ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁଲାଇ 2027 › ଜୁଲାଇ 2
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 2 ଜୁଲାଇ 2027
ଶୁକ୍ରବାର · ସାଧାରଣ କାଳର 13ତମ ସପ୍ତାହ
ପର୍ବ ଓ ସନ୍ଥ
ସାଧାରଣ କାଳର 13ତମ ସପ୍ତାହର ଶୁକ୍ରବାର
ସାଧାରଣ ଦିନ · ଉପାସନାର ରଙ୍ଗ: ସବୁଜ
ଉପବାସ ଓ ପ୍ରାୟଶ୍ଚିତ୍ତ
ପ୍ରାୟଶ୍ଚିତ୍ତର ଦିନ
ପ୍ରତ୍ୟେକ ଶୁକ୍ରବାର ପ୍ରାୟଶ୍ଚିତ୍ତର ଦିନ; ପ୍ରତ୍ୟେକ ବିଶପ୍ ସମ୍ମିଳନୀ ଏହା କିପରି ପାଳିବାକୁ ହେବ ସ୍ଥିର କରେ: ମାଂସରୁ ବିରତି କିମ୍ବା ପ୍ରାୟଶ୍ଚିତ୍ତର ଅନ୍ୟ କାର୍ଯ୍ୟ। ଉପବାସ 18ରୁ 59 ବର୍ଷ ପର୍ଯ୍ୟନ୍ତ, ବିରତି 14 ବର୍ଷରୁ ବାଧ୍ୟତାମୂଳକ।
ଦିନର ପାଠ
ପ୍ରଥମ ପାଠ
1ସାରାର ଆୟୁର ପରିମାଣ ଶହେ ସତାଇଶ ବର୍ଷ ଥିଲା; ସାରାର ଆୟୁ ଏତେ ବର୍ଷ ପରିମିତ। 2ଏଥିଉତ୍ତାରେ ସାରା କିଣାନ ଦେଶସ୍ଥ କିରୀୟଥ୍-ଅର୍ବରେ, ଅର୍ଥାତ୍, ହିବ୍ରୋଣରେ ମଲା। ଏଣୁ ଅବ୍ରହାମ ସାରା ନିମନ୍ତେ ଶୋକ ଓ କ୍ରନ୍ଦନ କରିବାକୁ ଭିତରକୁ ଗଲେ। 3ଏଥିଉତ୍ତାରେ ଅବ୍ରହାମ ଆପଣା ମୃତା (ଭାର୍ଯ୍ୟା) ନିକଟରୁ ଉଠିଯାଇ ହେତ୍ର ସନ୍ତାନମାନଙ୍କୁ କହିଲେ, 4“ମୁଁ ତୁମ୍ଭମାନଙ୍କ ମଧ୍ୟରେ ବିଦେଶୀ ଓ ପ୍ରବାସୀ ଅଟେ; ତୁମ୍ଭମାନଙ୍କ ମଧ୍ୟରେ ମୋତେ କବର ସ୍ଥାନର ଅଧିକାର ଦିଅ, ତହିଁରେ ମୁଁ ମୋʼ ଦୃଷ୍ଟିର ଅଗୋଚରରେ ମୋʼ ମୃତକୁ କବର ଦେବି।” 19ଏଥିଉତ୍ତାରେ ଅବ୍ରହାମ ମମ୍ରିର ପୂର୍ବବର୍ତ୍ତୀ ମକ୍ପେଲା କ୍ଷେତ୍ରସ୍ଥିତ ଗୁହାରେ ଆପଣା ଭାର୍ଯ୍ୟା ସାରାକୁ କବର ଦେଲେ। ସେହି ସ୍ଥାନ କିଣାନ ଦେଶସ୍ଥ ହିବ୍ରୋଣ। 24:1ସେହି ସମୟରେ ଅବ୍ରହାମ ବୃଦ୍ଧ ଓ ଗତବୟସ୍କ ଥିଲେ, ପୁଣି, ସଦାପ୍ରଭୁ ଅବ୍ରହାମଙ୍କୁ ସବୁ ବିଷୟରେ ଆଶୀର୍ବାଦ କରିଥିଲେ। 2ଏଣୁ ସେ ଆପଣା ଗୃହର ସର୍ବକାର୍ଯ୍ୟାଧ୍ୟକ୍ଷ ବୃଦ୍ଧ ଦାସକୁ କହିଲେ, “ମୁଁ ବିନୟ କରୁଅଛି, ତୁମ୍ଭେ ମୋʼ ଜଙ୍ଘରେ ହସ୍ତ ଦିଅ; 3ମୁଁ ସ୍ୱର୍ଗ ମର୍ତ୍ତ୍ୟର ସୃଷ୍ଟିକର୍ତ୍ତା ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ତୁମ୍ଭକୁ ଶପଥ କରାଇବି ଯେ, ଯେଉଁ କିଣାନୀୟ ଲୋକମାନଙ୍କ ମଧ୍ୟରେ ମୁଁ ବାସ କରୁଅଛି, ତୁମ୍ଭେ ସେମାନଙ୍କ ମଧ୍ୟରୁ ମୋʼ ପୁତ୍ରର ବିବାହାର୍ଥେ କୌଣସି କନ୍ୟା ଗ୍ରହଣ କରିବ ନାହିଁ; 4ମାତ୍ର, ତୁମ୍ଭେ ଆମ୍ଭ ଦେଶୀୟ ଜ୍ଞାତିମାନଙ୍କ ନିକଟକୁ ଯାଇ ମୋʼ ପୁତ୍ର ଇସ୍ହାକ ନିମନ୍ତେ କନ୍ୟା ଆଣିବ।” 5ସେତେବେଳେ ସେହି ଦାସ ତାଙ୍କୁ କହିଲା, “ଯଦି କୌଣସି କନ୍ୟା ମୋʼ ସହିତ ଏ ଦେଶକୁ ଆସିବା ପାଇଁ ସମ୍ମତ ନୋହିବ, ତେବେ ଯେଉଁ ଦେଶରୁ ତୁମ୍ଭେ ଆସିଅଛ, ସେହି ଦେଶକୁ କି ତୁମ୍ଭ ପୁତ୍ରଙ୍କୁ ନେଇଯିବି?” 6ତହିଁରେ ଅବ୍ରହାମ କହିଲେ, “ସାବଧାନ; ମୋʼ ପୁତ୍ରକୁ କେବେ ସେଠାକୁ ନେଇଯିବ ନାହିଁ।” 7“ଯେହେତୁ ଯେଉଁ ସ୍ୱର୍ଗର ସୃଷ୍ଟିକର୍ତ୍ତା ସଦାପ୍ରଭୁ ପରମେଶ୍ୱର ମୋତେ ପୈତୃକ ଗୃହ ଓ ଜନ୍ମ ଦେଶ ମଧ୍ୟରୁ ଆଣିଅଛନ୍ତି ଓ ମୋʼ ସଙ୍ଗେ ଆଳାପ କରିଅଛନ୍ତି, ‘ପୁଣି, ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ଦେବା ବୋଲି ଶପଥ କରିଅଛନ୍ତି,’ ସେ ତୁମ୍ଭ ଅଗ୍ରତେ ଆପଣା ଦୂତ ପଠାଇବେ; ତହିଁରେ ତୁମ୍ଭେ ମୋʼ ପୁତ୍ରର ବିବାହ ନିମନ୍ତେ ସେହିଠାରୁ ଗୋଟିଏ କନ୍ୟା ଆଣିବ। 8ଯଦି ସେହି ଦେଶରୁ କୌଣସି କନ୍ୟା ଆସିବାକୁ ସମ୍ମତ ହେବେ ନାହିଁ, ତେବେ ତୁମ୍ଭେ ମୋହର ଏହି ଶପଥରୁ ମୁକ୍ତ ହେବ; ମାତ୍ର ତୁମ୍ଭେ ମୋʼ ପୁତ୍ରକୁ ସେହି ଦେଶକୁ ନେଇଯିବ ନାହିଁ।” 62ସେହି ସମୟରେ ଇସ୍ହାକ ଦକ୍ଷିଣ ଦେଶରେ ବାସ କରିବାରୁ ବେର-ଲହୟ-ରୋୟୀ ନାମକ ସ୍ଥାନକୁ ଯାଇ ଫେରି ଆସିଥିଲା। 63ପୁଣି, ସନ୍ଧ୍ୟା ବେଳେ ଧ୍ୟାନ କରିବା ପାଇଁ କ୍ଷେତ୍ରକୁ ଯାଇଥିଲା; ଏଥିମଧ୍ୟରେ ଅନାଇ ଓଟଗଣକୁ ଆସିବାର ଦେଖିଲା। 64ସେତେବେଳେ ରିବିକା ଅନାଇ ଇସ୍ହାକକୁ ଦେଖି ଓଟ ଉପରୁ ଓହ୍ଲାଇଲା। 65ପୁଣି, ସେ ସେହି ଦାସକୁ ପଚାରିଲା, “ଆମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଯେ କ୍ଷେତ୍ର ମଧ୍ୟରେ ଆସୁଅଛି, ସେହି ପୁରୁଷ କିଏ?” ତହିଁରେ ଦାସ ଉତ୍ତର କଲା, “ସେ ମୋହର ପ୍ରଭୁ,” ଏଣୁ ରିବିକା ଘୋଡ଼ଣୀ ନେଇ ଆପଣାକୁ ଆଚ୍ଛାଦନ କଲା। 66ଏଥିଉତ୍ତାରେ ସେହି ଦାସ ଇସ୍ହାକକୁ ଆପଣା କୃତ କର୍ମର ସମସ୍ତ ବିବରଣ କହିଲା। 67ସେତେବେଳେ ଇସ୍ହାକ ରିବିକାକୁ ଗ୍ରହଣ କରି ଆପଣା ମାତା ସାରାର ତମ୍ବୁକୁ ଘେନିଯାଇ ତାହାକୁ ବିବାହ କଲା; ପୁଣି, ସେ ତାହାକୁ ପ୍ରେମ କଲା। ତହିଁରେ ଇସ୍ହାକ ମାତୃମରଣ ଶୋକରୁ ସାନ୍ତ୍ୱନା ପାଇଲା।
ପ୍ରତିଉତ୍ତର ଗୀତ
1ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; କାରଣ ସେ ମଙ୍ଗଳମୟ। ତାହାଙ୍କର ଦୟା ଅନନ୍ତକାଳସ୍ଥାୟୀ। 2ସଦାପ୍ରଭୁଙ୍କ ବିକ୍ରମର କାର୍ଯ୍ୟସବୁ କିଏ ବର୍ଣ୍ଣନା କରିପାରେ? ଓ ତାହାଙ୍କ ପ୍ରଶଂସାସବୁ କିଏ ପ୍ରକାଶ କରିପାରେ? 3ଯେଉଁମାନେ ନ୍ୟାୟ ରକ୍ଷା କରନ୍ତି, ସେମାନେ ଧନ୍ୟ ଓ ଯେ ସବୁବେଳେ ଧର୍ମାଚରଣ କରେ, ସେ ଧନ୍ୟ। 4ହେ ସଦାପ୍ରଭୋ, ତୁମ୍ଭେ ଆପଣା ଲୋକମାନଙ୍କ ପ୍ରତି ଯେଉଁ ଅନୁଗ୍ରହ ବହିଥାଅ, ତଦନୁସାରେ ମୋତେ ସ୍ମରଣ କର; ତୁମ୍ଭେ ଆପଣା ପରିତ୍ରାଣ ଘେନି ମୋହର ତତ୍ତ୍ୱ ନିଅ; 5ତହିଁରେ ମୁଁ ତୁମ୍ଭ ମନୋନୀତ ଲୋକଙ୍କର ସମୃଦ୍ଧି ଦେଖିବି, ତୁମ୍ଭ ଲୋକମାନଙ୍କ ଆନନ୍ଦରେ ଆନନ୍ଦ କରିବି, ତୁମ୍ଭ ଅଧିକାର ସହିତ ଦର୍ପ କରିବି।
ସୁସମାଚାର
9ଯୀଶୁ ସେଠାରୁ ଯାଉ ଯାଉ ମାଥିଉ ନାମକ ଜଣେ ବ୍ୟକ୍ତିଙ୍କୁ କର ଆଦାୟ ସ୍ଥାନରେ ବସିଥିବା ଦେଖି ତାହାଙ୍କୁ କହିଲେ, “ମୋହର ଅନୁଗମନ କର।” ସେଥିରେ ସେ ଉଠି ତାହାଙ୍କର ଅନୁଗମନ କଲେ। 10ଆଉ ଯୀଶୁ ଗୃହରେ ଭୋଜନ କରିବାକୁ ବସିବା ସମୟରେ, ଦେଖ, ଅନେକ କରଗ୍ରାହୀ ଏବଂ ପାପୀ ଆସି ତାହାଙ୍କ ଓ ତାହାଙ୍କର ଶିଷ୍ୟମାନଙ୍କ ସାଙ୍ଗରେ ବସିଲେ। 11ଫାରୂଶୀମାନେ ତାହା ଦେଖି ତାହାଙ୍କ ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ, “ତୁମ୍ଭମାନଙ୍କ ଗୁରୁ କାହିଁକି କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଭୋଜନ କରନ୍ତି?” 12କିନ୍ତୁ ଯୀଶୁ ତାହା ଶୁଣି କହିଲେ, “ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ଆବଶ୍ୟକ ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ଆବଶ୍ୟକ ଅଛି। 13କିନ୍ତୁ ‘ଆମ୍ଭେ ବଳିଦାନ ଭଲ ନ ପାଇ ଦୟା ଭଲ ପାଉ,’ ଏହି ବାକ୍ୟର ମର୍ମ ତୁମ୍ଭେମାନେ ଯାଇ ଶିକ୍ଷା କର, କାରଣ ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, ମାତ୍ର ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି।”
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର