Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁଲାଇ 2027 › ଜୁଲାଇ 25

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 25 ଜୁଲାଇ 2027

ରବିବାର · ସାଧାରଣ କାଳର 17ତମ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର 17ତମ ରବିବାର

ରବିବାର · ଉପାସନାର ରଙ୍ଗ: ସବୁଜ

ଦିନର ପାଠ

ପ୍ରଥମ ପାଠ

ଦ୍ଵି.ରା 4:42–44

42ଏଥିଉତ୍ତାରେ ବାଲ୍‍-ଶାଲିଶାରୁ ଜଣେ ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ପ୍ରଥମ ଫଳର ରୁଟି, ଅର୍ଥାତ୍‍, କୋଡ଼ିଏ ଯବ ରୁଟି ଓ ନୂତନ ଶସ୍ୟର ଶିଷା ଆପଣା ଝୁଲିରେ ନେଇ ଆସିଲା। ତହିଁରେ ଇଲୀଶାୟ କହିଲେ, “ଲୋକମାନଙ୍କୁ ଦିଅ, ସେମାନେ ଭୋଜନ କରନ୍ତୁ।” 43ତହୁଁ ତାଙ୍କ ଦାସ କହିଲା, “କʼଣ, ଶହେ ଲୋକଙ୍କ ଆଗରେ ଏହା ରଖିବି?” ମାତ୍ର ଇଲୀଶାୟ କହିଲେ, “ଲୋକମାନଙ୍କୁ ଦିଅ, ସେମାନେ ଭୋଜନ କରନ୍ତୁ; କାରଣ ସଦାପ୍ରଭୁ ଏହା କହନ୍ତି, ‘ସେମାନେ ଭୋଜନ କରିବେ ଓ ତହିଁରୁ ଅବଶିଷ୍ଟାଂଶ ରଖିବେ।’” 44ତହୁଁ ସେ ତାହା ଲୋକମାନଙ୍କ ଆଗରେ ରଖନ୍ତେ, ସେମାନେ ଭୋଜନ କଲେ ଓ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେମାନେ ଅବଶିଷ୍ଟାଂଶ ରଖିଲେ।

ପ୍ରତିଉତ୍ତର ଗୀତ

ଗୀତ 145:10–11, 15–18

10ହେ ସଦାପ୍ରଭୋ, ତୁମ୍ଭର ସମୁଦାୟ କର୍ମ ତୁମ୍ଭର ଧନ୍ୟବାଦ କରିବ; ତୁମ୍ଭର ସଦ୍‍ଭକ୍ତମାନେ ତୁମ୍ଭର ଧନ୍ୟବାଦ କରିବେ; 11ସେମାନେ ତୁମ୍ଭ ରାଜ୍ୟର ଗୌରବ ବ୍ୟକ୍ତ କରି ଓ ତୁମ୍ଭ ପରାକ୍ରମ ବିଷୟରେ କଥୋପକଥନ କରି, 15ସମସ୍ତଙ୍କର ଚକ୍ଷୁ ତୁମ୍ଭ ଅପେକ୍ଷାରେ ଥାଏ; ତୁମ୍ଭେ ଉପଯୁକ୍ତ ସମୟରେ ସେମାନଙ୍କୁ ଆହାର ଦେଉଅଛ। 16ତୁମ୍ଭେ ଆପଣା ହସ୍ତ ମେଲାଇ ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ କରୁଅଛ। 17ସଦାପ୍ରଭୁ ଆପଣାର ସକଳ ପଥରେ ଧର୍ମମୟ ଓ ଆପଣାର ସମସ୍ତ କାର୍ଯ୍ୟରେ ଦୟାଳୁ ଅଟନ୍ତି, 18ସଦାପ୍ରଭୁ ଆପଣା ନିକଟରେ ପ୍ରାର୍ଥନାକାରୀ, ସତ୍ୟ ଭାବରେ ପ୍ରାର୍ଥନାକାରୀ ସମସ୍ତଙ୍କର ନିକଟବର୍ତ୍ତୀ ଅଟନ୍ତି।

ଦ୍ୱିତୀୟ ପାଠ

ଏଫି 4:1–6

1ଅତଏବ ପ୍ରଭୁଙ୍କ ହେତୁ ବନ୍ଦୀ ଯେ ମୁଁ, ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ତୁମ୍ଭେମାନେ ଯେଉଁ ଆହ୍ୱାନରେ ଅାହୂତ ହୋଇଅଛ, ସେଥିର ଯୋଗ୍ୟ ଆଚରଣ କର, 2ଅର୍ଥାତ୍‍ ସର୍ବପ୍ରକାର ନମ୍ରତା, ମୃଦୁତା, ଦୀର୍ଘ ସହିଷ୍ଣୁତା ଓ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ; 3ଶାନ୍ତିରୂପ ବନ୍ଧନରେ ବାନ୍ଧି ହୋଇ ଆତ୍ମାଙ୍କ ଐକ୍ୟ ରକ୍ଷା କରିବା ନିମନ୍ତେ ଯତ୍ନବାନ ହୁଅ। 4ଏକ ଶରୀର ଓ ଏକ ଆତ୍ମା, ଯେଉଁ ରୂପେ ତୁମ୍ଭେମାନେ ତୁମ୍ଭମାନଙ୍କ ଆହ୍ୱାନର ଏକ ଭରସାରେ ମଧ୍ୟ ଆହୂତ ହୋଇଅଛ; 5ଏକ ପ୍ରଭୁ, ଏକ ବିଶ୍ୱାସ, ଏକ ବାପ୍ତିସ୍ମ, ସମସ୍ତଙ୍କ ଏକ ଈଶ୍ବର ଓ ପିତା; 6ସେ ସମସ୍ତଙ୍କ ଉପରେ, ସମସ୍ତଙ୍କ ମଧ୍ୟରେ ଏବଂ ସମସ୍ତଙ୍କ ଅନ୍ତରରେ ଅଛନ୍ତି।

ସୁସମାଚାର

ଯୋହ 6:1–15

1ଏଥିଉତ୍ତାରେ ଯୀଶୁ ଗାଲିଲୀ ସମୁଦ୍ରର, ଅର୍ଥାତ୍‍, ତିବିରୀୟା ହ୍ରଦର ଆରପାରିକୁ ଗଲେ। 2ଆଉ, ସେ ରୋଗୀମାନଙ୍କ ପ୍ରତି ଯେଉଁ ଯେଉଁ ଆଶ୍ଚର୍ଯ୍ୟକର୍ମ କରୁଥିଲେ, ସେହିସବୁ ଦେଖି ବହୁସଂଖ୍ୟକ ଲୋକ ତାହାଙ୍କ ପଶ୍ଚାତ୍‍ଗମନ କରିବାକୁ ଲାଗିଲେ। 3ସେଥିରେ ଯୀଶୁ ପର୍ବତ ଉପରକୁ ଯାଇ ଆପଣା ଶିଷ୍ୟମାନଙ୍କ ସହିତ ସେଠାରେ ବସିଲେ। 4ସେତେବେଳେ ଯିହୁଦୀମାନଙ୍କ ନିସ୍ତାର ପର୍ବ ନିକଟବର୍ତ୍ତୀ ଥିଲା। 5ପୁଣି, ଯୀଶୁ ଦୃଷ୍ଟିପାତ କରି ବହୁସଂଖ୍ୟକ ଲୋକଙ୍କୁ ଆପଣା ନିକଟକୁ ଆସିବା ଦେଖି ଫିଲିପ୍ପଙ୍କୁ କହିଲେ, “ଏମାନଙ୍କର ଭୋଜନ ନିମନ୍ତେ ଆମ୍ଭେମାନେ କେଉଁଠାରୁ ରୁଟି କିଣିବା?” 6କିନ୍ତୁ ସେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ, କାରଣ ସେ କଅଣ କରିବାକୁ ଯାଉଅଛନ୍ତି, ତାହା ସେ ନିଜେ ଜାଣିଥିଲେ। 7ଫିଲିପ୍ପ ତାହାଙ୍କୁ ଉତ୍ତର ଦେଲେ, ପ୍ରତ୍ୟେକ ଜଣ ଟିକିଏ ପାଇବା ପାଇଁ ଏମାନଙ୍କ ନିମନ୍ତେ ଦୁଇଶହ ଦିନର ମଜୁରୀ ସମାନ ମୂଲ୍ୟର ରୁଟି ଯଥେଷ୍ଟ ନୁହେଁ। 8ଶିମୋନ ପିତରଙ୍କର ଭାଇ ଆନ୍ଦ୍ରିୟ ନାମକ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ଏଠାରେ ଜଣେ ବାଳକ ଅଛି, 9ତାହା ପାଖରେ ଯଅର ପାଞ୍ଚୋଟି ରୁଟି ଓ ଦୁଇଟି ଭଜା ମାଛ ଅଛି, କିନ୍ତୁ ଏତେ ଲୋକଙ୍କ ପାଇଁ ତାହା କଅଣ ହେବ? 10ଯୀଶୁ କହିଲେ, “ଲୋକମାନଙ୍କୁ ବସାଅ।” ସେ ସ୍ଥାନରେ ବହୁତ ଘାସ ଥିଲା। ତେଣୁ ସଂଖ୍ୟାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବସିଲେ। 11ସେଥିରେ ଯୀଶୁ ସେହି ରୁଟି ଘେନି ଧନ୍ୟବାଦ ଦେଇ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଦେଲେ, ସେହି ପ୍ରକାରେ ମାଛ ମଧ୍ୟ ବାଣ୍ଟିଦେଲେ, ସେମାନେ ଯେତେ ଚାହିଁଲେ, ସେତେ ଦେଲେ। 12ଆଉ, ସେମାନେ ପରିତୃପ୍ତ ହୁଅନ୍ତେ, ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ଯେପରି କିଛି ନଷ୍ଟ ନ ହୁଏ, ଏଥିନିମନ୍ତେ ବଳିଥିବା ଭଙ୍ଗା ଖଣ୍ଡଗୁଡ଼ିକ ଏକାଠି କର।” 13ସେଥିରେ ସେମାନେ ସେହିସବୁ ଏକାଠି କଲେ, ପୁଣି, ଲୋକମାନଙ୍କର ଖାଇବା ପରେ ଯଅର ସେହି ପାଞ୍ଚ ରୁଟିରୁ ଯେଉଁ ଭଙ୍ଗାଯାଇଥିବା ଖଣ୍ଡଗୁଡ଼ିକ ବଳିଥିଲା, ସେଥିରେ ସେମାନେ ବାର ଟୋକେଇ ପୂର୍ଣ୍ଣ କଲେ। 14ତେଣୁ ଲୋକମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକର୍ମ ଦେଖି କହିବାକୁ ଲାଗିଲେ, ଜଗତକୁ ଯେଉଁ ଭାବବାଦୀଙ୍କର ଆସିବାର ଥିଲା, ଏ ନିଶ୍ଚୟ ସେହି। 15ଅତଏବ, ସେମାନେ ଆସି ରାଜା କରିବା ନିମନ୍ତେ ଯେ ତାହାଙ୍କୁ ବଳପୂର୍ବକ ଧରିବାକୁ ଉଦ୍ୟତ ଅଟନ୍ତି, ଏହା ଜାଣି ଯୀଶୁ ପୁନର୍ବାର ଅନ୍ତର ହୋଇ ଏକାକୀ ପର୍ବତକୁ ବାହାରିଗଲେ।

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର