Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁଲାଇ 2027 › ଜୁଲାଇ 10

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 10 ଜୁଲାଇ 2027

ଶନିବାର · ସାଧାରଣ କାଳର 14ତମ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର 14ତମ ସପ୍ତାହର ଶନିବାର

ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ସବୁଜ

ଶନିବାରରେ ଧନ୍ୟା କୁମାରୀ ମରୀୟମଙ୍କ ସ୍ମୃତି ଦିବସ · ଇଚ୍ଛାଧୀନ ସ୍ମୃତି ଦିବସ

ଦିନର ପାଠ

ପ୍ରଥମ ପାଠ

ଆଦି 49:29–32; 50:15–26

29ଏଥିଉତ୍ତାରେ ଯାକୁବ ସେମାନଙ୍କୁ ଆଦେଶ ଦେଇ କହିଲେ, “ମୁଁ ଆପଣା ଲୋକଙ୍କ ସଙ୍ଗେ ସଂଗୃହୀତ ହେବାକୁ ଉଦ୍ୟତ। 30ଏହେତୁ ଅବ୍ରହାମ କବର ସ୍ଥାନର ଅଧିକାର ନିମନ୍ତେ କିଣାନ ଦେଶରେ ମମ୍ରିର ସମ୍ମୁଖସ୍ଥ ଯେଉଁ ମକ୍‍ପେଲାର କ୍ଷେତ୍ର ହିତ୍ତୀୟ ଇଫ୍ରୋଣଠାରୁ କିଣିଥିଲେ, ସେହି ହିତ୍ତୀୟ ଇଫ୍ରୋଣର କ୍ଷେତ୍ରସ୍ଥିତ ଗୁହାରେ ମୋହର ପୂର୍ବପୁରୁଷମାନଙ୍କ ନିକଟରେ ମୋତେ କବର ଦେବ। 31ସେହି ସ୍ଥାନରେ ଅବ୍ରହାମଙ୍କର ଓ ତାଙ୍କର ଭାର୍ଯ୍ୟା ସାରାର କବର ହୋଇଅଛି, ପୁଣି, ସେହି ସ୍ଥାନରେ ଇସ୍‌ହାକଙ୍କର ଓ ତାଙ୍କର ଭାର୍ଯ୍ୟା ରିବିକାର କବର ହୋଇଅଛି, ପୁଣି, ସେହି ସ୍ଥାନରେ ମୁଁ ମଧ୍ୟ ଲେୟାକୁ କବର ଦେଇଅଛି; 32ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥିତ ଗୁହା ହିତ୍ତୀୟ ସନ୍ତାନମାନଙ୍କଠାରୁ କିଣା ହୋଇଅଛି।” 50:15ଆଉ ଆପଣାମାନଙ୍କର ପିତା ମରିଅଛନ୍ତି, ଏହା ଦେଖି ଯୋଷେଫଙ୍କର ଭାଇମାନେ କହିଲେ, “କେଜାଣି ଯୋଷେଫ ଆମ୍ଭମାନଙ୍କୁ ଘୃଣା କରିବ, ପୁଣି, ଆମ୍ଭେମାନେ ତାହାର ଯେସକଳ ମନ୍ଦ କରିଅଛୁ, ତହିଁର ସମ୍ପୂର୍ଣ୍ଣ ପ୍ରତିଫଳ ଆମ୍ଭମାନଙ୍କୁ ଦେବ।” 16ଏହେତୁ ସେମାନେ ଯୋଷେଫଙ୍କ ନିକଟକୁ ଏହି କଥା କହି ପଠାଇଲେ, “ତୁମ୍ଭ ପିତା ମୃତ୍ୟୁ ପୂର୍ବରେ ଆମ୍ଭମାନଙ୍କୁ ଏହା କହିଥିଲେ, ତୁମ୍ଭେମାନେ ‘ଯୋଷେଫକୁ ଏହି କଥା କହିବ, 17ତୁମ୍ଭ ଭାଇମାନେ ତୁମ୍ଭର ମନ୍ଦ କରିଅଛନ୍ତି; ମାତ୍ର ତୁମ୍ଭେ ଅନୁଗ୍ରହ କରି ସେମାନଙ୍କର ସେହି ଅଧର୍ମ ଓ ପାପ ମାର୍ଜନା କରିବ;’ ଏଥିପାଇଁ ଆମ୍ଭେମାନେ ବିନୟ କରୁଅଛୁ, ତୁମ୍ଭ ପୈତୃକ ପରମେଶ୍ୱରଙ୍କ ଦାସଗଣର ଅଧର୍ମ ମାର୍ଜନା କର।” ସେମାନେ ଏହି କଥା କହିବା ବେଳେ ଯୋଷେଫ କାନ୍ଦିବାକୁ ଲାଗିଲେ। 18ଏଥିଉତ୍ତାରେ ତାଙ୍କର ଭାଇମାନେ ତାଙ୍କ ଆଗକୁ ଯାଇ ପ୍ରଣାମ କରି କହିଲେ, “ଦେଖ, ଆମ୍ଭେମାନେ ତୁମ୍ଭର ଦାସ।” 19ତହିଁରେ ଯୋଷେଫ ସେମାନଙ୍କୁ କହିଲେ, “ତୁମ୍ଭେମାନେ କିଛି ଭୟ କର ନାହିଁ, ମୁଁ କʼଣ ପରମେଶ୍ୱରଙ୍କର ପ୍ରତିନିଧି? 20ତୁମ୍ଭେମାନେ ମୋʼ ବିରୁଦ୍ଧରେ ମନ୍ଦ କଳ୍ପନା କରିଥିଲ ପ୍ରମାଣ, ମାତ୍ର ପରମେଶ୍ୱର ତାହା ମଙ୍ଗଳର କଳ୍ପନା କଲେ; ଏବେ ଯେପରି ଦେଖୁଅଛ, ସେପରି ଅନେକ ଲୋକଙ୍କର ପ୍ରାଣରକ୍ଷା କରିବାକୁ ତାହାଙ୍କର ଅଭିପ୍ରାୟ ଥିଲା। 21ଏଥିପାଇଁ ତୁମ୍ଭେମାନେ ଏବେ ଭୀତ ହୁଅ ନାହିଁ, ମୁଁ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ବାଳକଗଣକୁ ପ୍ରତିପାଳନ କରିବି।” ଏହି ପ୍ରକାରେ ଚିତ୍ତ ପ୍ରବୋଧକ କଥା କହି ସେ ସେମାନଙ୍କୁ ସାନ୍ତ୍ୱନା ଦେଲେ। 22ଏଥିଉତ୍ତାରେ ଯୋଷେଫ ଓ ତାଙ୍କର ପିତୃପରିବାର ମିସରରେ ବାସ କରି ରହିଲେ; ଯୋଷେଫ ଶହେ ଦଶ ବର୍ଷ ଜୀବିତ ରହିଲେ। 23ଯୋଷେଫ ଇଫ୍ରୟିମର ତୃତୀୟ ପୁରୁଷ ପର୍ଯ୍ୟନ୍ତ ସନ୍ତାନସନ୍ତତି ଦେଖିଲେ; ପୁଣି, ଯୋଷେଫ ମନଃଶିର ମାଖୀର ନାମକ ପୁତ୍ରର ଶିଶୁସନ୍ତାନମାନଙ୍କୁ “କୋଳ କଲେ।” 24ଏଥିଉତ୍ତାରେ ଯୋଷେଫ ଭାଇମାନଙ୍କୁ କହିଲେ, “ମୁଁ ମରୁଅଛି, ମାତ୍ର ପରମେଶ୍ୱର ଅବଶ୍ୟ ତୁମ୍ଭମାନଙ୍କର ତତ୍ତ୍ୱାବଧାନ କରିବେ, ପୁଣି, ଏହି ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଯେଉଁ ଦେଶ ଦେବା ପାଇଁ ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କ ନିକଟରେ ଶପଥ କରିଅଛନ୍ତି, ସେହି ଦେଶକୁ ତୁମ୍ଭମାନଙ୍କୁ ନେଇଯିବେ।” 25ଆହୁରି ଯୋଷେଫ ଇସ୍ରାଏଲଙ୍କର ସନ୍ତାନମାନଙ୍କୁ ଏହି ଶପଥ କରାଇ କହିଲେ, “ପରମେଶ୍ୱର ଅବଶ୍ୟ ତୁମ୍ଭମାନଙ୍କର ତତ୍ତ୍ୱାବଧାନ କରିବେ, ସେହି ସମୟରେ ତୁମ୍ଭେମାନେ ଏ ସ୍ଥାନରୁ ମୋହର ଅସ୍ଥି ନେଇଯିବ।” 26ଏହି ପ୍ରକାରେ ଯୋଷେଫ ଶହେ ଦଶ ବର୍ଷ ବୟସରେ ମଲେ; ତହିଁରେ ସେମାନେ ତାଙ୍କର ଶବକୁ ପୂତିଘ୍ନ ଦ୍ରବ୍ୟ ଯୁକ୍ତ କରି ମିସର ଦେଶରେ ଏକ ସିନ୍ଦୁକ ମଧ୍ୟରେ ରଖିଲେ।

ପ୍ରତିଉତ୍ତର ଗୀତ

ଗୀତ 105:1–4, 6–7

1ସଦାପ୍ରଭୁଙ୍କର ଧନ୍ୟବାଦ କର, ତାହାଙ୍କ ନାମରେ ପ୍ରାର୍ଥନା କର, ଗୋଷ୍ଠୀବର୍ଗ ମଧ୍ୟରେ ତାହାଙ୍କ କ୍ରିୟାସକଳ ଜଣାଅ। 2ତାହାଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର; ତୁମ୍ଭେମାନେ ତାହାଙ୍କର ସକଳ ଆଶ୍ଚର୍ଯ୍ୟକ୍ରିୟା ବିଷୟରେ କଥୋପକଥନ କର। 3ତୁମ୍ଭେମାନେ ତାହାଙ୍କ ପବିତ୍ର ନାମରେ ଦର୍ପ କର; ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି, ସେମାନଙ୍କ ଚିତ୍ତ ଆନନ୍ଦିତ ହେଉ। 4ତୁମ୍ଭେମାନେ ସଦାପ୍ରଭୁଙ୍କର ଓ ତାହାଙ୍କ ପରାକ୍ରମର ଅନ୍ୱେଷଣ କର; ସଦାସର୍ବଦା ତାହାଙ୍କ ମୁଖ ଅନ୍ୱେଷଣ କର। 6ତୁମ୍ଭେମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକର୍ମ, ତାହାଙ୍କ ଅଦ୍ଭୁତ ଲକ୍ଷଣ ଓ ତାହାଙ୍କ ମୁଖନିର୍ଗତ ଶାସନସକଳ ସ୍ମରଣ କର। 7ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି; ତାହାଙ୍କର ଶାସନ ସମୁଦାୟ ପୃଥିବୀରେ ପ୍ରଚଳିତ।

ସୁସମାଚାର

ମାଥି 10:24–33

24ଶିଷ୍ୟ ଗୁରୁଠାରୁ କିମ୍ବା ଦାସ କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ। 25ଶିଷ୍ୟ ଆପଣା ଗୁରୁ ଓ ଦାସ ଆପଣା କର୍ତ୍ତା ପରି ହେଲେ ସେମାନଙ୍କ ପକ୍ଷରେ ଯଥେଷ୍ଟ। ସେମାନେ ଯେବେ ଗୃହ କର୍ତ୍ତାଙ୍କୁ ବାଲ୍‌ଜିବୂଲ୍ ବୋଲି କହିଅଛନ୍ତି, ତେବେ ତାହାଙ୍କର ପରିଜନଙ୍କୁ ତ ଆହୁରି ଅଧିକ କହିବେ।” 26“ଅତଏବ ସେମାନଙ୍କୁ ଭୟ କର ନାହିଁ; କାରଣ ଯାହା ପ୍ରକାଶିତ ନ ହେବ, ଏପରି ଆଚ୍ଛାଦିତ କିଛି ନାହିଁ, ଆଉ ଯାହା ଜଣା ନ ଯିବ, ଏପରି ଗୁପ୍ତ କିଛି ନାହିଁ। 27ମୁଁ ତୁମ୍ଭମାନଙ୍କୁ ଯାହା ଅନ୍ଧକାରରେ କହେ, ତାହା ଆଲୋକରେ କୁହ, ପୁଣି, ଯାହା ତୁମ୍ଭେମାନେ ଗୋପନରେ ଶୁଣ, ତାହା ଘର ଛାତ ଉପରେ ଘୋଷଣା କର। 28ଆଉ ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ଆତ୍ମାକୁ ବଧ କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ; ବରଂ ଯେ ଶରୀର ଓ ଆତ୍ମା ଉଭୟକୁ ନର୍କରେ ବିନଷ୍ଟ କରିପାରନ୍ତି, ତାହାଙ୍କୁ ହିଁ ଭୟ କର। 29ଦୁଇଟି ଘରଚଟିଆ କଅଣ ଗୋଟିଏ ପଇସାରେ ବିକାଯାଆନ୍ତି ନାହିଁ? ଆଉ ତୁମ୍ଭମାନଙ୍କର ପିତାଙ୍କର ଅନୁମତି ବିନା ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ତଳେ ପଡ଼େ ନାହିଁ; 30କିନ୍ତୁ ତୁମ୍ଭମାନଙ୍କ ମସ୍ତକର ସମସ୍ତ କେଶ ହିଁ ଗଣାଯାଇଅଛି। 31ଏଣୁ ଭୟ କର ନାହିଁ, ତୁମ୍ଭେମାନେ ଅନେକ ଘରଚଟିଆ ଠାରୁ ଶ୍ରେଷ୍ଠ।” 32“ଆଉ, ଯେ କେହି ଲୋକଙ୍କ ଆଗରେ ମୋତେ ସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ଆଗରେ ତାହାକୁ ସ୍ୱୀକାର କରିବି। 33ମାତ୍ର ଯେ କେହି ଲୋକଙ୍କ ଆଗରେ ମୋତେ ଅସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ଆଗରେ ତାହାକୁ ଅସ୍ୱୀକାର କରିବି।”

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର