ଣ୍ଣବ୍ବାଙ୍କ ସହିତ ପୁନଶ୍ଚ ଯିରୂଶାଲମ ସହରକୁ ଗଲି, ତୀତସଙ୍କୁ ମଧ୍ୟ ସାଙ୍ଗରେ ଘେନିଯାଇଥିଲି। 2ମୁଁ ପ୍ରତ୍ୟାଦେଶ ପ୍ରାପ୍ତ ହୋଇ ଗମନ କଲି; ଆଉ ମୁଁ ଅଣଯିହୁଦୀମାନଙ୍କ ମଧ୍ୟରେ ଯେଉଁ ସୁସମାଚାର ପ୍ରଚାର କରୁଅଛି, ତାହା ସେମାନଙ୍କୁ ବୁଝାଇଦେଲି, କିନ୍ତୁ ମୋହର ପୂର୍ବ ଅବା ବର୍ତ୍ତମାନ ପରିଶ୍ରମ ଯେପରି ବିଫଳ ନ ହୁଏ, ଏଥିପାଇଁ ଯେଉଁମାନେ ସମ୍ମାନ ଯୋଗ୍ୟ, କେବଳ ସେମାନଙ୍କୁ ପୃଥକ୍ ଭାବରେ ବୁଝାଇଲି। 3ମାତ୍ର ମୋହର ସଙ୍ଗୀ ତୀତସ, ଯେ ଗ୍ରୀକ୍‍ ଲୋକ ଥିଲେ, ସେ ସୁଦ୍ଧା ସୁନ୍ନତ ହେବା ନିମନ୍ତେ ବାଧ୍ୟ କରାଯାଇ ନ ଥିଲେ; 4ଆମ୍ଭମାନଙ୍କ ମଧ୍ୟକୁ ଆନୀତ କେତେ ଜଣ ଭଣ୍ଡ ଭ୍ରାତା ସକାଶେ ଏପରି ହେଲା; ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କର ଯେଉଁ ସ୍ୱାଧୀନତା ଅଛି, ଚର ସ୍ୱରୂପେ ସେଥିର ଛିଦ୍ର ଅନ୍ୱେଷଣ କରି ଆମ୍ଭମାନଙ୍କୁ ଦାସତ୍ୱର ବନ୍ଧନରେ ଆବଦ୍ଧ କରିବା ନିମନ୍ତେ ସେମାନେ ଗୁପ୍ତରେ ପ୍ରବେଶ କରିଥିଲେ; 5କିନ୍ତୁ ସୁସମାଚାରର ସତ୍ୟ ଯେପରି ତୁମ୍ଭମାନଙ୍କ ନିକଟରେ ସ୍ଥାୟୀ ହୋଇ ରହେ, ଏଥିପାଇଁ ଆମ୍ଭେମାନେ ଦଣ୍ଡେମାତ୍ର ଅଧୀନତା ସ୍ୱୀକାର କରି ସେମାନଙ୍କର ବଶବର୍ତ୍ତୀ ହୋଇ ନ ଥିଲୁ।

ସୁସମାଚାର

ମାର୍କ 5:1–20

1ପରେ ସେମାନେ ସମୁଦ୍ରର ଅପର ପାର୍ଶ୍ୱସ୍ଥ ଗରାଶୀୟମାନଙ୍କ ଅଞ୍ଚଳରେ ଉପସ୍ଥିତ ହେଲେ। 2ଯୀଶୁ ନୌକାରୁ ଓହ୍ଲାଇବା ମାତ୍ରେ ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ସମାଧି-ସ୍ଥାନରୁ ବାହାରି ତାହାଙ୍କୁ ଭେଟିଲା। 3ସେ ସମାଧି-ସ୍ଥାନରେ ବାସ କରୁଥିଲା, ପୁଣି, କେହି ତାହାକୁ ଜଞ୍ଜିରରେ ସୁଦ୍ଧା ଆଉ ବାନ୍ଧି ପାରୁ ନ ଥିଲେ, 4କାରଣ ସେ ଅନେକ ଥର ବେଡ଼ି ଓ ଜଞ୍ଜିରରେ ବନ୍ଧା ହୋଇଥିଲା, କିନ୍ତୁ ସେ ଜଞ୍ଜିର ଛିଣ୍ଡାଇଦେଇ ବେଡ଼ିସବୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଥିଲା ଓ ତାହାକୁ ବଶରେ ରଖିବାକୁ କାହାର ବଳ ନ ଥିଲା। 5ସେ ଦିନରାତି ସବୁବେଳେ ସମାଧି-ସ୍ଥାନ ଓ ପର୍ବତରେ ରହି ଚିତ୍କାର କରୁଥିଲା, ପୁଣି, ପ୍ରସ୍ତରରେ ଆପଣାକୁ କ୍ଷତବିକ୍ଷତ କରୁଥିଲା। 6ସେ ଯୀଶୁଙ୍କୁ ଦୂରରୁ ଦେଖି ଦୌଡ଼ିଆସି ତାହାଙ୍କୁ ପ୍ରଣାମ କଲା, 7ଆଉ ଉଚ୍ଚସ୍ୱରରେ ଚିତ୍କାର କରି କହିଲା, ହେ ପରାତ୍ପର ଈଶ୍ବରଙ୍କ ପୁତ୍ର ଯୀଶୁ, ତୁମ୍ଭ ସାଙ୍ଗରେ ମୋହର କଅଣ ଅଛି? ତୁମ୍ଭକୁ ଈଶ୍ବରଙ୍କ ନାମରେ ଶପଥ ଦେଉଅଛି, ମୋତେ ଯନ୍ତ୍ରଣା ଦିଅ ନାହିଁ। 8କାରଣ ଯୀଶୁ ତାହାକୁ କହିବାକୁ ଯାଉଥିଲେ, “ରେ ଅଶୁଚି ଆତ୍ମା, ଏହି ଲୋକଠାରୁ ବାହାରିଯା।” 9ଆଉ ଯୀଶୁ ତାହାକୁ ପଚାରିଲେ, “ତୋର ନାଁ କଅଣ?” ସେ ତାହାକୁ କହିଲା, ମୋହର ନାଁ ବାହିନୀ, ଯେଣୁ ଆମେ ଅନେକ। 10ପୁଣି, ଯୀଶୁ ଯେପରି ସେମାନଙ୍କୁ ସେହି ଅଞ୍ଚଳରୁ ବାହାରକୁ ପଠାଇ ନ ଦିଅନ୍ତି, ସେଥିପାଇଁ ସେ ତାହାଙ୍କୁ ବହୁତ ବିନତି କଲା। 11ସେଠାରେ ପର୍ବତ କଡ଼ରେ ଗୋଟିଏ ଘୁଷୁରିପଲ ଚରୁଥିଲା। 12ଆଉ ସେମାନେ ତାହାଙ୍କୁ ବିନତି କରି କହିଲେ, ସେହି ଘୁଷୁରିମାନଙ୍କ ଭିତରେ ପଶିବା ପାଇଁ ଆମ୍ଭମାନଙ୍କୁ ସେମାନଙ୍କ ମଧ୍ୟକୁ ପଠାଅ। 13ସେ ସେମାନଙ୍କୁ ଅନୁମତି ଦିଅନ୍ତେ ଅଶୁଚି ଆତ୍ମାଗୁଡ଼ାକ ବାହାରି ଘୁଷୁରିମାନଙ୍କ ଭିତରେ ପଶିଲେ; ସେଥିରେ ସେହି ପଲ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନରୁ ସମୁଦ୍ରରେ ପଡ଼ି ବୁଡ଼ି ମଲେ। ଘୁଷୁରିମାନଙ୍କ ସଂଖ୍ୟା ପ୍ରାୟ ଦୁଇ ହଜାର ଥିଲା। 14ସେମାନଙ୍କୁ ଚରାଉଥିବା ଲୋକମାନେ ପଳାଇଯାଇ ନଗର ଓ ପଲ୍ଲୀଗୁଡ଼ିକରେ ତାହା ଜଣାଇଲେ; ସେଥିରେ ଲୋକେ କଅଣ ଘଟିଅଛି ବୋଲି ଦେଖିବାକୁ ଆସିଲେ। 15ପୁଣି, ସେମାନେ ଯୀଶୁଙ୍କ ନିକଟକୁ ଆସି ସେହି ଭୂତଗ୍ରସ୍ତ, ଅର୍ଥାତ୍‍ ଯାହାକୁ ପୂର୍ବରେ ବାହିନୀ ଭୂତ ଲାଗିଥିଲା, ତାହାକୁ ଲୁଗା ପିନ୍ଧି ଭଲ ମନରେ ବସିଥିବା ଦେଖି ଭୀତ ହେଲେ। 16ଆଉ ଯେଉଁମାନେ ଦେଖିଥିଲେ, ସେମାନେ ସେହି ଭୂତଗ୍ରସ୍ତ ପ୍ରତି କିପରି କଅଣ ଘଟିଥିଲା, ଓ ଘୁଷୁରିମାନଙ୍କ ବିଷୟ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ। 17ସେଥିରେ ସେମାନେ ସେମାନଙ୍କ ସୀମାରୁ ବାହାରିଯିବାକୁ ତାହାଙ୍କୁ ବିନତି କରିବାକୁ ଲାଗିଲେ। 18ପରେ ସେ ନୌକାରେ ଚଢ଼ିବା ସମୟରେ, ଯେଉଁ ଲୋକକୁ ପୂର୍ବରେ ଭୂତ ଲାଗିଥିଲା, ସେ ତାହାଙ୍କ ସାଙ୍ଗରେ ରହିବା ନିମନ୍ତେ ଥରକୁଥର ବିନତି କଲା। 19କିନ୍ତୁ ଯୀଶୁ ଅନୁମତି ନ ଦେଇ ତାହାକୁ କହିଲେ, “ତୁମ୍ଭର ଗୃହକୁ, ତୁମ୍ଭର ଆତ୍ମୀୟମାନଙ୍କ ନିକଟକୁ ଯାଅ, ପୁଣି, ପ୍ରଭୁ ତୁମ୍ଭ ନିମନ୍ତେ ଯେ ଯେ କର୍ମ କରିଅଛନ୍ତି ଓ ତୁମ୍ଭ ପ୍ରତି ଯେଉଁ ଦୟା ଦେଖାଇଅଛନ୍ତି, ସେହିସବୁ ସେମାନଙ୍କୁ ଜଣାଅ।” 20ତହିଁରେ ସେ ଚାଲିଯାଇ, ଯୀଶୁ ତାହା ନିମନ୍ତେ ଯେଉଁ ଯେଉଁ କର୍ମ କରିଥିଲେ, ସେହିସବୁ ଦେକାପଲିରେ ଘୋଷଣା କରିବାକୁ ଲାଗିଲେ; ସେଥିରେ ସମସ୍ତେ ଚମତ୍କୃତ ହେଲେ।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ସେପ୍ଟେମ୍ବର 10 ନାଗରିକ ପଞ୍ଜିକାର ସେପ୍ଟେମ୍ବର 23। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର