ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁଲାଇ 2027 › ଜୁଲାଇ 7
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 7 ଜୁଲାଇ 2027
ବୁଧବାର · ସାଧାରଣ କାଳର 14ତମ ସପ୍ତାହ
ପର୍ବ ଓ ସନ୍ଥ
ସାଧାରଣ କାଳର 14ତମ ସପ୍ତାହର ବୁଧବାର
ସାଧାରଣ ଦିନ · ଉପାସନାର ରଙ୍ଗ: ସବୁଜ
ଦିନର ପାଠ
ପ୍ରଥମ ପାଠ
55ପୁଣି, ସମୁଦାୟ ମିସର ଦେଶରେ ଦୁର୍ଭିକ୍ଷ ପଡ଼ନ୍ତେ, ପ୍ରଜାମାନେ ଆହାର ନିମନ୍ତେ ଫାରୋଙ୍କ ନିକଟରେ ଡକା ପକାଇଲେ; ତହିଁରେ ଫାରୋ ସମସ୍ତ ମିସରୀୟ ଲୋକଙ୍କୁ କହିଲେ, “ତୁମ୍ଭେମାନେ ଯୋଷେଫ ନିକଟକୁ ଯାଅ; ସେ ଯାହା କହନ୍ତି, ତାହା କର।” 56ସେତେବେଳେ ସର୍ବଦେଶରେ ଦୁର୍ଭିକ୍ଷ ହୁଅନ୍ତେ, ଯୋଷେଫ ସବୁ ସ୍ଥାନର ଗୋଲା ଫିଟାଇ ମିସରୀୟମାନଙ୍କୁ ଶସ୍ୟ ବିକ୍ରୟ କରିବାକୁ ଲାଗିଲେ; ତଥାପି ମିସର ଦେଶରେ ଦୁର୍ଭିକ୍ଷ ପ୍ରବଳ ହେଲା। 57ପୁଣି, ସର୍ବଦେଶୀୟ ଲୋକମାନେ ମିସର ଦେଶରେ ଶସ୍ୟ କିଣିବା ପାଇଁ ଯୋଷେଫଙ୍କ ନିକଟକୁ ଆସିଲେ। ଯେହେତୁ ସବୁ ଦେଶରେ ଦୁର୍ଭିକ୍ଷ ପ୍ରବଳ ଥିଲା। 42:5ସେତେବେଳେ ସେଠାକୁ ଯିବା ଲୋକମାନଙ୍କ ମଧ୍ୟରେ ଇସ୍ରାଏଲଙ୍କର ପୁତ୍ରମାନେ ଶସ୍ୟ କିଣିବା ନିମନ୍ତେ ଗଲେ; ଯେହେତୁ କିଣାନ ଦେଶରେ ମଧ୍ୟ ଦୁର୍ଭିକ୍ଷ ଥିଲା। 6ସେହି ସମୟରେ ଯୋଷେଫ ସେହି ଦେଶର ଅଧ୍ୟକ୍ଷ ହେବାରୁ ଦେଶୀୟ ଲୋକ ସମସ୍ତଙ୍କୁ ଶସ୍ୟ ବିକ୍ରୟ କରୁଥିଲେ; ତହିଁରେ ଯୋଷେଫଙ୍କର ଭ୍ରାତୃଗଣ ଆସି ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ। 7ସେତେବେଳେ ଯୋଷେଫ ଆପଣା ଭାଇମାନଙ୍କୁ ଦେଖି ଚିହ୍ନିଲେ, ମାତ୍ର ସେମାନଙ୍କ ଆଗରେ ଅପରିଚିତ ଲୋକ ପରି ବ୍ୟବହାର କରି କଟୁ କଥାରେ କହିଲେ, “ତୁମ୍ଭେମାନେ କେଉଁଠାରୁ ଆସିଅଛ?” ସେମାନେ କହିଲେ, “କିଣାନ ଦେଶରୁ ଖାଦ୍ୟଦ୍ରବ୍ୟ କିଣିବାକୁ ଆସିଅଛୁ।” 17ତହୁଁ ଯୋଷେଫ ସେମାନଙ୍କୁ ତିନି ଦିନ କାରାଗାରରେ ବନ୍ଦ କରି ରଖିଲେ। 18ପୁଣି, ତୃତୀୟ ଦିନରେ ଯୋଷେଫ ସେମାନଙ୍କୁ କହିଲେ, “ପରମେଶ୍ୱରଙ୍କ ପ୍ରତି ଆମ୍ଭର ଭୟ ଅଛି; ଏଣୁ ଏହି କର୍ମ କର, ତହିଁରେ ବଞ୍ଚିବ। 19ତୁମ୍ଭେମାନେ ଯଦି ସଚ୍ଚୋଟ ଲୋକ, ତେବେ ଆପଣା ମଧ୍ୟରୁ ଏକ ଭାଇକୁ ଏହି କାରାଗାରରେ ବନ୍ଦ ରଖି ଦୁର୍ଭିକ୍ଷ ହେତୁ ଗୃହକୁ ଶସ୍ୟ ଘେନିଯାଅ। 20ମାତ୍ର ତୁମ୍ଭେମାନେ ଆପଣା ସାନ ଭାଇଙ୍କୁ ଆମ୍ଭ ନିକଟକୁ ଆଣ, ତହିଁରେ ତୁମ୍ଭମାନଙ୍କ କଥା ସପ୍ରମାଣ ହେଲେ, ତୁମ୍ଭେମାନେ ମରିବ ନାହିଁ।” ତହୁଁ ସେମାନେ ସେହି ପ୍ରକାର କଲେ। 21ଏଥିଉତ୍ତାରେ ସେମାନେ ପରସ୍ପର କୁହାକୁହି ହେଲେ, “ଆମ୍ଭେମାନେ ଆପଣା ଭାଇ ବିଷୟରେ ନିଶ୍ଚୟ ଅପରାଧୀ ଅଟୁ; ସେ ଆମ୍ଭମାନଙ୍କୁ ବିନତି କରିବା ବେଳେ ଆମ୍ଭେମାନେ ତାହା ପ୍ରାଣର ବ୍ୟାକୁଳତା ଦେଖିଲେ ହେଁ ତାହା ଶୁଣିଲୁ ନାହିଁ, ତେଣୁକରି ଆମ୍ଭମାନଙ୍କୁ ଏହି ବିପତ୍ତି ଘଟିଅଛି।” 22ସେତେବେଳେ ରୁବେନ୍ ସେମାନଙ୍କୁ କହିଲା, “ତୁମ୍ଭେମାନେ ‘ସେହି ବାଳକ ବିଷୟରେ ପାପ କର ନାହିଁ,’ ଏହି କଥା କି ମୁଁ ତୁମ୍ଭମାନଙ୍କୁ କହି ନାହିଁ? ତଥାପି ତୁମ୍ଭେମାନେ ଶୁଣିଲ ନାହିଁ; ଏନିମନ୍ତେ ଦେଖ, ଏବେ ତାହାର ରକ୍ତର ପରିଶୋଧ ନିଆଯାଉଅଛି।” 23ମାତ୍ର ଯୋଷେଫ ଯେ ସେମାନଙ୍କ କଥାବାର୍ତ୍ତା ବୁଝିଲେ, ଏହା ସେମାନେ ଜାଣି ପାରିଲେ ନାହିଁ; କାରଣ ସେ ଦ୍ୱିଭାଷୀ ଦ୍ୱାରା ସେମାନଙ୍କ ସହିତ କଥା କହୁଥିଲେ; 24ଏଥିଉତ୍ତାରେ ଯୋଷେଫ ସେମାନଙ୍କ ନିକଟରୁ ଯାଇ କ୍ରନ୍ଦନ କଲେ; ପୁନର୍ବାର ଆସି ସେମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କ ମଧ୍ୟରୁ ଶିମୀୟୋନକୁ ଧରି ସେମାନଙ୍କ ସାକ୍ଷାତରେ ବାନ୍ଧିଲେ।
ପ୍ରତିଉତ୍ତର ଗୀତ
2ବୀଣାରେ ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; ଦଶତାର ନେବଲରେ ତାହାଙ୍କର ପ୍ରଶଂସା ଗାନ କର। 3ତାହାଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର; ଉଚ୍ଚଧ୍ୱନିରେ ମନୋହର ବାଦ୍ୟକର। 10ସଦାପ୍ରଭୁ ଗୋଷ୍ଠୀୟମାନଙ୍କର ମନ୍ତ୍ରଣା ବ୍ୟର୍ଥ କରନ୍ତି; ସେ ଜନବୃନ୍ଦର ସଂକଳ୍ପସବୁ ବିଫଳ କରନ୍ତି। 11ସଦାପ୍ରଭୁଙ୍କ ମନ୍ତ୍ରଣା ଅନନ୍ତକାଳସ୍ଥାୟୀ; ତାହାଙ୍କ ଚିତ୍ତର ସଂକଳ୍ପସବୁ ପୁରୁଷାନୁକ୍ରମେ ଥାଏ। 18ଦେଖ, ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ତାହାଙ୍କ ଦୟାରେ ଭରସା ରଖନ୍ତି, 19ସେମାନଙ୍କ ପ୍ରାଣ ମୃତ୍ୟୁରୁ ରକ୍ଷା କରିବା ପାଇଁ ଓ ଦୁର୍ଭିକ୍ଷ ସମୟରେ ସେମାନଙ୍କୁ ବଞ୍ଚାଇବା ପାଇଁ ସେମାନଙ୍କ ଉପରେ ତାହାଙ୍କର ଦୃଷ୍ଟି ଥାଏ।
ସୁସମାଚାର
1ଇତିମଧ୍ୟରେ ସେ ଆପଣା ବାର ଶିଷ୍ୟମାନଙ୍କୁ ପାଖକୁ ଡାକି ସେମାନଙ୍କୁ ଅଶୁଚି ଆତ୍ମା ଛଡ଼ାଇବା ନିମନ୍ତେ ସେମାନଙ୍କ ଉପରେ ଅଧିକାର ଦେଲେ, ପୁଣି, ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରିବା ନିମନ୍ତେ ଅଧିକାର ଦେଲେ। 2ସେହି ଦ୍ୱାଦଶ ପ୍ରେରିତମାନଙ୍କ ନାମ ଏହି, ପ୍ରଥମରେ ଶିମୋନ, ଯାହାକୁ ପିତର ବୋଲି କହନ୍ତି, ଆଉ ତାହାଙ୍କ ଭାଇ ଆନ୍ଦ୍ରିୟ, ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ, 3ଫିଲିପ୍ପ ଓ ବାର୍ଥଲମୀ, ଥୋମା ଓ କରଗ୍ରାହୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୀୟ, 4କିଣାନୀୟ ଦଳର ଶିମୋନ ଓ ଇଷ୍କାରିୟୋତୀୟ ଯିହୂଦା, ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା। 5ଯୀଶୁ ଏହି ବାର ଜଣଙ୍କୁ ପଠାଇ ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ଅଣଯିହୁଦୀମାନଙ୍କ ପାଖକୁ ଯାଅ ନାହିଁ ଏବଂ ଶମିରୋଣୀୟମାନଙ୍କର କୌଣସି ନଗରରେ ପ୍ରବେଶ କର ନାହିଁ, 6ବରଂ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ପାଖକୁ ଯାଅ। 7ପୁଣି, ଯାଉ ଯାଉ ସ୍ୱର୍ଗରାଜ୍ୟ ସନ୍ନିକଟ, ଏହି କଥା କହି ଘୋଷଣା କର।
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର