ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମଇ 2027 › ମଇ 24
ଅର୍ଥୋଡକ୍ସ ପଞ୍ଜିକା · 11 ମଇ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 24 ମଇ 2027
ସୋମବାର · ପାସ୍କାର ଚତୁର୍ଥ ସପ୍ତାହ · ସ୍ୱର 3
ପର୍ବ ଓ ସନ୍ଥ
Hieromartyr Mocius the Presbyter of Amphipolis in Macedonia († c.295)
ଉପବାସ
ଉପବାସ ନାହିଁ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ସନ୍ଧ୍ୟା ପ୍ରାର୍ଥନା: ପାଠ
31ଧାର୍ମିକର ମୁଖ ଜ୍ଞାନ ଜନ୍ମାଏ, ମାତ୍ର କୁଟିଳବାଦୀ ଜିହ୍ୱା ଉଚ୍ଛିନ୍ନ ହେବ। 32ଧାର୍ମିକର ଓଷ୍ଠାଧର ତୁଷ୍ଟିକର କଥା ଜାଣେ, ମାତ୍ର ଦୁଷ୍ଟର ମୁଖ କୁଟିଳ କଥା କହେ। 11:1ଅଯଥାର୍ଥ ନିକ୍ତି ସଦାପ୍ରଭୁଙ୍କର ଘୃଣା ବିଷୟ। ମାତ୍ର ଯଥାର୍ଥ ବଟଖରା ତାହାଙ୍କର ତୁଷ୍ଟିକର। 2ଅହଙ୍କାର ଆସିଲେ ଲଜ୍ଜା ଆସେ; ମାତ୍ର ନମ୍ରଶୀଳ ଲୋକଠାରେ ଜ୍ଞାନ ଥାଏ। 3ସରଳାଚାରୀମାନଙ୍କ ସରଳତା ସେମାନଙ୍କୁ ପଥ ଦେଖାଇବ, ମାତ୍ର ବିଶ୍ୱାସଘାତକମାନଙ୍କ କୁଟିଳାଚରଣ ସେମାନଙ୍କୁ ନାଶ କରିବ। 4ପରମେଶ୍ୱରଙ୍କ କ୍ରୋଧର ଦିନରେ ଧନ ନିଷ୍ଫଳ, ମାତ୍ର ଧାର୍ମିକତା ମୃତ୍ୟୁରୁ ରକ୍ଷା କରେ। 5ସାଧୁର ଧାର୍ମିକତା ତାହାର ପଥ ନିର୍ଦ୍ଦେଶ କରିବ, ମାତ୍ର ଦୁଷ୍ଟ ଆପଣା ଦୁଷ୍ଟତାରେ ନିପାତିତ ହେବ। 6ସରଳ ଲୋକଙ୍କର ଧାର୍ମିକତା ସେମାନଙ୍କୁ ଉଦ୍ଧାର କରେ, ମାତ୍ର ବିଶ୍ୱାସଘାତକମାନେ ଆପଣା ଆପଣା କୁଅଭିଳାଷରେ ଧରା ପଡ଼ିବେ। 7ଦୁଷ୍ଟ ମଲେ, ତାହାର ଭରସା ନଷ୍ଟ ହୁଏ ଓ ଅଧାର୍ମିକମାନଙ୍କର ଆଶା ବିନଷ୍ଟ ହୁଏ। 8ଧାର୍ମିକ ଦୁଃଖରୁ ଉଦ୍ଧାର ପାଏ, ପୁଣି, ଦୁଷ୍ଟ ତାହା ବଦଳେ ତହିଁକୁ ଆସେ। 9ଭକ୍ତିହୀନ ଲୋକ ଆପଣା ମୁଖରେ ପ୍ରତିବାସୀକୁ ନାଶ କରେ, ମାତ୍ର ଧାର୍ମିକ ଜ୍ଞାନରେ ଉଦ୍ଧାର ପ୍ରାପ୍ତ ହୁଏ। 10ଧାର୍ମିକର ମଙ୍ଗଳ ହେଲେ, ନଗର ଆନନ୍ଦ କରେ; ପୁଣି, ଦୁଷ୍ଟର ବିନାଶ ହେଲେ, ଜୟଧ୍ୱନି ହୁଏ। 11ସରଳ ଲୋକର ଆଶୀର୍ବାଦରେ ନଗର ଉନ୍ନତ ହୁଏ, ମାତ୍ର ଦୁଷ୍ଟ ଲୋକର ମୁଖରେ ତାହାର ନିପାତ ହୁଏ। 12ଯେ ଆପଣା ପ୍ରତିବାସୀକୁ ତୁଚ୍ଛ କରେ, ସେ ନିର୍ବୋଧ; ମାତ୍ର ବୁଦ୍ଧିମାନ ତୁନି ହୋଇ ରହେ।
ସନ୍ଧ୍ୟା ପ୍ରାର୍ଥନା: ପାଠ
ଏହି ଅନୁବାଦରେ ନାହିଁ
ପ୍ରଭାତୀ ପ୍ରାର୍ଥନା: ସୁସମାଚାର
1“ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ଦ୍ୱାର ଦେଇ ମେଷଶାଳାରେ ପ୍ରବେଶ ନ କରେ, ମାତ୍ର ଅନ୍ୟ କୌଣସି ସ୍ଥାନରେ ଚଢ଼ି ପ୍ରବେଶ କରେ, ସେ ଚୋର ଓ ଡକାଇତ; 2କିନ୍ତୁ ଯେ ଦ୍ୱାର ଦେଇ ପ୍ରବେଶ କରେ, ସେ ମେଷପାଳକ। 3ଦ୍ୱାରୀ ତାହା ନିମନ୍ତେ ଦ୍ୱାର ଫିଟାଇଦିଏ, ପୁଣି, ମେଷଗୁଡ଼ିକ ତାହାର ସ୍ୱର ଶୁଣନ୍ତି, ଆଉ ସେ ନିଜର ମେଷସବୁକୁ ନାମ ଧରି ଡାକି ବାହାର କରି ଘେନିଯାଏ। 4ସେ ନିଜର ମେଷସବୁକୁ ବାହାର କଲା ଉତ୍ତାରେ ସେମାନଙ୍କ ଆଗେ ଆଗେ ଚାଲେ ଓ ମେଷଗୁଡ଼ିକ ତାହାର ପଛେ ପଛେ ଚାଲନ୍ତି, କାରଣ ସେମାନେ ତାହାର ସ୍ୱର ଚିହ୍ନନ୍ତି; 5କିନ୍ତୁ ସେମାନେ ଅଚିହ୍ନା ଲୋକର ପଛେ ପଛେ କେବେ ହେଁ ଚାଲିବେ ନାହିଁ, ମାତ୍ର ତାହା ପାଖରୁ ପଳାଇଯିବେ, କାରଣ ସେମାନେ ଅଚିହ୍ନା ଲୋକମାନଙ୍କର ସ୍ୱର ଚିହ୍ନନ୍ତି ନାହିଁ।” 6ଯୀଶୁ ସେମାନଙ୍କୁ ଏହି ଉପମା କହିଲେ, କିନ୍ତୁ ସେ ସେମାନଙ୍କୁ ଯାହା ଯାହା କହୁଥିଲେ, ସେହିସବୁ କଅଣ ବୋଲି ସେମାନେ ବୁଝିଲେ ନାହିଁ। 7ତେଣୁ ଯୀଶୁ ପୁନର୍ବାର କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୁଁ ମେଷଗୁଡ଼ିକର ଦ୍ୱାର। 8ଯେତେ ଜଣ ମୋʼ ପୂର୍ବରେ ଆସିଅଛନ୍ତି, ସେମାନେ ସମସ୍ତେ ଚୋର ଓ ଡକାଇତ, କିନ୍ତୁ ମେଷସବୁ ସେମାନଙ୍କ କଥା ଶୁଣିଲେ ନାହିଁ। 9ମୁଁ ଦ୍ୱାର, ଯଦି କେହି ମୋʼ ଦେଇ ପ୍ରବେଶ କରେ, ତାହାହେଲେ ସେ ରକ୍ଷା ପାଇବ ଏବଂ ଭିତରକୁ ଆସି ଓ ବାହାରକୁ ଯାଇ ଚରା ପାଇବ।
ପତ୍ର
1କାଇସରିୟା ସହରରେ କର୍ଣ୍ଣିଲୀୟ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଇତାଲିକ ନାମକ ସୈନ୍ୟଦଳର ଜଣେ ଶତ-ସେନାପତି ଥିଲେ; 2ସେ ଜଣେ ଭକ୍ତ, ଆଉ ସପରିବାରରେ ଈଶ୍ବରଙ୍କୁ ଭୟ କରୁଥିଲେ। ସେ ଲୋକମାନଙ୍କୁ ବହୁତ ଦାନ ଦେଉଥିଲେ, ଆଉ ସର୍ବଦା ଈଶ୍ବରଙ୍କ ଛାମୁରେ ପ୍ରାର୍ଥନା କରୁଥିଲେ। 3ଦିନେ ଅପରାହ୍ନ ପ୍ରାୟ ତିନି ଘଣ୍ଟା ସମୟରେ ସେ ସ୍ପଷ୍ଟ ରୂପେ ଗୋଟିଏ ଦର୍ଶନ ପାଇଲେ, ଯେପରି ଈଶ୍ବରଙ୍କର ଜଣେ ଦୂତ ତାହାଙ୍କ ନିକଟକୁ ଆସି କହୁଅଛନ୍ତି, ହେ କର୍ଣ୍ଣିଲୀୟ। 4ସେ ସେଥିରେ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ଭୀତ ହୋଇ କହିଲେ, ହେ ପ୍ରଭୁ କଅଣ? ସେ ତାହାଙ୍କୁ କହିଲେ, ତୁମ୍ଭର ପ୍ରାର୍ଥନା ଓ ଦାନସବୁ ସ୍ମରଣାର୍ଥକ ବଳି ସ୍ୱରୂପେ ଊର୍ଦ୍ଧ୍ୱରେ ଈଶ୍ବରଙ୍କ ଛାମୁରେ ଉଠିଅଛି। 5ଏବେ ତୁମ୍ଭେ ଯାଫୋ ସହରକୁ ଲୋକ ପଠାଇ ଶିମୋନଙ୍କୁ ଡକାଇ ଆଣ, ତାହାଙ୍କ ଉପନାମ ପିତର; 6ସେ ଶିମୋନ ନାମକ ଜଣେ ଚର୍ମକାରକଙ୍କ ଅତିଥି ସ୍ୱରୂପେ ବାସ କରୁଅଛନ୍ତି, ତାହାଙ୍କ ଘର ସମୁଦ୍ରକୂଳରେ। 7ତାହାଙ୍କ ସାଙ୍ଗରେ କଥା କହୁଥିବା ଦୂତ ଗଲା ପରେ ସେ ଆପଣା ଗୃହର ଦାସମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ, ପୁଣି, ତାହାଙ୍କର ସେବା କରୁଥିବା ସୈନ୍ୟମାନଙ୍କ ମଧ୍ୟରୁ ଜଣେ ଭକ୍ତ ସୈନ୍ୟକୁ ଡାକିଲେ, 8ଆଉ ସେମାନଙ୍କୁ ସମସ୍ତ କଥା ବୁଝାଇ ଯାଫୋ ସହରକୁ ପଠାଇଲେ। 9ପରଦିନ ସେମାନେ ଯାଉ ଯାଉ ଯେତେବେଳେ ସେହି ନଗରର ନିକଟବର୍ତ୍ତୀ ହେଲେ, ସେତେବେଳେ ପିତର ପ୍ରାୟ ଦିନ ବାର ଘଣ୍ଟା ସମୟରେ ପ୍ରାର୍ଥନା କରିବା ନିମନ୍ତେ ଛାତ ଉପରକୁ ଗଲେ, 10ଆଉ ସେ କ୍ଷୁଧିତ ହୋଇ ଖାଇବାକୁ ଇଚ୍ଛା କଲେ, କିନ୍ତୁ ସେମାନେ ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ ସେ ମୂର୍ଚ୍ଛିତ ହୋଇ ଦର୍ଶନ ଦେଖିଲେ, 11ଆକାଶ ଖୋଲା ହୋଇଅଛି, ପୁଣି, ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ପୃଥିବୀ ଉପରକୁ ଖସାଇ ଦିଆଯାଉଅଛି; 12ସେଥିରେ ପୃଥିବୀର ସବୁପ୍ରକାର ଚାରିଗୋଡ଼ିଆ ପ୍ରାଣୀ, ସରୀସୃପ ଓ ଆକାଶର ପକ୍ଷୀଗୁଡ଼ିକ ଅଛନ୍ତି। 13ଆଉ, ତାହାଙ୍କ ପ୍ରତି ଏହି ବାଣୀ ହେଲା, “ହେ ପିତର, ଉଠ, ବଧ କରି ଖାଅ।” 14କିନ୍ତୁ ପିତର କହିଲେ, ନାହିଁ, ପ୍ରଭୁ, ମୁଁ କେବେହେଲେ କୌଣସି ଅପବିତ୍ର ଓ ଅଶୁଚି ପଦାର୍ଥ ଖାଇ ନାହିଁ। 15ପୁଣି, ଦ୍ୱିତୀୟ ଥର ତାହାଙ୍କ ପ୍ରତି ଏହି ବାଣୀ ହେଲା, “ଈଶ୍ବର ଯାହା ଶୁଚି କରିଅଛନ୍ତି, ତାହା ତୁମ୍ଭେ ଅଶୁଚି ବୋଲି ନ କୁହ।” 16ଏହି ପ୍ରକାର ତିନି ଥର ହେଲା, ଆଉ ସଙ୍ଗେ ସଙ୍ଗେ ସେହି ପାତ୍ରଟି ଆକାଶକୁ ଉଠାଇ ନିଆଗଲା।
ପତ୍ର (ସନ୍ଥମାନଙ୍କ ପାଇଁ)
26କାରଣ ଏହି ପ୍ରକାର ମହାଯାଜକ ଆମ୍ଭମାନଙ୍କ ପକ୍ଷରେ ଉପଯୁକ୍ତ, ଯେ କି ପବିତ୍ର, ନିର୍ଦ୍ଦୋଷ, ନିଷ୍କଳଙ୍କ, ପାପୀମାନଙ୍କଠାରୁ ପୃଥକୀକୃତ, ପୁଣି, ଆକାଶମଣ୍ଡଳ ଉପରେ ଉଚ୍ଚୀକୃତ। 27ସେହି ମହାଯାଜକମାନଙ୍କ ସଦୃଶ ପ୍ରତିଦିନ ପ୍ରଥମରେ ଆପଣାର ପାପ ପାଇଁ ଓ ପରେ ଲୋକମାନଙ୍କ ପାପ ପାଇଁ ବଳି ଉତ୍ସର୍ଗ କରିବା ତାହାଙ୍କର ଆବଶ୍ୟକ ନୁହେଁ, କାରଣ ଆପଣାକୁ ଉତ୍ସର୍ଗ କରିବା ଦ୍ୱାରା ସେ ଏକାଥରକେ ଏହା କରିଅଛନ୍ତି। 28ଯେଣୁ ମୋଶାଙ୍କ ବ୍ୟବସ୍ଥା ଦୁର୍ବଳତାବିଶିଷ୍ଟ ମନୁଷ୍ୟକୁ ମହାଯାଜକ ପଦରେ ନିଯୁକ୍ତ କରେ, କିନ୍ତୁ ଯେଉଁ ଶପଥବାକ୍ୟ ମୋଶାଙ୍କ ବ୍ୟବସ୍ଥା ପରେ ହୋଇଥିଲା, ତାହା ଅନନ୍ତକାଳ ପର୍ଯ୍ୟନ୍ତ ସିଦ୍ଧିପ୍ରାପ୍ତ ଈଶ୍ବରଙ୍କ ପୁତ୍ରଙ୍କୁ ନିଯୁକ୍ତ କରେ। 8:1ଆମ୍ଭେମାନେ ଯାହା କହୁଅଛୁ, ସେଥିର ପ୍ରଧାନ ବିଷୟ ଏହି, ଆମ୍ଭମାନଙ୍କର ଏପରି ଜଣେ ମହାଯାଜକ ଅଛନ୍ତି, ଯେ ସ୍ୱର୍ଗରେ ମହାମହିମଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି; 2ସେ ମହାପବିତ୍ର ସ୍ଥାନର ପୁଣି, ଯେଉଁ ଯଥାର୍ଥ ତମ୍ବୁ ମନୁଷ୍ୟ ଦ୍ୱାରା ସ୍ଥାପିତ ନ ହୋଇ ପ୍ରଭୁଙ୍କ ଦ୍ୱାରା ସ୍ଥାପିତ ହୋଇଅଛି, ସେଥିର ସେବକ ଅଟନ୍ତି।
ସୁସମାଚାର
56ଯେ ମୋହର ମାଂସ ଭୋଜନ କରେ ଓ ମୋʼ ରକ୍ତ ପାନ କରେ, ସେ ମୋʼ ଠାରେ ରହେ ଓ ମୁଁ ତାହାଠାରେ ରହେ। 57ଜୀବନ୍ତ ପିତା ଯେପରି ମୋତେ ପ୍ରେରଣ କଲେ ଓ ମୁଁ ପିତାଙ୍କ ହେତୁରୁ ଜୀବିତ ଥାଏ, ସେହିପରି ଯେ ମୋତେ ଭୋଜନ କରେ, ସେ ମଧ୍ୟ ମୋʼ ହେତୁ ଜୀବିତ ରହିବ। 58ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରିଅଛି, ତାହା ଏହି; ପିତୃ-ପୁରୁଷ ଯେପରି ଭୋଜନ କରି ମୃତ୍ୟୁଭୋଗ କଲେ, ସେପ୍ରକାର ନୁହେଁ; ଯେ ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ।” 59ସେ କଫର୍ନାହୂମର ଗୋଟିଏ ସମାଜଗୃହରେ ଶିକ୍ଷା ଦେଉଥିବା ସମୟରେ ଏହି ସମସ୍ତ କଥା କହିଲେ। 60ଅତଏବ, ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ଏହା ଶୁଣି କହିଲେ, ଏ ଘୃଣାଜନକ କଥା, କିଏ ଏହା ଶୁଣି ପାରେ? 61କିନ୍ତୁ ଯୀଶୁ, ତାହାଙ୍କ ଶିଷ୍ୟମାନେ ଯେ ସେ ବିଷୟରେ ବଚସା କରୁଅଛନ୍ତି, ତାହା ଅନ୍ତରରେ ଅବଗତ ହୋଇ ସେମାନଙ୍କୁ କହିଲେ, “ଏହା କଅଣ ତୁମ୍ଭମାନଙ୍କ ବିଘ୍ନର କାରଣ ହେଉଅଛି? 62ତାହାହେଲେ ମନୁଷ୍ୟପୁତ୍ର ପୂର୍ବରେ ଯେଉଁ ସ୍ଥାନରେ ଥିଲେ, ସେ ସ୍ଥାନକୁ ଯେବେ ତାହାଙ୍କୁ ଆରୋହଣ କରିବା ଦେଖିବ, ତେବେ କଅଣ? 63ଆତ୍ମା ଜୀବନଦାୟକ; ମାଂସ କୌଣସି ଉପକାର କରେ ନାହିଁ; ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହିଅଛି, ସେହିସବୁ ଆତ୍ମା ଓ ଜୀବନ ଅଟେ। 64କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ବିଶ୍ୱାସ କରୁ ନାହାନ୍ତି।” କାରଣ ଯେଉଁମାନେ ବିଶ୍ୱାସ କରୁ ନ ଥିଲେ ଏବଂ କିଏ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ, ତାହା ଯୀଶୁ ଆଦ୍ୟରୁ ଜାଣିଥିଲେ। 65ଆଉ ସେ କହିଲେ, “ଏହି ହେତୁ ମୁଁ ତୁମ୍ଭମାନଙ୍କୁ କହିଅଛି, ପିତାଙ୍କଠାରୁ ଅନୁଗ୍ରହ ଦତ୍ତ ନ ହେଲେ କେହି ମୋʼ ନିକଟକୁ ଆସିପାରେ ନାହିଁ।” 66ସେହି ସମୟଠାରୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ବିମୁଖ ହୋଇ ବାହାରିଗଲେ, ପୁଣି, ତାହାଙ୍କ ସାଙ୍ଗରେ ଆଉ ଗମନାଗମନ କଲେ ନାହିଁ। 67ସେଥିରେ ଯୀଶୁ ଦ୍ୱାଦଶଙ୍କୁ ପଚାରିଲେ, “ତୁମ୍ଭେମାନେ ମଧ୍ୟ କଅଣ ଚାଲିଯିବାକୁ ଇଚ୍ଛା କରୁଅଛ?” 68ଶିମୋନ ପିତର ତାହାଙ୍କୁ ଉତ୍ତର ଦେଲେ, ପ୍ରଭୁ, କାହା ପାଖକୁ ଯିବା? ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି; 69ଆଉ, ଆପଣ ଯେ ଈଶ୍ବରଙ୍କର ସେହି ପବିତ୍ର ପୁରୁଷ, ଏହା ଆମ୍ଭେମାନେ ବିଶ୍ୱାସ କରିଅଛୁ ଓ ଜାଣିଅଛୁ।
ସୁସମାଚାର (ସନ୍ଥମାନଙ୍କ ପାଇଁ)
14ତୁମ୍ଭେମାନେ ଜଗତର ଜ୍ୟୋତିଃ। ପର୍ବତ ଉପରେ ସ୍ଥାପିତ ନଗର ଗୁପ୍ତ ହୋଇ ରହି ନ ପାରେ; 15କିବା ଲୋକମାନେ ଦୀପ ଜାଳି ମାଣ ତଳେ ରଖନ୍ତି ନାହିଁ, ମାତ୍ର ଦୀପରୁଖା ଉପରେ ରଖନ୍ତି, ସେଥିରେ ତାହା ଗୃହରେ ଥିବା ସମସ୍ତ ଲୋକକୁ ଆଲୋକ ଦିଏ। 16ସେପ୍ରକାରେ ତୁମ୍ଭମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ, ଯେପରି ସେମାନେ ତୁମ୍ଭମାନଙ୍କ ସତ୍କର୍ମ ଦେଖି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ। 17ମୁଁ ଯେ ବ୍ୟବସ୍ଥା କି ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଲୋପ କରିବାକୁ ଆସିଅଛି, ଏପରି ଭାବ ନାହିଁ; ଲୋପ କରିବାକୁ ଆସି ନାହିଁ ବରଂ ସଫଳ କରିବାକୁ ଆସିଅଛି। 18କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେପର୍ଯ୍ୟନ୍ତ ଆକାଶମଣ୍ଡଳ ଓ ପୃଥିବୀ ଲୋପ ନ ପାଇବ, ସେପର୍ଯ୍ୟନ୍ତ ସମସ୍ତ ନ ଘଟିବା ଯାଏ ବ୍ୟବସ୍ଥାରୁ ଏକ ମାତ୍ରା କି ଏକ ବିନ୍ଦୁ କୌଣସି ପ୍ରକାରେ ଲୋପ ପାଇବ ନାହିଁ। 19ଅତଏବ ଯେ କେହି ଏହି ସମସ୍ତ କ୍ଷୁଦ୍ରତମ ଆଜ୍ଞା ମଧ୍ୟରୁ କୌଣସି ଗୋଟିଏ ଆଜ୍ଞା ଅମାନ୍ୟ କରେ ଓ ଲୋକଙ୍କୁ ସେହି ପ୍ରକାରେ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ କ୍ଷୁଦ୍ରତମ ବୋଲି ପରିଚିତ ହେବ; କିନ୍ତୁ ଯେକେହି ସେହି ସମସ୍ତ ପାଳନ କରେ ଓ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ମହାନ ବୋଲି ପରିଚିତ ହେବ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ମଇ 11 ନାଗରିକ ପଞ୍ଜିକାର ମଇ 24। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର