ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁନ 2027 › ଜୁନ 15
ଅର୍ଥୋଡକ୍ସ ପଞ୍ଜିକା · 2 ଜୁନ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 15 ଜୁନ 2027
ମଙ୍ଗଳବାର · ପାସ୍କାର ସପ୍ତମ ସପ୍ତାହ · ସ୍ୱର 6
ପର୍ବ ଓ ସନ୍ଥ
St. Nicephorus the Confessor, Patriarch of Constantinople († 828)
ଉପବାସ
ଉପବାସ ନାହିଁ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପତ୍ର
26ପାଉଲ ସେଥିରେ ସେହି ଲୋକମାନଙ୍କୁ ନେଇ ପରଦିନ ସେମାନଙ୍କ ସହିତ ଆପଣାକୁ ଶୁଚି କରି ମନ୍ଦିର ଭିତରେ ପ୍ରବେଶ କଲେ, ପୁଣି, ସେମାନଙ୍କ ପ୍ରତ୍ୟେକଙ୍କ ନିମନ୍ତେ ନୈବେଦ୍ୟ ଉତ୍ସର୍ଗ ହେବା ପର୍ଯ୍ୟନ୍ତ ଶୌଚକର୍ମରେ କେତେ ଦିନ ଲାଗିବ, ତାହା ଜଣାଇ ଦେଲେ। 27ସେହି ସାତ ଦିନ ପ୍ରାୟ ସମ୍ପୂର୍ଣ୍ଣ ହୁଅନ୍ତେ, ଏସିଆର ଯିହୁଦୀମାନେ ମନ୍ଦିରରେ ତାହାଙ୍କୁ ଦେଖି ଲୋକସମୂହକୁ ଉତ୍ତେଜିତ କଲେ, ପୁଣି, ତାହାଙ୍କୁ ଧରି ଚିତ୍କାର କରିବାକୁ ଲାଗିଲେ, 28ହେ ଇସ୍ରାଏଲୀୟ ଲୋକମାନେ, ସାହାଯ୍ୟ କର; ସବୁ ସ୍ଥାନରେ ଯେଉଁ ଲୋକଟା ଆମ୍ଭମାନଙ୍କର ଜାତି, ମୋଶାଙ୍କ ବ୍ୟବସ୍ଥା ଓ ଏହି ସ୍ଥାନ ବିପକ୍ଷରେ ସମସ୍ତଙ୍କୁ ଶିକ୍ଷା ଦିଏ, ସେ ଏହି; ସେ ଆହୁରି ମଧ୍ୟ ଗ୍ରୀକ୍ମାନଙ୍କୁ ସୁଦ୍ଧା ମନ୍ଦିର ଭିତରକୁ ଆଣି ଏହି ପବିତ୍ର ସ୍ଥାନକୁ ଅଶୁଚି କରୁଅଛି। 29କାରଣ ପୂର୍ବେ ସେମାନେ ନଗର ମଧ୍ୟରେ ପାଉଲଙ୍କ ସାଙ୍ଗରେ ଏଫିସବାସୀ ତ୍ରଫିମଙ୍କୁ ଦେଖିଥିଲେ, ଆଉ ପାଉଲ ହିଁ ତାହାଙ୍କୁ ମନ୍ଦିର ଭିତରକୁ ଆଣିଥିବେ ବୋଲି ଅନୁମାନ କରୁଥିଲେ। 30ଏଥିରେ ନଗରସାରା ଚହଳ ପଡ଼ିଗଲା, ଲୋକମାନେ ଏକାଠି ଦୌଡ଼ିଲେ, ପୁଣି, ସେମାନେ ପାଉଲଙ୍କୁ ଧରି ମନ୍ଦିର ବାହାରକୁ ଟାଣି ଆଣିଲେ; ଆଉ ସେହିକ୍ଷଣି ଦ୍ୱାରସବୁ ବନ୍ଦ କରାଗଲା। 31ପୁଣି, ତାହାଙ୍କୁ ସେମାନେ ମାରିପକାଇବା ପାଇଁ ଚେଷ୍ଟା କରନ୍ତେ ସମସ୍ତ ଯିରୂଶାଲମ ଗଣ୍ଡଗୋଳରେ ପରିପୂର୍ଣ୍ଣ ହୋଇଅଛି ବୋଲି ସୈନ୍ୟଦଳର ସହସ୍ର-ସେନାପତିଙ୍କ ନିକଟକୁ ସମ୍ବାଦ ଆସିଲା। 32ଏଥିରେ ସେ ସେହିକ୍ଷଣି ସୈନ୍ୟ ଓ ଶତ-ସେନାପତିମାନଙ୍କୁ ନେଇ ସେମାନଙ୍କ ନିକଟକୁ ଦୌଡ଼ିଗଲେ। ସେମାନେ ସହସ୍ର-ସେନାପତି ଓ ସୈନ୍ୟମାନଙ୍କୁ ଦେଖି ପାଉଲଙ୍କୁ ପ୍ରହାର କରିବା ବନ୍ଦ କଲେ।
ସୁସମାଚାର
2ସେମାନେ ତୁମ୍ଭମାନଙ୍କୁ ସମାଜଗୃହରୁ ବାହାର କରିବେ, ହଁ, ଏପରି ସମୟ ଆସୁଅଛି, ଯେତେବେଳେ ଯେ କେହି ତୁମ୍ଭମାନଙ୍କୁ ବଧ କରେ, ସେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଉପାସନାରୂପ ବଳି ଉତ୍ସର୍ଗ କରୁଅଛି ବୋଲି ମନେ କରିବ। 3ଆଉ, ସେମାନେ ଏହାସବୁ କରିବେ, କାରଣ ସେମାନେ ପିତାଙ୍କୁ କିମ୍ବା ମୋତେ ଜାଣି ନାହାନ୍ତି। 4ମାତ୍ର ଏସମସ୍ତ ଘଟିବାର ସମୟ ଉପସ୍ଥିତ ହେଲେ, ମୁଁ ଯେ ତୁମ୍ଭମାନଙ୍କୁ କହିଥିଲି, ଏହା ଯେପରି ତୁମ୍ଭେମାନେ ସ୍ମରଣ କର, ଏଥିନିମନ୍ତେ ମୁଁ ଏହିସବୁ କଥା ତୁମ୍ଭମାନଙ୍କୁ କହିଅଛି। ମୁଁ ତୁମ୍ଭମାନଙ୍କ ସହିତ ଥିବାରୁ ଆରମ୍ଭରୁ ଏହିସବୁ କଥା ତୁମ୍ଭମାନଙ୍କୁ କହିଲି ନାହିଁ।” 5“କିନ୍ତୁ ବର୍ତ୍ତମାନ ମୁଁ ମୋହର ପ୍ରେରଣକର୍ତ୍ତାଙ୍କ ନିକଟକୁ ଯାଉଅଛି, ଆଉ ତୁମ୍ଭେ କେଉଁ ସ୍ଥାନକୁ ଯାଉଅଛ ବୋଲି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋତେ ପଚାରୁ ନାହଁ। 6ମାତ୍ର ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଥିବାରୁ ତୁମ୍ଭମାନଙ୍କ ହୃଦୟ ଦୁଃଖରେ ପରିପୂର୍ଣ୍ଣ ହୋଇଅଛି। 7କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୋହର ପ୍ରସ୍ଥାନ କରିବାରେ ତୁମ୍ଭମାନଙ୍କର ମଙ୍ଗଳ, କାରଣ ମୁଁ ପ୍ରସ୍ଥାନ ନ କଲେ ସେହି ସାହାଯ୍ୟକାରୀ ତୁମ୍ଭମାନଙ୍କ ନିକଟକୁ ଆସିବେ ନାହିଁ, ମାତ୍ର ମୁଁ ଗଲେ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଦେବି। 8ସେ ଆସି ପାପ, ଧାର୍ମିକତା ଓ ବିଚାର ବିଷୟରେ ଜଗତକୁ ପ୍ରମାଣ ଦେବେ; 9ପାପ ବିଷୟରେ, କାରଣ ସେମାନେ ମୋʼ ଠାରେ ବିଶ୍ୱାସ କରନ୍ତି ନାହିଁ; 10ଧାର୍ମିକତା ବିଷୟରେ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି ଓ ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ; 11ନ୍ୟାୟବିଚାର ବିଷୟରେ କାରଣ ଏହି ଜଗତର ଅଧିପତି ବିଚାରିତ ହୋଇଅଛି। 12ମୋହର ତୁମ୍ଭମାନଙ୍କୁ ଆହୁରି ଅନେକ କଥା କହିବାର ଅଛି, ମାତ୍ର ତୁମ୍ଭେମାନେ ଏବେ ସେହିସବୁ ସହି ପାର ନାହିଁ। 13କିନ୍ତୁ ସେ, ଅର୍ଥାତ୍, ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମ୍ଭମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ, କାରଣ ସେ ଆପଣାଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ, ସେହିସବୁ କହିବେ, ପୁଣି, ଆଗାମୀ ବିଷୟସବୁ ତୁମ୍ଭମାନଙ୍କୁ ଜଣାଇବେ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଜୁନ 2 ନାଗରିକ ପଞ୍ଜିକାର ଜୁନ 15। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର