Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁନ 2027 › ଜୁନ 15

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 15 ଜୁନ 2027

ମଙ୍ଗଳବାର · ସାଧାରଣ କାଳର 11ତମ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର 11ତମ ସପ୍ତାହର ମଙ୍ଗଳବାର

ସାଧାରଣ ଦିନ · ଉପାସନାର ରଙ୍ଗ: ସବୁଜ

ଦିନର ପାଠ

ପ୍ରଥମ ପାଠ

ଦ୍ଵି.କରି 8:1–9

1ହେ ଭାଇମାନେ, ମାକିଦନିଆର ମଣ୍ଡଳୀ-ସମୂହ ମଧ୍ୟରେ ଈଶ୍ବରଙ୍କ ଦତ୍ତ ଯେଉଁ ଅନୁଗ୍ରହ ପ୍ରକାଶିତ ହୋଇଅଛି, ତାହା ଆମ୍ଭେମାନେ ତୁମ୍ଭମାନଙ୍କୁ ଜଣାଉଅଛୁ; 2ସେମାନେ ମହା କ୍ଳେଶରୂପ ପରୀକ୍ଷାରେ ପଡ଼ିଲେ ହେଁ ସେମାନଙ୍କର ମହାନନ୍ଦ ଭୀଷଣ ଦରିଦ୍ରତା ମଧ୍ୟରେ ସୁଦ୍ଧା ପ୍ରଚୁରଭାବେ ଅସୀମ ବଦାନ୍ୟତା ଉତ୍ପନ୍ନ କରିଅଛି। 3କାରଣ ମୁଁ ସାକ୍ଷ୍ୟ ଦେଉଅଛି ଯେ, ସେମାନଙ୍କ ଶକ୍ତି ଅନୁସାରେ, ବରଂ ସେମାନଙ୍କ ଶକ୍ତିର ଅତିରିକ୍ତ ଭାବରେ ସେମାନେ ଦାନ କଲେ; 4ସାଧୁମାନଙ୍କ ସେବାର ସହଭାଗିତାରୂପ ଅନୁଗ୍ରହପ୍ରାପ୍ତ ହେବା ନିମନ୍ତେ ସେମାନେ ସ୍ୱେଚ୍ଛାରେ ବହୁତ ବିନତି ସହ ଆମ୍ଭମାନଙ୍କୁ ନିବେଦନ କଲେ; 5ଏଥିରେ ସେମାନେ ଯେ କେବଳ ଆମ୍ଭମାନଙ୍କ ଆଶାନୁସାରେ କଲେ, ତାହା ନୁହେଁ, ମାତ୍ର ଈଶ୍ବରଙ୍କ ଇଚ୍ଛା ଦ୍ୱାରା ଚାଳିତ ହୋଇ ପ୍ରଥମେ ଆପଣା ଆପଣାକୁ ପ୍ରଭୁଙ୍କ ନିକଟରେ ଏବଂ ଆମ୍ଭମାନଙ୍କ ନିକଟରେ ସମର୍ପଣ କଲେ। 6ଏଣୁ ତୀତସ ତୁମ୍ଭମାନଙ୍କ ମଧ୍ୟରେ ଏହି ଅନୁଗ୍ରହ କାର୍ଯ୍ୟ ଯେଉଁ ପ୍ରକାରେ ଆରମ୍ଭ କରିଥିଲେ, ସେହି ପ୍ରକାରେ ତାହା ଯେପରି ସମାପ୍ତ ମଧ୍ୟ କରନ୍ତି, ଏଥିନିମନ୍ତେ ତାହାଙ୍କୁ ଉତ୍ସାହ ଦେଲୁ। 7ଆଉ, ବିଶ୍ୱାସ, ବକ୍ତାପଣ, ଜ୍ଞାନ ଓ ସର୍ବପ୍ରକାର ଉଦ୍‍ଯୋଗ, ପୁଣି, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପ୍ରେମର ପ୍ରଭାବ, ଏହିପରି ସମସ୍ତ ବିଷୟ ଯେପରି ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉଅଛି, ସେହିପରି ଏହି ଅନୁଗ୍ରହ କାର୍ଯ୍ୟ ମଧ୍ୟ ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉ। 8ମୁଁ ଆଦେଶ ଦେଲା ପରି କହୁ ନାହିଁ, ମାତ୍ର ଅନ୍ୟମାନଙ୍କ ଉଦ୍‍ଯୋଗ ଉଲ୍ଲେଖ କରି ତୁମ୍ଭମାନଙ୍କ ପ୍ରେମର ସରଳତା ମଧ୍ୟ ସପ୍ରମାଣ କରିବା ନିମନ୍ତେ କହୁଅଛି। 9କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭେମାନେ ଜାଣ, ତୁମ୍ଭେମାନେ ଯେପରି ତାହାଙ୍କ ଦରିଦ୍ରତା ଦ୍ୱାରା ଧନବାନ ହୁଅ, ଏଥିପାଇଁ ସେ ଧନୀ ହେଲେ ହେଁ କିପରି ତୁମ୍ଭମାନଙ୍କ ନିମନ୍ତେ ଦରିଦ୍ର ହେଲେ।

ପ୍ରତିଉତ୍ତର ଗୀତ

ଗୀତ 146:1–2, 5–9

1ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ହେ ମୋହର ମନ, ସଦାପ୍ରଭୁଙ୍କର ପ୍ରଶଂସା କର। 2ମୁଁ ବଞ୍ଚିଥିବା ଯାଏ ସଦାପ୍ରଭୁଙ୍କର ପ୍ରଶଂସା କରିବି; ଯେପର୍ଯ୍ୟନ୍ତ ମୋହର କୌଣସି ସତ୍ତା ଥାଏ, ସେପର୍ଯ୍ୟନ୍ତ ମୁଁ ଆପଣା ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବି। 5ଯାକୁବର ପରମେଶ୍ୱର ଯାହାର ସାହାଯ୍ୟ ସ୍ୱରୂପ, ସଦାପ୍ରଭୁ ଆପଣା ପରମେଶ୍ୱର ଯାହାର ଆଶାଭୂମି, ସେ ଲୋକ ଧନ୍ୟ; 6ସେ ଆକାଶମଣ୍ଡଳ ଓ ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥସକଳ ନିର୍ମାଣ କଲେ; ସେ ସଦାକାଳ ସତ୍ୟ ପାଳନ କରନ୍ତି; 7ସେ ଉପଦ୍ରବଗ୍ରସ୍ତ ଲୋକ ପକ୍ଷରେ ନ୍ୟାୟବିଚାର କରନ୍ତି; ସେ କ୍ଷୁଧିତକୁ ଭକ୍ଷ୍ୟ ଦିଅନ୍ତି; ସଦାପ୍ରଭୁ ବନ୍ଦୀଗଣକୁ ମୁକ୍ତ କରନ୍ତି। 8ସଦାପ୍ରଭୁ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ କରନ୍ତି; ସଦାପ୍ରଭୁ ନଇଁ ପଡ଼ିବା ଲୋକମାନଙ୍କୁ ଉଠାନ୍ତି; ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି। 9ସଦାପ୍ରଭୁ ବିଦେଶୀମାନଙ୍କୁ ରକ୍ଷା କରନ୍ତି; ସେ ପିତୃହୀନ ଓ ବିଧବାକୁ ଧରି ରଖନ୍ତି; ମାତ୍ର ଦୁଷ୍ଟମାନଙ୍କର ଗତି ସେ ଓଲଟାଇ ପକାନ୍ତି।

ସୁସମାଚାର

ମାଥି 5:43–48

43ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ‘ତୁମ୍ଭର ପ୍ରତିବାସୀକୁ ପ୍ରେମ କର ଓ ତୁମ୍ଭର ଶତ୍ରୁକୁ ଘୃଣା କର।’ 44କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର, 45ଯେପରି ତୁମ୍ଭେମାନେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ସନ୍ତାନ ହେବ; ସେ ତ ଦୁଷ୍ଟ ଓ ସନ୍ଥ ଉଭୟଙ୍କ ଉପରେ ଆପଣା ସୂର୍ଯ୍ୟ ଉଦୟ କରାନ୍ତି, ପୁଣି, ଧାର୍ମିକ ଓ ଅଧାର୍ମିକମାନଙ୍କ ଉପରେ ବୃଷ୍ଟି ବର୍ଷାନ୍ତି। 46ଆଉ ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ପ୍ରେମ କଲେ ତୁମ୍ଭମାନଙ୍କର କି ପୁରସ୍କାର? କରଗ୍ରାହୀମାନେ ସୁଦ୍ଧା କଅଣ ତାହା କରନ୍ତି ନାହିଁ? 47ଆଉ ତୁମ୍ଭେମାନେ ଯଦି କେବଳ ନିଜ ନିଜ ଭାଇମାନଙ୍କୁ ନମସ୍କାର କର, ତେବେ ଅଧିକ କଅଣ କର? ଅଣଯିହୁଦୀମାନେ ସୁଦ୍ଧା କଅଣ ତାହା କରନ୍ତି ନାହିଁ? 48ଅତଏବ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ।

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର