ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁନ 2027 › ଜୁନ 13
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 13 ଜୁନ 2027
ରବିବାର · ସାଧାରଣ କାଳର 11ତମ ସପ୍ତାହ
ପର୍ବ ଓ ସନ୍ଥ
ସାଧାରଣ କାଳର 11ତମ ରବିବାର
ରବିବାର · ଉପାସନାର ରଙ୍ଗ: ସବୁଜ
ଦିନର ପାଠ
ପ୍ରଥମ ପାଠ
22ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଏରସ ବୃକ୍ଷର ଉଚ୍ଚ ଅଗ୍ରଭାଗ ନେଇ ତାହା ସ୍ଥାପନ କରିବା; ଆମ୍ଭେ ତାହାର ଉଚ୍ଚତମ ପଲ୍ଲବମାନର ମଧ୍ୟରୁ ଗୋଟିଏ କୋମଳ ପଲ୍ଲବ କାଟି ନେଇ ଏକ ଉଚ୍ଚ ଓ ଉନ୍ନତ ପର୍ବତରେ ରୋପଣ କରିବା; 23ଇସ୍ରାଏଲର ଉଚ୍ଚତମ ପର୍ବତରେ ଆମ୍ଭେ ତାହା ରୋପଣ କରିବା, ତହିଁରେ ତାହା ଶାଖାବିଶିଷ୍ଟ ଓ ଫଳବାନ ହୋଇ ଉତ୍ତମ ଏରସ ବୃକ୍ଷ ହେବ; ତହିଁର ତଳେ ସର୍ବଜାତୀୟ ପକ୍ଷୀ ବାସ କରିବେ; ସେମାନେ ତହିଁର ଶାଖାମାନର ଛାୟାରେ ବାସ କରିବେ। 24ତହିଁରେ ଆମ୍ଭେ ସଦାପ୍ରଭୁ ଯେ ଉଚ୍ଚ ବୃକ୍ଷକୁ ନୀଚ କରିଅଛୁ ଓ ନୀଚ ବୃକ୍ଷକୁ ଉଚ୍ଚ କରିଅଛୁ, ସତେଜ ବୃକ୍ଷକୁ ଶୁଷ୍କ କରିଅଛୁ ଓ ଶୁଷ୍କ ବୃକ୍ଷକୁ ସତେଜ କରିଅଛୁ, ଏହା କ୍ଷେତ୍ରସ୍ଥ ଯାବତୀୟ ବୃକ୍ଷ ଜାଣିବେ; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ ଓ ସିଦ୍ଧ କରିଅଛୁ।”
ପ୍ରତିଉତ୍ତର ଗୀତ
1ଗୀତ: ବିଶ୍ରାମବାର ନିମିତ୍ତକ ଗୀତ। ସଦାପ୍ରଭୁଙ୍କ ଧନ୍ୟବାଦ କରିବାର ଉତ୍ତମ, ହେ ସର୍ବୋପରିସ୍ଥ, ତୁମ୍ଭ ନାମରେ ପ୍ରଶଂସା ଗାନ କରିବାର, 2ପୁଣି, ଦଶତାର-ଯନ୍ତ୍ର ଓ ନେବଲରେ, ବୀଣାର ଗମ୍ଭୀର ଧ୍ୱନିରେ, 12ଧାର୍ମିକ ଲୋକ ତାଳ ବୃକ୍ଷ ପରି ବର୍ଦ୍ଧିଷ୍ଣୁ ହେବ; ସେ ଲିବାନୋନରେ ଏରସ ବୃକ୍ଷ ତୁଲ୍ୟ ବୃଦ୍ଧି ପାଇବ। 13ଯେଉଁମାନେ ସଦାପ୍ରଭୁଙ୍କ ଗୃହରେ ରୋପିତ ହୁଅନ୍ତି, ସେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରାଙ୍ଗଣରେ ବର୍ଦ୍ଧିଷ୍ଣୁ ହେବେ। 14ସେମାନେ ବୃଦ୍ଧ ବୟସରେ ହେଁ ଫଳ ଉତ୍ପନ୍ନ କରିବେ; ସେମାନେ ରସ ଓ ତେଜରେ ପୂର୍ଣ୍ଣ ହେବେ; 15ତଦ୍ଦ୍ୱାରା ସଦାପ୍ରଭୁ ଯେ ଯଥାର୍ଥିକ, ଏହା ପ୍ରକାଶିତ ହେବ; ସେ ମୋହର ଶୈଳ ଓ ତାହାଙ୍କଠାରେ କୌଣସି ଅଧର୍ମ ନାହିଁ।
ଦ୍ୱିତୀୟ ପାଠ
6ଅତଏବ ଆମ୍ଭେମାନେ ସର୍ବଦା ସାହସୀ ଅଟୁ, ଆଉ ଏହି ଶରୀରରେ ଯେପର୍ଯ୍ୟନ୍ତ ନିବାସ କରୁଅଛୁ, ସେପର୍ଯ୍ୟନ୍ତ ଯେ ପ୍ରଭୁଙ୍କଠାରୁ ଦୂରରେ ପ୍ରବାସ କରୁଅଛୁ, ଏହା ଜାଣୁ। 7(କାରଣ ଆମ୍ଭେମାନେ ଦୃଶ୍ୟ ବିଷୟ ଦେଇ ଜୀବନଯାପନ ନ କରି ବିଶ୍ୱାସରେ ଜୀବନଯାପନ କରୁଅଛୁ), 8ହଁ, ଆମ୍ଭେମାନେ ସାହସୀ ଅଟୁ, ଆଉ ଶରୀରଠାରୁ ଦୂରରେ ବାସ କରି ବରଂ ପ୍ରଭୁଙ୍କ ନିକଟରେ ନିବାସ କରିବାରେ ଆମ୍ଭମାନଙ୍କର ଅଧିକ ସନ୍ତୋଷ। 9ଏଣୁ ମଧ୍ୟ ନିବାସୀ ହେଉ ବା ପ୍ରବାସୀ ହେଉ, ତାହାଙ୍କ ନିକଟରେ ସନ୍ତୋଷପାତ୍ର ହେବା ଆମ୍ଭମାନଙ୍କର ଏକାନ୍ତ ବାସନା। 10କାରଣ ଭଲ ହେଉ ବା ମନ୍ଦ ହେଉ, ପ୍ରତ୍ୟେକ ଜଣ ଆପଣା ଶରୀର ଦ୍ୱାରା କୃତ କର୍ମାନୁସାରେ ଫଳ ପାଇବା ନିମନ୍ତେ ଖ୍ରୀଷ୍ଟଙ୍କ ବିଚାରାସନ ଛାମୁରେ ଆମ୍ଭ ସମସ୍ତଙ୍କୁ ଉପସ୍ଥିତ ହେବାକୁ ହେବ।
ସୁସମାଚାର
26ଆହୁରି ସେ କହିଲେ, “ଈଶ୍ବରଙ୍କ ରାଜ୍ୟ ଏହି ପ୍ରକାର, ଯେପରି ଜଣେ ଲୋକ ଭୂମିରେ ବିହନ ବୁଣେ; 27ପୁଣି, ରାତ୍ରିରେ ନିଦ୍ରା ଯାଏ ଓ ଦିବସରେ ଜାଗ୍ରତ ହୁଏ, ଆଉ ବିହନ କିପରି ଅଙ୍କୁରିତ ହୋଇ ବୃଦ୍ଧି ପାଏ, ତାହା ସେ ଜାଣେ ନାହିଁ। 28ଭୂମି ଆପେ ଫଳ ଉତ୍ପନ୍ନ କରେ, ପ୍ରଥମରେ ପତ୍ର, ପରେ ଶସ୍ୟର ଶିଁଷା, ତାହା ପରେ ଶିଁଷାରେ ପୂର୍ଣ୍ଣ ଶସ୍ୟ। 29କିନ୍ତୁ ଶସ୍ୟ ପାଚିଲାକ୍ଷଣି ଫସଲ ସମୟ ଉପସ୍ଥିତ ହେବାରୁ ସେ ଦାଆ ଲଗାଏ।” 30ଯୀଶୁ ପୁଣି, କହିଲେ, “ଆମ୍ଭେମାନେ କାହା ସାଙ୍ଗରେ ଈଶ୍ବରଙ୍କ ରାଜ୍ୟର ତୁଳନା କରିବା? କିଅବା କେଉଁ ଦୃଷ୍ଟାନ୍ତରେ ତାହା ବୁଝାଇବା? 31ତାହା ଗୋଟିଏ ସୋରିଷ ଦାନା ପରି; ଭୂମିରେ ବୁଣାଯିବା ସମୟରେ ତାହା ପୃଥିବୀର ସମସ୍ତ ବୀଜଠାରୁ କ୍ଷୁଦ୍ର, 32ମାତ୍ର ବୁଣାଗଲେ ତାହା ବଢ଼ି ଉଠି ସବୁ ଶାକଠାରୁ ବଡ଼ ହୁଏ, ପୁଣି, ତାହାର ଏପରି ବଡ଼ ବଡ଼ ଡାଳ ହୁଏ ଯେ, ଆକାଶର ଚଢ଼େଇମାନେ ତାହାର ଛାୟାରେ ବାସ କରିପାରନ୍ତି।” 33ସେ ଏହି ପ୍ରକାରେ ଅନେକ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କ ଶୁଣିବା ଶକ୍ତି ଅନୁସାରେ ସେମାନଙ୍କ ନିକଟରେ ବାକ୍ୟ ପ୍ରଚାର କରୁଥିଲେ, 34ଆଉ ଦୃଷ୍ଟାନ୍ତ ବିନା ସେ ସେମାନଙ୍କ ନିକଟରେ କୌଣସି କଥା କହୁ ନ ଥିଲେ। କିନ୍ତୁ ସେ ଗୋପନରେ ଆପଣା ଶିଷ୍ୟମାନଙ୍କୁ ସମସ୍ତ ବିଷୟ ବୁଝାଇ ଦେଉଥିଲେ।
ଆଜିର ସନ୍ଥ
- ପାଦୁଆର ସନ୍ଥ ଆଣ୍ଟୋନି, ପୁରୋହିତ ଓ ମଣ୍ଡଳୀର ଆଚାର୍ଯ୍ୟ
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର