ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅଗଷ୍ଟ 2027 › ଅଗଷ୍ଟ 16
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 16 ଅଗଷ୍ଟ 2027
ସୋମବାର · ସାଧାରଣ କାଳର 20ତମ ସପ୍ତାହ
ପର୍ବ ଓ ସନ୍ଥ
ସାଧାରଣ କାଳର 20ତମ ସପ୍ତାହର ସୋମବାର
ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ସବୁଜ
ହଙ୍ଗେରୀର ସନ୍ଥ ଷ୍ଟିଫେନ୍ · ଇଚ୍ଛାଧୀନ ସ୍ମୃତି ଦିବସ
ଦିନର ପାଠ
ପ୍ରଥମ ପାଠ
11ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କର ଦୃଷ୍ଟିରେ ଯାହା ମନ୍ଦ, ତାହା କଲେ ଓ ବାଲ୍ ଦେବତାଗଣର ସେବା କଲେ। 12ପୁଣି ଯେ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଥିଲେ, ସେହି ସଦାପ୍ରଭୁ ଆପଣାମାନଙ୍କ ପୈତୃକ ପରମେଶ୍ୱରଙ୍କୁ ତ୍ୟାଗ କଲେ ଓ ଅନ୍ୟ ଦେବତାଗଣର, ଅର୍ଥାତ୍, ସେମାନଙ୍କ ଚତୁର୍ଦ୍ଦିଗସ୍ଥିତ ଲୋକମାନଙ୍କ ଦେବତାଗଣର ଅନୁଗାମୀ ହୋଇ ସେମାନଙ୍କୁ ପ୍ରଣାମ କଲେ; ଏରୂପେ ସେମାନେ ସଦାପ୍ରଭୁଙ୍କୁ ବିରକ୍ତ କଲେ। 13ଆହୁରି ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ବାଲ୍ଦେବ ଓ ଅଷ୍ଟାରୋତ୍ ଦେବୀଗଣର ସେବା କଲେ। 14ତହିଁରେ ଇସ୍ରାଏଲ ବିରୁଦ୍ଧରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ, ସେ ସେମାନଙ୍କୁ ଲୁଟକାରୀମାନଙ୍କ ହସ୍ତରେ ସମର୍ପିଲେ, ତେଣୁ ସେମାନେ ସେମାନଙ୍କୁ ଲୁଟିଲେ; ଆହୁରି ସେ ସେମାନଙ୍କୁ ସେମାନଙ୍କ ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କ ହସ୍ତରେ ବିକ୍ରୟ କଲେ, ତହିଁରେ ସେମାନେ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଆଉ ଠିଆ ହୋଇ ପାରିଲେ ନାହିଁ। 15ସଦାପ୍ରଭୁ ଯେପରି କହିଥିଲେ ଓ ସଦାପ୍ରଭୁ ସେମାନଙ୍କ ନିକଟରେ ଯେପରି ଶପଥ କରିଥିଲେ, ତଦନୁସାରେ ସେମାନେ ଯେଉଁଆଡ଼େ ଗଲେ, ସେଆଡ଼େ ଅମଙ୍ଗଳ କରିବାକୁ ସଦାପ୍ରଭୁଙ୍କ ହସ୍ତ ସେମାନଙ୍କର ବିରୁଦ୍ଧ ହେଲା; ଏହିପରି ସେମାନେ ଭାରୀ କ୍ଳେଶରେ ପଡ଼ିଲେ। 16ତହୁଁ ସଦାପ୍ରଭୁ ବିଚାରକର୍ତ୍ତାଗଣଙ୍କୁ ଉତ୍ଥାପନ କରି ଲୁଟକାରୀମାନଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ। 17ତଥାପି ସେମାନେ ଆପଣାମାନଙ୍କ ବିଚାରକର୍ତ୍ତାମାନଙ୍କ କଥା ଶୁଣିଲେ ନାହିଁ, ମାତ୍ର ଅନ୍ୟ ଦେବତାଗଣର ଅନୁଗମନ କରି ବ୍ୟଭିଚାର କଲେ ଓ ସେମାନଙ୍କୁ ପ୍ରଣାମ କଲେ; ସେମାନଙ୍କର ପିତୃଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ଯେଉଁ ପଥରେ ଗମନ କଲେ, ସେମାନେ ତଦନୁସାରେ ନ କରି ସେହି ପଥରୁ ଶୀଘ୍ର ବିମୁଖ ହେଲେ। 18ଆଉ ସଦାପ୍ରଭୁ ଯେତେବେଳେ ସେମାନଙ୍କ ନିମନ୍ତେ କୌଣସି ବିଚାରକର୍ତ୍ତାକୁ ଉତ୍ଥାପନ କଲେ, ସେତେବେଳେ ସେହି ବିଚାରକର୍ତ୍ତାର ଜୀବନଯାଏ ସଦାପ୍ରଭୁ ତାହାର ସଙ୍ଗେ ସଙ୍ଗେ ଥାଇ ସେମାନଙ୍କୁ ସେମାନଙ୍କ ଶତ୍ରୁଗଣ ହସ୍ତରୁ ଉଦ୍ଧାର କଲେ; କାରଣ ଉପଦ୍ରବ ଓ ତାଡ଼ନାକାରୀମାନଙ୍କ ସକାଶୁ ସେମାନେ ଯେଉଁ କାତରୋକ୍ତି କଲେ, ତହିଁ ହେତୁ ସଦାପ୍ରଭୁ ସଦୟ ହେଲେ। 19ମାତ୍ର ସେହି ବିଚାରକର୍ତ୍ତାର ମୃତ୍ୟୁ ହୁଅନ୍ତେ, ସେମାନେ ପୁନର୍ବାର ଫେରି ସେମାନଙ୍କ ପିତୃଲୋକଙ୍କ ଅପେକ୍ଷା ଅଧିକ ଭ୍ରଷ୍ଟାଚରଣ କଲେ ଓ ଅନ୍ୟ ଦେବତାଗଣର ସେବା କରି ଓ ସେମାନଙ୍କୁ ପ୍ରଣାମ କରି ସେମାନଙ୍କର ଅନୁଗାମୀ ହେଲେ; ସେମାନେ ଆପଣା ଆପଣା କ୍ରିୟାରୁ ଓ ଅବାଧ୍ୟତା-ମାର୍ଗରୁ କ୍ଷାନ୍ତ ହେଲେ ନାହିଁ।
ପ୍ରତିଉତ୍ତର ଗୀତ
34ସେମାନେ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ ଗୋଷ୍ଠୀବର୍ଗକୁ ବିନାଶ କଲେ ନାହିଁ। 35ମାତ୍ର ଅନ୍ୟ ଦେଶୀୟମାନଙ୍କ ସଙ୍ଗେ ମିଶ୍ରିତ ହେଲେ ଓ ସେମାନଙ୍କ କ୍ରିୟାସବୁ ଶିଖିଲେ। 36ଆଉ, ସେମାନଙ୍କ ଦେବତାଗଣର ସେବା କଲେ; ତାହା ସେମାନଙ୍କ ପ୍ରତି ଫାନ୍ଦ ସ୍ୱରୂପ ହେଲା। 37ହଁ, ସେମାନେ ଭୂତଗଣ ଉଦ୍ଦେଶ୍ୟରେ ଆପଣା ଆପଣା ପୁତ୍ରକନ୍ୟାମାନଙ୍କୁ ବଳିଦାନ କଲେ। 39ଏହିରୂପେ ସେମାନେ ଆପଣା ଆପଣା କାର୍ଯ୍ୟ ଦ୍ୱାରା ଅପବିତ୍ର ହେଲେ ଓ ବ୍ୟବହାରରେ ବ୍ୟଭିଚାର କଲେ। 40ଏହେତୁ ଲୋକମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ କୋପ ପ୍ରଜ୍ୱଳିତ ହେଲା, ପୁଣି, ସେ ଆପଣା ଅଧିକାରକୁ ଘୃଣା କଲେ। 43ଅନେକ ଥର ସେ ସେମାନଙ୍କୁ ଉଦ୍ଧାର କଲେ; ମାତ୍ର ସେମାନେ ଆପଣା ଆପଣା ମନ୍ତ୍ରଣାରେ ବିଦ୍ରୋହୀ ହେଲେ ଓ ଆପଣା ଆପଣା ଅଧର୍ମରେ କ୍ଷୀଣ ହେଲେ। 44ତଥାପି ସେ ସେମାନଙ୍କ କାକୂକ୍ତି ଶୁଣି ସେମାନଙ୍କ ଦୁର୍ଦ୍ଦଶାରେ ମନୋଯୋଗ କଲେ।
ସୁସମାଚାର
16ଆଉ ଦେଖ, ଜଣେ ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୁଁ କେଉଁ ସତ୍କର୍ମ କରିବି? 17ସେ ତାହାଙ୍କୁ କହିଲେ, “ସତ୍ ବିଷୟରେ ମୋତେ କାହିଁକି ପଚାରୁଅଛ? ସତ୍ କେବଳ ଜଣେ; କିନ୍ତୁ ତୁମ୍ଭେ ଯଦି ଜୀବନରେ ପ୍ରବେଶ କରିବାକୁ ଇଚ୍ଛା କର, ତେବେ ଆଜ୍ଞାସବୁ ପାଳନ କର।” 18ସେ ତାହାଙ୍କୁ ପଚାରିଲେ, କି କି ପ୍ରକାର ଆଜ୍ଞା? ଯୀଶୁ କହିଲେ, “ଏହିସବୁ, ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, 19ପିତାମାତାଙ୍କୁ ସମାଦର କର; ପୁଣି, ତୁମ୍ଭର ପଡୋଶୀକି ଆତ୍ମତୁଲ୍ୟ ପ୍ରେମ କର।” 20ସେହି ଯୁବକ ତାହାଙ୍କୁ କହିଲେ, ଏହି ସମସ୍ତ ମୁଁ ପାଳନ କରିଅଛି, ମୋହର ଆଉ କଅଣ ଉଣା ଅଛି? 21ଯୀଶୁ ତାହାଙ୍କୁ କହିଲେ, “ଯଦି ତୁମ୍ଭେ ସିଦ୍ଧ ହେବାକୁ ଇଚ୍ଛା କର, ତେବେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର।” 22କିନ୍ତୁ ଏହି କଥା ଶୁଣି ଯୁବକଟି ଦୁଃଖିତ ହୋଇ ଚାଲିଗଲେ, କାରଣ ତାଙ୍କର ବହୁତ ସମ୍ପତ୍ତି ଥିଲା।
ଆଜିର ସନ୍ଥ
- ହଙ୍ଗେରୀର ସନ୍ଥ ଷ୍ଟିଫେନ୍
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର