ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁଲାଇ 2027 › ଜୁଲାଇ 18
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 18 ଜୁଲାଇ 2027
ରବିବାର · ସାଧାରଣ କାଳର 16ତମ ସପ୍ତାହ
ପର୍ବ ଓ ସନ୍ଥ
ସାଧାରଣ କାଳର 16ତମ ରବିବାର
ରବିବାର · ଉପାସନାର ରଙ୍ଗ: ସବୁଜ
ଦିନର ପାଠ
ପ୍ରଥମ ପାଠ
1ସଦାପ୍ରଭୁ କହନ୍ତି, “ଯେଉଁ ପାଳକମାନେ ଆମ୍ଭ ଚରାସ୍ଥାନର ମେଷମାନଙ୍କୁ ନଷ୍ଟ ଓ ଛିନ୍ନଭିନ୍ନ କରନ୍ତି, ସେମାନେ ସନ୍ତାପର ପାତ୍ର!” 2ଏନିମନ୍ତେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କର ପାଳନକାରୀ ପାଳକମାନଙ୍କ ବିରୁଦ୍ଧରେ ଏହି କଥା କହନ୍ତି; “ତୁମ୍ଭେମାନେ ଆମ୍ଭର ପଲକୁ ଛିନ୍ନଭିନ୍ନ କରି ଦୂରକୁ ତଡ଼ି ଦେଇଅଛ ଓ ସେମାନଙ୍କର ତତ୍ତ୍ୱାନୁସନ୍ଧାନ କରି ନାହଁ, ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ ଦୁଷ୍କର୍ମର ପ୍ରତିଫଳ ଦେବା। 3ପୁଣି, ଆମ୍ଭେ ଯେଉଁ ଯେଉଁ ଦେଶକୁ ଆପଣା ପଲକୁ ତଡ଼ି ଦେଇଅଛୁ, ସେହି ସବୁ ଦେଶରୁ ସେମାନଙ୍କର ଅବଶିଷ୍ଟାଂଶ ସଂଗ୍ରହ କରିବା, ଆଉ ପୁନର୍ବାର ସେମାନଙ୍କୁ ସେମାନଙ୍କ ଖୁଆଡ଼କୁ ଆଣିବା; ତହିଁରେ ସେମାନେ ପ୍ରଜାବନ୍ତ ଓ ବହୁସଂଖ୍ୟକ ହେବେ। 4ଆଉ, ଆମ୍ଭେ ସେମାନଙ୍କ ଉପରେ ପାଳକଗଣ ନିଯୁକ୍ତ କରିବା, ସେମାନେ ସେମାନଙ୍କୁ ଚରାଇବେ; ପୁଣି, ସେମାନେ ଆଉ ଭୀତ କି ନିରାଶ ହେବେ ନାହିଁ, କିଅବା ସେମାନଙ୍କର କେହି ଅନୁପସ୍ଥିତ ହେବେ ନାହିଁ, ଏହା ସଦାପ୍ରଭୁ କହନ୍ତି। 5ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଦାଉଦ-ବଂଶରେ ଏକ ଧାର୍ମିକ ଶାଖା ଉତ୍ପନ୍ନ କରିବା, ଏପରି ସମୟ ଆସୁଅଛି, ତହିଁରେ ସେ ରାଜା ହୋଇ ରାଜତ୍ୱ କରିବେ ଓ ଜ୍ଞାନରେ ବ୍ୟବହାର କରିବେ, ପୁଣି ଦେଶରେ ସୁବିଚାର ଓ ନ୍ୟାୟ ପ୍ରଚଳିତ କରିବେ। 6ତାହାଙ୍କ ସମୟରେ ଯିହୁଦା ପରିତ୍ରାଣ ପାଇବ ଓ ଇସ୍ରାଏଲ ନିରାପଦରେ ବାସ କରିବ; ପୁଣି, ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ, ଏହି ନାମରେ ସେ ବିଖ୍ୟାତ ହେବେ।
ପ୍ରତିଉତ୍ତର ଗୀତ
1ଦାଉଦଙ୍କର ଗୀତ। ସଦାପ୍ରଭୁ ମୋହର ପ୍ରତିପାଳକ; ମୋହର ଅଭାବ ହେବ ନାହିଁ। 2ସେ କୋମଳ ତୃଣମୟ ସ୍ଥାନରେ ମୋତେ ଶୟନ କରାନ୍ତି; ସେ ସ୍ଥିର ଜଳ ପାଖେ ପାଖେ ମୋତେ କଢ଼ାଇ ନିଅନ୍ତି। 3ସେ ମୋʼ ପ୍ରାଣକୁ ସୁସ୍ଥ କରନ୍ତି, ସେ ଆପଣା ନାମ ସକାଶୁ ଧର୍ମ ପଥରେ ମୋତେ କଢ଼ାଇ ନିଅନ୍ତି। 4ଏଣୁ ମୁଁ ମୃତ୍ୟୁଚ୍ଛାୟାରୂପ ଉପତ୍ୟକା ଦେଇ ଗମନ କଲେ ହେଁ କୌଣସି ଆପଦକୁ ଭୟ କରିବି ନାହିଁ; କାରଣ ତୁମ୍ଭେ ମୋହର ସହବର୍ତ୍ତୀ, ତୁମ୍ଭର ପାଞ୍ଚଣ ଓ ତୁମ୍ଭର ବାଡ଼ି ମୋତେ ସାନ୍ତ୍ୱନା ଦିଅନ୍ତି। 5ତୁମ୍ଭେ ମୋʼ ଶତ୍ରୁଗଣଙ୍କ ସାକ୍ଷାତରେ ମୋʼ ସମ୍ମୁଖରେ ମେଜ ସଜାଉଅଛ; ତୁମ୍ଭେ ତୈଳରେ ମୋʼ ମସ୍ତକ ସିକ୍ତ କରିଅଛ; ମୋʼ ପାନପାତ୍ର ଉଚ୍ଛୁଳି ପଡ଼ୁଅଛି। 6ନିଶ୍ଚୟ ମଙ୍ଗଳ ଓ ଦୟା ମୋହର ଜୀବନଯାଏ ମୋହର ପଶ୍ଚାଦ୍ଗାମୀ ହେବ; ପୁଣି, ମୁଁ ସର୍ବଦା ସଦାପ୍ରଭୁଙ୍କ ଗୃହରେ ବାସ କରିବି।
ଦ୍ୱିତୀୟ ପାଠ
13କିନ୍ତୁ ପୂର୍ବେ ତୁମ୍ଭେମାନେ ଦୂରରେ ଥିଲ ଯେ, ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ରକ୍ତ ଦ୍ୱାରା ନିକଟସ୍ଥ ହୋଇଅଛ। 14କାରଣ ସେ ତ ଆମ୍ଭମାନଙ୍କ ଶାନ୍ତି, ସେ ଶତ୍ରୁତାରୂପ ମଧ୍ୟବର୍ତ୍ତୀ ବିଚ୍ଛେଦ-ପ୍ରାଚୀର ଭଗ୍ନ କରି ଉଭୟକୁ ଏକ କରିଅଛନ୍ତି, 15ପୁଣି, ବିଧିବିଧାନଯୁକ୍ତ ଆଜ୍ଞାମୂଳକ ବ୍ୟବସ୍ଥାକୁ ଆପଣା ଶରୀରରେ ରହିତ କରିଅଛନ୍ତି, ଯେପରି ସେ ଶାନ୍ତି ସ୍ଥାପନ କରି ଉଭୟକୁ ଆପଣାଠାରେ ଜଣେ ନୂଆ ଲୋକ ସ୍ୱରୂପେ ସୃଷ୍ଟି କରନ୍ତି, 16ଆଉ କ୍ରୁଶ ଦ୍ୱାରା ଶତ୍ରୁତା ବିନାଶ କରି ତଦ୍ୱାରା ଉଭୟକୁ ଏକ ଶରୀର ସ୍ୱରୂପ ଗଠନ କରି ଈଶ୍ବରଙ୍କ ସହିତ ମିଳିତ କରାନ୍ତି। 17ଆଉ ତୁମ୍ଭେମାନେ ଯେ ଈଶ୍ବରଙ୍କଠାରୁ ଦୂରରେ ଥିଲ, ଉଭୟଙ୍କ ନିକଟରେ ଖ୍ରୀଷ୍ଟ ଆସି ଶାନ୍ତିର ସୁସମାଚାର ପ୍ରଚାର କଲେ; 18କାରଣ ତାହାଙ୍କ ଦେଇ ଆମ୍ଭେମାନେ ଉଭୟ ଏକ ଆତ୍ମାଙ୍କ ଦ୍ୱାରା ପିତାଙ୍କ ନିକଟକୁ ଯିବା ପାଇଁ ପଥ ପାଇଅଛୁ।
ସୁସମାଚାର
30ପରେ ପ୍ରେରିତମାନେ ଯୀଶୁଙ୍କ ନିକଟରେ ଏକତ୍ର ହେଲେ, ଆଉ ସେମାନେ ଯାହା ଯାହା କରିଥିଲେ ଓ ଯାହା ଯାହା ଶିକ୍ଷା ଦେଇଥିଲେ, ସେହିସବୁ ତାହାଙ୍କୁ ଜଣାଇଲେ। 31ସେଥିରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଅଲଗା ହୋଇ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ କିଛି ସମୟ ବିଶ୍ରାମ କର।” କାରଣ ଅନେକ ଲୋକ ଯିବା ଆସିବା କରୁଥିବାରୁ ସେମାନଙ୍କର ଭୋଜନ କରିବାକୁ ସୁଦ୍ଧା ସୁଯୋଗ ନ ଥିଲା। 32ତହିଁରେ ସେମାନେ ଅଲଗା ହୋଇ ନୌକାରେ ଗୋଟିଏ ନିର୍ଜନ ସ୍ଥାନକୁ ବାହାରିଗଲେ। 33କିନ୍ତୁ ଅନେକେ ସେମାନଙ୍କୁ ବାହାରି ଯିବାର ଦେଖିଲେ ଓ ଚିହ୍ନିଲେ, ପୁଣି, ଲୋକମାନେ ସମସ୍ତ ନଗରରୁ ପାଦଗତିରେ ସେଠାକୁ ଏକତ୍ର ଦୌଡ଼ିଯାଇ ସେମାନଙ୍କ ଆଗରେ ପହଞ୍ଚିଲେ। 34ସେ ନୌକାରୁ ବାହାରି ବହୁସଂଖ୍ୟକ ଲୋକଙ୍କୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଥିଲେ; ପୁଣି, ସେ ସେମାନଙ୍କୁ ଅନେକ ବିଷୟ ଶିକ୍ଷା ଦେବାକୁ ଲାଗିଲେ।
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର