Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁଲାଇ 2027 › ଜୁଲାଇ 12

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 12 ଜୁଲାଇ 2027

ସୋମବାର · ସାଧାରଣ କାଳର 15ତମ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର 15ତମ ସପ୍ତାହର ସୋମବାର

ସାଧାରଣ ଦିନ · ଉପାସନାର ରଙ୍ଗ: ସବୁଜ

ଦିନର ପାଠ

ପ୍ରଥମ ପାଠ

ଯାତ୍ରା 1:8–14, 22

8ଏଥିଉତ୍ତାରେ ଯେ ଯୋଷେଫଙ୍କୁ ଜାଣି ନ ଥିଲେ, ଏପରି ଏକ ନୂତନ ରାଜା ମିସର ଦେଶରେ ହେଲେ। 9ସେ ଆପଣା ଲୋକମାନଙ୍କୁ କହିଲେ, “ଦେଖ, ଇସ୍ରାଏଲ ସନ୍ତାନମାନଙ୍କ ବଂଶ, ବଳରେ ଓ ସଂଖ୍ୟାରେ ଆମ୍ଭମାନଙ୍କଠାରୁ ଅଧିକ ଅଟନ୍ତି। 10ସେମାନେ ଯେପରି ବର୍ଦ୍ଧିତ ନ ହୁଅନ୍ତି, ପୁଣି, ଯୁଦ୍ଧ ଘଟିଲେ, ଆମ୍ଭମାନଙ୍କର ଶତ୍ରୁପକ୍ଷ ହୋଇ ଆମ୍ଭମାନଙ୍କ ସଙ୍ଗେ ଯୁଦ୍ଧ ନ କରନ୍ତି ଓ ଏ ଦେଶରୁ ପ୍ରସ୍ଥାନ ନ କରନ୍ତି, ଏଥିପାଇଁ ଆସ, ଆମ୍ଭେମାନେ ସେମାନଙ୍କ ସଙ୍ଗେ ସାବଧାନ ହୋଇ ବ୍ୟବହାର କରୁ।” 11ଏଥିଉତ୍ତାରେ ସେମାନେ ଭାର ବହନ ଦ୍ୱାରା ସେମାନଙ୍କୁ କ୍ଳେଶ ଦେବା ପାଇଁ ସେମାନଙ୍କ ଉପରେ କାର୍ଯ୍ୟଶାସକମାନଙ୍କୁ ନିଯୁକ୍ତ କଲେ, ପୁଣି, ସେମାନଙ୍କ ଦ୍ୱାରା ଫାରୋଙ୍କ ନିମନ୍ତେ ଭଣ୍ଡାରର ନଗର, ଅର୍ଥାତ୍‍, ପିଥୋମ୍‍ ଓ ରାମିଷେଷ୍‍ ନିର୍ମାଣ କରାଇଲେ। 12ମାତ୍ର ସେମାନେ ସେମାନଙ୍କୁ ଯେତେ ଅଧିକ କ୍ଳେଶ ଦେଲେ, ସେମାନେ ସେତେ ଅଧିକ ବୃଦ୍ଧି ପାଇଲେ, ପୁଣି, ସେତେ ଅଧିକ ବ୍ୟାପିଗଲେ। ଏହେତୁ ଇସ୍ରାଏଲର ସନ୍ତାନମାନଙ୍କ ନିମନ୍ତେ ସେମାନେ ଅତିଶୟ ଉଦ୍‍ବିଗ୍ନ ହେଲେ। 13ତହିଁରେ ମିସରୀୟ ଲୋକମାନେ ନିର୍ଦ୍ଦୟ ଭାବରେ ଇସ୍ରାଏଲ ସନ୍ତାନମାନଙ୍କୁ ଦାସ୍ୟକର୍ମ କରାଇଲେ। 14ପୁଣି, କାଦୁଅ, ଇଟା ଓ ବିଲର ସବୁ କର୍ମାଦି କଠିନ ଦାସ୍ୟକର୍ମ ଦ୍ୱାରା ସେମାନଙ୍କ ପ୍ରାଣକୁ ବିରକ୍ତ କରିବାକୁ ଲାଗିଲେ। ସେମାନେ ଯେଉଁ ସମସ୍ତ ଦାସ୍ୟକର୍ମ କରାଇଲେ; ସେହି ସମସ୍ତ ନିର୍ଦ୍ଦୟ ଭାବରେ କରାଇଲେ। 22ଏଥିଉତ୍ତାରେ ଫାରୋ ଆପଣା ସମସ୍ତ ପ୍ରଜାଙ୍କୁ ଏହି ଆଜ୍ଞା ଦେଲେ, “ତୁମ୍ଭେମାନେ ନବଜାତ ପ୍ରତ୍ୟେକ ପୁତ୍ରସନ୍ତାନକୁ ନୀଳ ନଦୀରେ ନିକ୍ଷେପ କର, ମାତ୍ର ପ୍ରତ୍ୟେକ କନ୍ୟାକୁ ଜୀବିତ ରଖ।”

ପ୍ରତିଉତ୍ତର ଗୀତ

ଗୀତ 124:1–8

1ଆରୋହଣ ଗୀତ; ଦାଉଦଙ୍କ ରଚିତ। ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥାଆନ୍ତେ, ଇସ୍ରାଏଲ ଏବେ କହୁନ୍ତୁ; 2ଲୋକମାନେ ଆମ୍ଭମାନଙ୍କ ପ୍ରତିକୂଳରେ ଉଠିଲା ବେଳେ, ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥାଆନ୍ତେ; 3ତେବେ ଆମ୍ଭମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ ପ୍ରଜ୍ୱଳିତ ହେବା ବେଳେ ସେମାନେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥାʼନ୍ତେ; 4ତେବେ ଜଳରାଶି ଆମ୍ଭମାନଙ୍କୁ ମଗ୍ନ କରିଥାʼନ୍ତା, ସ୍ରୋତ ଆମ୍ଭମାନଙ୍କର ପ୍ରାଣ ଉପର ଦେଇ ଯାଇଥାʼନ୍ତା 5ତେବେ ଗର୍ବିତ ଜଳରାଶି ଆମ୍ଭମାନଙ୍କ ପ୍ରାଣ ଉପର ଦେଇ ଯାଇଥାʼନ୍ତା। 6ସଦାପ୍ରଭୁ ଧନ୍ୟ ହେଉନ୍ତୁ, ସେ ଆମ୍ଭମାନଙ୍କୁ ଭକ୍ଷ୍ୟ ସ୍ୱରୂପ ହେବା ପାଇଁ ସେମାନଙ୍କ ଦନ୍ତକୁ ଦେଇ ନାହାନ୍ତି। 7ବ୍ୟାଧର ଫାନ୍ଦରୁ ପକ୍ଷୀ ପରି ଆମ୍ଭମାନଙ୍କ ପ୍ରାଣ ରକ୍ଷା ପାଇଅଛି; ଫାନ୍ଦ ଛିଣ୍ଡିଗଲା, ଆମ୍ଭେମାନେ ରକ୍ଷା ପାଇଲୁ। 8ଆକାଶ ଓ ପୃଥିବୀର ନିର୍ମାଣକର୍ତ୍ତା ସଦାପ୍ରଭୁଙ୍କ ନାମରେ ଆମ୍ଭମାନଙ୍କର ସାହାଯ୍ୟ ଥାଏ।

ସୁସମାଚାର

ମାଥି 10:34–11:1

34“ମୁଁ ଯେ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି, ଏହା ମନେ କର ନାହିଁ; ଶାନ୍ତି ଦେବାକୁ ନ ଆସି ବରଂ ଖଡ୍ଗ ଦେବାକୁ ଆସିଅଛି। 35କାରଣ ମୁଁ ‘ପିତାଙ୍କ ସହିତ ପୁତ୍ରର ଓ ମାତା ସହିତ କନ୍ୟାର ପୁଣି, ଶାଶୁ ସହିତ ବୋହୁର ବିରୋଧ ବଢ଼ାଇବାକୁ ଆସିଅଛି, 36ଆଉ ମନୁଷ୍ୟର ନିଜ ପରିଜନ ହିଁ ତାହାର ଶତ୍ରୁ ହେବେ।’ 37ଯେ ପିତା କି ମାତାକୁ ମୋʼଠାରୁ ଅଧିକ ପ୍ରିୟ ଜ୍ଞାନ କରେ, ସେ ମୋହର ଯୋଗ୍ୟ ନୁହେଁ, ପୁଣି, ଯେ ପୁତ୍ର କି କନ୍ୟାକୁ ମୋʼଠାରୁ ଅଧିକ ପ୍ରେମ କରେ, ସେ ମୋହର ଯୋଗ୍ୟ ନୁହେଁ। 38ଆଉ ଯେ ଆପଣା କ୍ରୁଶ ନେଇ ମୋହର ଅନୁଗମନ ନ କରେ, ସେ ମୋହର ଯୋଗ୍ୟ ନୁହେଁ। 39ଯେ ଆପଣା ଜୀବନ ବଞ୍ଚାଏ, ସେ ତାହା ହରାଇବ, ଆଉ ଯେ ମୋ ନିମନ୍ତେ ଆପଣା ଜୀବନ ହରାଏ, ସେ ତାହା ବଞ୍ଚାଇବ।” 40“ଯେ ତୁମ୍ଭମାନଙ୍କୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେ ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ। 41ଯେ ଭାବବାଦୀଙ୍କୁ ଭାବବାଦୀ ବୋଲି ଗ୍ରହଣ କରେ, ସେ ଭାବବାଦୀଙ୍କ ପୁରସ୍କାର ପାଇବ। ଆଉ ଯେ ଧାର୍ମିକ ବ୍ୟକ୍ତିଙ୍କୁ ଧାର୍ମିକ ବୋଲି ଗ୍ରହଣ କରେ, ସେ ଧାର୍ମିକ ବ୍ୟକ୍ତିଙ୍କ ପୁରସ୍କାର ପାଇବ। 42ପୁଣି, ଯେ କେହି ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ମୋହର ଶିଷ୍ୟ ବୋଲି ଯଦି ଗିନାଏ ଥଣ୍ଡା ପାଣି ମଧ୍ୟ ପିଇବାକୁ ଦେବ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ।” 11:1ଯୀଶୁ ଆପଣା ବାର ଜଣ ଶିଷ୍ୟଙ୍କୁ ଆଦେଶ ଦେବାର ସମାପ୍ତ କଲା ପରେ ଗାଲିଲୀର ନଗରସମୂହରେ ଶିକ୍ଷା ଦେବାକୁ ଓ ଘୋଷଣା କରିବାକୁ ସେ ସ୍ଥାନରୁ ବାହାରିଗଲେ।

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର