ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁଲାଇ 2027 › ଜୁଲାଇ 26
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 26 ଜୁଲାଇ 2027
ସୋମବାର · ସାଧାରଣ କାଳର 17ତମ ସପ୍ତାହ
ପର୍ବ ଓ ସନ୍ଥ
ସାଧାରଣ କାଳର 17ତମ ସପ୍ତାହର ସୋମବାର
ସ୍ମୃତି ଦିବସ · ଉପାସନାର ରଙ୍ଗ: ଧଳା
ସନ୍ଥ ଯୋୟାକିମ ଓ ଆନ୍ନା, ଧନ୍ୟା କୁମାରୀ ମରୀୟମଙ୍କ ପିତାମାତା · ସ୍ମୃତି ଦିବସ
ଦିନର ପାଠ
ପ୍ରଥମ ପାଠ
15ଏଥିଉତ୍ତାରେ ମୋଶା ମୁଖ ଫେରାଇ ସାକ୍ଷ୍ୟ ସ୍ୱରୂପ ଦୁଇ ପ୍ରସ୍ତର ପଟା ହସ୍ତରେ ଘେନି ପର୍ବତରୁ ଓହ୍ଲାଇଲେ; ସେହି ପ୍ରସ୍ତର ପଟାର ଉଭୟ ପାର୍ଶ୍ୱରେ ଲେଖାଥିଲା। 16ସେହି ପ୍ରସ୍ତର ପଟା ପରମେଶ୍ୱରଙ୍କ ନିର୍ମିତ; ପୁଣି, ତହିଁରେ ଖୋଦିତ ଲିଖନ ହିଁ ପରମେଶ୍ୱରଙ୍କ ଲିଖନ ଥିଲା। 17ଏଥିଉତ୍ତାରେ ଲୋକମାନେ ଉଚ୍ଚ ରବ କରନ୍ତେ, ଯିହୋଶୂୟ ଲୋକମାନଙ୍କର କୋଳାହଳ ଶୁଣି ମୋଶାଙ୍କୁ କହିଲେ, “ଛାଉଣିରେ ଯୁଦ୍ଧ ଶବ୍ଦ ହେଉଅଛି।” 18ତହିଁରେ ସେ କହିଲେ, “ଏହା ଜୟଧ୍ୱନିର ଶବ୍ଦ ନୁହେଁ, କିଅବା ପରାଜୟ ସ୍ୱରର ଶବ୍ଦ ନୁହେଁ, ମାତ୍ର ମୁଁ ଗାୟନର ଶବ୍ଦ ଶୁଣୁଅଛି।” 19ଏଥିରେ ସେ ଛାଉଣିର ନିକଟବର୍ତ୍ତୀ ହେବା ମାତ୍ରେ ସେହି ବାଛୁରି ଓ ନୃତ୍ୟ ଦେଖିଲେ; ତହିଁରେ ମୋଶାଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା; ଏଣୁ ସେ ଆପଣା ହସ୍ତରୁ ସେହି ଦୁଇ ପ୍ରସ୍ତର ପଟା ଫୋପାଡ଼ି ଦେଇ ପର୍ବତ ତଳେ ତାହା ଭାଙ୍ଗିଲେ। 20ପୁଣି, ସେମାନଙ୍କ ନିର୍ମିତ ବାଛୁରି ଘେନି ଅଗ୍ନିରେ ପୋଡ଼ିଲେ ଓ ତାହା ପେଷି ଧୂଳି କଲେ, ଆଉ ଜଳ ଉପରେ ବିଞ୍ଚି ଦେଇ ଇସ୍ରାଏଲ-ସନ୍ତାନଗଣକୁ ପିଆଇଲେ। 21ତହୁଁ ମୋଶା ହାରୋଣଙ୍କୁ କହିଲେ, “ଏହି ଲୋକମାନେ ତୁମ୍ଭ ପ୍ରତି କʼଣ କଲେ ଯେ, ତୁମ୍ଭେ ସେମାନଙ୍କ ଉପରେ ଏପରି ମହାପାପ ବର୍ତ୍ତାଇଅଛ?” 22ତହିଁରେ ହାରୋଣ କହିଲେ, “ଆମ୍ଭ ପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ନ ହେଉ; ଆପଣ ଜାଣନ୍ତି ଯେ, ଏହି ଲୋକମାନେ ଦୁଷ୍ଟତାରେ ଆସକ୍ତ। 23ଏମାନେ ମୋତେ କହିଲେ, ‘ଆମ୍ଭମାନଙ୍କର ଅଗ୍ରଗାମୀ ହେବା ପାଇଁ ଆମ୍ଭମାନଙ୍କ ନିମନ୍ତେ ଦେବତା ନିର୍ମାଣ କର; କାରଣ ଯେଉଁ ବ୍ୟକ୍ତି ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେହି ମୋଶାଙ୍କର କଅଣ ହୋଇଅଛି, ତାହା ଆମ୍ଭେମାନେ ଜାଣୁ ନାହୁଁ।’ 24ତେବେ ମୁଁ କହିଲି, ‘ତୁମ୍ଭମାନଙ୍କ ମଧ୍ୟରେ ଯାହାର ଯେକୌଣସି ସୁନା ଅଛି, ତାହା ସେମାନେ କାଢ଼ି ଦିଅନ୍ତୁ; ତହିଁରେ ସେମାନେ ମୋତେ ତାହା ଦେଲେ; ମୁଁ ତାହା ନେଇ ଅଗ୍ନିରେ ପକାଇଲି, ତହୁଁ ଏହି ବାଛୁରି ବାହାରି ଆସିଲା।’” 30ତହିଁ ପରଦିନ ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ମହାପାପ କରିଅଛ, ଏବେ ମୁଁ ସଦାପ୍ରଭୁଙ୍କ ନିକଟକୁ ଆରୋହଣ କରୁଅଛି; ଯଦି ହୋଇପାରେ, ତେବେ ମୁଁ ତୁମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ କରିବି।” 31ଏଥିଉତ୍ତାରେ ମୋଶା ସଦାପ୍ରଭୁଙ୍କ ନିକଟକୁ ଫେରିଯାଇ କହିଲେ, “ହାୟ, ହାୟ, ଏହି ଲୋକମାନେ ମହାପାପ କରି ଆପଣାମାନଙ୍କ ନିମନ୍ତେ ସ୍ୱର୍ଣ୍ଣ ଦେବତା ନିର୍ମାଣ କରିଅଛନ୍ତି। 32ତଥାପି ଏବେ, ତୁମ୍ଭେ ଯଦି ସେମାନଙ୍କର ପାପ କ୍ଷମା କରିବ; କିନ୍ତୁ ଯଦି ନ କରିବ, ତେବେ ମୁଁ ବିନୟ କରୁଅଛି, ତୁମ୍ଭର ଲିଖିତ ପୁସ୍ତକରୁ ମୋହର ନାମ କାଟି ପକାଅ।” 33ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଯେଉଁ ଲୋକ ଆମ୍ଭ ବିରୁଦ୍ଧରେ ପାପ କରିଅଛି, ଆମ୍ଭେ ଆପଣା ପୁସ୍ତକରୁ ତାହାର ନାମ କାଟି ପକାଇବା। 34ଏବେ ଯାଅ, ଆମ୍ଭେ ଯେଉଁ ଦେଶ ବିଷୟରେ ତୁମ୍ଭକୁ କହିଅଛୁ, ସେହି ଦେଶକୁ ଲୋକମାନଙ୍କୁ ନେଇଯାଅ; ଦେଖ, ଆମ୍ଭ ଦୂତ ତୁମ୍ଭ ଆଗେ ଆଗେ ଗମନ କରିବେ; ମାତ୍ର ଆମ୍ଭେ ପ୍ରତିଫଳ ଦେବା ଦିନରେ ସେମାନଙ୍କ ପାପର ପ୍ରତିଫଳ ସେମାନଙ୍କୁ ଦେବା।”
ପ୍ରତିଉତ୍ତର ଗୀତ
19ସେମାନେ ହୋରେବରେ ଗୋଟିଏ ଗୋବତ୍ସ ନିର୍ମାଣ କଲେ ଓ ଛାଞ୍ଚରେ ଢଳା ପ୍ରତିମାକୁ ପ୍ରଣାମ କଲେ। 20ଏହିରୂପେ, ସେମାନେ ତୃଣଭକ୍ଷକ ଗୋରୁର ପ୍ରତିମା ସହିତ ଆପଣାମାନଙ୍କ ଗୌରବସ୍ୱରୂପଙ୍କୁ ପରିବର୍ତ୍ତନ କଲେ। 21ଯେ ମିସରରେ ବିବିଧ ମହତ କର୍ମ, ହାମ୍ ଦେଶରେ ନାନା ଆଶ୍ଚର୍ଯ୍ୟକର୍ମ ଓ ସୂଫ ସାଗର ନିକଟରେ ଭୟଙ୍କର କର୍ମ ସାଧନ କରିଥିଲେ; 22ସେମାନେ ଆପଣାମାନଙ୍କ ସେହି ତ୍ରାଣକର୍ତ୍ତା ପରମେଶ୍ୱରଙ୍କୁ ପାସୋରିଲେ। 23ଏହେତୁ ସେ ସେମାନଙ୍କୁ ସଂହାର କରିବେ ବୋଲି କହିଲେ, ମାତ୍ର ସେ ଯେପରି ସେମାନଙ୍କୁ ସଂହାର ନ କରିବେ, ଏଥିପାଇଁ ତାହାଙ୍କ କୋପ ଫେରାଇବା ନିମନ୍ତେ ତାହାଙ୍କ ମନୋନୀତ ମୋଶା ଭଗ୍ନସ୍ଥାନରେ ତାହାଙ୍କ ସମ୍ମୁଖରେ ଠିଆ ହେଲେ।
ସୁସମାଚାର
31ସେ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, “ସ୍ୱର୍ଗରାଜ୍ୟ ଏପ୍ରକାର ଗୋଟିଏ ସୋରିଷ ଦାନା ପରି, ଯାହା ନେଇ ଜଣେ ଲୋକ ଆପଣା କ୍ଷେତ୍ରରେ ବୁଣିଲା। 32ତାହା ତ ସବୁ ବୀଜଠାରୁ କ୍ଷୁଦ୍ର, ମାତ୍ର ତାହା ବଢ଼ିଲେ ସବୁ ଶାକଠାରୁ ବଡ଼ ହୋଇ ଏପରି ଗଛ ହୁଏ ଯେ, ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କରନ୍ତି।” 33ସେ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ, “ସ୍ୱର୍ଗରାଜ୍ୟ ଖମୀର ସଦୃଶ; ଜଣେ ସ୍ତ୍ରୀ ତାହା ନେଇ ମହଣେ ମଇଦା ମଧ୍ୟରେ ଘୋଡ଼ାଇ ରଖିଲା ଆଉ ସେ ଶେଷରେ ସମସ୍ତ ଖମୀରମୟ ହେଲା।” 34ଏହି ସମସ୍ତ କଥା ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ଲୋକସମୂହକୁ କହିଲେ, ଆଉ ଦୃଷ୍ଟାନ୍ତ ବିନା ସେ ସେମାନଙ୍କୁ କିଛି କହୁ ନ ଥିଲେ, 35ଯେପରି ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ଆମ୍ଭେ ଆପଣା ମୁଖ ଫିଟାଇ ଦୃଷ୍ଟାନ୍ତ ଦ୍ୱାରା କଥା କହିବା, ଜଗତ ସୃଷ୍ଟି ଦିନରୁ ଗୁପ୍ତ ବିଷୟସବୁ ବ୍ୟକ୍ତ କରିବା।
ଆଜିର ସନ୍ଥ
- ସନ୍ଥ ଯୋୟାକିମ ଓ ଆନ୍ନା, ଧନ୍ୟା କୁମାରୀ ମରୀୟମଙ୍କ ପିତାମାତା
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର