Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ସେପ୍ଟେମ୍ବର 2027 › ସେପ୍ଟେମ୍ବର 23

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 23 ସେପ୍ଟେମ୍ବର 2027

ଗୁରୁବାର · ସାଧାରଣ କାଳର 25ତମ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର 25ତମ ସପ୍ତାହର ଗୁରୁବାର

ସ୍ମୃତି ଦିବସ · ଉପାସନାର ରଙ୍ଗ: ଧଳା

ପିଏଟ୍ରେଲଚିନାର ସନ୍ଥ ପିୟୁସ୍ (ପାଡ୍ରେ ପିଓ), ପୁରୋହିତ · ସ୍ମୃତି ଦିବସ

ଦିନର ପାଠ

ପ୍ରଥମ ପାଠ

ହାଗ 1:1–8

1ଦାରୀୟାବସ ରାଜାଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷର ଷଷ୍ଠ ମାସର ପ୍ରଥମ ଦିନରେ ହାଗୟ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏହି ବାକ୍ୟ ଶଲ୍ଟୀୟେଲର ପୁତ୍ର ଯିରୁବ୍ବାବିଲ୍‍ ନାମକ ଯିହୁଦୀୟ ଦେଶାଧ୍ୟକ୍ଷର ନିକଟରେ ଓ ଯିହୋଷାଦକର ପୁତ୍ର ଯିହୋଶୂୟ ମହାଯାଜକର ନିକଟରେ ଉପସ୍ଥିତ ହେଲା, 2“ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଏହି ଲୋକମାନେ କହୁଅଛନ୍ତି, ଆମ୍ଭମାନଙ୍କର ଆସିବାର ଓ ସଦାପ୍ରଭୁଙ୍କ ଗୃହ ନିର୍ମିତ ହେବାର ସମୟ ଉପସ୍ଥିତ ହୋଇ ନାହିଁ।” 3ସେତେବେଳେ ହାଗୟ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, 4“ଏହି ଗୃହ ଭଗ୍ନ ଅବସ୍ଥାରେ ଥାଉ ଥାଉ ତୁମ୍ଭମାନଙ୍କର ନିଜର ଫଳକ ମଣ୍ଡିତ ଗୃହରେ ବାସ କରିବାର କି ସମୟ ଏହି? 5ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଆପଣା ଆପଣା ପଥ ବିବେଚନା କର। 6ତୁମ୍ଭେମାନେ ବହୁତ ବୁଣିଅଛ, ମାତ୍ର ଅଳ୍ପ ସଞ୍ଚୟ କରୁଅଛ; ତୁମ୍ଭେମାନେ ଭୋଜନ କରୁଅଛ, ମାତ୍ର ସନ୍ତୁଷ୍ଟ ହେଉ ନାହଁ; ତୁମ୍ଭେମାନେ ପାନ କରୁଅଛ, ମାତ୍ର ତହିଁରେ ତୃପ୍ତ ହେଉ ନାହଁ; ତୁମ୍ଭେମାନେ ବସ୍ତ୍ର ପିନ୍ଧୁଅଛ, ମାତ୍ର କେହି ଉଷ୍ମ ହେଉ ନାହଁ; ପୁଣି, ଯେ ବେତନ ଅର୍ଜନ କରେ, ସେ କଣା ଥଳୀରେ ତାହା ରଖିବା ପାଇଁ ଅର୍ଜନ କରେ। 7ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଆପଣା ଆପଣା ପଥ ବିବେଚନା କର। 8ତୁମ୍ଭେମାନେ ପର୍ବତକୁ ଯାଇ କାଷ୍ଠ ଆଣ ଓ ଏହି ଗୃହ ନିର୍ମାଣ କର; ତହିଁରେ ଆମ୍ଭେ ତହିଁ ପ୍ରତି ପ୍ରସନ୍ନ ହେବା ଓ ଆମ୍ଭେ ଗୌରବାନ୍ୱିତ ହେବା, ଏହା ସଦାପ୍ରଭୁ କହନ୍ତି।

ପ୍ରତିଉତ୍ତର ଗୀତ

ଗୀତ 149:1–6, 9

1ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର ଓ ଭକ୍ତମାନଙ୍କ ସମାଜରେ ତାହାଙ୍କର ପ୍ରଶଂସା ଗାନ କର। 2ଇସ୍ରାଏଲ ଆପଣା ନିର୍ମାଣକର୍ତ୍ତାଙ୍କଠାରେ ଆନନ୍ଦ କରୁ; ସିୟୋନର ସନ୍ତାନଗଣ ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହେଉନ୍ତୁ। 3ସେମାନେ ନୃତ୍ୟ କରି ତାହାଙ୍କ ନାମର ପ୍ରଶଂସା କରନ୍ତୁ; ସେମାନେ ଦାରା ଓ ବୀଣା ବଜାଇ ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରନ୍ତୁ। 4କାରଣ ସଦାପ୍ରଭୁ ଆପଣା ଲୋକଙ୍କଠାରେ ସନ୍ତୋଷ ପାଆନ୍ତି; ସେ ନମ୍ର ଲୋକମାନଙ୍କୁ ପରିତ୍ରାଣରେ ସୁଶୋଭିତ କରିବେ। 5ଭକ୍ତଗଣ ବିଜୟରେ ଉଲ୍ଲସିତ ହେଉନ୍ତୁ; ସେମାନେ ଆନନ୍ଦ ହେତୁ ଆପଣା ଆପଣା ଶଯ୍ୟାରେ ଗାନ କରନ୍ତୁ। ସେମାନଙ୍କ କଣ୍ଠରେ ପରମେଶ୍ୱରଙ୍କ ଉଚ୍ଚ ପ୍ରଶଂସା ଥାଉ; 6ପୁଣି, ସେମାନଙ୍କ ହସ୍ତରେ ଦ୍ୱିବିଧ ଖଡ୍ଗ ଥାଉ। 9ସେମାନଙ୍କ ପ୍ରତିକୂଳରେ ଲିଖିତ ବିଚାର ନିଷ୍ପନ୍ନ କରିବା ପାଇଁ, ତାହାଙ୍କ ଭକ୍ତବୃନ୍ଦର ଏହି ମର୍ଯ୍ୟାଦା। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ସୁସମାଚାର

ଲୂକ 9:7–9

7ଇତିମଧ୍ୟରେ ସାମନ୍ତରାଜା ହେରୋଦ ଏହି ସମସ୍ତ ଘଟଣା ବିଷୟ ଶୁଣି ଅବାକ୍ ହୋଇଗଲେ, କାରଣ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି ବୋଲି କେହି କେହି କହୁଥିଲେ; 8ପୁଣି, କେହି କେହି ଏଲୀୟ ଦେଖା ଦେଇଅଛନ୍ତି ବୋଲି ଏବଂ ଅନ୍ୟମାନେ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ଉଠିଅଛନ୍ତି ବୋଲି କହୁଥିଲେ। 9କିନ୍ତୁ ହେରୋଦ କହିଲେ, ଯୋହନଙ୍କ ମସ୍ତକ ଆମ୍ଭେ ତ କାଟିଅଛୁ, ମାତ୍ର ଯାହାଙ୍କ ବିଷୟରେ ଆମ୍ଭେ ଏପ୍ରକାର କଥା ଶୁଣୁଅଛୁ, ଏ କିଏ? ଆଉ ସେ ତାହାଙ୍କୁ ଦେଖିବା ନିମନ୍ତେ ଚେଷ୍ଟା କରୁଥିଲେ।

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର