ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁଲାଇ 2027 › ଜୁଲାଇ 8
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 8 ଜୁଲାଇ 2027
ଗୁରୁବାର · ସାଧାରଣ କାଳର 14ତମ ସପ୍ତାହ
ପର୍ବ ଓ ସନ୍ଥ
ସାଧାରଣ କାଳର 14ତମ ସପ୍ତାହର ଗୁରୁବାର
ସାଧାରଣ ଦିନ · ଉପାସନାର ରଙ୍ଗ: ସବୁଜ
ଦିନର ପାଠ
ପ୍ରଥମ ପାଠ
18ତହିଁରେ ଯିହୁଦା ନିକଟକୁ ଯାଇ କହିଲା, “ପ୍ରଭୋ, ଆପଣଙ୍କ ଏହି ଦାସକୁ ପ୍ରଭୁଙ୍କ କର୍ଣ୍ଣଗୋଚରରେ ପଦେ ନିବେଦନ କରିବାକୁ ଅନୁମତି ଦେଉନ୍ତୁ ଓ ଆପଣା ଦାସ ପ୍ରତି ଆପଣଙ୍କ କ୍ରୋଧ ପ୍ରଜ୍ୱଳିତ ନ ହେଉ; କାରଣ ଆପଣ ଫାରୋଙ୍କ ତୁଲ୍ୟ ଅଟନ୍ତି। 19ପ୍ରଭୁ ଆପଣା ଦାସମାନଙ୍କୁ ପଚାରିଥିଲେ, ‘ତୁମ୍ଭମାନଙ୍କର ପିତା କିଅବା ଭାଇ ଅଛନ୍ତି କି?’ 20ତହିଁରେ ଆମ୍ଭେମାନେ ପ୍ରଭୁଙ୍କୁ ଉତ୍ତର ଦେଇଥିଲୁ, ‘ଆମ୍ଭମାନଙ୍କ ପିତା ଅଛନ୍ତି, ସେ ବୃଦ୍ଧ ଲୋକ; ପୁଣି, ତାଙ୍କ ବୃଦ୍ଧାବସ୍ଥାର ଗୋଟିଏ ପୁତ୍ର ଅଛି, ସେହି ଜଣକ କନିଷ୍ଠ; ମାତ୍ର ତାହାର ସହୋଦର ମରିଅଛି, ସେହି କେବଳ ତାହାର ମାତାର ଅବଶିଷ୍ଟ ପୁତ୍ର; ଏଣୁ ତାହାର ପିତା ତାହାକୁ ସ୍ନେହ କରନ୍ତି।’ 21ଏଥିରେ ଆପଣ ଏହି ଦାସମାନଙ୍କୁ କହିଥିଲେ, ‘ତୁମ୍ଭେମାନେ ତାକୁ ଆମ୍ଭ କତିକି ଆଣ, ଆମ୍ଭେ ତାକୁ ସ୍ୱଚକ୍ଷୁରେ ଦେଖିବା।’ 23ତହିଁରେ ଆପଣ ଏହି ଦାସମାନଙ୍କୁ କହିଲେ, ‘ତୁମ୍ଭମାନଙ୍କ ସଙ୍ଗରେ କନିଷ୍ଠ ଭାଇ ନ ଆସିଲେ, ତୁମ୍ଭେମାନେ ଆଉ ଆମ୍ଭ ମୁଖ ଦେଖି ପାରିବ ନାହିଁ।’ 24ଏଥିଉତ୍ତାରେ ଆମ୍ଭେମାନେ ଆପଣଙ୍କ ଦାସ ଯେ ମୋʼ ପିତା, ତାଙ୍କ ନିକଟରେ ଉପସ୍ଥିତ ହୋଇ ତାଙ୍କୁ ପ୍ରଭୁଙ୍କର ଏହିସବୁ କଥା କହିଲୁ। 25ଏଥିଉତ୍ତାରେ ଆମ୍ଭମାନଙ୍କ ପିତା କହିଲେ, ‘ତୁମ୍ଭେମାନେ ପୁନର୍ବାର ଯାଇ ଆମ୍ଭମାନଙ୍କ ନିମନ୍ତେ କିଛି ଭକ୍ଷ୍ୟ କିଣି ଆଣ।’ 26ତହିଁରେ ଆମ୍ଭେମାନେ କହିଲୁ, ‘ଯାଇ ପାରିବୁ ନାହିଁ; ଯଦି ସାନ ଭାଇ ଆମ୍ଭମାନଙ୍କ ସଙ୍ଗରେ ଥିବ, ତେବେ ଯାଇ ପାରିବୁ; କାରଣ ସାନ ଭାଇ ଆମ୍ଭମାନଙ୍କ ସଙ୍ଗରେ ନ ଥିଲେ, ଆମ୍ଭେମାନେ ସେହି ବ୍ୟକ୍ତିଙ୍କର ମୁଖ ଦେଖି ପାରିବୁ ନାହିଁ।’ 27ତହିଁରେ ଆପଣଙ୍କ ଦାସ ଯେ ମୋହର ପିତା, ସେ ଆମ୍ଭମାନଙ୍କୁ କହିଲେ, ‘ତୁମ୍ଭେମାନେ ଜାଣ, ଆମ୍ଭର ସେହି ଭାର୍ଯ୍ୟାଠାରୁ ଦୁଇଟି ପୁତ୍ର ହୋଇଥିଲେ। 28ସେମାନଙ୍କ ମଧ୍ୟରୁ ଗୋଟିଏ ଆମ୍ଭ ନିକଟରୁ ଚାଲିଗଲା, ତହୁଁ ଆମ୍ଭେ କହିଲୁ, ସେ ନିଶ୍ଚୟ ଖଣ୍ଡ ଖଣ୍ଡ ହୋଇ ବିଦୀର୍ଣ୍ଣ ହୋଇଅଛି; ପୁଣି, ସେହି ଦିନଠାରୁ ଆମ୍ଭେ ଆଉ ତାକୁ ଦେଖି ନାହୁଁ। 29ଏବେ ଆମ୍ଭ ପାଖରୁ ଏହାକୁ ନେଇଗଲେ ଯଦି ଏହାକୁ କୌଣସି ବିପତ୍ତି ଘଟେ, ତେବେ ତୁମ୍ଭେମାନେ ଆମ୍ଭକୁ ଶୋକରେ ଏହି ପକ୍ୱ କେଶରେ ପାତାଳକୁ ପଠାଇବ।’ 45:1ଏଥିରେ ଯୋଷେଫ ଆପଣା ନିକଟରେ ଠିଆ ହୋଇଥିବା ଲୋକମାନଙ୍କ ସାକ୍ଷାତରେ ଆପଣାକୁ ସମ୍ଭାଳି ନ ପାରି ଉଚ୍ଚସ୍ୱରରେ କହିଲେ, “ଆମ୍ଭ ସମ୍ମୁଖରୁ ସବୁ ଲୋକଙ୍କୁ ବାହାର କର।” ତହୁଁ କେହି ତାଙ୍କ ନିକଟରେ ନ ରହନ୍ତେ, ଯୋଷେଫ ଭାଇମାନଙ୍କ ସାକ୍ଷାତରେ ଆପଣାର ପରିଚୟ ଦେବାକୁ ଲାଗିଲେ। 2ସେ ଉଚ୍ଚସ୍ୱରରେ ଏପରି ରୋଦନ କଲେ ଯେ, ମିସରୀୟମାନେ ଓ ଫାରୋଙ୍କ ଗୃହସ୍ଥିତ ଲୋକମାନେ ତାହା ଶୁଣି ପାରିଲେ। 3ଯୋଷେଫ ଆପଣା ଭାଇମାନଙ୍କୁ କହିଲେ, “ମୁଁ ଯୋଷେଫ; ମୋʼ ପିତା କି ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି?” ଏଥିରେ ତାଙ୍କର ଭାଇମାନେ ତାଙ୍କ ସାକ୍ଷାତରେ ଭୟଭୀତ ହେବାରୁ କିଛି ଉତ୍ତର ଦେଇ ପାରିଲେ ନାହିଁ। 4ଏଥିଉତ୍ତାରେ ଯୋଷେଫ ଆପଣା ଭାଇମାନଙ୍କୁ କହିଲେ, “ବିନୟ କରୁଅଛି, ମୋʼ ପାଖକୁ ଆସ,” ତହିଁରେ ସେମାନେ ପାଖକୁ ଯାଆନ୍ତେ, ସେ କହିଲେ, “ମୁଁ ତୁମ୍ଭମାନଙ୍କର ଭାଇ ଯୋଷେଫ, ଯାହାକୁ ତୁମ୍ଭେମାନେ ମିସରଗାମୀ ଲୋକମାନଙ୍କୁ ବିକ୍ରୟ କରିଥିଲ। 5ମାତ୍ର, ତୁମ୍ଭେମାନେ ମୋତେ ଏଠାକୁ ଆସିବା ପାଇଁ ବିକ୍ରୟ କଲ ବୋଲି ଏବେ ଦୁଃଖିତ ଓ ଆପଣା ଆପଣା ପ୍ରତି ବିରକ୍ତ ହୁଅ ନାହିଁ; କାରଣ ପରମେଶ୍ୱର ପ୍ରାଣ ବଞ୍ଚାଇବା ନିମନ୍ତେ ତୁମ୍ଭମାନଙ୍କ ଆଗେ ମୋତେ ପଠାଇଲେ।
ପ୍ରତିଉତ୍ତର ଗୀତ
16ଏଥିଉତ୍ତାରେ ସେ ଦେଶରେ ଦୁର୍ଭିକ୍ଷ ଆଜ୍ଞା କଲେ; ସେ ଭକ୍ଷ୍ୟରୂପ ସମଗ୍ର ଯଷ୍ଟି ଭଗ୍ନ କଲେ। 17ସେ ସେମାନଙ୍କ ଆଗରେ ଏକ ମନୁଷ୍ୟକୁ ପଠାଇଲେ; ଯୋଷେଫ ଦାସ ହେବା ପାଇଁ ବିକ୍ରୀତ ହେଲା; 18ସେମାନେ ବେଡ଼ିରେ ତାହାର ଚରଣକୁ ଦୁଃଖ ଦେଲେ; ସେ ଲୌହ ଶୃଙ୍ଖଳରେ ରଖାଗଲା; 19ଶେଷରେ ତାହାର ବଚନ ସଫଳ ହେଲା; ସଦାପ୍ରଭୁଙ୍କ ବାକ୍ୟ ତାହାକୁ ପରୀକ୍ଷା କଲା। 20ତହୁଁ ରାଜା ଲୋକ ପଠାଇ ତାହାକୁ ମୁକ୍ତ କଲା; ନରପତି ତାହାକୁ ମୁକ୍ତ କରି ଛାଡ଼ିଦେଲା। 21ସେ ଆପଣାର ଅଧିପତିମାନଙ୍କୁ ଇଚ୍ଛାନୁସାରେ ବନ୍ଧନ କରିବା ପାଇଁ ଓ ଆପଣାର ମନ୍ତ୍ରୀମାନଙ୍କୁ ଜ୍ଞାନ ଶିକ୍ଷା ଦେବା ପାଇଁ;
ସୁସମାଚାର
7ପୁଣି, ଯାଉ ଯାଉ ସ୍ୱର୍ଗରାଜ୍ୟ ସନ୍ନିକଟ, ଏହି କଥା କହି ଘୋଷଣା କର। 8ପୀଡ଼ିତମାନଙ୍କୁ ସୁସ୍ଥ କର, ମୃତମାନଙ୍କୁ ଉଠାଅ, କୁଷ୍ଠରୋଗୀମାନଙ୍କୁ ଶୁଚି କର, ଭୂତମାନଙ୍କୁ ବାହାର କର। ତୁମ୍ଭେମାନେ ବିନାମୂଲ୍ୟରେ ପାଇଅଛ, ବିନାମୂଲ୍ୟରେ ଦାନ କର। 9ତୁମ୍ଭମାନଙ୍କ ଗାଞ୍ଜିଆରେ ସୁନା କି ରୂପା କି ତମ୍ବା, ଆଉ ଯାତ୍ରା ନିମନ୍ତେ ଝୋଲି 10କିମ୍ବା ଦୁଇଟି ଅଙ୍ଗରଖା ଅବା ଜୋତା କିମ୍ବା ବାଡ଼ି ଆୟୋଜନ କର ନାହିଁ, କାରଣ କାର୍ଯ୍ୟକାରୀ ଆପଣା ଆହାରର ଯୋଗ୍ୟ। 11ଆଉ ତୁମ୍ଭେମାନେ ଯେକୌଣସି ନଗରରେ କି ଗ୍ରାମରେ ପ୍ରବେଶ କରିବ, ସେଠାରେ କେଉଁ ଲୋକ ଯୋଗ୍ୟ, ତାହା ଅନୁସନ୍ଧାନ କର, ପୁଣି, ନ ଯିବା ପର୍ଯ୍ୟନ୍ତ ସେଠାରେ ରୁହ। 12ଆଉ ଗୃହରେ ପ୍ରବେଶ କରିବା ସମୟରେ ତାହାକୁ ଆଶୀର୍ବାଦ କର; 13ସେହି ଗୃହ ଯଦି ଯୋଗ୍ୟ, ତେବେ ତାହା ପ୍ରତି ତୁମ୍ଭମାନଙ୍କ ଶାନ୍ତି ବର୍ତ୍ତୁ, କିନ୍ତୁ ତାହା ଯଦି ଯୋଗ୍ୟ ନୁହେଁ, ତାହାହେଲେ ତୁମ୍ଭମାନଙ୍କ ଶାନ୍ତି ତୁମ୍ଭମାନଙ୍କ ପାଖକୁ ଫେରିଆସୁ। 14ପୁଣି, ଯେ କେହି ତୁମ୍ଭମାନଙ୍କୁ ଗ୍ରହଣ କରିବ ନାହିଁ ଅବା ତୁମ୍ଭମାନଙ୍କ କଥା ଶୁଣିବ ନାହିଁ, ସେହି ଗୃହରୁ କିମ୍ବା ସେହି ନଗରରୁ ବାହାରିଯିବା ବେଳେ ତୁମ୍ଭମାନଙ୍କ ପାଦଧୂଳି ଝାଡ଼ିଦିଅ। 15ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ବିଚାର ଦିନରେ ସେହି ନଗରର ଦଶା ଅପେକ୍ଷା ସଦୋମ ଓ ଗମୋରା ଦେଶର ଦଶା ସହନୀୟ ହେବ।”
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର