ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁଲାଇ 2027 › ଜୁଲାଇ 20
ଅର୍ଥୋଡକ୍ସ ପଞ୍ଜିକା · 7 ଜୁଲାଇ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 20 ଜୁଲାଇ 2027
ମଙ୍ଗଳବାର · ପେଣ୍ଟିକଷ୍ଟ ପରେ ପଞ୍ଚମ ସପ୍ତାହ · ସ୍ୱର 3
ପର୍ବ ଓ ସନ୍ଥ
Venerable Thomas of Mt Maleon (10th C)
ଉପବାସ
ଉପବାସ ନାହିଁ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପତ୍ର
9କାରଣ ଖ୍ରୀଷ୍ଟ ଯେପରି ମୃତ ଓ ଜୀବିତ ଉଭୟଙ୍କ ପ୍ରଭୁ ହୁଅନ୍ତି, ସେହି ଉଦ୍ଦେଶ୍ୟରେ ସେ ମୃତ୍ୟୁଭୋଗ କଲେ, ପୁଣି, ପୁନର୍ଜୀବିତ ହେଲେ। 10କିନ୍ତୁ ତୁମ୍ଭେ କାହିଁକି ଆପଣା ଭାଇର ବିଚାର କରୁଅଛ? କିମ୍ବା ତୁମ୍ଭେ କାହିଁକି ଆପଣା ଭାଇକୁ ତୁଚ୍ଛ କରୁଅଛ? ଆମ୍ଭେମାନେ ସମସ୍ତେ ତ ଈଶ୍ବରଙ୍କ ବିଚାରାସନ ଛାମୁରେ ଠିଆ ହେବା। 11ଯେଣୁ ଲେଖାଅଛି, “ପ୍ରଭୁ କହନ୍ତି, ‘ଆମ୍ଭେ ଜୀବିତ ଥିବା ପ୍ରମାଣେ,’ ‘ପ୍ରତ୍ୟେକ ଆଣ୍ଠୁ ଆମ୍ଭ ଛାମୁରେ ନତ ହେବ, ଆଉ ପ୍ରତ୍ୟେକ ଜିହ୍ୱା ଈଶ୍ବରଙ୍କ ପ୍ରଶଂସା କରିବ।’” 12ଅତଏବ, ଆମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଈଶ୍ବରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ ହେବ। 13ଏଣୁ ଆସ, ଆମ୍ଭେମାନେ ଆଉ ପରସ୍ପରର ବିଚାର ନ କରୁ; ମାତ୍ର କେହି ଯେପରି ଆପଣା ଭାଇର ବାଟରେ ବାଧାଜନକ କିମ୍ବା ବିଘ୍ନଜନକ ବିଷୟ ନ ରଖେ, ଏହା ତୁମ୍ଭେମାନେ ବିଚାର କର। 14ମୁଁ ଜାଣେ ଓ ପ୍ରଭୁ ଯୀଶୁଙ୍କଠାରେ ନିଶ୍ଚୟ ଜ୍ଞାନ କରେ ଯେ, କୌଣସି ବିଷୟ ନିଜେ ଅଶୁଚି ନୁହେଁ, କିନ୍ତୁ ଯେଉଁ ଜଣ କୌଣସି ପଦାର୍ଥକୁ ଅଶୁଚି ବୋଲି ଜ୍ଞାନ କରେ, କେବଳ ତାହାରି ପ୍ରତି ତାହା ଅଶୁଚି। 15କାରଣ ତୁମ୍ଭର ଭାଇ ଯଦି ଖାଦ୍ୟ ହେତୁ ଦୁଃଖିତ ହୁଏ, ତାହାହେଲେ ତୁମ୍ଭେ ଆଉ ପ୍ରେମରେ ଆଚରଣ କରୁ ନାହଁ। ଯାହା ନିମନ୍ତେ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ, ତାହାକୁ ତୁମ୍ଭେ ତୁମ୍ଭର ଖାଦ୍ୟ ଦ୍ୱାରା ବିନାଶ କର ନାହିଁ। 16ଏଣୁ ତୁମ୍ଭମାନଙ୍କର ଉତ୍ତମ ବିଷୟ ନିନ୍ଦିତ ନ ହେଉ; 17କାରଣ ଈଶ୍ବରଙ୍କ ରାଜ୍ୟ ଭୋଜନପାନ ନୁହେଁ, କିନ୍ତୁ ଧାର୍ମିକତା, ଶାନ୍ତି ଓ ପବିତ୍ର ଆତ୍ମାଙ୍କଠାରେ ଆନନ୍ଦ ଅଟେ। 18ଯେଣୁ ଯେ ଏହି ବିଷୟରେ ଖ୍ରୀଷ୍ଟଙ୍କର ସେବା କରେ, ସେ ଈଶ୍ବରଙ୍କ ନିକଟରେ ସୁଗ୍ରାହ୍ୟ ଓ ମନୁଷ୍ୟମାନଙ୍କ ନିକଟରେ ପରୀକ୍ଷାସିଦ୍ଧ ହୁଏ।
ପତ୍ର (ବୁଧବାର ପାଇଁ)
7ଅତଏବ ଈଶ୍ବରଙ୍କ ଗୌରବ ନିମନ୍ତେ ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ଗ୍ରହଣ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ଗ୍ରହଣ କର। 8କାରଣ ମୁଁ କହେ, ଖ୍ରୀଷ୍ଟ, ଈଶ୍ବରଙ୍କ ସତ୍ୟ ନିମନ୍ତେ ସୁନ୍ନତିପ୍ରାପ୍ତ ଲୋକମାନଙ୍କର ସେବକ କରାଯାଇଅଛନ୍ତି, ଯେପରି ସେ ପିତୃପୁରୁଷମାନଙ୍କୁ ପ୍ରଦତ୍ତ ପ୍ରତିଜ୍ଞାସକଳ ସ୍ଥିର କରନ୍ତି, 9ପୁଣି, ଯେପରି ଅଣଯିହୁଦୀମାନେ ଈଶ୍ବରଙ୍କ ଦୟା ନିମନ୍ତେ ତାହାଙ୍କର ଗୌରବ କରନ୍ତି; ଯେପରି ଲେଖାଅଛି, “ଏଥିପାଇଁ ମୁଁ ଅଣଯିହୁଦୀମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରିବି, ଆଉ ତୁମ୍ଭ ନାମର କୀର୍ତ୍ତନ କରିବି।” 10ପୁନଶ୍ଚ ସେ କହନ୍ତି, “ହେ ଅଣଯିହୁଦୀମାନେ, ତୁମ୍ଭେମାନେ ତାହାଙ୍କ ଲୋକମାନଙ୍କ ସହିତ ଆନନ୍ଦ କର।” 11ପୁନଶ୍ଚ, “ହେ ଅଣଯିହୁଦୀ ସମସ୍ତେ ପ୍ରଭୁଙ୍କ ପ୍ରଶଂସା କର, ଆଉ, ଲୋକମାନେ ସମସ୍ତେ ତାହାଙ୍କର ପ୍ରଶଂସା କରନ୍ତୁ।” 12ପୁନର୍ବାର ଯିଶାଇୟ କହନ୍ତି, “ଯିଶୀଙ୍କ ମୂଳ ରହିବ, ଆଉ ଯେ ଅଣଯିହୁଦୀଙ୍କ ଉପରେ ଶାସନ କରିବାକୁ ଉଠିବେ, ଅଣଯିହୁଦୀମାନେ ତାହାଙ୍କ ଉପରେ ଭରସା ରଖିବେ।” 13ସେହି ଭରସାର ଈଶ୍ବର ତୁମ୍ଭମାନଙ୍କୁ ବିଶ୍ୱାସ ଦ୍ୱାରା ସମସ୍ତ ଆନନ୍ଦ ଓ ଶାନ୍ତିରେ ପରିପୂର୍ଣ୍ଣ କରନ୍ତୁ, ଯେପରି ତୁମ୍ଭେମାନେ ପବିତ୍ର ଆତ୍ମାଙ୍କ ଶକ୍ତିରେ ଭରସାର ପ୍ରଚୁରତା ଅନୁଭବ କର। 14ଆଉ ହେ ମୋହର ଭାଇମାନେ, ତୁମ୍ଭେମାନେ ଯେ ଆପେ ଆପେ ଉତ୍ତମତା ଓ ସମସ୍ତ ଜ୍ଞାନରେ ପରିପୂର୍ଣ୍ଣ; ପୁଣି, ପରସ୍ପରକୁ ଚେତନା ଦେବା ନିମନ୍ତେ ମଧ୍ୟ ସକ୍ଷମ, ଏହା ମୁଁ ନିଜେ ସୁଦ୍ଧା ତୁମ୍ଭମାନଙ୍କ ବିଷୟରେ ନିଶ୍ଚୟ ବୋଧ କରୁଅଛି। 15ତଥାପି ମୋତେ ଈଶ୍ବରଙ୍କ କର୍ତ୍ତୃକ ଦିଆଯାଇଥିବା ଅନୁଗ୍ରହ ହେତୁ ମୁଁ ତୁମ୍ଭମାନଙ୍କୁ ପୁନର୍ବାର ସ୍ମରଣ କରାଇବା ନିମନ୍ତେ କେତେକ ପରିମାଣରେ ଅଧିକ ସାହସ ସହିତ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି। 16କାରଣ ଅଣଯିହୁଦୀମାନେ ଯେପରି ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ନୈବେଦ୍ୟ ସ୍ୱରୂପେ ସୁଗ୍ରାହ୍ୟ ହୁଅନ୍ତି, ଏଥିନିମନ୍ତେ ସେମାନଙ୍କ ନିକଟରେ ଖ୍ରୀଷ୍ଟ ଯୀଶୁଙ୍କ ସେବକ ହୋଇ ଈଶ୍ବରଙ୍କ ସୁସମାଚାରର ଯାଜକତ୍ୱ କରିବା ପାଇଁ ମୋତେ ସେହି ଅନୁଗ୍ରହ ଦତ୍ତ ହୋଇଅଛି।
ସୁସମାଚାର
14କିନ୍ତୁ ଫାରୂଶୀମାନେ ବାହାରିଯାଇ ତାହାଙ୍କୁ ବିନାଶ କରିବା ପାଇଁ ତାହାଙ୍କ ବିରୁଦ୍ଧରେ ମନ୍ତ୍ରଣା କଲେ। 15ଯୀଶୁ ତାହା ଜାଣି ସେଠାରୁ ଅଲଗା ହୋଇ ବାହାରିଗଲେ, ପୁଣି, ଅନେକେ ତାହାଙ୍କ ପଛେ ପଛେ ଗଲେ, ଆଉ ସେ ସମସ୍ତଙ୍କୁ ସୁସ୍ଥ କଲେ 16ଏବଂ ତାହାଙ୍କୁ ପ୍ରକାଶ ନ କରିବା ପାଇଁ ସେ ସେମାନଙ୍କୁ ଦୃଢ଼ରୂପେ ଆଜ୍ଞା ଦେଲେ, 22ସେହି ସମୟରେ ଜଣେ ଭୂତଗ୍ରସ୍ତ ଅନ୍ଧ ଘୁଙ୍ଗାଲୋକକୁ ତାହାଙ୍କ ନିକଟକୁ ଅଣାଗଲା, ଆଉ ସେ ତାହାଙ୍କୁ ସୁସ୍ଥ କଲେ; ସେଥିରେ ସେହି ଘୁଙ୍ଗା କଥା କହି ପାରିଲା ଓ ଦେଖି ପାରିଲା। 23ପୁଣି, ଲୋକସମୂହ ଆଚମ୍ଭିତ ହୋଇ କହିବାକୁ ଲାଗିଲେ ଏ କଅଣ ଦାଉଦଙ୍କ ସନ୍ତାନ ନୁହଁନ୍ତି? 24ମାତ୍ର ଫାରୂଶୀମାନେ ତାହା ଶୁଣି କହିଲେ, ଏ ଲୋକଟା ଭୂତପତି ବାଲ୍ଜିବୂଲ୍ର ବିନା ସାହାଯ୍ୟରେ ଭୂତ ଛଡ଼ାଏ ନାହିଁ। 25କିନ୍ତୁ ସେ ସେମାନଙ୍କ ମନର ଚିନ୍ତା ଜାଣି ସେମାନଙ୍କୁ କହିଲେ, “ଯେକୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ ତାହା ଧ୍ୱଂସ ହୋଇ ଯାଏ; ପୁଣି, ଯେକୌଣସି ନଗରରେ କିମ୍ବା ଗୃହ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ସ୍ଥିର ହୋଇ ରହିବ ନାହିଁ। 26ଆଉ, ଶୟତାନ ଯଦି ଶୟତାନକୁ ଛଡ଼ାଏ, ତାହାହେଲେ ସେ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲାଣି ତେବେ ତାହାର ରାଜ୍ୟ କିପ୍ରକାରେ ସ୍ଥିର ହୋଇ ରହିବ? 27ମୁଁ ଯେବେ ବାଲ୍ଜିବୂଲ୍ର ସାହାଯ୍ୟରେ ଭୂତମାନଙ୍କୁ ବାହାର କରେ ତେବେ ତୁମ୍ଭମାନଙ୍କ ସନ୍ତାନଗଣ କାହା ସାହାଯ୍ୟରେ ସେମାନଙ୍କୁ ବାହାର କରନ୍ତି। ଏଣୁ ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ। 28କିନ୍ତୁ ମୁଁ ଯଦି ଈଶ୍ବରଙ୍କ ଆତ୍ମାଙ୍କ ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତ ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲାଣି। 29ଅବା କେହି ପ୍ରଥମେ ବଳବାନ ଲୋକଙ୍କୁ ନ ବାନ୍ଧିଲେ କିପ୍ରକାରେ ତାହା ଘରେ ପ୍ରବେଶ କରି ତାହାର ଅସ୍ତ୍ରଶସ୍ତ୍ର ସବୁ ଚୋରି କରିପାରେ? ତାହାକୁ ଆଗେ ବାନ୍ଧିଲେ ସିନା ତାହାର ଗୃହ ଲୁଣ୍ଠନ କରିବ। 30ଯେ ମୋହର ସପକ୍ଷ ନୁହେଁ, ସେ ମୋହର ବିପକ୍ଷ, ପୁଣି, ଯେ ମୋʼ ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ।
ସୁସମାଚାର (ବୁଧବାର ପାଇଁ)
38ସେତେବେଳେ ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ମଧ୍ୟରୁ କେତେକ ଜଣ ତାହାଙ୍କୁ ଉତ୍ତର ଦେଲେ ହେ ଗୁରୁ, ଆମ୍ଭେମାନେ ଆପଣଙ୍କଠାରୁ ଗୋଟିଏ ଚିହ୍ନ ଦେଖିବାକୁ ଇଚ୍ଛା କରୁଅଛୁ। 39କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, “ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଚିହ୍ନ ଅନ୍ୱେଷଣ କରନ୍ତି, ମାତ୍ର ଭାବବାଦୀ ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ। 40କାରଣ ଯୂନସ ଯେପରି ତିନି ଦିନ ଓ ତିନି ରାତି ଏକ ବୃହତ୍ ମତ୍ସ୍ୟର ପେଟରେ ଥିଲେ, ମନୁଷ୍ୟପୁତ୍ର ସେହିପରି ତିନି ଦିନ ଓ ତିନି ରାତି ଭୂଗର୍ଭରେ ରହିବେ। 41ନୀନିବୀ ସହରର ଲୋକମାନେ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ, କାରଣ ସେମାନେ ଯୂନସଙ୍କ ପ୍ରଚାରରେ ମନ-ପରିବର୍ତ୍ତନ କଲେ, ଆଉ ଦେଖ, ଯୂନସଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି। 42ଆଉ, ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଲେ, ଆଉ ଦେଖ, ଶଲୋମନଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି।” 43“ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରିଗଲା ପରେ ଜଳଶୂନ୍ୟ ସ୍ଥାନ ସବୁ ଭ୍ରମଣ କରି ବିଶ୍ରାମ ଖୋଜେ ଓ ତାହା ପାଏ ନାହିଁ। 44ସେଥିରେ ସେ କୁହେ, ମୁଁ ଯେଉଁ ଘରୁ ବାହାରି ଆସିଲି, ମୋହର ସେହି ଘରକୁ ଫେରିଯିବି; ପୁଣି, ସେ ଆସି ତାହା ଶୂନ୍ୟ, ମାର୍ଜିତ ଓ ସୁଶୋଭିତ ଦେଖେ। 45ସେତେବେଳେ ସେ ଯାଇ ଆପଣାଠାରୁ ଅଧିକ ମନ୍ଦ ଆଉ ସାତଟା ଆତ୍ମା ସାଙ୍ଗରେ ନେଇ ଆସେ, ପୁଣି, ସେମାନେ ପ୍ରବେଶ କରି ସେଠାରେ ବାସ କରନ୍ତି ଆଉ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ମନ୍ଦ ହୁଏ। ଏହି ଦୁଷ୍ଟ ପୁରୁଷ ପ୍ରତି ମଧ୍ୟ ସେହି ପ୍ରକାର ଘଟିବ।”
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଜୁଲାଇ 7 ନାଗରିକ ପଞ୍ଜିକାର ଜୁଲାଇ 20। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର