Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁଲାଇ 2027 › ଜୁଲାଇ 17

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 17 ଜୁଲାଇ 2027

ଶନିବାର · ସାଧାରଣ କାଳର 15ତମ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର 15ତମ ସପ୍ତାହର ଶନିବାର

ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ସବୁଜ

ଶନିବାରରେ ଧନ୍ୟା କୁମାରୀ ମରୀୟମଙ୍କ ସ୍ମୃତି ଦିବସ · ଇଚ୍ଛାଧୀନ ସ୍ମୃତି ଦିବସ

ଦିନର ପାଠ

ପ୍ରଥମ ପାଠ

ଯାତ୍ରା 12:37–42

37ଏଥିଉତ୍ତାରେ ଇସ୍ରାଏଲ ସନ୍ତାନମାନେ ବାଳକ ବ୍ୟତୀତ ପ୍ରାୟ ଛଅ ଲକ୍ଷ ପୁରୁଷ ପାଦଗତିରେ ରାମିଷେଷ୍‍ଠାରୁ ସୁକ୍କୋତକୁ ଯାତ୍ରା କଲେ। 38ପୁଣି, ମିଶ୍ରିତ ଲୋକମାନଙ୍କର ଏକ ମହାଜନତା ଓ ଗୋମେଷାଦି ଅନେକ ଅନେକ ପଶୁ ସେମାନଙ୍କ ସହିତ ପ୍ରସ୍ଥାନ କଲେ। 39ଏଥିଉତ୍ତାରେ ସେମାନେ ମିସରଠାରୁ ଆନୀତ ଚକଟା ମଇଦାରେ ତାଡ଼ିଶୂନ୍ୟ ରୁଟି ପ୍ରସ୍ତୁତ କଲେ; କାରଣ ତାହା ତାଡ଼ି ମିଶ୍ରିତ ହୋଇ ନ ଥିଲା; ଯେହେତୁ ସେମାନେ ମିସରରୁ ତାଡ଼ିତ ହୋଇଥିଲେ, ଏଥିପାଇଁ ବିଳମ୍ବ କରି ନ ପାରିବାରୁ ଆପଣା ଆପଣା ନିମନ୍ତେ କିଛି ଖାଦ୍ୟ ପ୍ରସ୍ତୁତ କରିପାରି ନ ଥିଲେ। 40ଇସ୍ରାଏଲ ବଂଶ ଚାରି ଶହ ତିରିଶ ବର୍ଷ ପର୍ଯ୍ୟନ୍ତ ମିସର ଦେଶରେ ପ୍ରବାସ କରିଥିଲେ। 41ସେହି ଚାରି ଶହ ତିରିଶ ବର୍ଷ ଶେଷରେ, ସେହି ଦିନରେ ସଦାପ୍ରଭୁଙ୍କ ସୈନ୍ୟସମୂହ ମିସରରୁ ବାହାର ହେଲେ। 42ମିସର ଦେଶରୁ ସେମାନେ ବାହାର ହେବା ସକାଶୁ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅତ୍ୟନ୍ତ ପାଳନୀୟ ରାତ୍ରି; ତାହା ସଦାପ୍ରଭୁଙ୍କ ରାତ୍ରି ବୋଲି ଇସ୍ରାଏଲ ସନ୍ତାନମାନଙ୍କର ପୁରୁଷାନୁକ୍ରମେ ବିଶେଷ ପାଳନୀୟ ଅଟଇ।

ପ୍ରତିଉତ୍ତର ଗୀତ

ଗୀତ 136:1, 23–24, 10–15

1ସଦାପ୍ରଭୁଙ୍କର ଧନ୍ୟବାଦ କର; କାରଣ ସେ ମଙ୍ଗଳମୟ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 23ଆମ୍ଭମାନଙ୍କ ହୀନାବସ୍ଥା ସମୟରେ ଆମ୍ଭମାନଙ୍କୁ ସ୍ମରଣ କଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 24ପୁଣି, ଆମ୍ଭମାନଙ୍କ ବିପକ୍ଷଗଣଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 10ପ୍ରଥମଜାତମାନଙ୍କୁ (ସଂହାର କରିବା ଦ୍ୱାରା) ମିସରକୁ ଆଘାତ କଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 11ପୁଣି, ସେମାନଙ୍କ ମଧ୍ୟରୁ ଇସ୍ରାଏଲକୁ ବାହାର କରି ଆଣିଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 12ବଳବାନ ହସ୍ତ ଓ ବିସ୍ତୃତ ବାହୁ ଦ୍ୱାରା ତାହା କଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 13ଯେ ସୂଫ ସାଗରକୁ ବିଭକ୍ତ କଲେ, ତାହାଙ୍କର (ଧନ୍ୟବାଦ କର); କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 14ତହିଁ ମଧ୍ୟଦେଇ ଇସ୍ରାଏଲକୁ ପାର କରାଇଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 15ମାତ୍ର ଫାରୋ ଓ ତାହାର ସୈନ୍ୟଗଣକୁ ସୂଫ ସାଗରରେ ଠେଲି ଦେଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ;

ସୁସମାଚାର

ମାଥି 12:14–21

14କିନ୍ତୁ ଫାରୂଶୀମାନେ ବାହାରିଯାଇ ତାହାଙ୍କୁ ବିନାଶ କରିବା ପାଇଁ ତାହାଙ୍କ ବିରୁଦ୍ଧରେ ମନ୍ତ୍ରଣା କଲେ। 15ଯୀଶୁ ତାହା ଜାଣି ସେଠାରୁ ଅଲଗା ହୋଇ ବାହାରିଗଲେ, ପୁଣି, ଅନେକେ ତାହାଙ୍କ ପଛେ ପଛେ ଗଲେ, ଆଉ ସେ ସମସ୍ତଙ୍କୁ ସୁସ୍ଥ କଲେ 16ଏବଂ ତାହାଙ୍କୁ ପ୍ରକାଶ ନ କରିବା ପାଇଁ ସେ ସେମାନଙ୍କୁ ଦୃଢ଼ରୂପେ ଆଜ୍ଞା ଦେଲେ, 17ଯେପରି, ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, 18ଦେଖ, ଆମ୍ଭର ଦାସ, ଯାହାଙ୍କୁ ଆମ୍ଭେ ମନୋନୀତ କରିଅଛୁ; ଆମ୍ଭର ପ୍ରିୟପାତ୍ର, ଯାହାଙ୍କଠାରେ ଆମ୍ଭ ଆତ୍ମାର ପରମ ସନ୍ତୋଷ; ଆମ୍ଭେ ତାହାଙ୍କ ଉପରେ ଆପଣା ଆତ୍ମା ଅଧିଷ୍ଠାନ କରାଇବା, ଆଉ ସେ ଅଣଯିହୁଦୀମାନଙ୍କ ପାଖରେ ନ୍ୟାୟବିଚାର ପ୍ରଚାର କରିବେ। 19ସେ ବିବାଦ କରିବେ ନାହିଁ, କିମ୍ବା ଉଚ୍ଚସ୍ୱର କରିବେ ନାହିଁ, କିମ୍ବା ଦାଣ୍ଡରେ କେହି ତାହାଙ୍କ ସ୍ୱର ଶୁଣିବ ନାହିଁ। 20ନ୍ୟାୟକୁ ଜୟଯୁକ୍ତ ନ କରିବା ପର୍ଯ୍ୟନ୍ତ ସେ ଛେଚା-ନଳ ଭାଙ୍ଗିବେ ନାହିଁ, ପୁଣି, ସଧୂମ ସଳିତା ଲିଭାଇବେ ନାହିଁ। 21ଆଉ, ତାହାଙ୍କ ନାମରେ ଅଣଯିହୁଦୀମାନେ ଭରସା ରଖିବେ।

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର