Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁଲାଇ 2027 › ଜୁଲାଇ 29

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 29 ଜୁଲାଇ 2027

ଗୁରୁବାର · ସାଧାରଣ କାଳର 17ତମ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର 17ତମ ସପ୍ତାହର ଗୁରୁବାର

ସ୍ମୃତି ଦିବସ · ଉପାସନାର ରଙ୍ଗ: ଧଳା

ସନ୍ଥ ମାର୍ଥା, ମରୀୟମ ଓ ଲାଜାର · ସ୍ମୃତି ଦିବସ

ଦିନର ପାଠ

ପ୍ରଥମ ପାଠ

ଯାତ୍ରା 40:16–21, 34–38

16ମୋଶା ଏହିରୂପ କଲେ; ସେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସମସ୍ତ କଲେ। 17ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଦ୍ୱିତୀୟ ବର୍ଷର ପ୍ରଥମ ମାସର ପ୍ରଥମ ଦିନରେ ଆବାସ ସ୍ଥାପିତ ହେଲା। 18ପୁଣି, ମୋଶା ଆବାସ ସ୍ଥାପନ କରି ତହିଁର ଚୁଙ୍ଗୀ ଦେଇ ପଟା ବସାଇ ଅର୍ଗଳ ପ୍ରବେଶ କରାଇ ତହିଁର ସ୍ତମ୍ଭ ଠିଆ କଲେ। 19ତହୁଁ ସେ ଆବାସ ଉପରେ ତମ୍ବୁ ବିସ୍ତାର କଲେ ଓ ତମ୍ବୁ ଉପରେ ଛାତ ଦେଲେ; 20ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସାକ୍ଷ୍ୟପତ୍ର ଘେନି ସିନ୍ଦୁକ ଭିତରେ ରଖିଲେ ଓ ସିନ୍ଦୁକରେ ସାଙ୍ଗୀ ଲଗାଇ ସିନ୍ଦୁକ ଉପରେ ପାପାଚ୍ଛାଦନ ରଖିଲେ; 21ପୁଣି, ଆବାସ ଭିତରକୁ ସିନ୍ଦୁକ ଆଣିଲେ ଓ ଆଚ୍ଛାଦନର ବିଚ୍ଛେଦ ବସ୍ତ୍ର ଟଙ୍ଗାଇ ସାକ୍ଷ୍ୟ-ସିନ୍ଦୁକ ଆଚ୍ଛାଦନ କଲେ। 34ଏଥିଉତ୍ତାରେ ମେଘ ସେହି ସମାଗମ-ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ପ୍ରତାପ ଆବାସକୁ ପରିପୂର୍ଣ୍ଣ କଲା। 35ତହିଁରେ ମୋଶା ସମାଗମ-ତମ୍ବୁରେ ପ୍ରବେଶ କରି ପାରିଲେ ନାହିଁ, କାରଣ ମେଘ ତହିଁ ଉପରେ ଅବସ୍ଥିତି କରିଥିଲା ଓ ସଦାପ୍ରଭୁଙ୍କ ପ୍ରତାପ ଆବାସକୁ ପରିପୂର୍ଣ୍ଣ କରିଥିଲା। 36ପୁଣି, ଆବାସ ଉପରୁ ଯେତେବେଳେ ମେଘ ନିଆଗଲା, ସେତେବେଳେ ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କ ଯାତ୍ରାରେ ଅଗ୍ରସର ହେଲେ। 37ମାତ୍ର ମେଘ ଯେତେବେଳେ ଊର୍ଦ୍ଧ୍ୱକୁ ନିତ ହେଲା ନାହିଁ, ସେତେବେଳେ ଊର୍ଦ୍ଧ୍ୱକୁ ନିତ ନ ହେବା ଦିନ ପର୍ଯ୍ୟନ୍ତ ସେମାନେ ଯାତ୍ରା କଲେ ନାହିଁ। 38କାରଣ, ସମସ୍ତ ଇସ୍ରାଏଲ ବଂଶର ଦୃଷ୍ଟିଗୋଚରରେ ସେମାନଙ୍କ ସମସ୍ତ ଯାତ୍ରାରେ ଦିନ ବେଳେ ସଦାପ୍ରଭୁଙ୍କର ମେଘ ଓ ରାତ୍ରିରେ ଅଗ୍ନି ଆବାସ ଉପରେ ଅବସ୍ଥିତି କଲା।

ପ୍ରତିଉତ୍ତର ଗୀତ

ଗୀତ 84:2–5, 7, 10

2ସଦାପ୍ରଭୁଙ୍କ ପ୍ରାଙ୍ଗଣ ନିମନ୍ତେ ମୋହର ପ୍ରାଣ ଲାଳସା କରେ, ମଧ୍ୟ ମୂର୍ଚ୍ଛିତ ହୁଏ; ମୋହର ହୃଦୟ ଓ ଶରୀର ଜୀବିତ ପରମେଶ୍ୱରଙ୍କ ନିମନ୍ତେ ଡକା ଛାଡ଼ଇ। 3ହଁ, ଘରଚଟିଆ ଆପଣା ପାଇଁ ଏକ ଗୃହ ଓ ଖଞ୍ଜନପକ୍ଷୀ ଛୁଆ ରଖିବା ନିମନ୍ତେ ଆପଣା ପାଇଁ ଏକ ବସା ପାଇଅଛି, ହେ ସୈନ୍ୟାଧିପତି ସଦାପ୍ରଭୋ, ମୋହର ରାଜନ୍‍ ଓ ମୋହର ପରମେଶ୍ୱର, ତୁମ୍ଭର ଯଜ୍ଞବେଦି ସେହି ସ୍ଥାନ, 4ଯେଉଁମାନେ ତୁମ୍ଭ ଗୃହରେ ବାସ କରନ୍ତି, ସେମାନେ ଧନ୍ୟ; ସେମାନେ ନିରନ୍ତର ତୁମ୍ଭର ପ୍ରଶଂସା କରୁଥିବେ। [ସେଲା] 5ଯାହାର ବଳ ତୁମ୍ଭଠାରେ ଥାଏ, ଯାହାର ହୃଦୟରେ ସିୟୋନଗାମୀ ରାଜପଥ ଥାଏ, ସେ ଲୋକ ଧନ୍ୟ। 7ସେମାନେ ଉତ୍ତରୋତ୍ତର ବଳବାନ ହୋଇ ଅଗ୍ରସର ହୁଅନ୍ତି, ସେମାନଙ୍କର ପ୍ରତ୍ୟେକ ଲୋକ ସିୟୋନରେ ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହୁଅନ୍ତି। 10କାରଣ ସହସ୍ର ଦିନ ଅପେକ୍ଷା ତୁମ୍ଭ ପ୍ରାଙ୍ଗଣରେ ଏକ ଦିନ ଭଲ; ଦୁଷ୍ଟତାର ତମ୍ବୁରେ ବାସ କରିବା ଅପେକ୍ଷା ଆମ୍ଭ ପରମେଶ୍ୱରଙ୍କ ଗୃହରେ ଦ୍ୱାରୀ ହେବାର ବରଞ୍ଚ ଆମ୍ଭେ ଭଲ ଜାଣୁ।

ସୁସମାଚାର

ଯୋହ 11:19–27

କିମ୍ବା: ଲୂକ 10:38–42

19ଆଉ, ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ମାର୍ଥା ଓ ମରୀୟମଙ୍କୁ ସେମାନଙ୍କ ଭାଇ ବିଷୟରେ ସାନ୍ତ୍ୱନା ଦେବା ନିମନ୍ତେ ସେମାନଙ୍କ ନିକଟକୁ ଆସିଥିଲେ। 20ସେଥିରେ ଯୀଶୁ ଆସିଅଛନ୍ତି ବୋଲି ଯେତେବେଳେ ମାର୍ଥା ଶୁଣିଲେ, ସେତେବେଳେ ସେ ତାହାଙ୍କୁ ଭେଟିବାକୁ ଗଲେ, କିନ୍ତୁ ମରୀୟମ ଗୃହରେ ବସି ରହିଲେ। 21ମାର୍ଥା ଯୀଶୁଙ୍କୁ କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାଆନ୍ତେ, ତାହାହେଲେ ମୋହର ଭାଇ ମରି ନ ଥାଆନ୍ତା। 22କିନ୍ତୁ ଆପଣ ଈଶ୍ବରଙ୍କୁ ଯାହା କିଛି ମାଗିବେ, ଈଶ୍ବର ଯେ ତାହା ଆପଣଙ୍କୁ ଦେବେ, ଏହା ଏବେ ସୁଦ୍ଧା ମୁଁ ଜାଣେ। 23ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭ ଭାଇ ପୁଣି, ଉଠିବ।” 24ମାର୍ଥା ତାହାଙ୍କୁ କହିଲେ, ସେ ଯେ ଶେଷ ଦିନରେ ପୁନରୁତ୍ଥାନ ସମୟରେ ଉଠିବ, ଏହା ମୁଁ ଜାଣେ। 25ଯୀଶୁ ତାହାଙ୍କୁ କହିଲେ, “ମୁଁ ପୁନରୁତ୍ଥାନ ଓ ଜୀବନ; ଯେ ମୋʼ ଠାରେ ବିଶ୍ୱାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ, 26ପୁଣି, ଯେ କେହି ବଞ୍ଚେ ଓ ମୋʼ ଠାରେ ବିଶ୍ୱାସ କରେ, ସେ କଦାପି ମରିବ ନାହିଁ; ଏହା କଅଣ ବିଶ୍ୱାସ କରୁଅଛ?” 27ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ଯାହାଙ୍କର ଜଗତକୁ ଆଗମନ କରିବାର ଥିଲା, ଆପଣ ଯେ ଈଶ୍ବରଙ୍କ ପୁତ୍ର ସେହି ଖ୍ରୀଷ୍ଟ, ଏହା ମୋହର ବିଶ୍ୱାସ।

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର