Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁନ 2027 › ଜୁନ 26

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 26 ଜୁନ 2027

ଶନିବାର · ସାଧାରଣ କାଳର 12ତମ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର 12ତମ ସପ୍ତାହର ଶନିବାର

ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ସବୁଜ

ଶନିବାରରେ ଧନ୍ୟା କୁମାରୀ ମରୀୟମଙ୍କ ସ୍ମୃତି ଦିବସ · ଇଚ୍ଛାଧୀନ ସ୍ମୃତି ଦିବସ

ଦିନର ପାଠ

ପ୍ରଥମ ପାଠ

ଆଦି 18:1–15

1ଏଥିଉତ୍ତାରେ ଦିନକର ଖରା ବେଳେ ଅବ୍ରହାମ ମମ୍ରିର ଅଲୋନ ବୃକ୍ଷ ମୂଳେ ଆପଣା ତମ୍ବୁ ଦ୍ୱାରରେ ବସିଥିଲେ; ଏହି ସମୟରେ ସଦାପ୍ରଭୁ ସେହି ସ୍ଥାନରେ ତାଙ୍କୁ ଦର୍ଶନ ଦେଲେ। 2ତହିଁରେ ସେ ଅନାଇ ଦେଖିଲେ, ତିନୋଟି ପୁରୁଷ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ; ପୁଣି, ଦେଖିବାମାତ୍ର ସାକ୍ଷାତ କରିବାକୁ ତମ୍ବୁଦ୍ୱାରରୁ ବେଗେ ଯାଇ ଭୂମିଷ୍ଠ ହୋଇ କହିଲେ, 3“ହେ ପ୍ରଭୋ, ନିବେଦନ କରୁଅଛି, ମହାଶୟଗଣ, ଯଦି ତୁମ୍ଭେମାନେ ମୋ ଉପରେ ସନ୍ତୁଷ୍ଟ ଅଛନ୍ତି, ତେବେ ଏହି ଦାସର ସ୍ଥାନରେ (ଏଠାରେ) କିଛି ସମୟ ରୁହନ୍ତୁ। 4ବିନୟ କରୁଅଛି, ମୋତେ ଅଳ୍ପ ଜଳ ଆଣିବାକୁ ଦିଅନ୍ତୁ ପୁଣି, ଆପଣମାନେ ପାଦ ପ୍ରକ୍ଷାଳନ କରି ଏହି ବୃକ୍ଷ ତଳେ ବିଶ୍ରାମ କରନ୍ତୁ 5ଯେହେତୁ ଆପଣମାନେ ଆପଣଙ୍କ ଦାସଙ୍କ ନିକଟକୁ ଆସିଅଛନ୍ତି, ଏଥିପାଇଁ ମୋତେ କିଛି ଖାଦ୍ୟଦ୍ରବ୍ୟ ଆଣିବାକୁ ଦିଅନ୍ତୁ, ପୁଣି ଭୋଜନ କଲା ପରେ ଆପଣମାନେ ଗମନ କରିବେ।” ସେତେବେଳେ ସେମାନେ କହିଲେ, “ଯାହା କହୁଅଛ, ତାହା କର।” 6ତହିଁରେ ଅବ୍ରହାମ ଶୀଘ୍ର ତମ୍ବୁଗୃହକୁ ସାରା ନିକଟକୁ ଯାଇ କହିଲେ, “ତିନି ସେର ଉତ୍ତମ ମଇଦା ନେଇ ଛାଣି ଶୀଘ୍ର ରୁଟି ପ୍ରସ୍ତୁତ କର।” 7ଏଥିଉତ୍ତାରେ ଅବ୍ରହାମ ଗୋଠକୁ ଶୀଘ୍ର ଯାଇ ଉତ୍ତମ କୋମଳ ଗୋବତ୍ସ ଆଣି ଦାସକୁ ଦିଅନ୍ତେ, ସେ ତାହା ଶୀଘ୍ର ରାନ୍ଧିଲା। 8ସେତେବେଳେ ସେ ଦହି, ଦୁଗ୍ଧ ଓ ପକ୍ୱ ଗୋବତ୍ସ ଆଣି ସେମାନଙ୍କ ନିକଟରେ ରଖିଲେ, ପୁଣି, ସେମାନଙ୍କ ଭୋଜନ ସମୟରେ ବୃକ୍ଷ ମୂଳେ ସେମାନଙ୍କ ନିକଟରେ ଛିଡ଼ା ହେଲେ। 9ତହିଁ ଉତ୍ତାରେ ସେମାନେ ତାଙ୍କୁ ପଚାରିଲେ, “ତୁମ୍ଭର ଭାର୍ଯ୍ୟା ସାରା କେଉଁଠାରେ?” ସେ କହିଲେ, “ଦେଖନ୍ତୁ, ସେ ତମ୍ବୁରେ ଅଛନ୍ତି।” 10ତହୁଁ ସେ କହିଲେ, “ଏହି ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ଆମ୍ଭେ ଅବଶ୍ୟ ଫେରି ଆସିବା; ଦେଖ, ସେହି ସମୟରେ ତୁମ୍ଭ ଭାର୍ଯ୍ୟା ସାରାର (କୋଳରେ) ଗୋଟିଏ ପୁତ୍ର ଥିବ।” ଏହି କଥା ସାରା ତମ୍ବୁ ଦ୍ୱାରରେ ତାଙ୍କ ପଛେ ଥାଇ ଶୁଣିଲେ। 11ସେହି ସମୟରେ ଅବ୍ରହାମ ଓ ସାରା ବୃଦ୍ଧ ଓ ଗତବୟସ୍କ ଥିଲେ, ପୁଣି, ସାରାଙ୍କର ସ୍ତ୍ରୀଧର୍ମ ନିବୃତ୍ତ ହୋଇଥିଲା। 12ଏନିମନ୍ତେ ସାରା ହସି ମନେ ମନେ କହିଲେ, “ମୋହର ଏହି ଶୀର୍ଣ୍ଣାବସ୍ଥାରେ କି ଏରୂପ ଆନନ୍ଦ ହେବ? ବିଶେଷତଃ ମୋହର ପ୍ରଭୁ ମଧ୍ୟ ବୃଦ୍ଧ।” 13ସେତେବେଳେ ସଦାପ୍ରଭୁ ଅବ୍ରହାମଙ୍କୁ କହିଲେ, “‘ଆପଣାର ବୃଦ୍ଧାବସ୍ଥାରେ କି ନିଶ୍ଚୟ ସନ୍ତାନ ଜନ୍ମିବ,’ ଏହା ଭାବି ସାରା କାହିଁକି ହସିଲା? 14ସଦାପ୍ରଭୁଙ୍କ ନିମନ୍ତେ କୌଣସି କର୍ମ କଠିନ ଅଟେ କି? ଏହି ଋତୁ ପୁନର୍ବାର ଉପସ୍ଥିତ ହେଲେ, ନିରୂପିତ ସମୟରେ ଆମ୍ଭେ ଫେରି ଆସିବା, ସେହି ସମୟରେ ସାରାର (କୋଳରେ) ପୁତ୍ର ଥିବ।” 15ତହିଁରେ ସାରା ଅସ୍ୱୀକାର କରି କହିଲେ, “ମୁଁ ହସି ନାହିଁ,” ଯେହେତୁ ସେ ଭୟ କଲେ। ମାତ୍ର ସଦାପ୍ରଭୁ କହିଲେ, “ତୁମ୍ଭେ ଅବଶ୍ୟ ହସିଲ।”

ପ୍ରତିଉତ୍ତର ଗୀତ

ଲୂକ 1:47–50, 53–55

47ପୁଣି, ମୋହର ଆତ୍ମା ମୋʼ ତ୍ରାଣକର୍ତ୍ତା ଈଶ୍ବରଙ୍କଠାରେ ଆନନ୍ଦିତ ହୋଇଅଛି; 48କାରଣ ସେ ଆପଣା ଦାସୀର ଦୀନାବସ୍ଥା ପ୍ରତି ଦୃଷ୍ଟିପାତ କରିଅଛନ୍ତି। ଆଉ ଦେଖ, ବର୍ତ୍ତମାନଠାରୁ ସମସ୍ତ ପିଢ଼ି ମୋତେ ଧନ୍ୟ ବୋଲି କହିବେ, 49କାରଣ ଯେ ଶକ୍ତିମାନ, ସେ ମୋʼ ପ୍ରତି ମହତ କର୍ମ କରିଅଛନ୍ତି; ତାହାଙ୍କର ନାମ ପବିତ୍ର, 50ଆଉ ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ପୁରୁଷାନୁକ୍ରମେ ଥାଏ। 53ସେ କ୍ଷୁଧିତମାନଙ୍କୁ ଉତ୍ତମ ଉତ୍ତମ ଦ୍ରବ୍ୟରେ ତୃପ୍ତ କରିଅଛନ୍ତି, ଧନୀମାନଙ୍କୁ ଶୂନ୍ୟ ହସ୍ତରେ ବିଦାୟ କରିଅଛନ୍ତି। 54ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ପ୍ରତି ଉକ୍ତ ତାହାଙ୍କର ବାକ୍ୟାନୁସାରେ, ସେ ଅବ୍ରହାମ ଓ ତାହାଙ୍କ ସନ୍ତାନମାନଙ୍କ ପ୍ରତି, 55ଯୁଗେ ଯୁଗେ ଦୟା ସ୍ମରଣ କରିବା ନିମନ୍ତେ ଆପଣଙ୍କ ଦାସ ଇସ୍ରାଏଲର ଉପକାର କରିଅଛନ୍ତି।”

ସୁସମାଚାର

ମାଥି 8:5–17

5ଯୀଶୁ କଫର୍ନାହୂମ ନଗରରେ ପ୍ରବେଶ କରନ୍ତେ ଜଣେ ଶତ-ସେନାପତି ତାହାଙ୍କ ପାଖକୁ ଆସି ବିନତି କରି କହିଲେ, 6ହେ ପ୍ରଭୁ, ମୋହର ଦାସ ପକ୍ଷାଘାତ ରୋଗରେ ଅତିଶୟ ଯନ୍ତ୍ରଣା ପାଇ ଗୃହରେ ଶଯ୍ୟାଗତ ଅଛି। 7ସେ ତାହାକୁ କହିଲେ, “ମୁଁ ଯାଇ ତାହାକୁ ସୁସ୍ଥ କରିବି।” 8କିନ୍ତୁ ଶତ-ସେନାପତି ଉତ୍ତର ଦେଲେ, ପ୍ରଭୁ, ଆପଣ ଯେ ମୋʼ ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ; କିନ୍ତୁ କେବଳ ପଦେ ଆଜ୍ଞା କରନ୍ତୁ, ମୋହର ଦାସ ସୁସ୍ଥ ହେବ। 9କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ସୁଦ୍ଧା ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି; ମୁଁ ଜଣକୁ ଯାଅ କହିଲେ ସେ ଯାଏ; ଅନ୍ୟକୁ ଆସ କହିଲେ ସେ ଆସେ; ପୁଣି, ମୋହର ଦାସକୁ ଏହା କର କହିଲେ ସେ କରେ। 10ଯୀଶୁ ଏହା ଶୁଣି ଚମତ୍କୃତ ହୋଇ ପଛରେ ଆସୁଥିବା ଲୋକଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ମଧ୍ୟରେ କାହାରିଠାରେ ଏଡ଼େ ବଡ଼ ବିଶ୍ୱାସ ପାଇ ନାହିଁ। 11କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକେ ପୂର୍ବ ଓ ପଶ୍ଚିମରୁ ଆସି ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କ ସହିତ ସ୍ୱର୍ଗରାଜ୍ୟରେ ଭୋଜନରେ ବସିବେ, 12ମାତ୍ର ରାଜ୍ୟର ସନ୍ତାନମାନେ ବାହାର ଅନ୍ଧକାରରେ ପକାଯିବେ; ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ।” 13ଆଉ ଯୀଶୁ ଶତ-ସେନାପତିଙ୍କୁ କହିଲେ, “ଯାଅ, ତୁମ୍ଭେ ଯେପରି ବିଶ୍ୱାସ କରୁଅଛ, ତୁମ୍ଭ ପ୍ରତି ସେହିପରି ହେଉ।” ସେହିକ୍ଷଣି ଦାସଟି ସୁସ୍ଥ ହେଲା। 14ପରେ ଯୀଶୁ ପିତରଙ୍କ ଘରକୁ ଆସି ତାହାଙ୍କ ଶାଶୁଙ୍କୁ ଜ୍ୱରରେ ଶଯ୍ୟାଗତା ଥିବା ଦେଖିଲେ; 15ସେଥିରେ ସେ ତାହାଙ୍କର ହସ୍ତ ସ୍ପର୍ଶ କଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ଉଠି ତାହାଙ୍କର ସେବା କରିବାକୁ ଲାଗିଲେ। 16ସନ୍ଧ୍ୟା ହୁଅନ୍ତେ ଲୋକମାନେ ଅନେକ ଭୂତଗ୍ରସ୍ତ ଲୋକଙ୍କୁ ତାହାଙ୍କ ନିକଟକୁ ଆଣିଲେ, ସେଥିରେ ସେ କଥା ମାତ୍ରକେ ଭୂତଗୁଡ଼ାକ ଛଡ଼ାଇଲେ ଏବଂ ସମସ୍ତ ପୀଡ଼ିତ ଲୋକଙ୍କୁ ସୁସ୍ଥ କଲେ, 17ଯେପରି ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, “‘ନିଜେ ଆମ୍ଭମାନଙ୍କର ଦୁର୍ବଳତାସବୁ ଗ୍ରହଣ କଲେ ଓ ବ୍ୟାଧିସବୁ ବହନ କଲେ।’”

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର